ଉପନଗରୀର ରୂପକଥା

 

 

 

 

 

 

 

 

 

 

 

ଉପନଗରୀର ରୂପକଥା

ବିଭୂତି ପଟ୍ଟନାୟକ

 

ସୂଚନା

 

୧.

ଉପନଗରୀର ରୂପକଥା

(ଆସନ୍ତାକାଲି)

୨.

ଦୁଇମୁଖୀ ରାସ୍ତା

(ମୌସୁମୀ)

୩.

ମାସ ଫଗୁଣ, ଋତୁ ବସନ୍ତ

(ଆସନ୍ତାକାଲି)

୪.

ପ୍ରାଗୈତିହାସିକ

(ସଂକଳନ)

୫.

ହାହାକାର

(ଝଂକାର)

୬.

କାଚ ଝରକା

(ଦିଗନ୍ତ)

୭.

ଏକ ଉଦାସ ଅପରାହ୍‍ଣ

(ମୌସୁମୀ)

୮.

ଏକ ନଦୀ, ବହୁ ଢେଉ

(ପୂଜା ବିଶେଷାଙ୍କ ‘ମାତୃଭୂମି’)

୯.

ଏ ଘଟଣା ଘଟିଥିଲା

(କଟକ ବେତାର କେନ୍ଦ୍ର)

୧୦.

ସେଇ ଝିଅଟି

(ପ୍ରଜାତନ୍ତ୍ର)

୧୧.

ଋଣଂ କୃତ୍ଵା

(କଟକ ବେତାର କେନ୍ଦ୍ର)

୧୨.

ଇଡ଼ିଗଲା ପାଣି

(ମୂର୍ଚ୍ଛନା)

୧୩.

ଶ୍ୱେତ-କାଳିମା

(ପୂଜାସଂଖ୍ୟା ‘ଗଣତନ୍ତ୍ର’)

Image

 

ଏଇ ଲେଖକଙ୍କର

 

ଉପନ୍ୟାସ

ଗଳ୍ପ ସଞ୍ଚୟନ

ଚପଳ ଛନ୍ଦା

ଉପନଗରୀର ରୂପକଥା

ହେ ବନ୍ଧୁ ବିଦାୟ !

ନୂତନ ପୃଥିବୀ

ଗାରେ କଜ୍ଜଳ, ଧାରେଲୁହ

୧୯୫୫

ଦିନଯାଏ, ଚିହ୍ନରହେ

ହସ ଓ ଅଶ୍ରୁ

ଉଜାଣି ଯମୁନା

ମଳୟର ସ୍ୱପ୍ନଭଙ୍ଗ

ପର ପୁରୁଷ

ଦ୍ଵୀପର ନାମ କୁନ୍ତଳିକା

ପ୍ରଥମ ସକାଳ

ଶିଶୁ ସାହିତ୍ୟ

ଶେଷ ବସନ୍ତ

କହିଜାଣିଲେ କଥା ସୁନ୍ଦର

ଏଇ ଗାଁ, ଏଇ ମାଟି

ହସ ଖୁସି

ପ୍ରେମ ଓ ପୃଥିବୀ

ବିଚିତ୍ର ଏ ଦେଶ !

ନିଶି ପଦ୍ମ

କବିତା

ତୁମେ ତୃଷ୍ଣାର ଜଳ

ସେ ଏକ ପ୍ରଗଲଭା ନଦୀ !

 

ଅନ୍ୟାନ୍ୟ

ଏକାଙ୍କିକା ସଂଗ୍ରହ

Image

 

ମନେପଡ଼େ

 

ନିଜ ଗଳ୍ପ ବହିର ଭୂମିକା ନିଜେ ଲେଖିଲାବେଳେ ଅନେକ କଥା ମନେ ପଡ଼େ । ହଜି ଯାଇଥିବା ଦିନ ଗୁଡ଼ିକର ସେଇ ସ୍ମୃତି ସବୁ ‘କିଉ’ କରି ମନର ଝରକା ପାଖରେ ଉଭା ହୁଅନ୍ତି । ମନେ ହୁଏ, ମୋ ନିଜ ଗଳ୍ପଗୁଡ଼ିକୁ ମୋଠୁଁ ବଳି ବେଶି ଭଲକରି ଜାଣେ କିଏ ? ନିଜ ବହିର ଭୂମିକା ନିଜ ଛଡ଼ା ଆଉ କିଏ ବେଶି ଭଲ କରି ଲେଖିପାରେ !

 

ସ୍ମୃତିର ସେ ‘କିଉ’ ଟା ଏଡ଼େ ଦୀର୍ଘ ଯେ ଅନେଇଲେ ଆଖି ପାଉ ନାହିଁ । ଅନେକ ଦିନର ଆଲିଭା ସ୍ମୃତିଗୁଡ଼ିକ ‘କିଉ’ର ଆଗକୁ ଆସିବାପାଇଁ ଠେଲା ପେଲା ଆରମ୍ଭ କରିଛନ୍ତି । କାହାକୁ ଭୁଲିବି—କାହାକୁ ମନେ ରଖିବି, ସେଇ ହେଉଛି ସମସ୍ୟା ।

 

ଇଚ୍ଛା କଲେ ଯେଉଁମାନେ ଗଳ୍ପ ଲେଖିପାରନ୍ତି, ସେମାନଙ୍କ ଭିତରୁ ମୁଁ ଜଣେ ନୁହେଁ । ନିଛାଟିଆ ଖରାବେଳେ କୋଇଲିର କୁହୁ ଶୁଣି ସବୁଦିନେ ଯେ ମୋ ମନ ଚଞ୍ଚଳ ହୋଇଉଠେ, ଏକଥା ଭୁଲ୍ । ତଥାପି ଗୋଟାଏ ଗୋଟାଏ ଉଦାସ ଅପରାହ୍ଣରେ ଗୋଟିକିଆ କୋଇଲିର ଗୀତ ‘ଶୁଣି ମନ ମୋର କରୁଣ ହୋଇଉଠେ । ଏକ ବେସୁରା ରାଗିଣୀରେ ମନର ସୂକ୍ଷ୍ମତନ୍ତ୍ରୀଗୁଡ଼ିକ ଆନ୍ଦୋଳିତ ହୁଏ । ସାଧାରଣ କାମ ଛାଡ଼ି କିଛି ଅସାଧାରଣ କାମ କରିବାକୁ ମନ ହୁଏ ଚଞ୍ଚଳ । ବହି ଛାଡ଼ି ଧରେ କଲମ । ଏଇ ହେଲା ମୋ ଲେଖକ ମନର ନକ୍ସା । ମନର ଏକ ବିଶିଷ୍ଟ ମୁହୂର୍ତ୍ତ ଉପରେ ଗଳ୍ପ ଲେଖିବା ନିର୍ଭର କରେ । ଏମିତି କେତେ ନିଛାଟିଆ ଖରାବେଳ, ନିଦଭଙ୍ଗା ପାହାନ୍ତି ଆଲୁଅ ଆଉ କର୍ମକ୍ଳାନ୍ତ ଜୀବନର ଫାଙ୍କ୍ ଭିତରେ—ଏ ବହିର ଗଳ୍ପଗୁଡ଼ିକ ଲେଖା ହୋଇଛି । ମନର ସେଇ ବିଶିଷ୍ଟ ମୁହୂର୍ତ୍ତଗୁଡ଼ିକୁ ଅଣ୍ଡାଳି ହେଲେ ଆଜି ବି ଦେହରେ ଜାଗୁଚି ଏକ ରୋମାଞ୍ଚକର ଶୀହରଣ । ଓଃ—ସେ ଦିନ ଗୁଡ଼ାକ କି ସୁନ୍ଦର !

 

ଗଳ୍ପ ଲେଖିବା ପାଇଁ ଯେଉଁମାନେ ଅଙ୍କ କଷି କଥାବସ୍ତ ପାଇଁ ଯୋଜନା ତିଆରି କରନ୍ତି–ସେମାନଙ୍କ ତାଲିକାରେ ମୋର ନାମ ନାହିଁ । ଜୀବନ ଯାତ୍ରାର ଅସରନ୍ତି ପଥରେ ଚାଲୁ ଚାଲୁ ମୁଁ ଅନେକ ଗଳ୍ପକୁ ଆବିଷ୍କାର କରିଚି । କେଉଁଠି ବା ଘନଶ୍ୟାମ ଗ୍ରାମପଥ ନ ହେଲେ ବା କେଉଁଠି ନୀଳ ନିର୍ଜନ ପଥଘାଟରେ ମୋର ଗଳ୍ପ କଥାବସ୍ତୁ ଉପସ୍ଥିତ ହୋଇଛନ୍ତି । ସାଂପ୍ରତିକ ସମାଜର ଯାତନା, ନିର୍ଯ୍ୟାତନା, ଘାତ ପ୍ରତିଘାତର ଶୋଭାଯାତ୍ରା ମୋ ଚିନ୍ତାଧାରାର ଗତିପଥ ଭିତରକୁ ଅନେକ ସମୟରେ ଧସେଇ ପଶିଛନ୍ତି । ସେଥିପାଇଁ ‘ଉପନଗରୀର ଉପକଥା’ ‘ଦୁଇମୁଖୀ ରାସ୍ତା’ ପ୍ରଭୃତି ଗଳ୍ପରେ ମୁଁ ଅନୁଚିତ ଭାବରେ ସମାଜ–ସଚେତନ ହୋଇ ଉଠିଚି ।

 

ଶୈଳି ଓ ଆଙ୍ଗିକ ପ୍ରୟୋଗ ଦୃଷ୍ଟିରୁ ଯଥା ସମ୍ଭବ ମୁଁ ମୋର ଗତି ପରିବର୍ତ୍ତନ କରିବାକୁ ଚେଷ୍ଟା କରିଚି । କେତେଦୂର ସଫଳ ହୋଇଚି, ‘ଦୁଇମୁଖୀ ରାସ୍ତା’ ସେଇ ‘ଝିଅଟି’ ଓ ‘ଇଡ଼ିଗଲାପାଣି’ ଗଳ୍ପ ତିନୋଟିକୁ ବିଚାରକୁ ନେଇ ମୋର ପାଠକମାନେ କହି ପାରିବେ ।

 

୧୯୫୨ ମସିହାରେ ମୋର ପ୍ରଥମ ଗଳ୍ପଗ୍ରନ୍ଥ ‘୧୯୫୫’ ପ୍ରକାଶ ପାଇଲା ପରେ ଏହା ଦ୍ଵିତୀୟ ଗଳ୍ପଗ୍ରନ୍ଥ ରୂପେ ଆତ୍ମପ୍ରକାଶ କରୁଚି । ଗଳ୍ପଗୁଡ଼ିକ ଓଡ଼ିଶାର ବିଭିନ୍ନ ପତ୍ର ପତ୍ରିକା ଓ କଟକ ବେତାର କେନ୍ଦ୍ରରୁ ବିଭିନ୍ନ ସମୟରେ ପ୍ରଚାରିତ ହୋଇଥିଲା ଯେଉଁ ବନ୍ଧୁମାନେ ସେତେବେଳେ ଗଳ୍ପଗୁଡ଼ିକ ପଢ଼ି, ଶୁଣି ମତେ ଉଚ୍ଛ୍ୱସିତ ପ୍ରଶଂସାରେ ଉତ୍ସାହିତ କରିଥିଲେ ଏବଂ ‘ଭଲ ହୋଇନାହିଁ’ ‘ଆହୁରି ଭଲ ହେବା ଉଚିତଥିଲା’ ବୋଲି କହି ମୋ ଲେଖନୀକୁ ସକ୍ରିୟ କରିଥିଲେ, ସେ ସମସ୍ତଙ୍କୁ ମୁଁ ବର୍ତ୍ତମାନ ଆନ୍ତରିକ ଧନ୍ୟବାଦ ଜଣାଇବାର ସୁଯୋଗ ଗ୍ରହଣ କରୁଚି ।

 

ଇଚ୍ଛାଥିଲା, ପୁସ୍ତକ ଆକାରରେ ପ୍ରକାଶିତ ହେଲାବେଳେ ପତ୍ରପତ୍ରିକାରେ ପ୍ରକାଶିତ ଓ ବେତାର କେନ୍ଦ୍ର ତରଫରୁ ପ୍ରଚାରିତ ଗଳ୍ପଗୁଡ଼ିକୁ ଆଉଥରେ ନୂତନ ରୂପ ଦେବାକୁ ଚେଷ୍ଟା କରିବି । କିନ୍ତୁ ମନର ସେ କଥା କେବଳ ମନରେ ହିଁ ରହିଲା । କାର୍ଯ୍ୟବ୍ୟସ୍ତତା ଯୋଗୁ ବିଶେଷ କିଛି କରିହେଲା ନାହିଁ । ପ୍ରୁଫ୍ ପଢ଼ିଲାବେଳେ ଯାହା କିଛି ସମ୍ଭବ—ସେତିକି କରିଛି ।

 

‘ଶାରଦା ଭବନ’ ପରିଚାଳକ ଦ୍ୱୟ ବାରମ୍ବାର ତାଗିଦ୍ କରି ନ ଥିଲେ ପତ୍ର ପତ୍ରିକା, ଓ ବେତାରକେନ୍ଦ୍ର ଅଫିସରେ ଏଣେ ତେଣେ ଖେଳେଇ ହୋଇ ପଡ଼ିଥିବା ଏହି ଗଳ୍ପଗୁଡ଼ିକୁ ଏକତ୍ର କରି ପୁସ୍ତକ ଆକାରରେ ପ୍ରକାଶ କରିବା ବୋଧହୁଏ ମୋ ପକ୍ଷରେ ଏତେ ଶୀଘ୍ର ସମ୍ଭବ ହୋଇ ନ ଥାନ୍ତା-। ଗଳ୍ପ ଗ୍ରନ୍ଥଟିକୁ ସର୍ବାଙ୍ଗ–ସୁନ୍ଦର କରିବା ପାଇଁ ସେଇ ପ୍ରକାଶକ ବନ୍ଧୁ ଦ୍ୱୟଙ୍କର ଅଙ୍କୁଣ୍ଠିତ ସହଯୋଗ ମୁଁ ବିନମ୍ର ଚିତ୍ତରେ ସ୍ମରଣ କରୁଚି ।

 

୧୫, ଅଗଷ୍ଟ, ୧୯୬୧

 

ଗଙ୍ଗାମନ୍ଦିର, କଟକ–୧

ବିଭୂତି ପଟ୍ଟନାୟକ

Image

 

ଉପନଗରୀର ରୂପକଥା

 

ଉପନଗରୀର ଉପାନ୍ତରେ ଛୋଟ ଗୋଟିଏ ଗଳି । ଗଳିର ଶେଷ ଭାଗକୁ ଗୋଟିଏ ଏକ ମହଲା ନୀଳ କୋଠା । କୋଠା ଆଗ ଫାଟକରେ ନିର୍ମଳ ଅକ୍ଷରରେ ଲେଖା ହୋଇଛି ‘ସ୍ୱପ୍ନାଳୟ’ । ଫାଟକ ଉପରେ ଲଟେଇ ଯାଇଛି ମଧୁ ମାଳତୀର ଲତା । ସେଇ ଲତାୟିତ ଫାଟକ ଭିତରେ ସଂଧ୍ୟାର ଅନ୍ଧକାର ନିବିଡ଼ ହୋଇ ଆସିଲେ ନରନାରୀ କଣ୍ଠର ଚାପା କଳ ଗୁଞ୍ଜନ ଉଠେ । ‘ସ୍ୱପ୍ନାଳୟ’ ଭିତରେ ଜମି ଉଠେ ନାନା ଅଶ୍ଳିଳ, ଅସହ୍ୟ ସ୍ୱପ୍ନ !

 

ସ୍ୱପ୍ନାଳୟ !

 

ଦିନର ଆଲୁଅ ପାଂଶୁଳ ହୋଇ ଆସିଲେ, ସ୍ୱପ୍ନାଳୟର ଗଳିରେ କେହି ସାଧାରଣ ଭଦ୍ରଲୋକ ଯିବାକୁ ସାହାସ କରନ୍ତି ନାହିଁ । ଯଦି କେହି ଭୁଲରେ ରାତିରେ ସେଇ ବାଟେ ଯାଇଥାଏ, ସେ ଗଳି ପାର ହେବା ପର୍ଯ୍ୟନ୍ତ ତା ଦେହରୁ ରକ୍ତ ଶୁଖି ଯାଇଥାଏ । ଯଦି କିଏ ଦେଖି ନିଏ... ।

 

କିନ୍ତୁ ସ୍ଵପ୍ନାଳୟ’କୁ ଲୋକ ଆସନ୍ତି । ଭଦ୍ର ନ ହେଲେ ମଧ୍ୟ ସେମାନଙ୍କୁ ଅଭଦ୍ର କହିହେବ ନାହିଁ । ସମାଜରେ ସେମାନେ ସୁପ୍ରତିଷ୍ଠିତ । ତା’ ଛଡ଼ା ଆସନ୍ତି ସମାଜର ଅତିତଳ ଶ୍ରେଣୀର ଲୋକ ଯିଏ ଭଦ୍ରଲୋକ ହେବାର ଅହଂକାରକୁ ଘୃଣା କରନ୍ତି ।

 

‘ସ୍ଵପ୍ନାଳୟ’ରେ ରାତିର ନିବିଡ଼ତା ସାଙ୍ଗରେ ବାଜି ଉଠେ ହାରମୋନିୟମର ଅବ୍ୟକ୍ତ କାନ୍ଦଣା ଧ୍ୱନି……ଭାସି ଆସେ ଚା’ ପିଆଲା, ମଦ ବୋତଲ ତଳେ ପଡ଼ି ଭାଙ୍ଗି ଯିବାର ଟନ୍…..Oଣ୍ ଶଦ୍ଦ…….ନାରୀ କଣ୍ଠର ଆଶ୍ରାବ୍ୟ, ଅଶ୍ଳିଳ ସଂଗୀତ । ‘ସ୍ୱପ୍ନାଳୟ’ରେ ସ୍ୱପ୍ନ ଜମି ଆସେ । ରାତି ହେଲେ ।

 

ରାତିର ଏଇ କଳ ଧ୍ଵନୀ ସକାଳକୁ ମରିଯାଏ । ସ୍ୱପ୍ନାଳୟର ସ୍ୱପ୍ନ ଲିଭିଯାଏ ରାତିର ଏକ ଦୁଃସ୍ଵପ୍ନ ଭଳି । ଉପନଗରୀର ଭଦ୍ରତା ସହିତ ତାଳ ଦେଇ ସ୍ୱପ୍ନାଳୟ ମଧ୍ୟ ଦିନର ଆଲୁଅରେ ହୋଇ ଉଠେ ଶୁଭ…….ଶୁକ୍ଳ !

 

ସେ ଦିନର ଗୋଟିଏ ରାତି ।

 

କେଉଁ ଅନାମିକା ତିଥିର ଜହ୍ନାଲୋକ ସ୍ଵପ୍ନାଳୟର ମାଳତୀ ଲତା ତଳେ ତିଳତଣ୍ଡୁଳିତ ହୋଇ ଝରି ପଡ଼ିଥାଏ । ସ୍ୱପ୍ନାଳୟର ଗୋଟିଏ କକ୍ଷରୁ ଆସୁଥାଏ ହାଲକା ନୀଳ ରଙ୍ଗର ଆଲୁଅ । ସେଇ ଆଲୁଅରେ ଦେଖା ଯାଉଥାଏ ଝରକାର ରଡ଼୍‍ ଧରି ଠିଆ ହୋଇଛି ଗୋଟିଏ ତନୁପାତେଳୀ ଝିଅ……କୁନ୍ତଳିକା ।

 

କୁନ୍ତଳିକାର କାକକୃଷ୍ଣ କବରୀରେ ସଜ ଫୁଟନ୍ତ ମଲ୍ଲୀ ଫୁଲର ସଭା ବସିଛି । କଜ୍ଜ୍ୱଳିତ ଆଖି ପତାରେ ପ୍ରତୀକ୍ଷାର ସ୍ଵପ୍ନ । ମୁହଁରେ ନେଶା ହୋଇଥିବା ପାଉଡ଼ରର ସ୍ତର ଉପରେ ଜମି ଆସିଛି ବିନ୍ଦୁ ବିନ୍ଦୁ ଫାଳ । କୁନ୍ତଳିକା ପ୍ରତୀକ୍ଷମାଣା !

 

କିନ୍ତୁ କାହାପାଇଁ ତାର ସେ ଆପେକ୍ଷା !

 

ରାତିର ଅନ୍ଧକାର ନିବିଡ଼ ହେଉଛି । କିନ୍ତ କୁନ୍ତଳିକାର ଅପେକ୍ଷାମାଣ ଆଖି ପତାରେ ପଲକୁ ପଡ଼ୁ ନାହିଁ । ତାର ଏ ଅପେକ୍ଷା ଆଉ ବେଶୀ ଦିନ ନୁହେଁ । ତାର ଏ ଉପନାୟିକା ବେଶ ଆଉ ଅଳ୍ପ ଦିନ ପାଇଁ ।

 

ବେଶ୍ୟାବୃତ୍ତି ନିରୋଧ ଆଇନ, ଲୋକ ସଭାରେ ଗୃହୀତ ହୋଇଛି । କୁନ୍ତଳିକାକୁ ଏଥର ଆଖିପତାରୁ କଜ୍ୱଳ ପୋଛିବାକୁ ହେବ । ସ୍ୱପ୍ନାଳୟ ହୁଏତ ଏଥିର ହେବ ‘ଗ୍ରୋମୋର ଫୁଡ଼୍‍’ ଅଫିସ-। ବ୍ୟଭିଚାରରେ ହେବ ଇତିଶ୍ରୀ ।

 

କୁନ୍ତଳିକା କ୍ରମେ କ୍ରମେ ବ୍ୟସ୍ତ ବିବ୍ରତ ହୋଇପୁଡ଼ୁଥିଲା । ସ୍ୱପ୍ନାଳୟ ଆଗର ଆଜି କାର୍‍ର ହର୍ଣ୍ଣ ଶୁଭୁ ନାହିଁ । ସତ୍ୟାନନ୍ଦ କଣ ତାକୁ ଏତେ ଶୀଘ୍ର ଭୁଲି ଗଲେ ?

 

ଶୁଣିଛି ସେ ଅନେକ ଦିନ ହେଲା ଦିଲ୍ଲୀରୁ ଫେରିଲେଣି । ଆଜି ଆସିବେ ବୋଲି ଖବର ଦେଇଥିଲେ । କାହିଁ ଏ ପର୍ଯ୍ୟନ୍ତ ଆସିଲେ ନାହିଁତ !

 

କୁନ୍ତଳିକାର ମନରେ ଗୋଟିଏ ଅହେତୁକୀ ଅନୁଯୋଗ ଭରି ଯାଇଥିଲା । ସତ୍ୟାନନ୍ଦ ମନ୍ତ୍ରୀ ହେବା ଆଗରୁ ତା’ ସହିତ ଅତି ନିବିଡ଼ ସଂପର୍କ……..କେତେ ଚାନ୍ଦ ଚକିତ ଉନ୍ମିଦ୍ର ରାତି—ମଧୁର ମୁହୂର୍ତ୍ତ…. ?

 

ସ୍ୱପ୍ନାଳୟର ଆଗ ପାଖ ପବନ ହଠାତ୍ ମହ ମହ ହୋଇ ବାସି ଉଠିଲା । ପରିଚାରିକା ପଦ୍ମା ସଂବାଦ ଦେଲା, ବାବୁ ଆସିଲେଣି ।

 

କୁନ୍ତଳିକା ଏକବାରେ ଅସମ୍ଭାଳ । ଦେହର ଲୁଗାତଳେ ଲୋଟୁଛି । କବରୀରୁ ଝରିପଡ଼ୁଛି ଗୋଟାକୁ ଗୋଟା ମଲ୍ଲୀ ଫୁଲ…… ତାକୁ ସେ ଖାତିରି ନକରି ଧାଇଁଛି…… ସତ୍ୟାନନ୍ଦ ବାବୁ ଆସିଲେଣି ।

 

ସତ୍ୟାନନ୍ଦ ବାବୁ ଆସୁଥିଲେ । ସେଇ ଶୁଭ୍ର ଖଦଡ଼ ପୋଷାକ ଗୌରଜ୍ଜ୍ଵଳ ମୁହଁ । କୁଞ୍ଚକୁଞ୍ଚିଆ ମୁଣ୍ଡ ବାଳରୁ ଏସେନ୍‍ସର ସୁରଭି ଆସୁଛି,.... ଅଗୁରୁ ଚନ୍ଦନ ଏକ ମିଶ୍ରିତ ମିଠାଗନ୍ଧ ।

 

ସତ୍ୟାନନ୍ଦଙ୍କ କୋଳରେ ଏକାବେଳକେ ଲୋଟି ପଡ଼ିଲା କୁନ୍ତଳିକା । ଅନୁଯୋଗ କଲା, ଏତେ ଡେରି କଲ ?

 

ସତ୍ୟାନନ୍ଦ ବିହ୍ୱିଳିତ ହୋଇ ପଡ଼ିଥିଲେ । ଏଇ କୁନ୍ତଳିକା । ଖୁବ ଆଗରୁ ତାଙ୍କର ତା’ ସହିତ ପରିଚିତ । ୧୯୪୨ ଆନ୍ଦୋଳନ ବେଳେ ଏଇ ‘ସ୍ଵପ୍ନାଳୟ’ରେ କୁନ୍ତଳିକାର ପଣତ ତଳେ ଆତ୍ମଗୋପନ କରିଥିଲେ...... ଇଂରେଜ ସରକାରଙ୍କ ପୋଲିସ ବିଭାଗ ତାଙ୍କୁ ଗିରଫ୍ କାରିବାକୁ ବହୁ ଚେଷ୍ଟା କରି ବିଫଳ ହୋଇଥିଲା.... ୧୯୪୨ ପରେ ଆସିଲା ୧୯୪୭... ସ୍ୱପ୍ନାଳୟରେ ଆତ୍ମଗୋପନ କରିଥିବା ସତ୍ୟାନନ୍ଦ ହେଲେ କେନ୍ଦ୍ର ମନ୍ତ୍ରୀ । ଚକ ଘୂରିଗଲା । ...କିନ୍ତୁ ସେ ଭୁଲି ପାରିଲେ ନାହିଁ କୁନ୍ତଳିକାକୁ.....କୁନ୍ତଳିକାକୁ ଯିଏ ଯେତେ ଘୃଣା କରୁନା କାହିଁକି ସତ୍ୟାନନ୍ଦ ମନେ କରନ୍ତି ସେ ଦେଶ ସେବିକା । ....ତାଙ୍କ ଭଳି ଅନେକ ଦେଶ ସେବା...ଯେ ବର୍ତ୍ତମାନ ମନ୍ତ୍ରୀ ହୋଇଛନ୍ତି....ତାଙ୍କୁ ସେ ଇଂରେଜୀ ସରକାରର ଚିଲା ଆଖି ଉଢ଼ୁଆଳରୁ ୧୯୪୨ ଆନ୍ଦୋଳନ ବେଳେ ବଞ୍ଚେଇ ରଖିଥିଲା, ତେଣୁ ଆଜି..... ।

 

ସତ୍ୟାନନ୍ଦ ଉତ୍ତର ଦେଲେ, ଗୋଟିଏ କମିଟି ମିଟିଂ ଥିଲା । ତାକୁ ସାରି ଆସୁ ଆସୁ ବିଳମ୍ବ ହୋଇଛି, ...ତୁ ମତେ କ୍ଷମା କରିବୁ ନାଇଁ ?

 

କେନ୍ଦ୍ର–ମନ୍ତ୍ରୀ ସତ୍ୟାନନ୍ଦକୁ କ୍ଷମା କରିବ କୁନ୍ତଳିକା !

 

କୁନ୍ତଳିକା ଗର୍ବ, ଅହଂକାରରେ ଫାଟି ପଡ଼ୁଥିଲା । ଉଚ୍ଛ୍ଵସିତ ହୋଇ ଉଠୁଥିଲା ।

 

ଅନେକ ସମୟ ପରେ ସତ୍ୟାନନ୍ଦ ଯିବାକୁ ଉଠୁଥିଲା । କାଲି ସକାଳୁ ତାଙ୍କୁ ସାଧୁ ସମାଜର ବିଶେଷ ଅଧିବେଶନ ଉଦ୍‍ଘାଟନ କରିବାକୁ ହେବ । ସେଥିପାଇଁ ସେ ପ୍ରସ୍ତୁତ ହେବେ ।

 

ସତ୍ୟାନନ୍ଦ ଉଠୁଥିଲେ । କୁନ୍ତଳିକା କହିଲା, ମୁଁ ତୁମକୁ ଗୋଟିଏ ପ୍ରଶ୍ନ କରିବି ସତ୍ୟାନନ୍ଦ-। କିଛି ମନେ କରିବ ନାହିଁ ।

 

ସତ୍ୟାନନ୍ଦ କିଛି ମନେ ନ କଲା ଭଳି ଢଙ୍ଗରେ ଅପେକ୍ଷା କଲେ ।

 

କୁନ୍ତଳିକା ପ୍ରଶ୍ନ କଲା, ବେଶ୍ୟା ନିରୋଧ ଆଇନ ସରକାର ତମର ପାସ୍‍ କରିଛନ୍ତି । ତମେ ତାକୁ ସମର୍ଥନ କରିଛି । ମୁଁ ଖୁସି ହେଉଛି କିନ୍ତୁ ଆମ ଭବିଷ୍ୟତ ପାଇ ଚିନ୍ତା କରିଛି ?

 

ସତ୍ୟାନନ୍ଦ ହସିଲେ ତାଙ୍କ ମୁହଁଟି ଭାରି ସୁନ୍ଦର ଦେଖାଯାଏ । ମନ୍ତ୍ରୀ ହେଵାପରେ ତାଙ୍କ ଟାକୁଆ ମୁହଁରେ ମାଉଁସ ଲାଗିଛି । ମୁଁହରେ ଖାଲ ଢିପ ପୂରି ସମାନ ହୋଇଯାଇଛି । ସେ ହସି ହସି କହିଲେ, ରମ୍ଭା, ମେନକାର ବଂଶକୁ ଲୋପ କରିବି ଏମିତି ସରକାର ଏ ପର୍ଯ୍ୟନ୍ତ ଶାସନ ଗାଦିରେ ବସି ନାହାନ୍ତି । ଏ କେବଳ ଢଙ୍ଗ ପରିବର୍ତ୍ତନ ।

 

କୁନ୍ତଳିକା ଅବାକ୍ କଣ୍ଠରେ ପଚାରିଲା, ନିଶା ନିବାରଣ ଆଇନ କୋହଳକରି ସେଇ ଟଙ୍କାରେ ସରକାର ଯେତେବେଳେ ପଞ୍ଚବାର୍ଷିକ ଯୋଜନା କରିଛନ୍ତି, ବେଶ୍ୟା ନିରୋଧ ସେତେବେଳେ କେମିତି ସମ୍ଭବ ହେବ ବୋଲି ସେ ଭାବୁଛନ୍ତି ?

 

ସତ୍ୟାନନ୍ଦ ଟିକିଏ ବିରକ୍ତ ହେଲେ । କହିଲେ, ଦୈହିକ-କାମନାକୁ ଋଷି ବିଶ୍ୱାମିତ୍ର ଯେତେବେଳେ ଦମନ କରି ପାରିନାହାନ୍ତି, ତାକୁ କୌଣସି ସରକାର ବନ୍ଦ କରି ପାରିବ ନାହିଁ । କିନ୍ତୁ ସ୍ଵାଧୀନତା ପରେ ସରକାର ବନ୍ଦ କରି ପାରିବ ନାହିଁ । କିନ୍ତୁ ସ୍ଵାଧୀନତା ପରେ ସରକାର ତାକୁ ଅନ୍ୟ ଢଙ୍ଗରେ ଚଳାଇବାକୁ ଚାହୁଁଛନ୍ତି । ସ୍ଵାଧୀନତା ପରେ ସରକାର ଜମିଦାରୀ ଲୋପ କରିଛନ୍ତି । କିନ୍ତୁ ଅଞ୍ଚଳ ଅଫିସର ନୂଆ ଜମିଦାର ସାଜିଛନ୍ତି । ଦେଶରୁ ରାଜତନ୍ତ୍ର ଲୋପ ପାଇଛି କିନ୍ତୁ ରାଜା ରାଜୁଡ଼ାଙ୍କ ସମୟର ହୁଙ୍କାପିଟା ଶାସନ ଗଣତନ୍ତ୍ର ନାମରେ ଚାଲିଛି । ତଫାତ୍ ହେଉଛି ଆଗେ ସବୁ ଅନ୍ୟାୟ ସରକାରଙ୍କ ନାମରେ ହେଉଥିଲା । ଏବେ ସେ ଅନ୍ୟାୟ ଲୋକଙ୍କ ନାମରେ ହେବ । ବେଶ୍ୟାବୃତ୍ତି ନିରୋଧ ଆଇନ ଫଳରେ ସବୁ ବେଶ୍ୟାଳୟ ଉଠିଯିବ । କିନ୍ତୁ ବେଶ୍ୟା ସବୁ ଦେଶ ଛାଡ଼ି ଚାଲି ଯିବେ ବୋଲି ଆଇନରେ କିଛି ନାହଁ । ଯିଏ ଆଜି ନିଜ ରୂପର ବ୍ୟବସାୟ କରି ସମାଜରେ ଘୃଣିତ ହୋଇ ରହିଛନ୍ତି ସରକାର ସେମାନଙ୍କୁ ସେ ନର୍କରୁ ମୁକ୍ତି କରିବାକୁ ଚାହାନ୍ତି । ସେମାନେ ମେଡିକାଲରେ ନର୍ସ ହୋଇ ସେବା କରନ୍ତୁ । ପାଠ ପଢ଼ିଥିଲେ ଅଫିସରେ କିରାନୀ କିମ୍ବା ଅଫିସରଙ୍କ ଷ୍ଟେନୋ ହୋଇ ପଞ୍ଚବାର୍ଷିକ ଯୋଜନା କାମକୁ ଦୃତ ବେଗରେ ଆଗେଇ ନିଅନ୍ତୁ । ସ୍କୁଲର ଶିକ୍ଷୟତ୍ରୀ ହୋଇ ଏ ଦେଶର ପ୍ରସ୍ତରିଭୂତି ଅଜ୍ଞାନ ଅନ୍ଧକାର ଭିତରେ ଜ୍ଞାନର ପ୍ରଦୀପ ଶିଖା ଜାଳି ଦିଅନ୍ତୁ । ଯାହା ଆଜି ସେମାନେ ଘୃଣିତ ଅବସ୍ଥାରେ କରୁଛନ୍ତି, ଏବେ ସେମାନେ ତାହା ସମ୍ମାନସ୍ପଦା ହୋଇ କରନ୍ତୁ । ଦେଶରୁ ବେଶ୍ୟାବୃତ୍ତି ଆଇନ ଜରିଆରେ ଉଠିଯାଉ । ସରକାର ଏ କଳଙ୍କରୁ ରକ୍ଷା ପାଆନ୍ତୁ ।

 

କୁନ୍ତଳିକା ସତ୍ୟାନନ୍ଦ ବକ୍ତୃତା ଶୁଣୁଥିଲା । ବେଶ୍ୟାବୃତ୍ତି ନିରୋଧ ସଂପର୍କରେ ତାହାର ଯୁକ୍ତି ଶୁଣି ସେ ମନେ ମନେ ଭାବିଲା, ସତ୍ୟାନନ୍ଦଙ୍କୁ ଯେଉଁମାନେ ଅଯୋଗ୍ୟ ବୋଲି କୁହନ୍ତି ସେମାନେ କେଡ଼େ ନିର୍ବୋଧ ସତେ !!

 

ସତ୍ୟାନନ୍ଦ ଉଠିଲେ । ରାତି ଅନେକ ହୋଇଚି ।

 

କୁନ୍ତଳିକା ଯୁକ୍ତ ହସ୍ତରେ ବିଦାୟ ପ୍ରଣତି ଜଣାଇଲା ।

 

କୁନ୍ତଳିକାକୁ ନିଦ ଲାଗି ଆସିଚି ।

 

“ସ୍ୱପ୍ନାଳୟ” ଫାଟକ ପାଖରେ ବାରମ୍ବାର ରିକ୍‍ସାର ଘଣ୍ଟି ବାଜି ଉଠିଲା । ତନ୍ଦ୍ରା ବିଜଡ଼ିତ ଆଖିରେ ସେ ପଚାରିଲା, କିଏ ?

 

“କୁସୁନିଆ.....” ପରିଚରିକା ଉତ୍ତର ଦେଲା । କୁସୁନିଆ ନାଁ ଶୁଣି ଚେଇଁ ଉଠିଲା କୁନ୍ତଳିକା । ବାହାରକୁ ଚାହିଁଲା ଆକାଶରେ ତାରା କେତୋଟି ଫିକା ହସ ହସୁଛନ୍ତି । ରାତ୍ରି ଆଉ ଅଳ୍ପ କେତେ ଘଣ୍ଟା ମାତ୍ର ଅବଶିଷ୍ଟ ଅଛି ।

 

ସେ ଉଠି ଯାଇ ଆଇନା ଆଗରେ ଠିଆ ହେଲା । ପାଉଡ଼ର ଛାଡ଼ିଗଲା ପରେ କେମିତି ଛଉ ଛଉକା ଦିଶୁଛି ମୁଁହ । କବରୀର ମଲ୍ଲୀ ଫୁଲଗୁଡ଼ାକ ପୂରାପୂରି ମଉଳି ଯାଇଛି । ମୁଣ୍ଡରେ ଲଗାଇ ଥିବା ବାସନା ତେଲରୁ କେମିତି ଗୋଟାଏ ଉତ୍କଟ ଗନ୍ଧ ବାହାରିଲାଣି ।

 

ଏହି ହେଉଛି ଅସଲ କୁନ୍ତଳିକା ।

 

ପରିଚାରିକା ଫାଟକ ଖୋଲି ଦେଇଚି । ଢଳି ଢଳି ଭିତରକୁ ଆସିଲା କୁସୁନିଆ । ଫାଟକ ପାଖରେ ରିକ୍ସା ତାର ଠିଆ ହୋଇଛି ।

 

କୁସୁନିଆ ବୋଧହୁଏ ମଦ ଖାଇଚି ।

 

କୁନ୍ତଳୀକା ତା ଆଡ଼େ ଚାହିଁଲା । ସେ ହେଉଛି ତାର ଶେଷ ରାତିର ଅତିଥି । ରିକ୍‍ସା ଟାଣି ଟାଣି କ୍ଳାନ୍ତ ହେଲା ପରେ ଆସିଚି ତାର କୃତ୍ରିମ ବହୁ–ବନ୍ଧନ ଭିତରେ ନିଜର କ୍ଲାନ୍ତିକୁ ପାଶୋରି ଦେବାକୁ ।

 

କୁନ୍ତଳିକା କଟାକ୍ଷ ହାଣିଲା । ସେ ଏକ ବିଭତ୍ସ କଟାକ୍ଷ ।

 

କୁସୁନିଆ ପାଖକୁ ଲାଗି ଆସିଲା । ପକେଟରୁ କାଢ଼ି ଥୋଇଲା ଟଙ୍କା କେତୋଟିଏ ରେଜା ପଇସା । ସାରା ରାତିର ଗଧ ଖଟଣିର ମୂଲ ।

 

କୁନ୍ତଳିକା କୁସୁନିଆ ପାଖକୁ ଲାଗି ବସି ପଚାରିଲା, ତୁ ଜାଣିଛୁ କୁସୁନିଆ । ସରକାର ଆଇନ କରି ଆମକୁ ସବୁ ଉଠେଇ ଦେଉଛନ୍ତି । ଆଉ କେଇଦିନ ପରେ ଏ ଘର ଅଫିସ୍ ହେବ । ମୁଁ ସ୍କୁଲ ମାଷ୍ଟରାଣୀ ନଇଲେ ମେଡ଼ିକାଲ ନର୍ସ ହେବି....ଜାଣିଲୁ ।

କୁସୁନିଆ ନିଜ ମଇଳା ଫତେଇ ପ୍ୟାକେଟରେ ଭରି ଆଣିଥିବା ବଣ ମଲ୍ଲୀ ପେନ୍ଥାଏ କାଢ଼ୁଥିଲା କୁନ୍ତଳିକାର କବରୀରେ ଖୋଜି ଦେବା ପାଇଁ । କୁନ୍ତଳିକା କଥା ଶୁଣି ସେ କାଠ ହୋଇଗଲା ।

ଏ କଣ କହୁଚି କୁନ୍ତଳିକା ।

ତାର ଯବାନ୍ ବଅସରେ ସ୍ତ୍ରୀ ତାର ମରିଛି । ସେ ଆଜିକି ଏଗାର ବର୍ଷ ତଳର କଥା । ଏଇ କୁନ୍ତଳିକା ଯୋଗୁ ସେ ସବୁ ଭୁଲି ଯାଇଛି । ଦିନ ରାତି ଖଟି ଖଟି ସେ ଯାହା ପାଏ ସବୁ କୁନ୍ତଳିକା ପାଖରେ କୁଢ଼େଇ ଦେଇ ସେ ଖୁସି ହୁଏ । କିନ୍ତୁ ଯଦି କୁନ୍ତଳିକା ଏ ଘର ଛାଡ଼ି ନର୍ସ କି ମାଷ୍ଟରାଣୀ ହୁଏ ।

କୁସୁନିଆ ଆଖିରୁ ଧାର ଧାର ଲୁହ ଝରି ପଡ଼ିଲା ।

କୁନ୍ତଳୀଆ ଚକିତ କଣ୍ଠରେ ପଚାରିଲା, ତୁ କାନ୍ଦୁଛୁ ?

କୁସୁନିଆ ସେଇ କାନ୍ଦ କାନ୍ଦ ଗଳାରେ କହିଲା, ତମେ ସବୁ ନର୍ସ, ମାଷ୍ଟରାଣୀ ହେଲେ ସିନା ବଡ଼ ବଡ଼ ବାବୁ ଖୁସି ହେବେ, ହେଲେ ଯିଏ ସବୁ ମଳିମୁଣ୍ଡିଆ, ଅସନା, ଛୋଟଲୋକ ସେମାନେ କଣ କରିବେ ?

 

କୁନ୍ତଳିକା ଅବାକ୍ ହୋଇଗଲା ।

 

ସରକାରୀ ନୀତି ବିରୁଦ୍ଧରେ କୁସୁନିଆର ସେ ଯୁଦ୍ଧ ଘୋଷଣା ଶୁଣି ତା’ ମନ ବି କେମିତି କଅଁଳ ହୋଇଗଲା । ଆଖି ହୋଇ ଆସିଲା ଛଳଛଳ ।

 

କୁନ୍ତଳିକା କାନ୍ଦିଲା ।

 

ରୂପନଗରୀ ଉର୍ବଶୀ କୁନ୍ତଳିକା କାନ୍ଦିଲା ସରକାରଙ୍କ ବେଶ୍ୟା ବୃତ୍ତି ନିରୋଧ ଆଇନ ପାଇଁ ନୁହେଁ....ତାର ଶେଷ ରାତିର ପ୍ରିୟ ଅତିଥିକୁ ଆଉ ଅଭ୍ୟର୍ଥନା କରି ପାରିବ ନାହିଁ ବୋଲି...ସମବେଦନାରେ, ସହାନୁଭୂତିରେ !!

 

ଉପ ନଗରୀର ଉପକଣ୍ଠରେ ଜମି ଆସୁଥିବା ପାହାନ୍ତି ଆଲୁଅର ପକ୍ଷ ଧରି ରାତିର ଚନ୍ଦ୍ରାଲୋକ ; ମରି ଯାଉଥିଲା ସ୍ଵପ୍ନାଳୟର ଶେଷ ଅତିଥି କୁସୁନିଆ ରିକ୍ସା ପେଡ଼ାଳରେ ଗୋଡ଼ ରଖି ଫେରି ଯାଉଥିଲା ଆହତ, ବିକ୍ଷତ ମନରେ... !!

Image

 

ଦୁଇମୁଖୀ ରାସ୍ତ

 

ଶ୍ରୀମୟୀଠାରୁ ସେଦିନ ଛୋଟ ଖଣ୍ଡେ ଚିଠି ପାଇଥିଲା ମମତା । ସେକ୍ରେଟେରିଏଟ୍‍ର ଷ୍ଟେନୋ ଚାକିରିର ନିଯୁକ୍ତି ପତ୍ର ଗ୍ରହଣ କରି ଶ୍ରୀମୟୀ ଲେଖିଥିଲା, ବହୁ ଭାବିଚିନ୍ତି ଏ ଚାକିରିଟି ଗ୍ରହଣ କଲି ମମତା । ତା’ ଛଡ଼ା ଆଉ ଅନ୍ୟ ବାଟ ନଥିଲା । ସାଂସାରିକ ବନ୍ଧନର ଶୃଙ୍ଖଳରୁ ନିଜକୁ ମୁକ୍ତ କରିବି ବୋଲି ନିଷ୍ପତ୍ତି କରିବା ସାରିବା ପରେ ମୁଁ ଦେଖିଲି ସ୍ଵାଧୀନତା ମୋର ତଥାପି ବିପନ୍ନ...ବାପାଙ୍କ ଉପରେ ମୁଁ ଗୋଟିଏ ବୋଝ ହୋଇ ରହୁଛି । ଅର୍ଥନୈତିକ ସ୍ଵାଧୀନତା ଛଡ଼ା ନାରୀର ସ୍ଵାଧୀନତାର କିଛି ମୂଲ୍ୟ ରହେନା ।

 

ବିପ୍ଳବୀ ସଚ୍ଚି ଦାସ କଥା ତୋର ସ୍ମରଣ ଥିବ ନିଶ୍ଚୟ ମମତା । ୧୯୪୨ ସ୍ଵାଧୀନତା ଆନ୍ଦୋଳନରେ ଥାନା ପୋଡ଼ି......ବ୍ୟାଙ୍କ୍‍ଲୁଟ୍‍ ମକଦ୍ଦମାର ରାୟ ଅନୁସାରେ ଯାହାଙ୍କୁ ଫାଶି ଖୁଣ୍ଟରେ ଝୁଲିବାକୁ ହୋଇଥିଲା....ସେଇ ସଚ୍ଚି ଦାସଙ୍କୁ ମୁଁ ଭଲ ପାଉଥିଲି....ହୁଏତ ସେ ବଞ୍ଚିଥିଲେ ତାଙ୍କୁଇ ମୁଁ ବିବାହ କରି ମୋ ସ୍ଵାଧୀନତା ତାଙ୍କରି ହାତରେ ଟେକି ଦେଇଥାନ୍ତି....ନାରୀ ପରାଧୀନ ହେବା ଆପେ ଆପେ ଚାହେଁ....ତାର ନିଜର ମଣିଷ ପାଖରେ । କିନ୍ତୁ ସେ ନିଜର ମଣିଷ ଯଦି ତାକୁ ଫାଙ୍କିଦିଏ ?

 

ସେ ମତେ ଫାଙ୍କି ଦେଲେ...ବୟସ ମୋର ସେତେବେଳେ ୧୩ କିମ୍ବା ୧୪ । ମାଟ୍ରିକର କୌଣସି ଏକ କ୍ଳାସରେ ସଚ୍ଚି ଦାସ ସେତେବେଳେକୁ କଲେଜ ଛାତ୍ର । ସେ ଦିନ ଆସି ମୋ ପାଖରେ ଅତି ବିନୀତ କଣ୍ଠରେ କହିଲେ, ମୁଁ ଆଉ ଥାନା ପୋଡ଼ିବାକୁ ଯାଉଛି ଶ୍ରୀ । ହୁଏତ ମତେ ଏଥିପାଇଁ ଫାଶି ଖୁଣ୍ଟରେ ଝୁଲିବାକୁ ପଡ଼ିବ...

 

ଫାଶି ଖୁଣ୍ଟରେ ଝୁଲିବା କଥାଟା କହିଲାବେଳକୁ ତାଙ୍କର ସେ ମାଂସପେଶୀଗୁଡ଼ାକ କେମିତି ଏକ ଅବ୍ୟକ୍ତ ଗୌରବରେ ଫୁଲି ଫୁଲି ଉଠୁଥିଲା । ମୁଁ କହିଲି, ତମେ ଫାଶି ଖୁଣ୍ଟରେ ଝୁଲିବ କ’ଣ ପାଇଁ ? କାହିଁକି ତମେ ଏ ଥାନା ପୋଡ଼ିବ...

 

ସେ ହସି ହସି ସେ ଦିନ କହିଥିଲେ, ସେ ଅନେକ କଥା...ମୁଁ ଏ ସବୁକଥା କରୁଛି ସ୍ଵାଧୀନତା ପାଇଁ...ତୁ ପରେ ସେ ସବୁକଥା ବୁଝିବୁ ।

 

ମୋର ଯାହା ମନେ ପଡ଼ୁଛି, ଏତକ କହି ଦେଇ ସେ ଦମ୍ ନେଇଥିଲେ । ତା’ପରେ ନିଜେ ନିଜ ଆଡ଼ୁ ଆପେ ଆପେ କହିଉଠି ଥିଲେ, ଫାଶି ଖୁଣ୍ଟରେ ଝୁଲିଲାବେଳେ ମୋର ଗୋଟିଏ ଅବଶୋଷ ରହିବ ଶ୍ରୀ । ମୋର ଶେଷ ନିଃଶ୍ଵାସ ମିଶିବ ଏଇ ପରାଧୀନ ଦେଶର ବାୟୁମଣ୍ଡଳରେ...ସ୍ଵାଧୀନ ଦେଶରେ ନୁହେଁ । କିନ୍ତୁ ତୁ ମୋର ଗୋଟିଏ କଥା ରଖିବୁ । ତୁ କେବେ ସ୍ଵାଧୀନତାକୁ ବଳି ଦେବୁ ନାହିଁ......

 

ବେଶ୍ । ସେତିକି । ସେ ଦିନ ସେ ଚାଲି ଯାଇଥିଲେ ସେଠାରୁ । ତା’ପରେ ଶୁଣିଲ ସେ କେବଳ ଥାନା ପୋଡ଼ି ନାହାନ୍ତି, ସରକାରୀ ବ୍ୟାଙ୍କ ମଧ୍ୟ ଲୁଟ କରିଛନ୍ତି । ତାଙ୍କୁ ଜେଲରେ ରଖାଯାଇ ତାଙ୍କର ବିଚରା କରାଯାଉଛି । ଆଉ ଦିନେ ଶୁଣିଲି, ସେ ବିଚାରରେ ତାଙ୍କୁ ଉଗ୍ର ବିପ୍ଲବୀ ହିସାବରେ ଫାଶି ଖୁଣ୍ଟରେ ଚଢ଼ିବାକୁ ଆଦେଶ ଦିଆଯାଇଛି ।

 

ସେ ଦିନ ରାତିରେ ମୁଁ କାନ୍ଦୁଥିଲି । ଆଷାଢ଼ର ଗୋଟିଏ ବର୍ଷାଚପଳ ରାତିରେ ରୋରୁଦ୍ୟମନା ଆକାଶ ଭଳି !

 

ଏଥି ଭିତରେ ଅନେକ ଦିନ ବିତି ଯାଇଛି । ଅନେକ ମାସ, ଅନେକ ବର୍ଷ ।

ସଚ୍ଚି ଦାସକୁ ପ୍ରାଣ ଦେଇ ମୁଁ ଭଲ ପାଉଥିଲି । ତେଣୁ ମୋର ଆଶଙ୍କା ହେଲା ଅନ୍ୟ କାହାରିକୁ ବିବାହ କଲେ ଆତ୍ମାର ସ୍ୱାଧୀନତାଟା ବୋଧହୁଏ ମୋର ଲୁଣ୍ଠିତ ହେବ । ସେଥିପାଇଁ ଏ ଦୀର୍ଘ ୧୭।୧୬ ବର୍ଷ ହେବ କେବେଳ ତାଙ୍କର ସେ ଶେଷ କଥା ପଦକ ରକ୍ଷା କାଟିବା ପାଇଁ ମୁଁ ନିଜକୁ ଏକାକିନୀ କରି ରଖିଛି ।

କିନ୍ତୁ ଏଇ କେତେ ଦିନତଳେ ମୁଁ ଆବିଷ୍କାର କଲି, ଅବିବାହିତ ରହିବା ପରେ ମୁଁ ସ୍ୱାଧୀନ ନୁହେଁ । ମୋତେ ମୋତେ ବାପାଙ୍କ ଦୟାଉପରେ ନିର୍ଭର କରି ବଞ୍ଚିବାକୁ ହେଉଛି । ରାଣ ଅଛି ମମତା ! ଦେଶ ସ୍ୱାଧୀନ ହେବା ପୂର୍ବରୁ ସ୍ୱାଧୀନତା ଶବ୍ଦଟା ମୁଁ ଏଭଳି ଭାବପ୍ରବଣ ହୋଇ ଭଲ ପାଉଥିଲି ଯେ ; ସେ ଶବ୍ଦର ଅର୍ଥ କେବେ ବୁଝିବାକୁ ମୁଁ ଚେଷ୍ଟା କରି ନାହିଁ । କିନ୍ତୁ ସେ ଶବ୍ଦଟାକୁ ନିଜ ଜୀବନରେ ‘ମୁଁ ଆଜି ଯେତେବେଳେ ପରୀକ୍ଷା କାରିବାକୁ ଆରମ୍ଭ କଲି, ସେତେବେଳେ ମୋର ମନେ ହେଲା, ଅର୍ଥନୈତିକ ସ୍ଵାଧୀନତା ବିନା ନାରୀ ପରାଧୀନତାରୁ ମୁକ୍ତି ପାଇଵା ପ୍ରଶ୍ନ ଉଠି ପାରେନା ।

ତା’ ପରେ ମୋର ଶିକ୍ଷା, ଯୋଗ୍ୟତା ଦୃଷ୍ଟିରୁ ସେକ୍ରେଟେରୀଏଟର ଏ ଷ୍ଟୋନୋ ଚାକିରୀ ଛଡ଼ା ମୋର ଅନ୍ୟ ବାଟ କଅଣ ଥିଲା?

ମମତା ଶ୍ରୀମୟୀର ଚିଠି ଖଣ୍ଡିକ ପଢ଼ି ସାରି ଭାଙ୍ଗି ଭୁଙ୍ଗି ରଖିଦେଲା । ଶ୍ରୀମୟୀ ତାର ଅନ୍ତରଙ୍ଗ ବନ୍ଧୁ । ସେ ସ୍ୱାଧୀନତା ପାଇଁ ଚାକିରି କରିଛି । ମମତା ଭାବିଲା ଚାକିରିଟା କଣ ଆପେ ଆପେ ଏକ ପରାଧୀନତାର ଶୃଙ୍ଖଳ ନୁହେଁ ?

 

–ଦୁଇ–

 

ଯୋଜନା ବିଭାଗର ସେକ୍ରେଟେରୀ ଶ୍ରୀ ଅନିଲ ନାଗ୍ । କୁମାରୀ ଶ୍ରୀମୟୀ ମହାନ୍ତି ତାଙ୍କର ଷ୍ଟେନୋ । ଶ୍ରୀ ନାଗଙ୍କ କଣ୍ଠରେ ଭାଷାକୁ ଶ୍ରୀମୟୀ ଠାରେ ଭାଷାରେ ଖାତାରେ ନୋଟ୍ କରେ, କିନ୍ତୁ ଶ୍ରୀ ନାଗ୍ ନୋଟ୍ ଦେଇ ସରିଲା ପରେ ମଧ୍ୟ ଯେତେବେଳେ ଜଳଜଳ କରି ଶ୍ରୀମୟୀ ମୁହଁକୁ ଅନେଇ ରୁହନ୍ତି, ସେତେବେଳେ ବିଚଳିତ ହୋଇଉଠେ ଶ୍ରୀମୟୀ । ଶ୍ରୀ ନାଗଙ୍କ କଣ୍ଠରେ ଭାଷାକୁ ସିନା ସେ ନୋଟ୍ କରିପାରିବ, ତାଙ୍କ ମୁଁହର ଭାବକୁ ସେ ନୋଟ କରି ପାରିବ କେମିତି ?

 

ଅଫିସ ଜୀବନ ମନ୍ଦ ଲାଗେ ନାହିଁ ଶ୍ରୀମୟିକୁ । ଅଫିସରେ ସେ ଏକା ନାରୀ କର୍ମଚାରି ନୁହେଁ, ସରକାରୀ ଅଫିସରେ ଏଣିକି ଝିଅ କର୍ମଚାରୀଙ୍କ ସଂଖ୍ୟା ବଢ଼ୁଛି । ଶ୍ରୀମୟୀ ମନରେ ଗର୍ବ ଆସେ, ଅନ୍ତତଃ ଦେଶର ସ୍ୱାଧୀନତା ପରେ ଏତକ ସମ୍ଭବ ହୋଇଛି । ଆଉ ଏହି ଦେଶର ସ୍ୱାଧୀନତା ଆଣିଵା ପାଇ ତାର ପ୍ରିୟତମ ଦିନେ ଫାଶି ଖୁଣ୍ଟରେ ଚଢ଼ିଥିଲେ ?

 

ମାସର ପହିଲା ଦିନ ଶ୍ରୀମୟୀ ପାଇଲା ଦଶ ଖଣ୍ଡ ଦଶଟଙ୍କିଆ ନୋଟ୍ । ମାସକର ଆୟ-

 

ସେ ଦଶଖଣ୍ଡ ଯାକ ନୋଟକୁ ଶ୍ରୀମୟୀ ସେ ଦିନ ଦଶଥର ଛାତିରେ ଚିପି ଧରିଛି । ଶ୍ରୀମୟୀ ପକ୍ଷରେ ଏ କେବଳ ସାଧାରଣ ନୋଟ୍ ଦଶଖଣ୍ଡ ନୁହେଁ, ଏ ନୋଟ୍ ଦଶଖଣ୍ଡ ତା’ ଅର୍ଥନୈତିକ ସ୍ୱାଧୀନତାର ପ୍ରତୀକ ।

 

ଅଫିସରୁ ଆସି ସେଦିନ ଆଉ ହଠାତ୍ ଘରକୁ ଫେରି ଯିବାକୁ ଶ୍ରୀମୟୀର ଇଚ୍ଛା ହେଲା ନାହିଁ । ସେ ମନେ ମନେ ଭାବିଲା, ଏ ଦଶଖଣ୍ଡ ଦଶଟଙ୍କିଆ ନୋଟ୍‍କୁ ଆଉ ସେମିତି ସାଧାରଣ ଭାବରେ ଖର୍ଚ୍ଚ କଲେ ଚଳିବ ନାହିଁ । ସଚ୍ଚି ଦାସର ସ୍ମୃତିରକ୍ଷା ପାଇଁ ଏ ଶହେ ଟଙ୍କାରେ କଣ କରାଯାଇପାରେ ?

 

ଖଦଡ଼ ପୋଷାକ ଉପରେ ସଚ୍ଚିଦାସର ଥିଲା ଅସୀମ ଶ୍ରଦ୍ଧା । ସେଇ ଖଦଡ଼ ପୋଷାକର ନମୁନା ସ୍ୱରୂପ ଖଣ୍ଡେ ଖଦଡ଼ ରୁମାଲ କିଣି ସେଥିରେ ବାରମ୍ଵାର ମୁହଁ ପୋଛିବାକୁ ଲାଗିଲା ଶ୍ରୀମୟୀ । ଖଦଡ଼ ରୁମାଲଟି ମୁହଁ ପାଖରେ ଚାପି ଧରିଲାକ୍ଷଣି ମନରେ କେମିତି ଏକ ସନ୍ତୋଷ ଆସୁଛି ।

 

କେମିତି ଏକ ଅଜ୍ଞାତ ଅନୁଭୂତିରେ ହୃଦୟ ଅଭିଭୂତ ହୋଇପଡ଼ୁଛି । ସଚ୍ଚି ଦାସ ଦିନେ କଲେଜରେ ସିଲ୍କ, ସାର୍ଟସ୍‍କିନ୍ କନାର ପ୍ୟାଣ୍ଟ୍ ନପିନ୍ଧି ଏଇ ଖଦଡ଼ ପିନ୍ଧିବାରେ ଗର୍ବ କରୁଥିଲା, ଆଜି ସେଇ ଖଦଡ଼ କନାର ରୁମାଲରେ ମୁହଁ ପୋଛୁଛି ଶ୍ରୀମୟୀ ।

 

ଘରେ ବାପା ପଚାରିଲେ, ଏତେ ରାତି ହେଲା ଯେ ଶ୍ରୀ । ଅଫିସ କଣ ଏତେ ରାତିଯାଏ ମଧ୍ୟ ଚାଲୁଛି !

 

ଶ୍ରୀମୟୀ କହିଲା, ମୁଁ ଆଜି ଦରମା ପାଇଲି । ତମେ ଯେମିତି ପ୍ରତି ମାସରେ ଦରମା ପାଅ, ସେମିତି । ମୁଁ ଆଜି ତମର ସମକକ୍ଷ ହୋଇଛି । ମୁଁ ଆଜି ତମର ପରାଧୀନ ନୁହେଁ । ଇଚ୍ଛା କଲେ ନିଜେ ଗୋଟାଏ ଘର ଭଡ଼ା ନେଇ ପାରେ । ଅଲଗା ରହିପାରେ । ଅବଶ୍ୟ ମୁଁ ତା କରିବି ନାହିଁ । କାରଣ ଏବେ ବି ମୁଁ ତମ ପାଖରେ ଛୋଟ ପିଲାଟିଏ ଭଳି । ତମେ ମତେ ସେଇ ଛୋଟ ଦିନର ଶ୍ରୀ ଭଳି ଏବେ ବି ଶ୍ରୀ ବୋଲି ଡାକୁଛ । ସ୍ନେହ କରୁଛ । ଜାଣନା ବାବା, ମତେ ସମସ୍ତେ ଅଫିସରେ ଡାକନ୍ତି ମିସ୍ ମହାନ୍ତି ବୋଲି ?

 

ଶ୍ରୀମୟୀର ବାପା ରୁଦ୍ରକାନ୍ତ ବାବୁ ଝିଅର ପ୍ରଗଳ୍‍ଭତାରେ ଅଳ୍ପ ହସିଲେ । ଏବେ ଶ୍ରୀମୟୀ ଅଳ୍ପକଥାକୁ ବହୁତ ଭାଷା ଦେଇ ବୁଝାଉଛି । ତାର ବୋଧହୁଏ ଧାରଣା ହେଉଛି, ତା କଥାକୁ ସମସ୍ତେ ଭୁଲ୍ ବୁଝୁଛନ୍ତି ।

 

ରୁଦ୍ରକାନ୍ତ ବାବୁ ଆହୁରି କଣ ଭାବିଥାନ୍ତେ । ଶ୍ରୀମୟୀ ପୁଣି କଥା ଆରମ୍ଭ କଲା । କହିଲା ତମେତ ମୋ ପାଇଁ ଦରମା ପାଇଲେ ପ୍ରତି ପହିଲାରେ ଅନେକ ନୂଆ ଜିନିଷ ଆଣିଦିଅ, ମୁଁ ଆଜି ତମ ପାଇଁ ଏଇ ଖଦଡ଼ ରୁମାଲଟି ଆଣିଛି । କ’ଣ ଭଲ କରିଚି ?

 

ରୁଦ୍ରକାନ୍ତ ବାବୁ କହିଲେ, ଏ ଖଦଡ଼ ନୁହେଁ ଶ୍ରୀ । ଏ ହେଉଛି ସ୍ଵାଧୀନତା ଲଢ଼େଇର ଖଣ୍ଡା । ଇଂରେଜ ସରକାରଙ୍କୁ ତଡ଼ିବା ପାଇଁ ସମସ୍ତେ ଏ ଖଦଡ଼ ପିନ୍ଧୁଥିଲେ । ଇଂରେଜମାନେ ଯାଇ ଦେଶ ସ୍ଵାଧୀନ ହେବାପରେ, ଯେଉଁମାନେ ସ୍ଵାଧୀନତା ଆଗରୁ ଖଦଡ଼ ପନ୍ଧୁଥିଲେ, ସେମାନେ ତାକୁ ଆଉ ବ୍ୟବହାର କରୁ ନାହାନ୍ତି । ଦେଶରୁ ଇଂରେଜ ଗଲେ, ଯୁଦ୍ଧ ସରିଲା । ଆଉ ପୁଣି ଏ ଧାରୁଆ ଖଣ୍ଡାକୁ ସେମାନେ ବ୍ୟବହାର କରନ୍ତେ କାହିଁକି ? ତୁ’ଏ ରୁମାଲ ଆଣିଲୁ ଯେ, ମୁଁ ବୁଢ଼ା ଦିନେ ତାକୁ କଣ କରିବି ?

 

ରୁଦ୍ରକାନ୍ତ ବାବୁଙ୍କ କଥା ସରିବା ଆଗରୁ ଶ୍ରୀମୟୀ ଲୁଗା ବଦଳିବାକୁ କେତେବେଳେ ତାର ଶୋଇବା ଘରକୁ ଚାଲିଯାଇଛି । କଥାଟା କହି ସାରି ରୁଦ୍ରକାନ୍ତ ବାବୁ ଦେଖିଲେ, ଶ୍ରୀମୟୀ ନାହିଁ । ରୁମାଲଟା ଟେବୁଲ ଉପରେ ପଡ଼ିଛି ।

 

ଶ୍ରୀମୟୀ ସେତେବେଳକୁ ତାର ପୁରୁଣା ଟ୍ରଙ୍କ୍‍ରୁ ଗୋଟାଏ ଆଲବମ୍ ବାହାର କରି ପୃଷ୍ଠା ଓଲଟାଉଥିଲା । ଶେଷ ଆଡ଼କୁ ସଚ୍ଚି ଦାସର ଫଟୋ । ଫାଶୀ ଖୁଣ୍ଟରେ ଝୁଲିବା ଆଗରୁ ଗୋଟିଏ ଦୈନିକ ପତ୍ରିକରେ ଫଟୋଟି ପ୍ରକାଶ ପାଇଥିଲା । ଫଟୋଟି ମଇଳା ହୋଇ ଆସିଲାଣି ।

 

ଫଟୋଟି ଆଗରେ ନୋଟ୍ ପୁଳାକ ଧରି ଅସ୍ପଷ୍ଟ କଣ୍ଠରେ ଶ୍ରୀମୟୀ କହୁଚି, ତମେ କହିଥିଲ ସ୍ଵାଧୀନ ହୋଇ ରହିବାକୁ । ଅର୍ଥନୈତିକ ସ୍ଵାଧୀନାତ ବିନା ସ୍ଵାଧୀନତାର କିଛି ମାନେ ହୁଏନା, ହେଇ ଦେଖ.....ମୁଁ ନିଜେ ଏ ଟଙ୍କା ରୋଜଗାର କରିଛି.....ଦେଖୁନ ?

 

ପ୍ରାଣହୀନ ଫଟୋଟି ନିର୍ବିକାର ।

 

ସତେ ଯେମିତି ସେ ଏ ସ୍ଵାଧୀନତାର କିଛି ଅର୍ଥ ବୁଝି ପାରୁନାହିଁ !

 

–ତିନି–

 

ସେଦିନ ସଂଧ୍ୟା ସାଢ଼େ ପାଞ୍ଚଟା ହେବ । ଅଫିସରୁ ସମସ୍ତେ ଗଲେଣି । ଶ୍ରୀ ନାଗ କଣ ଫାଇଲ୍ ଦେଖୁଥାନ୍ତି । ଶ୍ରୀମୟୀ କହିଲା, ମୁଁ ଯିବି ସାର୍ ! ବେଳ ହୋଇ ଗଲାଣି ।

 

ଶ୍ରୀ ନାଗ ଫାଇଲ ଉପରୁ ଚଷମା ଉଠାଇଲେ । କହିଲେ, ତୃତୀୟ ପଞ୍ଚବାର୍ଷିକ ଯୋଜନା ଆଉ ଦିନ କେତେଟା ପରେ ଆରମ୍ଭ ହେବ । ଯୋଜନା ଫଳରେ ଦେଶର ଉନ୍ନତି ଅବନତି ଯାହା ହେଉନା କାହିଁକି, ଅଫିସର ଫାଇଲ୍ ସଂଖ୍ୟା ବଢ଼ି ଚାଲିଛି । ତାକୁତ ପୁଣି ସାରିବାକୁ ହେବ.....

 

ଶ୍ରୀମୟୀ କୁଣ୍ଠିତ କଣ୍ଠରେ ପ୍ରତିବାଦ କଲା, ସଂଧ୍ୟା ହୋଇଯିବ ସାର୍ ! ମୁଁ ଘରକୁ ଯିବି...

 

ଶ୍ରୀ ନାଗ ଏଥର ବିରକ୍ତ ନ ହୋଇ ହସିଲେ । କହିଲେ, ବ୍ୟସ୍ତ ହୁଅନି । ମୋ କାର୍ ଅଛି-। ଛାଡ଼ିଦେଇ ଆସିବି । ନିଅ ଗୋଟାଏ ନୋଟ୍....ଲେଖ.....

 

ଶ୍ରୀମୟୀ ଷ୍ଟେନୋ ।

 

ଶ୍ରୀ ନାଗ ଯୋଜନା ବିଭାଗର ସେକ୍ରେଟେରୀ । ତେଣୁ ଶ୍ରୀ ନାଗଙ୍କ କଥାରେ ପ୍ରତିବାଦ କଲେ ଚଳିବ ନାହିଁ । ଶ୍ରୀମୟୀ ନୋଟ୍ ନେଲା ।

 

ସନ୍ଧ୍ୟାବେଳକୁ କାମ ସରିଲା । ଶ୍ରୀ ନାଗଙ୍କ କାର୍ ଭିତରେ ପଶିଲା ଶ୍ରୀମୟୀ । ପାଖରେ ବସିଲେ ଶ୍ରୀ ନାଗ । ଆଲୋକୋଜ୍ଜ୍ୱଳ ରାଜପଥ ଛାଡ଼ି ଗୋଟିଏ ସରୁ ଗଳି ରାସ୍ତାରେ ଚାଲିଲା କାରଟା.....ଦୋହଲି...ଦୋହଲି...

 

ଶ୍ରୀମୟୀ କହିଲା, ସାର ! ମେନ୍ ରୋଡ଼ ଛାଡ଼ି...

 

ଶ୍ରୀ ନାଗ ଉତ୍ତର ଦେଲେ, ପଞ୍ଚବାର୍ଷିକ ଯୋଜନାର ଟଙ୍କାରୁ ଆସି ଏ ରାସ୍ତା ତିଆରି ହୋଇଛି ମିସ୍ ମହାନ୍ତି ! ଏ ରାସ୍ତାରେ ମଧ୍ୟ କାର୍ ଯିବା ଉଚିତ । ଲୋକ ଗହଳି କମି ହେତୁ ଏ ରାସ୍ତାରେ ଦୁର୍ଘଟଣାର ସମ୍ଭାବନା । ଅତି କମ୍‍...

 

ଦୁର୍ଘଟଣାର ସମ୍ଭାବନା କମ୍‍ ବୋଲି କହିଲେ ମଧ୍ୟ, ଶ୍ରୀମୟୀ ଦେହରେ ଅନେକ ଥର ପିଟି ହୋଇ ଯାଉଥାଏ ଆସି ଶ୍ରୀ ନାଗଙ୍କ ଦେହ । ଏହା କଦାପି ଏକ ଘଟଣା ହୋଇ ନ ପାରେ, ନିଶ୍ଚିତ ଭାବରେ ଏକ ଦୁର୍ଘଟଣା ।

 

ସାର ! ଗୋଟିଏ କଥା କହିବି.....

 

ଶ୍ରୀମୟୀର କଣ୍ଠସ୍ୱର ଶୁଣି ଶ୍ରୀ ନାଗ କହିଲେ, ମାତ୍ର ଗୋଟିଏ ! ତମେ ଶହେଟି କଥା କହିବି ବୋଲି ମୁଁ ଆଶା କରୁଥିଲି ମିସ୍‍ ମହାନ୍ତି ! ଏ ନିଜ୍ଜନ ରାସ୍ତାରେ ତମେ ଯେତେବେଳେ କଥା କହିବ, ମୁଁ ତାକୁ ନିଶ୍ଚୟ ଶୁଣିବି....

 

ଶ୍ରୀ ନାଗଙ୍କ ଏ କବିତ୍ୱର ଯଥାର୍ଥ ଉତ୍ତର ଦେଇ ଶ୍ରୀମୟୀ କହିଲା, ଆପଣ ଆଉ ଟିକିଏ ଭଦ୍ର ହୋଇ ପାରିଲେ ଭଲ ହୁଅନ୍ତା ସାର !

 

ଶ୍ରୀ ନାଗ ଚୁପ୍‍ ହୋଇଗଲେ ।

 

ଶ୍ରୀମୟୀ ଘର ପାଖରେ ଓହ୍ଲାଇଗଲାବେଳେ କେବଳ ତାଙ୍କ କଣ୍ଠରୁ ଶୁଭିଲା, ଆମ ଅଫିସରେ ସେତେ ଝିଅ କର୍ମଚାରୀ ଅଛନ୍ତି, ତମେ ସେମାନଙ୍କ ଭିତରେ ଗୋଟିଏ ବ୍ୟତିକ୍ରମ ମିସ୍‍ ମହାନ୍ତି !

 

ଶ୍ରୀମୟୀ ସେତେବେଳକୁ ଅନ୍ୟ କଥା ଭାବୁଥିଲା । କେବଳ ଶ୍ରୀ ନାଗ ନୁହନ୍ତି, ନିଜ ଅଧିନସ୍ଥ ଝିଅ କର୍ମଚାରୀଙ୍କୁ ନେଇ ଏମିତି ଅଭଦ୍ରତା କରିବା ଆଜିକାଲି ବଡ଼ବଡ଼ ଅଫିସରମାନଙ୍କର ଏକ ଫେସନ ହୋଇ ଉଠିଲାଣି । ସ୍ୱାଧୀନତା ପାଇବା ପରେ ଏହି ବଡ଼ବଡ଼ ଅଫିସରମାନଙ୍କ ସ୍ୱେଚ୍ଛାଚାରିତା ସୀମା ଅତିକ୍ରମ କରିଛି । ଏମାନଙ୍କ ପାଇଁ ସ୍ୱାଧୀନତା ଆଣିବାକୁ କଣ ସଚ୍ଚିଦାସ ସେଦିନ ଫାସିରେ ଚଢ଼ିଥିଲା ।

 

ଶ୍ରୀମୟୀର ଆଜି ଇଚ୍ଛା ହେଉଥିଲା କହିବାକୁ, ଫାଶୀ ଖୁଣ୍ଟରୁ ତୁମେ ଓହ୍ଲାଇ ଆସି ସଚ୍ଚି ! ଏ ଦେଶରେ ସ୍ୱାଧୀନତା ଆହୁରି ଶହେ ବର୍ଷ ଇଂରେଜମାନଙ୍କ ହାତରେ ରକ୍ଷା ପଡ଼ିଥାଉ....ଏ ଦେଶର ଲୋକେ ସ୍ୱାଧୀନତା ପାଇବା ପାଇଁ ସତରେ ଭାରି ଅଯୋଗ୍ୟ.....

 

କିନ୍ତୁ ଫାଶୀଖୁଣ୍ଟରେ ଥରେ ଯିଏ ଚଢ଼େ ସେ ଜଣେ ଆଉ ଓହ୍ଲାଇପାରେ !

 

–ଚାରି–

 

ତା’ ପରଠୁଁ ଶ୍ରୀମୟୀ ଲକ୍ଷ୍ୟ କଲା ଶ୍ରୀନାଗ ଅଫିସରେ ଭାରି ଗମ୍ଭୀର ରହୁଛନ୍ତି । ଖୁବ କମ୍‍ କଥା କହୁଛନ୍ତି । ଅଫିସ ଛୁଟି ହେଲାପରେ ତାକୁ ଅଟକି ରହିବାକୁ କହୁ ନାହାନ୍ତି । ସତେ ଯେମିତି ସେ ଏଥି ଭିତରେ ଭାରି ଭଦ୍ର ହଉ ଉଠୁଛନ୍ତି !

 

ଶ୍ରୀ ନାଗଙ୍କ ଏ ଅତିରିକ୍ତ ଭଦ୍ରତା ଶ୍ରୀମୟୀ ପକ୍ଷରେ ଅସହ୍ୟ ହୋଇଉଠିଲା । ନିଜର ଉପରିସ୍ଥ ହାକିମ ଠାରୁ ଆନ୍ତରିକତା ନ ପାଇଲେ କାମ କରିବାକୁ କେମିତି ବିଷଭଳି ଲାଗେ ସେକଥା ପ୍ରଥମେ ଅନୁଭବ କଲା ଶ୍ରୀମୟୀ...

 

ସେଦିନ ଅଫିସ ଛୁଟି ହେବାକୁ ଅଳ୍ପ ସମୟ ଅଛି, ଶ୍ରୀ ନାଗ୍ ପିଅନ୍‍କୁ ଆଦେଶ ଦେଲେ, ଅଫିସରୁ ଟିକିଏ ମିସ୍ ବିଶ୍ୱାଳଙ୍କୁ ଡାକିଦେଲୁ ।

 

ପିଅନ ଅଫିସରୁ ଯାଇ ଡାକି ଆଣିଲା ମିସ୍ ରଞ୍ଜିତା ବିଶ୍ଵାଳଙ୍କୁ । ଶ୍ରୀମୟୀଠାରୁ ବୟସରେ ଢେର୍ ଛୋଟ ହେବ ରଞ୍ଜିତା । ଦେହର ରଙ୍ଗ ଟିକିଏ ଶ୍ୟାମଳ ହେଲେ ମଧ୍ୟ ଚମତ୍କାର ଗଢ଼ଣ ।

 

ଶ୍ରୀ ନାଗ୍ କହିଲେ, ତମେ ସର୍ଟହାଣ୍ଡ୍ ଶିଖିଲଣି ବୋଲି କହୁଥିଲ ପରା ମିସ୍ ବିଶ୍ୱାଳ ! ଆଜି ଛୁଟିପରେ ଟିକିଏ ରହନ୍ତ.... କେତେଟା ନୋଟ୍ ଅଛି....

 

ରଞ୍ଜିତା ସ୍ଵୀକୃତି ଜଣାଇଲା ।

 

ଶ୍ରୀମୟୀ ଆଗରେ ରଞ୍ଜିତାକୁ ଛୁଟି ପରେ ନୋଟ୍ ଦେବାକୁ କହି ଶ୍ରୀମୟୀକୁ ଶ୍ରୀ ନାଗ୍ ବିଦାୟ କରିଦେଲେ । ଶ୍ରୀମୟୀକୁ କଥାଟା ଭାରି ଅସଙ୍ଗତ ଜଣା ପଡ଼ିଲା । କିନ୍ତୁ ସେଥିରେ ତାର କିଛି କହିବାର ନ ଥିଲା । ଶ୍ରୀ ନାଗ୍ ସବୁ କଥା ଏଥର ଭଦ୍ରତାର ସୀମା ଭିତରେ ରଖି କରୁଥିଲେ । ତା ପରଠୁଁ ଶ୍ରୀମୟୀ ଲକ୍ଷ୍ୟକଲା, ଶ୍ରୀ ନାଗ୍ ବହୁ ସମୟରେ ରଞ୍ଜିତା ସହିତ ମିଶୁଛନ୍ତି । କଥାବାର୍ତ୍ତା ହେଉଛନ୍ତି । ଅଫିସର ସାଧାରଣ କିରାନି ଜଣେ ରଞ୍ଜିତା । ଶ୍ରୀ ନାଗ୍‍ଙ୍କୁ ସେ ବେଳେବେଳେ ନୋଟ୍ ନେବାରେ ସାହାଯ୍ୟ କରୁଛି । ଶ୍ରୀମୟୀ ଛୁଟି ପରେ ରହି ସେ କାମ କରିବାକୁ ମନାକରି ଦେଇଥିଲା-। ତେଣୁ ରଞ୍ଜିତାଠାରୁ ସେ କାମ ଠିକ୍ କରି ନେବାରେ କିଛି ଅସଂଗତି ନାହିଁ । ଏଥିରେ ଶ୍ରୀମୟୀର ଆପତ୍ତି କିମ୍ଵା ଦୁଃଖ କରିବାରେ ନ୍ୟାୟତଃ କିଛି ନଥିଲା ।

 

ସେଦିନ ପହିଲାରେ ପୁଣି ଦଶଖଣ୍ଡ ନୋଟ୍ ପାରିଶ୍ରମିକ ପାଇଲା ଶ୍ରୀମୟୀ । କିନ୍ତୁ ପ୍ରଥମ ପହିଲାରେ ଟଙ୍କା ପାଇବାରେ ଯେଉଁ ଆନନ୍ଦ ଥିଲା, ଏଥର ସେ ତାହା ଅନୁଭବ କରି ପାରିଲା ନାହିଁ । ଶ୍ରୀମୟୀ ଅଫିସରୁ ପାରିଶ୍ରମିକ ପାଇଲା; କିନ୍ତୁ ତାକୁ ବୋଧହେଲା, ପାଇଲା ନାହିଁ ବୋଧହୁଏ ସେ ଅନେକ କଥା । ପ୍ରଥମେ ଅଫିସକୁ ଚାକିରି କରି ଆସିଲାବେଳକୁ ମଣିଷ ଟଙ୍କା ପାଇଁ ହିଁ ଆସେ । କିନ୍ତୁ ଅଫିସରେ ପଶି ସାରିଲା ପରେ ସେ ଚାହେଁ ଅଧିକ କିଛି, ନ ପାଇଲେ ଅଫିସର କାମଗୁଡ଼ାକ ଲାଗେ ବିଷମୟ ।

 

ଗୋଟିଏ ମେସିନ୍ ଭଳି କାମ କରି ଟଙ୍କା ନେଇ ଚଳିବାର ମାସ କେତୋଟି ପରେ ଅସୁସ୍ଥ ହୋଇ ପଡ଼ିଲା ଶ୍ରୀମୟୀ । ଆଉ ସେ ଅଫିସକୁ ଆସି ପାରିଲା ନାହିଁ । ଶ୍ରୀ ନାଗ୍ ସେଦିନ ଶ୍ରୀମୟୀ ହସ୍ତାକ୍ଷର ଥିବା ଖଣ୍ଡେ ଛୁଟି ଦରଖାସ୍ତ ପାଇଲେ । ଦେହ ଅସୁସ୍ଥ ଥିବା ହେତୁ ପନ୍ଦରଦିନ ଛୁଟି ଚାହିଁଛି ଶ୍ରୀମୟୀ । ଶ୍ରୀ ନାଗ୍ ସେ ଛୁଟି ମଂଜୁର କରିଦେଲେ ।

 

–ପାଞ୍ଚ–

 

ଶ୍ରୀମୟୀର ଜଣେ ବନ୍ଧୁ, ନୀଳିମା ଦାସ

 

ଶ୍ରୀମୟୀର ସ୍ଵାସ୍ଥ୍ୟ କିଭଳି ଉନ୍ନତି କରୁଛି, ସେକଥା ଦେଖିବାକୁ ସେ ଆସିଥିଲେ ଶ୍ରୀମୟୀର ଘରକୁ । ଶ୍ରୀମୟୀ ରୋଗ ଶେଯରେ ପ୍ରାୟ ଦଶଦିନ ହେବ ପଡ଼ି ପଡ଼ି ବିରକ୍ତ ହୋଇ ଉଠିଥାଏ । ନୀଳିମାକୁ ଦେଖି ସେ ପ୍ରଶ୍ନକଲା, ଅଫିସ କାମ କେମିତି ଚାଲିଛି ନୀଳ ! ଶ୍ରୀ ନାଗ୍ କେମିତି କାମ ଚଳାଉଛନ୍ତି...

 

ନୀଳିମା କହିଲା, ରଞ୍ଜିତା ପ୍ରାୟ ସବୁବେଳେ ରହୁଛି ଶ୍ରୀ ନାଗ୍‍ଙ୍କୁ ପାଖରେ... ତୋ କାମ ସେ ଠିକ୍ ଚଳେଇ ନେଉଛି । ତୁ ବ୍ୟସ୍ତ ହେବା ଦରକାର ନାହିଁ...ତୁ ଆଗ ସୁସ୍ଥ ହୋଇ ଉଠ୍....

 

ନୀଳିମାର କଥା ଶୁଣି ଶ୍ରୀମୟୀର ମନ କିନ୍ତୁ ବେଶୀ ଅସୁସ୍ଥ ହୋଇ ଉଠିଲା । ହାସ୍ୟମୟୀ ରଞ୍ଜିତା ସବୁବେଳେ ରହୁଛି ଶ୍ରୀ ନାଗ୍‍ଙ୍କ ପାଖରେ...ଶ୍ରୀନାଗ୍ ତାଙ୍କୁ ନୋଟ୍ ଦେଉଛନ୍ତି...ପଞ୍ଚବାର୍ଷିକ ଯୋଜନା କଥା ବୁଝାଉଛନ୍ତି...ଅଫିସ ବନ୍ଦ ପରେ ନୋଟ୍ ନେବାକୁ ରହିବାକୁ କହୁଛନ୍ତି... ଆଉ ସେ ଏଇ ରୋଗଶଯ୍ୟାରେ ପଡ଼ିଛି !

 

ନିଜ ଉପରେ ତାର ଭାରି ରାଗ ଆସିଲା ... କାହିଁକି ସେ ଶ୍ରୀ ନାଗ୍ ଙ୍କୁ ସେଦିନ ଅପମାନିତ କଲା ! ବଡ଼ କର୍ତ୍ତବ୍ୟ ପରାୟଣ ଅଫିସର ହିସାବରେ ତାଙ୍କର ଖୁବ ସୁଖ୍ୟାତି । ଅଭଦ୍ରବୋଲି କାହିଁ ରଞ୍ଜିତା ତ ତାଙ୍କୁ କେବେ କାହିଁ ନାହିଁ !

 

ଅଫିସ ଗୋଟିଏ କାରଖାନା ନୁହେଁ...ଅଫିସର ମାନେ ଗୋଟିଏ ଗୋଟିଏ ମେସିନ୍‍ ନୁହନ୍ତି... ସେମାନେ ମଣିଷ...ସ୍ନେହ, ଶ୍ରଦ୍ଧା ନ ପାଇଲେ ସେଠି କାମ କରିବା ସହଜ ନୁହେଁ.. ସେଥିପାଇଁ ରଞ୍ଜିତା ସହିତ ନିବିଡ଼ ଭାବରେ ମିଶୁଛନ୍ତି ଶ୍ରୀ ନାଗ୍... ରଞ୍ଜିତା ସେଥିପାଇଁ ଏତେ ଆନ୍ତରିକତା ଦେଖାଉଛି ଶ୍ରୀ ନାଗ୍‍ଙ୍କ ପାଖରେ..

 

କିନ୍ତୁ ସେ....

 

ସଚ୍ଚିଦାସ ଫାଶୀଖୁଣ୍ଟରେ ଚଢ଼ିଲା ପରେ ଆନ୍ତରିକତା, ସ୍ନେହ ଶ୍ରଦ୍ଧାର ଝରଣା ତାର ହୃଦୟର ମରୁଭୂମିରେ କେଉଁଠି କେଜାଣି ପଥ ହଜାଇ ଦେଇଛି... ସେଥିପାଇଁ ସେ ସାଧାରଣ ଝିଅଙ୍କଠାରୁ କେମିତି ଏକ ବ୍ୟତିକ୍ରମ ହୋଇ ଉଠିଛି ସତରେ !

 

–ଛଅ–

 

ସେଦିନ ରଞ୍ଜିତାକୁ ନୋଟ୍ ଦେଉଛନ୍ତି ଶ୍ରୀ ନାଗ୍ । ଶ୍ରୀମୟୀ ପହଁଞ୍ଚିଲା । ଶ୍ରୀ ନାଗ ବିସ୍ମିତ ଭାବରେ ତା ଆଡ଼େ ଚାହିଁଲେ । ପଚାରିଲେ, ତମ ଛୁଟି’ ତ ଆହୁରି ତିନି ଦିନ ବାକି ଅଛି । ଦରଖାସ୍ତ ପଠାଇ ଦେଇଥିଲେ ମୁଁ ଆଉ ପନ୍ଦରଦିନ ଛୁଟି ମଞ୍ଜୁର କରି ଦେଇଥାନ୍ତି । ଏ ଶାରୀରିକ ଅସୁସ୍ଥଥାରେ ଛୁଟି ପାଇଁ କଷ୍ଟ କରି ତମେ ଆସିଲ କାହିଁକି ମିସ୍ ମହାନ୍ତି ।

 

ଶ୍ରୀମୟୀ ଅବିଚଳିତ ଭାବରେ କହିଲା, ମୁଁ ଛୁଟି ନେଵା ପାଇଁ ଆସିନାହିଁ ସାର୍ ! ମୁଁ କାମରେ ଜଏନ୍ କରିବି...ମୁଁ ସୁସ୍ଥ ହୋଇ ଉଠିଲିଣି....

 

ଶ୍ରୀ ନାଗ୍‍ଙ୍କ ବିସ୍ମୟ ଏକ ଚୂଡ଼ାନ୍ତ ଅବସ୍ଥାରେ ପହଁଞ୍ଚିଲା । ଦେହରେ ଏବେ ସୁଦ୍ଧା ଶ୍ରୀମୟୀର ଦୁର୍ବଳତାର ଛାପ । ଜ୍ଵର ନିଶ୍ଚୟ ରହୁଥିବ ଦେହରେ । ଏଥିରେ କାମ କରିବ ଶ୍ରୀମୟୀ !

 

ସେ କହିଲେ, ତମେ ଆଦୌ ବ୍ୟସ୍ତ ହେବା ଉଚିତ ନୁହେଁ ମିସ୍ ମହାନ୍ତି ! ମିସ୍ ବିଶ୍ୱାଳ ସବୁ କାମ ଚଳାଇ ନେଉଛନ୍ତି । ତମେ ବରଂ ଆଉ ପନ୍ଦର ଦିନ ଛୁଟି ନିଅ...ମୁଁ ଦରମା ସହିତ ଛୁଟି ମଞ୍ଜୁର କରି ଦେଉଛି...

 

ରଞ୍ଜିତା ହସି ହସି ସମର୍ଥନ କଲା ଶ୍ରୀ ନାଗଙ୍କ କଥାକୁ । ହସିଲେ ରଞ୍ଜିତାର ମୁହଁ ଭାରି ସୁନ୍ଦର ଦିଶେ ।

 

ଶ୍ରୀ ନାଗଙ୍କ କଥା ଆଉ ରଞ୍ଜିତାର ହସ ଦେଖି ଶ୍ରୀମୟୀର ମୁହଁ ଶ୍ରୀହୀନ ହୋଇଉଠିଲା-। ସେ ଆସ୍ତେ ଆସ୍ତେ ପଛେଇ ପଛେଇ ଅଫିସ ଛାଡ଼ି ବାହାରି ଆସିଲା ରାସ୍ତା ଉପରକୁ ।

 

ରିକ୍ସାଟାରେ ଉଠି ପଡ଼ିଲା ସେ ତା’ପରେ ।

 

ରିକ୍‍ସାବାଲା ମେନରୋଡ଼ ବାଟେ ନେଉଥିଲା । କିନ୍ତୁ ଆଜି କାହିଁକି ଜନଗହଳି କାଟି ପ୍ରଧାନ ରାସ୍ତାରେ ଯିବାକୁ ଡର ମାଡ଼ିଲା ଶ୍ରୀମୟୀକୁ । ସେଦିନ ଯେଉଁ ଗଳି ରାସ୍ତାରେ ଶ୍ରୀ ନାଗ୍ କାର୍ ନେଉଥିଲେ, ସେ ଗଳିରାସ୍ତାଟା ସେ ଦେଖାଇ ଦେଲା ରିକ୍‍ସାବାଲାକୁ ।

 

ସେଦିନ ସେ ଶ୍ରୀ ନାଗଙ୍କୁ ଅପମାନିତ କରିଥିଲା । କିନ୍ତୁ ସେ ଅପମାନର ଏମିତି ନିର୍ମମ ପ୍ରତିଶୋଧ ସେ ନେବେ ବୋଲି ଶ୍ରୀମୟୀ କେବେ ଭାବି ନଥିଲା ।

 

–ସାତ–

 

ତା’ ଆରଦିନ ମମତା ଶ୍ରୀମୟୀଠାରୁ ଆଉଖଣ୍ଡେ ଚିଠି ପାଇଲା । ସେ ଚିଠିରେ ଶ୍ରୀମୟୀ ଲେଖିଥିଲା, ନାରୀ ଅର୍ଥନୈତିକ ସ୍ଵାଧୀନତା ପାଇଲେ ସ୍ଵାଧୀନ ହୋଇଯିବ ବୋଲି ମୁଁ ଯାହା ଭାବିଥିଲି ତା ଠିକ୍ ନୁହେଁ ମମତା ! ଅର୍ଥନୈତିକ ସ୍ଵାଧୀନତା ସାଙ୍ଗକୁ ବ୍ୟକ୍ତିଗତ ସ୍ଵାଧୀନତା ନିହାତି ଦରକାର... କିନ୍ତୁ ଯେଉଁ ସ୍ଵାଧୀନ ଭାରତର ସ୍ୱପ୍ନ ଦେଖି ସଚ୍ଚିଦାସ ସେଦିନ ଫାଶୀ ଖୁଣ୍ଟରେ ଚଢ଼ିଥିଲା, ସେ ସ୍ଵାଧୀନ ଭାରତର ଜୀବନ ପଥ ଏଡ଼େ ସଂକୀର୍ଣ୍ଣ ହୋଇ ଯାଇଛି ଯେ ସେ ରାସ୍ତାରେ ବ୍ୟକ୍ତିଗତ ସ୍ଵାଧୀନତା ଆଉ ଅର୍ଥନୈତିକ ସ୍ଵାଧୀନତାର ରଥ ଚକ ଏକାବେଳକେ ଯିବା ନିହାତି ଅସମ୍ଭବ....ସେଥିପାଇଁ ମୁଁ ସେକ୍ରେଟେରୀଏଟ୍ର ଷ୍ଟେନୋ ଚାକିରିରୁ କାଲି ଦିନ ସାଢ଼େ ଚାରିଟାବେଳେ ଇସ୍ତଫା ଦେଇ ଦେଲି... ।

Image

 

ମାସ ଫଗୁଣ, ଋତୁ ବସନ୍ତ

 

ତମର କୋଠାଘର ଅଛି ଡାକ୍ତର ।

 

ମଳୟର ମୁହଁ ତଳକୁ ହୋଇଗଲା । କୋଠା ତାର ନାହିଁ । ‘କାର....ମୋଟର ଗାଡ଼ି ?’

 

ମଳୟ ଏଥର ସ୍ପଷ୍ଟ ଭାବରେ ମକରଧ୍ଵଜ ବାବୁଙ୍କୁ ଚାହିଁଥିଲା । ମୁଣ୍ତ ହଲାଇ ମନାକରି ଦେଇଥିଲା, ନାଇଁ । କାର୍ ନାହିଁ । ମୋଟର ଗାଡ଼ି ନାହିଁ ।

 

ଆଉ ବ୍ୟାଙ୍କ୍ ବାଲାନ୍‍ସ ? ମକରଧ୍ଵଜ ବାବୁଙ୍କ କଣ୍ଠ ଭାରି ଭାରି ଜଣା ପଡ଼ୁଥିଲା । ମଳୟ ହତାଶରେ, ଲଜ୍ଜାରେ ପୁଣି ମୁଣ୍ତକୁ କରିଦେଇଥିଲା ତଳୁକୁ ।

 

ମକରଧ୍ଵଜ ବାବୁ ହସିଥିଲେ । ଏକ ଅଦ୍ଭୁତ ପ୍ରଶ୍ନ ସେ କରି ବସିଥିଲେ ମଳୟକୁ ।

 

ତମେ ଜୀଇଁଛ ବୋଲି ବିଶ୍ୱାସ କରୁଚ ମଳୟ ?

 

ମଳୟ ଚମକି ଉଠିଥିଲା ମକରଧ୍ଵଜ ବାବୁଙ୍କ ସେ ପ୍ରଶ୍ନରେ । ସେ ଠିଆ ହୋଇଛି । ମକରଧ୍ଵଜବାବୁଙ୍କୁ ଚାହିଁଚି । ତାଙ୍କ ପ୍ରଶ୍ନର ଉତ୍ତର ଦେଉଚି । ତଥାପି ସେ ଜୀଇଁଛିକି ନାହିଁ ବୋଲି ମକରଧ୍ଵଜ ବାବୁ ପ୍ରଶ୍ନ କରୁଛନ୍ତି ?

 

ନିଜ ଦେହର ଚମକୁ ଆଙ୍ଗୁଠିର ନଖରେ ଚିମୁଟି ଦେଖିଥିଲା ମଳୟ । ନଖରେ ଖଣ୍ଡିଆ ହୋଇ ଦେହର ଚମତଳୁ ରକ୍ତ ବାହାରୁଚି । କାଟୁଚି । ପୋଡ଼ୁଛି । କଷ୍ଟ ହେଉଚି । ତା’ ଦେହରେ ଯେ ଜୀବନ ଅଛି, ସେ ଜୀଇଁଚି, ଏହାଠୁଁ ବଳ ବଡ଼ ପ୍ରମାଣ ଆଉ କଣ ଏଥି ପାଇଁ ଥାଇ ପାରେ ?

 

ମଳୟର ଏ ହାବଭାବକୁ ସବୁ ଲକ୍ଷ୍ୟ କରୁଥିଲେ ମକରଧ୍ଵଜ ବାବୁ । ମନଭରି ପ୍ରଚୁର ହସିଥିଲେ ହୁଏତ । ଲଘୁ ପରିହାସରେ କହିଥିଲେ, କୋଠାଘର, ମଟରଗାଡ଼ି ଆଉ ବ୍ୟାଙ୍କ ବାଲାନ୍ସ, ଏଇ ତିନୋଟି କଥା ହେଲା ବଞ୍ଚିବାର ତିନୋଟି ପାହାଚ । ଏ ତିନୋଟି କଥାକୁ ବାଦଦେଇ ଏ ଶତାବ୍ଦୀରେ କେହି ମଣିଷ ବଞ୍ଚିଚି ବୋଲି କହିଲେ ତାର କିଛି ମାନେ ହୁଏନା । ମୁଣ୍ଡରୁ ସେ ଅବାନ୍ତର କଥାକୁ ତମେ ବାଦ୍ ଦିଅ ମଳୟ....ମେଘମାଳା ସହିତ ତମର ବିବାହ ହୋଇ ପାରିବ ନାହିଁ ।

 

ମେଘମାଳା !

 

ମଳୟର ମନରେ ରୋମାଞ୍ଚ ଜାଗେ ।

 

ସେ ଦୀର୍ଘ, ଦୀର୍ଘ ଦିନ ତଳର ସ୍ମୃତି !

 

–ଦୁଇ–

 

ମାସଟା ଏବେବି ମଳୟ ମନରେ ଅମ୍ଳାନ ରହିଚି । ଫଗୁଣ । ଋତୁଟା ତା’ହେଲେ ବସନ୍ତ ହେବାର ହିଁ କଥା । ଏଇ ଫଗୁଣ ମାସରେ ମଳୟ ଯେତେବେଳେ ସଂଚରିଯାଏ ମେଘମାଳାର କଥା ମନେପଡ଼େ ମଳୟର ।

 

ମଳୟର ମନର ଆକାଶରେ ହାଲୁକା ମେଘର ଜାହାଜ ଭଳି ନିଃଶବ୍ଦରେ ଭାସିଯାଏ ମେଘମାଳାର ସ୍ମୃତି । ମକରଧ୍ଵଜ ବାବୁଙ୍କ ଏକମାତ୍ର ଅଲିଅଳି କନ୍ୟା ମେଘମାଳା ।

 

ଡାକ୍ତର ମଳୟ ସେତେବେଳେ ମେଘମାଳା ପାଇଁ ହଁ କେବଳ ଗାଳ୍ପିକ ହୋଇ ଉଠିଥିଲା-। ଅନେକ ପ୍ରଖ୍ୟାତନାମା ପତ୍ର ପତ୍ରିକାରେ ଛପା ହୋଇଥିଲା ତାର ଅନେକ ଗଳ୍ପ । ମେଘମାଳା ସେଦିନ ଅନୁଯୋଗ କରିଥିଲା, ପ୍ରେମକୁ ବାଦ୍ ଦେଇ କଣ ଗଳ୍ପ ହୁଏନା ମଳୟ ! ଆମ ଜୀବନରେ ଏଇ ପ୍ରେମ ଆସେ କିନ୍ତୁ ମୋଟେ ଅଳ୍ପ କେତୋଟି ମୁହୂର୍ତ୍ତ ପାଇଁ । ତମେସବୁ ଗାଳ୍ପିକ, କବି, ଏଇ ମୂହର୍ତ୍ତର ସ୍ମୃତିକୁ ହଁ ଧରି ରଖ ତମ ଲେଖାରେ...କିନ୍ତୁ ମଣିଷ ଜୀବନର ଅବଶିଷ୍ଟ ସଂଖ୍ୟ ମୁହୂର୍ତ୍ତର ଅଭିଜ୍ଞତା, ଅନୁଭୂତି ଯେ ଅଲେଖା, ଅଚିହ୍ନା ରହିଗଲା... !

 

ମଳୟର ସେ ସବୁ କଥା ଆଜି ଗୋଟି ଗୋଟି ହୋଇ ମନେପଡ଼େ କୋଠାଘର, କାର୍ ଆଉ ବ୍ୟାଙ୍କ ବାଲାନ୍‍ସ ନଥିଲା ବୋଲି ମକରଧ୍ଵଜ ବାବୁ ମେଘମାଳାକୁ ଛଡ଼ାଇ ନେଇଥିଲେ ତାଠାରୁ । ଜଣେ ଇଞ୍ଜିନିୟର ବରର ଗଳାରେ ବରଣମାଳା ଦେଇ ମେଘମାଳା ଚାଲିଗଲା । ଗଲାବେଳେ କହି ଯାଇଥିଲା, ତୁମର ଏ ପ୍ରଣୟ ଠାରୁ ତମର ଗଳ୍ପ ମତେ ବେଶି ଭଲ ଲାଗିଥିଲା ମଳୟ ! କେବଳ ପ୍ରେମକୁ ନେଇ ନୁହେଁ, ଜୀବନକୁ ନେଇ ତମେ ଗଳ୍ପ ଲେଖ । ପ୍ରେମତ ଜୀବନରେ ଏକ ଆକସ୍ମିକ ଦୁର୍ଘଟଣା ! ପ୍ରେମକୁ ବାଦଦେଇ କଣ ଗଳ୍ପ ଲେଖି ହୁଏନା !

 

ମେଘମାଳା ଭଳି ଗଳ୍ପ ଲେଖାବି ମଳୟ ପାଇଁ ଅତୀତର ଏକ ରୋମାଞ୍ଚକର ସ୍ମୃତି ହୋଇ ରହି ଯାଇଛି । ଆମ୍ବ ଗଛରେ ବଉଳ ହେଲେ, କୋଇଲିର କୁହୁ କୁହୁ ଗୀତ ଶୁଣିଲେ ମଳୟର ମନରେ ସେଇ ଅତୀତ ହିଁ ବର୍ତ୍ତମାନ ହୋଇ ଠିଆ ହୁଏ !

 

ମେଘମାଳା ଚାଲି ଯାଇଥିଲା’ । ଗଳ୍ପ ଛାଡ଼ି ଦେଇଥିଲା ମଳୟ । ବାସ୍ ସେତିକି । ଇତିଶ୍ରୀ ।

 

ଏଇ ମାସ କେତୋଟି ତଳେ ମଳୟ ଶୁଣୁଥିଲା ମେଘମାଳର ଇଞ୍ଜିନିୟରି ବର ଆଉ ଅଧିକ କଣ ପଢ଼ିବା ପାଇଁ ଲଣ୍ଡନ ଯାଇଛନ୍ତି । ଆଧୁନିକ ସଭ୍ୟତାର ମକ୍‍କା ମଦିନା ଲଣ୍ଡନ । ସେ ପବିତ୍ର ମାଟିରେ ପାଦ ନ ପକାଇଲେ ଖାତିର ବଢ଼େ ନାହିଁ, ଚାକିରୀରେ ଉନ୍ନତ ହୁଏ ନାଇଁ !

 

ସେଠାରେ ଚାରିବର୍ଷ ରହି ଶିକ୍ଷା ଲାଭ କରିବେ ସେ । ଦୁଇବର୍ଷ ମାତ୍ର କଟିଛି । ଆହୁରି ଦୁଇବର୍ଷ ବାକି ! ଏ ଦୀର୍ଘ ଦୁଇବର୍ଷ ଧରୀ ଏକାକିନୀ କଣ କରୁଥିବ ମେଘମାଳା ! ଅତୀତର ସ୍ମୃତିର ଫୁଲକୁ ହାର କରି ସେ କଣ ପିନ୍ଧିଥିବ ନିଜ ମନରେ !

 

ମଳୟ ମନେ ମନେ ନିଶବ୍ଦରେ ହସେ ।

 

ମେଘମାଳା ହୁଏତ ନିଜ ବିଦେଶୀ ସ୍ୱାମୀର ପ୍ରତ୍ୟାବର୍ତ୍ତନ ପଥକୁ ପ୍ରତୀକ୍ଷା କରି ନିଜ ଆଖି ଲୁହର ମୁକ୍ତା ଫୁଲରେ ମାଳ ଗୁନ୍ଥୁଥିବ !

 

–ତିନି–

 

ଶ୍ରୀ ମଳୟ ଦାସ, ଏମ, ବି, ବି, ଏସ୍ ।

 

ଲୋକେ ଆସନ୍ତି । ଏଇ ନେମ୍‍ ପ୍ଲେଟକୁ ଚାହାଁନ୍ତି । ଟିକିଏ ଚିନ୍ତା କରନ୍ତି ! ହସନ୍ତି । ମୁଁହ ଫେରାଇ ଚାଲି ଯାଆନ୍ତି । ଡିଗ୍ରୀ ପଛରେ ଲଣ୍ଡନ ଆମେରିକା କିମ୍ବା ଅନ୍ୟ କୌଣସି ବିଦେଶୀ ଦେଶର ନାମ ନାହିଁ । କେବେଳ ଏମ, ବି, ବି, ଏସ୍ । କଟକ ମେଡ଼ିକାଲ କଲେଜ ପ୍ରତିବର୍ଷ ଅନେକ ଅନେକ ଏମ ବି,ବି,ଏସ୍ ଡିଗ୍ରୀ ପ୍ରସବ କରୁଛି । ସେ ଡିଗ୍ରୀର ଆଜିର ଦୁନିଆରେ କଣ ମୂଲ୍ୟ ଅଛି ! ଚିକିତ୍ସା ବିଜ୍ଞାନର କେତେ ଟିକିଏ ଅଂଶ ବା ସେମାନେ ଜାଣନ୍ତି ?

 

ଯେଉଁମାନେ ମଳୟ ଦାସର ଦୋକାନ ପିଣ୍ଡାକୁ ଉଠନ୍ତି ସେମାନେ ଗରିବ । ବିଦେଶୀ ଡିଗ୍ରୀଥିବା ଡାକ୍ତର ମାନେ ଯେଉଁମାନଙ୍କୁ ପାଖ ମଡ଼ାଇ ନଦିଅନ୍ତି, ସେଇମାନେ । ଔଷଧ ନିଅନ୍ତି, ପଇସା ଦେଇ ପାରନ୍ତି ନାହିଁ । ଢାଳି ଦେଇ ଯାନ୍ତି କେବଳ ଅଜସ୍ର କୃତଜ୍ଞତା, “ଅସୁମାରୀ ଆଶୀର୍ବାଦ, ପ୍ରଶଂସା ।

 

ଆଶୀର୍ବାଦ, କୃତଜ୍ଞତା, ଅର୍ଥହୀନ ପ୍ରଶଂସାକୁ ନେଇ କଣ ମଣିଷ ଏ ଯୁଗରେ ବଡ଼ ହୋଇପାରେ !

 

ବଡ଼ ଲୋକଙ୍କର କାରର ହର୍ଣ୍ଣ ବାଜେ ନାହିଁ ମଳୟ ଦାସର ଦୋକାନ ପାଖରେ । ସମାଜରେ ଯେଉଁମାନେ ଆସନର ସ୍ତର ଉଚ୍ଚରେ ସେମାନେ କେବେ ଫେରି ଚାହାନ୍ତି ନାହିଁ ମଳୟ ଦାଶର ଡାକ୍ତରୀ ଦୋକାନକୁ । କିଛି ଦିନ କଟକ ସହରରେ ଘରର ଭଡ଼ା ଉଠାଇବା ଅସମ୍ଭବ ହୋଇ ଉଠିଲା ମଳୟ ପକ୍ଷରେ ....

 

ଦୋକାନ ଭାଙ୍ଗି ହୁଏତ ସେ ସରକାରୀ ଚାକିରିରେ ଚାଲି ଯାଇଥାନ୍ତା, । କୋଠାଘର, ମଟରଗାଡ଼ି, ଆଉ ବ୍ୟାଙ୍କ୍ ବାଲାନ୍ସ ନେଇ ବଞ୍ଚିବାର ଯେଉଁ ଦୂରନ୍ତ ସ୍ଵପ୍ନଟା ମକରଧ୍ଵଜ ବାବୁ ମୁଣ୍ଡରେ ତାର ଚପାଇ ଦେଇଥିଲେ, ସେ ସ୍ଵପ୍ନଟା ଏକ ବିସ୍ମୃତ ସ୍ଵପ୍ନ ଭଳି ରହି ଯାଇଥାନ୍ତା ମଳୟର ମନର ପରଦାରେ...

 

ହଠାତ୍ କିନ୍ତୁ ମଳୟ ମନରେ ଏକ ବୁଦ୍ଧି ଢୁକିଲା ।

 

ଜଣେ ବନ୍ଧୁଙ୍କ ପରାମର୍ଶରେ...ବନ୍ଧୁଙ୍କ ପରାମର୍ଶ ଶୁଣି ପ୍ରଥମେ ମଳୟ ଏକ ନରହତ୍ୟା ପାପ କଲାଭଳି ନିଃଶଦ୍ଦ ହୋଇ ଯାଇଥିଲା । ବନ୍ଧୁ ଜଣଙ୍କ କହିଲେ, ତମେ ଗର୍ଭନଷ୍ଟ ନକରାଇଲେ ବି ସେ ଭୃଣହତ୍ୟାର ଶୋଭାଯାତ୍ରା ପ୍ରତିଦିନ ଚାଲିଚି, ଚାଲିଥିବ ।

 

ମଳୟ କହିଲା ‘ବଡ଼ଲୋକ ହେବି ବୋଲି ପାପ—’

 

ପାପଭୀରୁ ମଳୟ ଦାସକୁ ଚାହିଁ ବନ୍ଧୁ ଜଣକ ସେଦିନ କହିଥିଲେ ପାପ ଆଉ ବଡ଼ଲୋକୀ ଏ ଦୁଇଟାଯାକ କଥା ଏପରି ପରସ୍ପର ଭାବରେ ଜଡ଼ିତ ଯେ ଗୋଟିକୁ ଛାଡ଼ିଲେ ଅନ୍ୟଟି ମିଳେ ନାହିଁ । ତମେ ଯଦି କୃଷ୍ଣା ଗୌତମୀ ଭଳି ପାପ ନକରିଥିବା ଜଣେ ବଡ଼ଲୋକ ଘରୁ ମୁଠାଏ ସୋରିଷ ଆଣି ପାରିବ ମୁଁ ତୁମକୁ ଗୋଟିଏ ଦିନରେ ବିରଳା, ଡାଲମିଆ କରିଦେବି—

 

ବନ୍ଧୁଙ୍କ କଥାର ତାତ୍ପର୍ଯ୍ୟ ବୁଝିଥିଲା ସେଦିନ ମଳୟ । ବନ୍ଧୁଙ୍କ କଥାରେ ବହୁ କଷ୍ଟରେ ହଁ କରିଥିଲା । ପ୍ରଥମେ ପ୍ରଥମେ ସେ କାର୍ଯ୍ୟରେ ହାତ ଦେଲାବେଳେ ହାତମୁଠା ଯେ କମ୍ପିତ ହୋଇ ଉଠିଚି ଆଉ ମନସ୍ତାପରେ ମନ ଭିତରଟା ଯେ ହା’ ହାକାର କରି ନଉଠିଚି ସେକଥା ନୁହେଁ କିନ୍ତୁ ଥାକ ଥାକ ନୋଟ୍‍କୁ ଆଲମିରା ଭିତରେ ସଜାଇ ରଖିଲା ବେଳେ ସେକଥା ସବୁ ପାସୋରି ଦେଇଚି ମଳୟ । ଏକ ଭାବି ଜନନୀକୁ କୁମାରୀ କନ୍ୟା ରୂପେ ରୂପାନ୍ତରିତ କରିଦେଲା ବେଳେ ତାର ଧାରଣା ହୋଇଚି ସତେ ଯେମିତି ସେ ଏକ ଶାପଗ୍ରସ୍ତା ଯକ୍ଷକୁମାରୀକୁ ଶାପ ମୁକ୍ତ କରି ଦେଇଚି !

 

ଦିନରେ ନୁହେଁ ।

 

ରାତିର ଅନ୍ଧକାର ଘନୀଭୂତ ହୋଇଗଲେ ସମାଜର ଏଇ ଶାପଗ୍ରସ୍ତ ନାରୀଙ୍କୁ ଆଣି ବହୁ ସଂଭ୍ରାନ୍ତ ଧନୀଘରର ପୁରୁଷ ତା’ ଦୋକାନରେ ଉଠନ୍ତି । ଚାରିଆଡ଼କୁ କନ କନ କରି ଚାହାନ୍ତି । ହତାଶ କଣ୍ଠରେ ତାକୁ ଅନୁରୋଧ ଜଣାନ୍ତି—

 

ଟଙ୍କା ଆସିଚି ମଳୟ ଦାସର ଆଲମୀରା ଭିତରକୁ ।

 

ପ୍ରତିଷ୍ଠା ଆସିଚି ତା ସହିତ ।

 

ଟଙ୍କା, ପ୍ରତିଷ୍ଠା ଭିତରେ ସେ କୁକର୍ମର ଅପବାଦ ନିଷ୍କ୍ରିୟ, ନିଷ୍ପ୍ରଭ, ମ୍ଳାନ ହୋଇ ଯାଇଚି !

 

–ଚାରି–

 

ସେ ହୁଏତ ଅଦ୍ୟ ଫାଲ୍‍ଗୁନର କେଉଁ ଏକ ମଳୟ ଚପଳ ସଂଧ୍ୟା । ମାସ ଫଗୁଣ । ୠତୁ ବସନ୍ତ । ପବନର ସ୍ପର୍ଶରେ ଏକ ବିହ୍ୱଳିତ ଅନୁଭୂତି ।

ମଳୟର ମନରେ ପନ୍ଥ ଜୀବନର ସେଇ ନୀଳ ନୀଳ ସୁନ୍ଦର ଦିନର କଥା କେମିତି ଗୁଡ଼େଇ ତୁଡ଼େଇ ହେଉଥିଲା । ମନେ ପଡ଼ୁଥିଲା ମେଘମାଳା—

ମଳୟ ପାଖକୁ ଟଙ୍କା ଆସିଲା, ପ୍ରତିପତ୍ତି ଆସିଲା । କିନ୍ତୁ ମେଘମାଳା ଆସିଲା ନାହିଁତ–

ମେଘମାଳାର ସେଇ ସ୍ମୃତିର ମେଘ କିନ୍ତୁ ସବୁଦିନ ପାଇ ମଳୟର ମନକୁ ମେଘାୟିତ କରି ରଖିଲା !

କେହି ଜଣେ ଡାକ୍ତରଖାନା ପିଣ୍ଡା ଉପରକୁ ଉଠୁଚି ।

ମଳୟ ନିରେଖିରି ଚାହିଁଲା, ଷ୍ଟେସନର ନମ୍ବର ଦିଆ ବୁଲିକୁ କୁସୁନିଆ ।

ମଳୟ ପଚାରିଲା, କୁଆଡ଼େ କୁସୁନିଆ ।

କୁସୁନିଆ ତାର ଦୁଃଖ ଜଣାଇଲା । ସ୍ତ୍ରୀ ତାର ପ୍ରସବ ବେଦନାରେ ଛଟ ପଟ ହୋଇଚି । ତାକୁ ଟିକିଏ ସାହାଯ୍ୟ କରିବାକୁ ହେବ । କୌଣସି ଲୋଡ଼ି ଡାକ୍ତରଙ୍କ ପାଖକୁ ଯାଇ ଫିସ୍ ଦେଇ ନପାରି ଗଳାଧିକ୍କା ଖାଇ ଫେରି ଆସିଚି କୁସୁନିଆ ।

 

କୁସୁନିଆ ଆଖିରେ ଧାର ଧାର ଲୁହ ।

 

ସ୍ତ୍ରୀ ତାର ମୃତ୍ୟୁ ଯନ୍ତ୍ରଣାର ଛଟ ପଟ ହେଉଚି । ଗରିବ ଲୋକ କୁସୁନିଆ । ବଡ଼ଲୋକ ପାଇଁ ସ୍ତ୍ରୀ ତାର ଖେଳନା ହୋଇପାରେ, ଗରିବ ଲୋକ ପାଇଁ ସ୍ତ୍ରୀ ଯେ ତାର ସର୍ବସ୍ଵ !

 

ନିଜ ନର୍ସକୁ ଆସିବା ପାଇଁ ଖବର ପଠାଇ ପ୍ରସବ ଶଯ୍ୟାକୁ କୁସୁନିଆକୁ ତାର ସ୍ତ୍ରୀକୁ ନେଇ ଯିବାକୁ ଆଦେଶ ଦେଲା ମଳୟ ।

 

ଫଗୁଣର ଏଇ ସଂଧ୍ୟାଟା କେମିତି ବିଷର୍ଣ୍ଣ ମନେ ହେଉଚି ମଳୟକୁ ଆଜି ।

 

ମଳୟ ଲକ୍ଷ୍ୟ କଲା ସଂଧ୍ୟ୍ୟାର ଘନ ନୀଳ ଅନ୍ଧକାର ମଧ୍ୟରେ କାର୍‍ଟିଏ ସନ୍ତରଣ କରି ଆସୁଚି ତା’ ଡାକ୍ତରଖାନା ଅଭିମୁଖେ । ପୁଣି ହୁଏତ କିଛି ପାପ କରିବାକୁ ପଡ଼ିବ ତାକୁ ।

 

କାର୍ ଅଟକିଲା । ଜଣେ ସୁଟ୍ ପରିହିତ ଯୁବକ ଅବତରଣ କରି ଆସିଲେ ସେଇ କାର୍‍ରୁ । ଆସି ମଳୟର ସମ୍ମୁଖ ଚେୟାରରେ ଆପେ ଆପେ ବସିଲେ ।

 

ମଳୟ ପ୍ରଶ୍ନ କଲା । “କେତେ ମାସ ହୋଇଚି... “

 

ମଳୟ ଅଭ୍ୟସ୍ତ କଣ୍ଠସ୍ଵର । ଯୁବକ ଜଣକ ସଂକୋଚରେ କହିଲା” “ଝିଅଟି ମୋର ସ୍ତ୍ରୀ । ଚାରିମାସ ହୋଇଚି । ବିବାହର ଏଇ ପ୍ରଥମ ବର୍ଷରୁ ସନ୍ତାନର ମାଆ ହୋଇ ନିଜ ଦେହର ସୌନ୍ଦର୍ଯ୍ୟକୁ ନଷ୍ଟ କରିବାକୁ ତାର ଭୀଷଣ ଆପତ୍ତି । ଆପଣ ଦୟାକରି...’’

 

ଯୁବକ ଜଣକ ଦୁଇଖଣ୍ଡ ଶହେ ଶହେ ଟଙ୍କିଆ ନୋଟ୍ କାଢ଼ି ଥୋଇଲା ମଳୟର ଟେବୁଲ ଉପରେ । ଅସ୍ପଷ୍ଟ ବିଜୁଳି ଆଲୁଅରେ ସ୍ପଷ୍ଟ ହେଉଛି ସେଇ ନୋଟରେ ଅଶୋକ ସ୍ତମ୍ଭ । ଶାନ୍ତି, ମୈତ୍ରୀର ପ୍ରତୀକ ସେଇ ଅଶୋକ ସ୍ତମ୍ଭ ।

 

ମଳୟ ମନରେ ଟିକିଏ ଚମକ ଲାଗିଛି । ସେ ବହୁଥର ଗର୍ଭନଷ୍ଟ କରାଇଚି । କିନ୍ତୁ ସେସବୁ ନାରୀତକ ବିଧବା ନଚେତ୍ ଅବିବାହିତା । ନିଜ ସ୍ଵାମୀ ନିଜ ଭାର୍ଯ୍ୟାର ଗର୍ଭନଷ୍ଟ କରିବ ତାର ଦୈହିକ ସୌନ୍ଦର୍ଯ୍ୟକୁ ଅକ୍ଷୁନ୍ନ ରଖିବାକୁ ତାହା ପ୍ରଥମ ଶୁଣୁଚି ମଳୟ ।

 

ଯୁବକ ଜଣକ କହିଲେ “ସେଥିରେ ଆଇନ୍‍ଗତ ବାଧା କିଛି ନାହିଁ । ମୁଁ ସ୍ଵଇଚ୍ଛାରେ ମୋ ସ୍ତ୍ରୀର ଗର୍ଭନଷ୍ଟ କରିବାକୁ ଚାହେଁ । ମୁଁ ଏକ ଲିଖିତ ବିବରଣୀ ଦେଉଚି...”

 

“ଆପଣଙ୍କ ସ୍ତ୍ରୀ...”

 

“କାର ଭିତରେ ଅଛନ୍ତି । ଆପଣ ରାଜି ହେଲେ ମୁଁ ତାକୁ ନେଇ ଆସିବି...”

 

ମଳୟ ଭଦ୍ରଲୋକଙ୍କ ଠାରୁ ଗୋଟାଏ ସ୍ୱଲିଖିତ ବିବରଣୀ ନେଲା । ମୁଁ ଶ୍ରୀଚନ୍ଦ୍ରକାନ୍ତ ଚୌଧୁରୀ ସ୍ୱଇଚ୍ଛାରେ ମୋ “ସ୍ତ୍ରୀ ଶ୍ରୀମତୀ ମିନତି ଦେବୀଙ୍କର ଗର୍ଭ ନଷ୍ଟ କରିବାକୁ...” ଲିଖିତ ବିବରଣୀଟି ନେଇ ସାରି ମଳୟ ଚାହିଁଲା ଭଦ୍ରଲୋକ ମୁହଁକୁ । ବିଚିତ୍ର ଏଇ ଆଧୁନିକ ସ୍ୱାମୀ । ନିଜ ସ୍ତ୍ରୀର ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ନିଜ ରକ୍ତମାଂସର ସନ୍ତାନକୁ ସୁଦ୍ଧା ନିର୍ମମଭାବରେ ହତ୍ୟା କରିବାରେ ଏମାନଙ୍କର ଅପରିସୀମ ଆନନ୍ଦ !

 

ନିଜ ଲାବୋରେଟେରୀକୁ ସ୍ତ୍ରୀଙ୍କୁ ଯିବାକୁ ନିର୍ଦ୍ଦେଶ ଦେଇ ମଳୟ ତାଙ୍କ ଉଠିଗଲା ନିଜ ଔଷଧାଗାର ମଧ୍ୟକୁ ।

 

–ପାଞ୍ଚ–

 

ନିଜ ଔଷଧ ପତ୍ର ନେଇ ପ୍ରସ୍ତୁତ ହୋଇ ଆସିଲା ମଳୟ । ମନରେ କେମିତି ଏକ ଅବସାଦ ଘୋଟି ରହିଚି ।

 

ଭଦ୍ରଲୋକ କହିଲେ, “ସ୍ତ୍ରୀ ଆପଣଙ୍କ ଲାବୋରେଟେରିରେ...ଟିକିଏ ଶୀଘ୍ର...”

 

ମଳୟ ହସିଲା ।

 

ଲଘୁ ପଦକ୍ଷେପରେ ପ୍ରବେଶ କଲା ଯାଇ ତା’ ଗବେଷଣାଗାର କକ୍ଷରେ । ବିଜୁଳିବତୀ ଜଳୁଚି । ଉଜ୍ଜ୍ୱଳ ବିଜୁଳି ଆଲୋକ । ସେଇ କକ୍ଷରେ ଠିଆ ହୋଇଚି ତଳକୁ ମୁହଁପୋତି ଏକ ଅର୍ଦ୍ଧ ଅବଗୁଣ୍ଠିତା ନାରୀ—

 

ସଂତର୍ପଣରେ ମଳୟ ଚାହିଁଲା ସେଇ ମହିଳାଙ୍କ ଆଡ଼େ... ଇସ୍ ! ସେ ଏକଣ ଦେଖୁଚି ! ସେ ଅସ୍ପଷ୍ଟ କଣ୍ଠରେ ଆର୍ତ୍ତନାଦ କରି ଉଠିଲା, ମେଘମାଳା...ମେଳମାଳା !

 

ମେଘମାଳାର ମୁଣ୍ଡରେ ସତେ ଯେମିତି ଆକାଶ ଛିଡ଼ିପଡ଼ିଲା ! ମଳୟର ଡାକ୍ତରଖାନାକୁ ତାକୁ ଆଣିଲା କିଏ ? କାହିଁ, ଆଣିଲା ବେଳେତ ମଳୟର ନାମ ତାକୁ ସେ କହି ନାହାନ୍ତି !

 

ମଳୟର ଆଖିରେ ସେ ଗତ କେତେଦିନର ସ୍ମୃତି ଭାସି ଯାଉଥିଲା । ମେଘମାଳାର ସ୍ୱାମୀ ଚାରିବର୍ଷ ପାଇଁ ଯାଇଛନ୍ତି ଲଣ୍ଡନ । ଦୁଇବର୍ଷ ପୂରିଚି, ଅବଶିଷ୍ଟ ରହିଚି ଆହୁରି ଦୁଇବର୍ଷ । କିନ୍ତୁ ନିଜ ସ୍ୱାମୀର ଅନୁପସ୍ଥିତିରେ ମେଘମାଳାର ଗର୍ଭରେ ଶିଶୁ ସଂଚାର ହୋଇଚି । ମେଘମାଳାର ସେଇ ନିଷ୍ଠୁର ପ୍ରେମିକ ସେ ଶିଶୁକୁ ନଷ୍ଟ କରିବା ପାଇଁ ନାମ ବଦଳାଇ ସ୍ୱାମୀ, ସ୍ତ୍ରୀର ଛଳନା କରି ତା ଆଖିରେ ଧୂଳି ପକାଇବାକୁ ଚେଷ୍ଟା କରିଛନ୍ତି । ସେ ଯଦି ମେଘମାଳାକୁ ଚିହ୍ନି ନଥାନ୍ତା !

 

ମେଘମାଳା କଇଁ କଇଁ ହୋଇ କାନ୍ଦୁଚି ।

 

କାନ୍ଦୁଚି ତାର ଅସଂଖ୍ୟ ରାତ୍ରିର ସ୍ଵପ୍ନ ସେଇ ମାନସୀ ମେଘମାଳା ! ମେଘମାଳାର ସେଇ ଲୋତକାପ୍ଳୁତ ମୁହଁଟିକୁ ତୋଳିଧରି ମଳୟ କହିଲା, “ପ୍ରେମ ଛଡ଼ା ଯଦି ଗଳ୍ପ ଲେଖାଯାଇ ପାରେ ବୋଲି ତମେ ବିଶ୍ୱାସ କର ମାଳା ! ଛଳନା, ବ୍ୟଭିଚାର ବ୍ୟତୀତ କଣ ନାରୀର ଜୀବନ ଗଢ଼ାଯାଇ ପାରେନା ବୋଲି ମୁଁ ବିଶ୍ୱାସ ରଖିବି !”

 

କାନ୍ଦି କାନ୍ଦି ମେଘମାଳା ଲୋଟି ପଡ଼ିଲା ସେଇ ଚଟାଣ ଉପରେ । ଲୁହହିଁ ହେଉଚି ନାରୀର ଶେଷ ଅମୋଘ ଅସ୍ତ୍ର । ସେଇ ଲୁହର ସାଂଜୁରେ ନିଜର ଦୁର୍ବଳତାକୁ ରକ୍ଷା କରିବାକୁ ଶେଷ ଚେଷ୍ଟା କଲା ମେଘମାଳା !

 

ଆରଘରେ କୁସୁନିଆର ସ୍ତ୍ରୀ ଚିତ୍କାର କରି ଉଠୁଚି ।

 

ସନ୍ତାନ ପ୍ରସବ କଲା ବୋଧହୁଏ କୁସୁନିଆର ସ୍ତ୍ରୀ ।

 

–ଛଅ–

 

ମୂର୍ଚ୍ଛା ଯାଇଚି କୁସୁନିଆର ସ୍ତ୍ରୀ ।

 

ଗୋଟିଏ ପୁତ୍ର ସନ୍ତାନ କୁଆଁ କୁଆଁ ଡାକ ଛାଡ଼ୁଚି ।

 

ଯେଉଁ ଶିଶୁକୁ ନଷ୍ଟ କରିବାପାଇଁ ମେଘମାଳା ତା ପରୀକ୍ଷାଗାରରେ ଅପେକ୍ଷା କରିଚି, ସେଇ ଭଳି ଏକ ଶିଶୁକୁ ପୃଥିବୀର ଆଲୋକକୁ ଆଣିବାପାଇଁ ମରଣର ଯନ୍ତ୍ରଣାକୁ ହସି ହସି ସହି ନେଇଚି କୁସୁନିଆର ସ୍ତ୍ରୀ । ବଡ଼ ହେଲେ କୁସୁନିଆର ପୁଅ ଷ୍ଟେସନର କୁଲି ହେବ । ତା’ ଦେହରେ ମରା ହେବ ମୋହର । କୁସୁନିଆ ଭଳି ସେ ମଧ୍ୟ ମାଲ ବୋହିବ । ମେଘମାଳା ପୁଅର ମାଲ୍ !

 

ମଳୟର ଆଖିରେ ନାଚି ଯାଉଥିଲା, ଏଇ ମାଲ୍‍ବାହୀ ମଣିଷର ଧାଡ଼ି ସଭ୍ୟତାର ଏକ ମୁଣ୍ଡରୁ ସେ ମୁଣ୍ଡ ପର୍ଯ୍ୟନ୍ତ ଲମ୍ବି ଯାଇଚି ଗୋଟିଏ ସୁଦୀର୍ଘ ସରଳ ରେଖା ଭଳି । ଆଉ ମେଘମାଳା ଭଳି ବହୁ ମୃତବତ୍ସା ଜନନୀ ନିଜ ଅପକର୍ମର ମାଲକୁ ତୋଳି ଦେଉଛନ୍ତି ସେମାନଙ୍କ ମୁଣ୍ଡ ଉପରକୁ... !

Image

 

ପ୍ରୋଗୈତିହାସିକ

 

ସିନି ।

 

ଛୋଟ ଷ୍ଟେସନଟିଏ । ଷଢ଼େଇକଳାରୁ ସିଂହଭୂମ ଆସିବାପାଇଁ ସେଇ ଷ୍ଟେସନଟି । ଗୋଟିଏ ଛୋଟ ଟିକେଟ ଘର, ଟି’ଷ୍ଟଲ, ଦୁଇ ତିନୋଟି ସିମେଣ୍ଟ ବେଞ୍ଚ୍, ଝଙ୍କା ଝଙ୍କା କେତୋଟି ଗଛ । ଗାଡ଼ି ଖୁବ୍ କମ୍ ସମୟ ରହେ ସେଠି ।

 

ତେଣୁ ଗାଡ଼ି ନ ପାଇବାର ଆଶଙ୍କା କରି ମୁଁ ଏକ ପ୍ରକାର ଦୌଡ଼ି ଦୌଡ଼ି ଆସୁଥିଲି । ଆସି ଦେଖିଲି, ଗାଡ଼ି ଆସିବ ୪୫ ମିନିଟ୍ ଡେରିରେ । ମନ ବିରକ୍ତ ହୋଇଉଠିଲା । ଏତେ ଗୁଡ଼ାଏ ସମୟ ମୁଁ ଏଠି କଣ କରିବି ?

 

ମିନିଟ୍ କେତୋଟିପରେ ସଂଧ୍ୟା ବି ହୋଇ ଆସିଲା । ଶେଷ ଜାନୁୟାରୀର ସଂଧ୍ୟା । ବେଶ୍ ଥଣ୍ଡା ବି ପଡ଼ି ଆସୁଥାଏ । ପାଖରେ ଚଦର ନାହିଁ । ଦେହରେ ଯେତିକି ଗରମ ପୋଷାକ ଅଛି, ସିଏ ଏ ଶେଷ ଜାନୁୟାରୀର ଶୀତପାଇଁ ଆଦୌ ଯଥେଷ୍ଟ ନୁହେଁ ।

 

ମନ ଆହୁରି ଖରାପ ହେଲା । ଅଯଥା ଡେରିକରି ଆସୁଥିବା ଟ୍ରେନ୍‍କୁ ଖୁବ୍ ଅଭିଶାପ ଦେଲି । କିନ୍ତୁ ତଥାପି ଶୀତ କମୁନି..... କ୍ଷୁଧିତ ବ୍ୟାଘ୍ରଠୁ ବଳି ଆହୁରି ହିଂସ୍ର, ନିର୍ମମ ଏଇ ଆସନ୍ତା ଫେବୃୟାରୀର ଶୀତ !! ଇଚ୍ଛା ହୋଉଥିଲା ଷ୍ଟେସନର ଏ ମୁଣ୍ଡରୁ ସେ ମୁଣ୍ଡଯାଏ ଖୁବ୍ ଦୌଡ଼ିଲେ ହୁଏତ ଶୀତଟା କମିଯାଆନ୍ତା । କିନ୍ତୁ...

 

ନମସ୍କାର.... ଆପଣ ଏଠି....ଏଇ ଗାଡ଼ିରେ ଯିବେନା....

 

ଫେରି ଚାହିଁଲି ଜଣେ ସୁଦର୍ଶନ ଯୁବକ । ଦେହରେ ଦାମୀ ଗରମପୋଷାକ । ବଙ୍ଗଳାରେ ସେ କଥା କହୁଥାନ୍ତି । ବଙ୍ଗୀୟ ଭଦ୍ରଲୋକ ହେବେ ନିଶ୍ଚୟ । ମୋର ଇତସ୍ତତଃ ଭାବ ଲକ୍ଷ୍ୟକରି ସେ ହୁଏତ ପରିଚିତ ଭାବି ପ୍ରଶ୍ନ ପଚାରିଛନ୍ତି ।

 

ଭଦ୍ରଲୋକ ମୋର ଏକାନ୍ତ ଭାବରେ ଅପରିଚିତ ।

 

କିନ୍ତୁ ଅତି ପରିଚିତ ଭଳି ସେ କହିଲେ, ଆସନ୍ତୁ ଶୀତଟାରେ ଏଠି ବୁଲୁଛନ୍ତି କାହିଁକି ? ଟି’ଷ୍ଟାଲ ଆଡ଼େ ଆସନ୍ତୁ...

 

ମୁଁ ଗଲି । ଅତି ବାଧ୍ୟ ଛାତ୍ରଟିଏ ଭଳି ।

 

ସେ ଜଳଖିଆ ବରାଦକଲେ । ଦୁହେଁଯାକ ଖାଇଲୁ । ଅପରିଚିତ ଭଦ୍ରଲୋକଙ୍କର ଆତ୍ମୀୟତାରେ ମୁଁ ବିହ୍ୱଳ ହୋଇ ପଡ଼ୁଥିଲି ।

 

ଜଳଖିଆ ଖାଇବାରେ ସେ ଭାରି ଶୀଘ୍ର ହୋଇ ପାରିଥିଲେ । ମୁଁ ଜଳଖିଆ ଶେଷ କରିବା ଆଗରୁ ସେ କହିଲେ, ଆପଣ ଖାଉଥାନ୍ତୁ । ଭାରି ଶୀତ ହେଉଛି ମୁଁ ଦୁଇଖଣ୍ଡ ସିଗାରେଟ ଆଣେ ।

 

ମୋ ପକେଟରେ ସିଗାରେଟ ଥିଲେ ବି ମୁଁ ତାଙ୍କୁ ବାରଣକରି ପାରିଲି ନାହିଁ । ସେ ଉଠିଗଲେ । ଜଳଖିଆ ଖାଇସାରି ମୁଁ ଅପେକ୍ଷା କଲି, କିନ୍ତୁ ବହୁସମୟ ପର୍ଯ୍ୟନ୍ତ ଭଦ୍ରଲୋକ ଆଉ ଫେରିଲେ ନାହିଁ ।

 

ଗାଡ଼ି ଆସିବାର ପ୍ରଥମଘଣ୍ଟା ବାଜିଲା ।

 

ମୁଁ ଅଥୟ ହୋଇ ଉଠିଲି । ଭଦ୍ରଲୋକ କାହାନ୍ତି ?

 

କିଛି ବୋଧହୁଏ ଅସୁବିଧା ହେଲା । ମୁଁ ଦୋକାନୀକୁ ପଚାରିଲି କେତେ ହେଲା ?

 

ସେ ହିସାବକରି କହିଲା, ଦୁଇ ଟଙ୍କା ଦଶ ଅଣା । ପଇସା–ଦେଇ ମୁଁ ବହାରିଆସିଲି । ପଇସା ଦେଇଦେଲା ପରେ ଅନୁଭବ କଲି ଦେହ ଗରମ ଲାଗୁଛି । ଶୀତର ପ୍ରକୋପ କମି ଆସିଛି ଅନେକ ପରିମାଣରେ ।

 

ଷ୍ଟେସନରେ ଅଳ୍ପବାଟ ଆସିଲାପରେ ଦେଖିଲି, ସେ ଭଦ୍ରଲୋକ ଆସୁଛନ୍ତି । ଖଣ୍ଡେ କଇଁଚି ସିଗାରେଟ ବଢ଼ାଇ ଦେଇ ସେ କହିଲେ, ଜଣେ ବନ୍ଧୁ ମତେ ଅଟକାଇ ଦେଲେ । ପଇସାଟା…

 

ମୁଁ ଦେଇ ଦେଇଛି ବୋଲି କହି ଟ୍ରେନ୍ଆଡ଼େ ଆଗେଇଲି ।

 

ସେ ମଧ୍ୟ ମୋ ପଛେ ପଛେ ଆସିଲେ । ଏକା କମ୍ପାଟମେଣ୍ଟରେ ଉଠିଲୁ । ଭାଗ୍ୟକୁ କମ୍ପାଟମେଣ୍ଟରେ ବେଶୀ କେହି ଲୋକ ନ ଥାନ୍ତି । କଥାବାର୍ତ୍ତା ହେବାର ସୁବର୍ଣ୍ଣ ସୁଯୋଗ ।

 

ସେ କହୁଥାନ୍ତି ବଙ୍ଗଳା ଭାଷାରେ । ଟାଟା ଆଇରନ ଏଣ୍ଡ ଷ୍ଟିଲ୍ କମ୍ପାନିରେ ସେ ଫୋରମ୍ୟାନ୍ । ପଞ୍ଚଶହ ଟଙ୍କା ଦରମା ପାଆନ୍ତି ମାସକୁ । ନିଜର କ୍ୱାଟର ଅଛି । କାର୍ ଖଣ୍ଡେ ଏବେ କିଣିଛନ୍ତି । ମୋ ବସା ଠିକଣା ବୁଝିନେଲେ । କହିଲେ, କାଲି କାର୍ ନେଇଯିବି । ଆପଣଙ୍କୁ ମୋ ବସାକୁ ନେଇ ଆସିବି । ସ୍ତ୍ରୀ ମୋର ଆମାୟିକ ମହିଳା । ଭାରି ବନ୍ଧୁପ୍ରିୟ, ଆପଣଙ୍କୁ ଦେଖିଲେ ଛାଡ଼ିବନାହିଁ…ଅନ୍ତତଃ ଆପଣ ଆପଣଙ୍କ ଜଗନ୍ନାଥର ଦେଶକୁ ଫେରିଯିବା ଆଗରୁ ସପ୍ତାହେ ଖଣ୍ଡେ ମୋ ବସାରେ ରହିବେ…

 

ଜଳଖିଆ ପଇସା ନ ଦେଇ ଖସିଯାଇଥିଲେ ବୋଲି ତାଙ୍କ ଉପରେ ମୋର ଯେଉଁ ଭୁଲ୍ ଧାରଣା ହୋଇଥିଲା, ମୁଁ ସେ ଭ୍ରମକୁ ମୋର ମନେ ମନେ ଲଜ୍ଜାର ସହିତ ସଂଶୋଧନ କରିନେଲି ।

 

କିଛି ସମୟ ପରେ ସେ ପଚାରିଲେ, ଦିଆସିଲି ଅଛି ?

 

ମୁଁ ଦିଆସିଲିଟି ବଢ଼ାଇ ଦେଲି ।

 

କିନ୍ତୁ ଅନେକ ସମୟ ପର୍ଯ୍ୟନ୍ତ ସେ ସିଗାରେଟ ଲଗାଇଲେ ନାହିଁ । କେବଳ ଦିଆସିଲିଟାକୁ ଓଲଟ ପାଲଟ କରି ଦିଆସିଲି ଉପର ଘୋଡ଼ାମୁହଁର ଚିତ୍ରଟାକୁ ବାରମ୍ବାର ଦେଖିବାର ଚେଷ୍ଟା କଲେ ।

 

ଅଗତ୍ୟା ପକେଟରୁ କ୍ୟାପ୍‍ଷ୍ଟାନ ସିଗାରେଟ ପ୍ୟାକେଟଟା କାଢ଼ି ତାଙ୍କଆଡ଼େ ବଢ଼ାଇଲି-। ସେ ଖଣ୍ଡେ ସିଗାରେଟ କାଢ଼ିନେଇ ନିଆଁ ଧରାଇଲେ । ତା’ପରେ ମୋ ଆଡ଼କୁ ଚାହିଁ କହିଲେ, ଧନ୍ୟବାଦ୍ ।

 

ସେତେବେଳକୁ ଟାଟାନଗର ପାଖହୋଇ ଆସୁଥିଲା । ଇସ୍ପାତ ନଗରୀର ସହସ୍ର ସହସ୍ର ବିଜୁଳିବତୀ ପରିଷ୍କାର ହୋଇ ଉଠୁଥିଲା ମୋ ଆଖିରେ । ମୁଁ ଓହ୍ଲାଇଯିବାକୁ ପ୍ରସ୍ତୁତ ହେଲି ।

 

ଷ୍ଟେସନରେ ସେ ମୋ ସାଙ୍ଗରେ ଓହ୍ଲାଇଲେ ।

 

ଟିକେଟ କଲେକ୍ଟର ପଚାରିଲା, ଟିକେଟ…ଟିକେଟ ପ୍ଲିଜ୍ !

 

ମୁଁ ଦେଖିଲି ସେ ଟିକେଟ ବାହାର କରୁନାହାନ୍ତି ।

 

ଟିକେଟ କଲେକ୍ଟର ମାଗୁଛି...ଟିକେଟ...ଟିକେଟ ପ୍ଲିଜ୍ !

 

ଟିକେଟ !

 

ଶବ୍ଦଟି ସତେ ଯେମିତି ଭଦ୍ରଲୋକ ଜଣକ ବୁଝିପାରୁ ନାହାନ୍ତି ! ସତେ ଯେଭଳି ଟିକେଟ ଶବ୍ଦଟି ତାଙ୍କୁ ଜଣାଯାଉଛି ଗୋଟିଏ ଦୁର୍ବୋଧ୍ୟ ଲାଟିନ୍ ଶବ୍ଦ !

 

ମୁଁ ବ୍ୟସ୍ତହୋଇ ପଡ଼ିଲି । ଭଦ୍ରଲୋକ କଣ ଟିକେଟ କରିନାହାନ୍ତି !

 

ଟିକେଟ କଲେକ୍‍ଟର ଜଣକ ବଙ୍ଗାଳି ନିଶ୍ଚୟ ।

 

ମୋ ବନ୍ଧୁ ତାଙ୍କୁ ଦାଦା ବୋଲି ସମ୍ବୋଧନ କରି ବୁଝାଇଦେଲେ ଯେ ସେ ଆସୁ ଆସୁ ଟ୍ରେନ୍ ଛାଡ଼ିଦେଲା–ସେ ଟିକେଟ କରି ପାରି ନାହାନ୍ତି । ଟିକେଟ କଲେକ୍ଟର ଦାଦା’ ଜଣକ ଆଉ ଆପତ୍ତି କଲେ ନାହିଁ ।

 

ମୋ ସାଙ୍ଗେ ସାଙ୍ଗେ ଏଥର ଭଦ୍ରଲୋକ ଜଣକ ବାହାରି ଆସିଲେ । ପଛପଟୁ ମୋ କାନ୍ଧରେ ଏକ ମୃଦୁଚାପ ଦେଇ ବୁଝାଇ ଦେଲେ, ‘ସନି’ ଷ୍ଟେସନରୁ ଟାଟା ଆସିବା ପାଇଁ ଯଦି ଟିକେଟ କରିବାକୁ ପଡ଼ିବ ତେବେ ଟାଟା ରୁ ଦିଲ୍ଲୀ ଯିବାକୁ ହେଲେ କଅଣ କରିବାକୁ ହେବ ?

 

ମୁଁ କିଛି କହିଲି ନାହିଁ । ନିର୍ବୋଧ ଭଳି କେବଳ ହସିଲି ।

 

ସେ କହିଲେ, କଲି ମୁଁ ମୋ କାର୍ ପଠାଇବି ଆପଣଙ୍କ ବସାକୁ । ନିଶ୍ଚୟ ଆସିବେ...

 

ମୁଁ କେବଳ ପଚାରିଲି, ଆପଣଙ୍କ ନା’ ?

 

ଟାଉନ୍ ବସ୍ ଛାଡ଼ିଦେବ ବୋଲି ହର୍ଣ୍ଣ ହେଉଥିଲା । ସେ କହିଲେ, ମୋ ନା’ ?... ମୋ ନା’ ବିଧାନ ଚନ୍ଦ୍ର...

 

ଟାଉନ୍ ବସ୍ ଛାଡ଼ିଦେଲା ।

 

ବିଧାନଚନ୍ଦ୍ର ପରେ ଭଦ୍ରଲୋକ ଆଉ କଣ କହିଲେ, ମୁଁ ଶୁଣି ପାରିଲି ନାହିଁ । ମନେ ମନେ ଭାବିଲି, ବିଧାନଚନ୍ଦ୍ର ପରେ ସେ ନିଶ୍ଚୟ ରାୟ ବୋଲି କହିଥିବେ । କାରଣ ରାୟ ଉପାଧିଧାରି ବଙ୍ଗାଳୀ ଭଦ୍ରଲୋକମାନେ ଏବେ ବଙ୍ଗଳାର ମୁଖ୍ୟମନ୍ତ୍ରୀ ବିଧାନଚନ୍ଦ୍ର ରାୟଙ୍କ ନାମ ଅନୁସାରେ ନିଜ ପୁତ୍ରମାନଙ୍କ ନାମକରଣ କରିବାକୁ ବେଶୀ ପସନ୍ଦ କରୁଛନ୍ତି ବୋଲି ଦିଲ୍ଲୀ ରେ କଥା ପ୍ରସଙ୍ଗରେ ମୋର ଜଣେ ହିନ୍ଦୁସ୍ଥାନୀ ବନ୍ଧୁ କହୁଥିଲେ ।

 

ଗତି ଅନେକ ହୋଇ ଯାଇଥିଲା ।

 

ମୁଁ ଗୋଟିଏ ଭଡ଼ା ଟାକ୍ସିରେ ଉଠି ପଡ଼ିଲି ।

 

ତା’ ଆରଦିନ ସନ୍ଧ୍ୟା ପଯ୍ୟନ୍ତ ଅପେକ୍ଷା କଲି । କିନ୍ତୁ ବିଧାନ ବାବୁଙ୍କ କାର ଆଉ ବସା ଦୁଆର ମୁହଁରେ ହର୍ଣ୍ଣ ବାଜାଇଲା ନାହିଁ ।

 

ମନେ ମନେ ଭାବିଲି, ବିଧାନବାବୁ କାର୍ଯ୍ୟବ୍ୟସ୍ତ ଲୋକ । ମୋ କଥା ନିଶ୍ଚୟ ଭୁଲି ଯାଇଥିବେ ।

 

ଟାଟାରେ ଆଉ ମୋର ଦୁଇଦିନ ରହିବା କଥା ।

 

ଦାଦା କହିଲେ, କହୁଥିଲୁ ପରା କାରଖାନା ବୁଲି ଦେଖିବୁ ! ମୁଁ ପାଶ୍ କରାଇ ଆଣିଛି... ଚାଲ୍ ଆଜି ଲୁହା କାରଖାନା ଭିତର ବୁଲି ଦେଖି ଆସିବୁ......

 

ଜାମସେଦଜୀ ଟାଟାଙ୍କ ପୃଥିବୀ ବିଖ୍ୟାତ ଲୁହା କାରଖାନା... ଏସିଆର...ବୃହତ୍ତମ ଲୁହା, ଇସ୍ପାତ କାରଖାନା... କାରଖାନା ବୁଲି ଦେଖୁ ଦେଖୁ ହଠାତ୍ ମୋ ଆଖି ଗୋଟାଏ ସ୍ଥାନରେ ସ୍ଥିର ହୋଇଗଲା.... ଏଇ ଯେ ବିଧାନ ବାବୁ !

 

କିନ୍ତୁ ଏ କଣ ?

 

୫୦୦ ଟଙ୍କାର ବେତନ ପାଉଥିବା ଫୋରମ୍ୟାନ ସାହେବ ଏଠି ଲୁହା ପିଟୁଛନ୍ତି ଯେ !

 

ମତେ ଦେଖି ସେ ବିଚରା ଅପ୍ରସ୍ତୁତ ହୋଇ ପଡ଼ିଲେ । ଖଣ୍ଡେ ପାଚିଲା ଲୁହାକୁ ପିଟି ସେ ସିଧା କରୁଥିଲେ । ମତେ ଦେଖି ପାଚିଲା ଲୁହାଭଳି ତାଙ୍କ ମୁହଁ ନାଲି ହୋଇଗଲା । ତା’ପରେ ଝାଳ.....

 

ଦାଦାଙ୍କୁ ପଚାରିଲି, ଏ ବିଧାନ ବାବୁ...

 

ଦାଦା ଆଶ୍ଚର୍ଯ୍ୟ ହେଲେ । କହିଲେ, କିଏ ଏଇ ସତ୍ୟେନ୍ ଏଠି ସେ ଠିକାରେ କାମ କରୁଛି....କଣ ଦିନକୁ ଦେଢ଼ଟଙ୍କା କି ଦୁଇଟଙ୍କା ପାଉଥିବ...ବର୍ତ୍ତମାନ କେତେକ ଏକଷ୍ଟ୍ରା ଲେବର ନିଆ ଯାଇଛନ୍ତି ଯେ...

 

ବିଧାନଚନ୍ଦ୍ର ଛଦ୍ମନାମଧାରୀ ଏଇ ସତ୍ୟେନ୍ ବାବୁଙ୍କୁ ମୁଁ ଆଉ କିଛି ପଚାରିବାକୁ ସାହାସ କଲି ନାହିଁ । ବିଚରା....

 

ଦାଦା ପଚାରିଲେ, କଣ ଠିଆ ହୋଇ ଭାବୁଛୁ ?

 

ମୁଁ ଭାବୁଥିଲି ଏଇ ବଙ୍ଗାଳି ଯୁବକଙ୍କର କଥା.... ଯିଏ ସେଦିନ ସିନି ଷ୍ଟେସନରେ ସାମାନ୍ୟ ମିଛକଥା କହି ମୋଠାରୁ ଟଙ୍କା ପାଞ୍ଚଣାର ଜଳଖିଆ...କାପଷ୍ଟାନ ସିଗାରେଟ...

 

କିନ୍ତୁ ଦାଦାଙ୍କୁ କଣ ସେ କଥା କୁହାଯାଏ !!

 

ମୁଁ କିଛି ଭାବୁନାହିଁ ବୋଲି ଦାଦାଙ୍କୁ ମିଛ କହିଲି କିନ୍ତୁ ସତ୍ୟେନ୍ ବାବୁ ମତେ ଯେତେ ମିଛ କହିଥିଲେ, ସେ ମିଛଠାରୁ ମୋ ମିଛକଥା ଅତି ଅଳ୍ପ ଲାଭପ୍ରଦ...

 

ଷଢ଼େଇକଳାରୁ ଟାଟାନଗର ଆସବାପାଇଁ ଛୋଟ ଷ୍ଟେସନଟିଏ ସିନି.... ! ଆମେ ଷଢ଼େଇକଳାକୁ ଓଡ଼ିଶାକୁ ଆସି ପାରିଲା ନାହିଁ । ସେଥିପାଇଁ କେବଳ ସୀମା ଆନ୍ଦୋଳନବେଳେ ଦୁଷ୍ଟାମୀ କରି ମାଡ଼ ଖାଇଲୁ... ଜେଲ ଭୋଗିଲୁ... ଖରାପ ପିଲାବୋଲି ଶୁଣିଲୁ...

 

କିନ୍ତୁ ବଙ୍ଗଳାମାନେ ବିହାରରୁ ତାଙ୍କ ଅଞ୍ଚଳ ଜୋର କରି ଛଡ଼ାଇ ନେଲେ । ବୀର ପ୍ରସବିନୀ ବଙ୍ଗଜନନୀ !

 

ସେ କେବଳ ରବିନ୍ଦ୍ର ନାଥଙ୍କୁ ପ୍ରସବ କରିନାହାନ୍ତି—

 

ସତ୍ୟେନ୍ ବାବୁଙ୍କ ଭଳି ଚାଲାକ, ଚତୁର, ମିଛୁଆ ଲୋକଙ୍କୁ ମଧ୍ୟ ଜନ୍ମଦେବାକୁ ତାଙ୍କୁ ଗର୍ଭବେଦନା ସହ୍ୟ କରିବାକୁ ହୋଇଛି ।

 

ଆଉ ମିଥ୍ୟା, ଛଳନା, ଶଠତା... !

 

ମଣିଷ ଇତିହାସର ଖୁବ୍ ଆରମ୍ଭରୁ ତ ସେଇ ମିଥ୍ୟା, ଶଠତା, ଛଳନାର ସ୍ରୋତ ଏ ପର୍ଯ୍ୟନ୍ତ କୂଳପ୍ଲାବିନୀ ଫଲ୍‍ଗୁ ଭଳି ବହି ଚାଲିଛି....ପୃଥିବୀର ଇତିହାସ ହେଉଛି ମିଥ୍ୟା, ଛଳନା ଆଉ ଶଠତାର ଇତିହାସ !

 

ମିଥ୍ୟା ହେଉଛି ପ୍ରୋଗୈତିହାସିକ ସତ୍ୟ !

Image

 

ହାହାକାର

 

ସୁନା ପିଞ୍ଜରା ଭିତରକୁ ଯେଉଁଦିନ ଶାଗୁଆ ଶୁଆଟିକୁ ଦୁଧ ଭାତର ମୋହ ଦେଖାଇ ମୁଁ ପାଛୋଟି ଆଣିଲି, ଆପେ ଆପେ ସେଦିନ ମନ ପିଞ୍ଜରା ଭିତରୁ ମୋର କଳା ଶାରୀଟି ଉଡ଼ିଗଲା ଗହନ ବନର ଶାଗୁଆ ଗଛଲତା ଆଡ଼େ...

 

ନିର୍ଜୀବଟି ଭଳି କେବଳ ମୁଁ ଏ ଆଗମନ ପ୍ରସ୍ଥାନକୁ ଲକ୍ଷ୍ୟ କରୁଥିଲି । ପ୍ରତିବାଦ କରିବାର ଶକ୍ତି ମୋର ନ ଥିଲା । ଜଣଙ୍କ ଆଗମନର ସଙ୍କେତ ଦେଇ ଯେତେବେଳେ ନୁପୁର ନିକ୍ଵଣ ମୋ କର୍ଣ୍ଣ ଗୁହରରେ ଧ୍ଵନିତ ହୋଇ ଉଠୁଥିଲା, ସେତେବେଳେ ମନ ମୋର ଉଲ୍ଲସିତ ହୋଇ ଉଠୁ ନ ଥିଲା, ଅଥବା ଆଉ ଯେତେବଳେ ଜଣକର ପ୍ରସ୍ଥାନ ପଦଶବ୍ଦ ସ୍ପଷ୍ଟରୁ ଅସ୍ପଷ୍ଟତର ହୋଇ ଆସୁଥିଲା, ମୁଁ ସେତେବେଳେ ଆଖିରୁ ଲୁହ ଝରାଇ ବୁକୁ ଥରାଇ କାନ୍ଦିପାରୁ ନଥିଲି ।

 

ତାର କାରଣ ଉଭୟେ ଉଭୟଙ୍କର ପ୍ରତିଦ୍ୱନ୍ଦୀ ନଥିଲେ—ମୋ ପାଖରେ ଜଣେ ଥିଲା ଅନ୍ୟ ଜଣକର ପରିପୂରକ । କିନ୍ତୁ ସେ ଦୁଇଜଣଙ୍କର ଏ ବ୍ୟବଧାନ ମୋ ଚିନ୍ତାଧାରାର ଭ୍ରମ ପ୍ରତିପାଦନ କରୁଥିଲା । ମୁଁ ହଠାତ୍ ଚିନ୍ତା କରିପାରୁ ନ ଥିଲି ଯେ ରକ୍ତ ମାଂସର ଭୋକ ନିବାରିବ ପାଇଁ ମିନି ଭାଉଜଉ ଏଥି ପୂର୍ବରୁ ମୋ ସହିତ ଅଭିନୟ କରୁଥିଲେ ।

 

ତାଙ୍କୁ ଏକଥା ମୁହାଁ ମୁହିଁ ପଚାରି ଦେବାପାଇଁ ବି ମୋର ନୈତିକ ସାହାସର ଅଭାବ ଥିଲା । ଅତୀତରେ ତାଙ୍କ ସହିତ ମୋର ଥିବା ଦେହଲିଭା ଅନୁଭୂତି ମୋତେ ଡରାଉଥିଲା । ମିନି ଭାଉଜ’ଉ ର ମୋତେ କେବେ ଦିଅରଠୁଁ ଅନ୍ୟ ଆଖିରେ ଦେଖି ନାହାନ୍ତି । ତାଙ୍କ ଦେହରେ ଯେତେବେଳେ ରୂପ, ଲାବଣ୍ୟର ଜୁଆର ଖେଳୁଥିଲା, ସେତିକିବେଳେ ଦାମ ଭାଇ ଆଖି ବୁଜିଲେ । ବିଂଶବର୍ଷୀୟା ସେହି ଚପଳା ତରୁଣୀ ସେଇଦିନୁ ବିଧବା । ମୁଁ କିନ୍ତୁ କେବେ ତାଙ୍କଠି ଅସଂଜତତାର ଲକ୍ଷଣ ଦେଖିନି । ଭାଇ ମରିଗଲା ପରେ ସେ ତାଙ୍କ ସମସ୍ତ ସମୟ ଦେଇ ମୋ ସେବାରେ ନିଜକୁ ଉତ୍ସର୍ଗ କରିଛନ୍ତି । ମୋ ଦେହର ସାମାନ୍ୟ ଅସୁସ୍ଥତା ତାଙ୍କ ମନରେ ଆଶଙ୍କାର ଝଡ଼ ବୁହାଇ ଦେଇଛି । ମୋ ଆଖିରେ ଲୁହ ଦେଖିଲେ ତାଙ୍କ ଦେହରୁ ଲହୁ ଶୁଣି ଯାଇଛି । ମୋ ଖାଇବା ପିଇବା ଭଲରେ ରହିବାର ପରିମାଣକୁ ବଢ଼ାଇବାପାଇଁ ସେ ସବୁବେଳେ ନିଜକୁ ଜଞ୍ଜାଳ ଭିତରେ ବୁଡ଼ାଇ ରଖିଛନ୍ତି । କିନ୍ତୁ ତାଙ୍କଠିତ ମୁଁ କେବେ ସଂଜମର ଅଭାବ ଦେଖିନି ! ବରଂ ମୋ ଦୁର୍ବଳତା ଉପରୁ ମନ ଯେତେବେଳେ ଅଧିକ ଦୁର୍ବଳ ହୋଇଉଠିଛି, ସେତେବେଳେ ତାଙ୍କ ଉଜ୍ଜ୍ୱଳ ଆଖି ଦେଖି ମୁଁ ପୁଣି ବାଟକୁ ଫେରି ଆସିଛି ।

 

କିନ୍ତୁ ମୋ ବିବାହ ପରେ ତାଙ୍କର ଏ ଖାପଛଡ଼ା ଢଙ୍ଗରେ ମୁଁ ବିସ୍ମିତ ହେଲି । ମୋ ସ୍ତ୍ରୀ ସ୍ନେହଲତାର ଉପସ୍ଥିତି ସତେ ଯେପରି ସେ ସହିପାରୁ ନ ଥିଲେ !! ସ୍ନେହଲତା ଆସିଲାପରେ ମୋପ୍ରତି ତାଙ୍କର ମଧ୍ୟ ସ୍ନେହ କମି ଆସିଲାଭଳି ଜଣା ପଡ଼ିଲା । ଆଗ ଭଳି ମୋତେ ଦେଖି ସେ ପୁଲକିତ ହୋଇ ଉଠୁ ନ ଥିଲେ । ମୋ ଦୁଃଖରେ ସାଧାରଣଭାବେ ସମବେଦନା ଜଣାଇବା ଛଡ଼ା ମୁଁ ଆଉ ଅଧିକ କିଛି ଦେଖି ପାରିଲି ନାହିଁ ।

 

ହଠାତ୍ ତାଙ୍କର ଏ ସାଧାରଣ ଅବସ୍ଥାକୁ ଫେରିଯିବାର ଦେଖି ମୁଁ ବିଚଳିତ ହୋଇଉଠିଲି-। ମୋର ସନ୍ଦେହ ହେଲା ହୁଏତ ସେ ମୋ ବିବାହ ସପକ୍ଷରେ ନ ଥିଲେ । ଆଗ୍ରହ ସମ୍ଭାଳି ନ ପାରି ଦିନେ ମୁଁ ଏକଥା ପଚାରିଦେଲି ।

 

ହଠାତ୍ ଏଭଳି ପ୍ରଶ୍ନ ଶୁଣି ସେ ଟିକିଏ ବ୍ୟସ୍ତ ହୋଇ ଉଠିଲେ । ତା’ପରେ ନିଜକୁ ପ୍ରସ୍ତୁତ କରିନେଇ ତାଙ୍କ ସ୍ଵଭାବ ସୁଲଭ ଭାଷାରେ ମୁହଁରେ ଟିକିଏ ହସ ଚହଲେଇ ପଚାରିଲେ, “କାଇଁ—ମୋ ନେଇ କଣ ଅସୁବିଧା ହେଲା ?”

 

“ନାଇଁ—ଏମିତି ପଚାରୁଥିଲି—” ।

 

ସେ ମୋ କଥାର ଖିଅ ଧରି ପାରିଲେ । ଅନୁଚ୍ଚ ସ୍ଵରରେ କହିଲେ, “ତମ ବିବାହ ପାଇଁ ତ ମୁଁ ଆଗରୁ ନିଜେ ନିଜେ କହୁଥିଲି—”

 

ତଥାପି ମୁଁ ବୁଝିଲି ମୋ ବିବାହରେ ସେ ସମ୍ପୂର୍ଣ୍ଣ ସୁସ୍ଥ ନୁହନ୍ତି, ତାଙ୍କ କଳ୍ପନା ବୀଣାର କୌଣସି ତାରରେ ହୁଏତ ଆଘାତ ଲାଗିଛି ମୋ ବିବାହ ଫଳରେ । ମୋ ନୀରବତାର ସୁଯୋଗରେ ସେ ପଚାରିଲେ,

 

“ମୋ ଠିଁ କଣ ପରିବର୍ତ୍ତନ ଦେଖୁଛ ?”

 

ମୋର ସାହସ ହେଲା । ନିଜମନକୁ ଅପେକ୍ଷାକୃତ ଦୃଢ଼ କରିନେଇ କହିଲି, “ତମର ଆଗ ସ୍ନେହ ମୋଠି ଅକ୍ଷୁର୍ଣ୍ଣ ଅଛି ବୋଲି ତୁମେ କହି ପାରିବ ଭାଉଜ’ଉ ?”

 

“ତମକୁ ସ୍ନେହ କରିବାକୁ ଆଉ ଜଣେ ପରା ଆସିଲେ—ମୋ ସ୍ନେହର ଆଉ ଦରକାର କଣ ?”

 

ଏତିକି କହିଦେଇ ମୁହଁ ବୁଲେଇ ସେ ଚାଲିଗଲେ । କାରଣ ତାଙ୍କର ଆଶଙ୍କା ହେଉଥିଲା ଏ କଥା ପଦକ କହିଲାବେଳେ ତାଙ୍କ ଆଖି କଣରେ ଯେଉଁ ଲୁହ ଜମି ଆସିଥିଲା ତାକୁ କାଳେ ମୁଁ କେମିତି ଦେଖିନେବି ? ସେ ଚାଲିଗଲା ପରେ ବେଦନାର ଗୋଟିଏ କରୁଣ ମୂର୍ଚ୍ଛନା ମନକୁ ମୋର ଆଲୋଡ଼ିତ କରିବାକୁ ଲାଗିଲା । ମୁଁ ବୁଝିଲି ନାରୀ ଜଣକୁ ନିଜର ଏକଚାଟିଆ କରି ନ ପାଇଲେ ବୁକୁର ସବୁ ସ୍ନେହ ଦେଇ ତାକୁ ଭଲ ପାଇପାରେ ନାହିଁ । ସ୍ନେହଲତା ଆମ ଘରକୁ ଆସିଲା ପରେ ମିନି ଭାଉଜଙ୍କ ସ୍ନେହ ସେଇଥିପାଇଁ ମୋ ଉପରୁ କମି କମି ଯାଉଥିଲା ।

 

କିନ୍ତୁ ମୁଁ ଆଶ୍ଚର୍ଯ୍ୟ ହେଲି ମୋ ପଚାରିବା ପରଠୁଁ ପୁଣି ସେ ମୋତେ ଭଲ ପାଇବାକୁ ଚେଷ୍ଟାକଲେ । କାରଣ କିମ୍ବା ଆବଶ୍ୟକତା ନ ଥିଲେ ବି ମୋର ଯତ୍ନ ନେବାର ସେ ତ୍ରୁଟି କଲେ ନାହିଁ । ସ୍ନେହଲତା ଏ ସବୁକୁ ଭଲ ଆଖିରେ ଦେଖିପାରି ନ ଥିଲା । ମୁଁ ଖାଇଲାବେଳେ ଯଦି ମିନି ଭାଉଜ ବଳେଇ କରି ମୋତେ ଗୁଣ୍ଡାଏ ଖୁଆଇ ଦେଉ ଥିଲେ, ତାହାହେଲେ ସ୍ନେହଲତାର ମୁହଁ ଭୁରୁଙ୍ଗା ହୋଇ ଯାଉଥିଲା । ଏହାର ପ୍ରତିକ୍ରିୟା ଦିନେ ଦିନେ ରାତିରେ ବି ଆତ୍ମ ପ୍ରକାଶ କରିବାକୁ ଲାଗିଲା । ସାଇପଡ଼ିଶାରୁ ଭାଉଜଙ୍କ ସହିତ ମୋର ଥିବା ପବିତ୍ର ସମ୍ୱନ୍ଧକୁ ସେ ବିକୃତ ଆକାରରେ ଶୁଣୁଥିଲା । ଫଳରେ ମୋର ଉପସ୍ଥିତିରେ ମଧ୍ୟ ଭାଉଜଙ୍କୁ ସେ ଦେଖେଇ ଶୁଣେଇ ଗାଳିଦେବାକୁ ଲାଗିଲା । ମୁଁ ଶୁଣିଲେ.….ମୋ ରକ୍ତରେ ନିଆଁ ଲାଗି ଯାଉଥିଲା । ଭାଉଜଉ ଶୁଣନ୍ତି...ନ ଶୁଣିଲାପରି ବାଆଁରେଇ ଦେଇଯାଆନ୍ତି । ସତେ ଯେପରି ସେ ଏଭଳି ଅବସ୍ଥା ପାଇଁ ଆଗରୁ ପ୍ରସ୍ତୁତ ଥିଲେ !!

 

ମୋର ପୁରୁଷତ୍ୱ ଜାହିର କରି ସ୍ନେହଲତା କୋଳରେ ଗୋଟିଏ ଶିଶୁ ସନ୍ତାନ ଓହ୍ଲାଇ ଆସିବା ପରେ ଅବସ୍ଥା ବଦଳିଲା କେତେକ ପରିମାଣରେ । ଭାଉଜ’ଉ ସେଇ ଶିଶୁ ସନ୍ତାନର ଲାଳନ ପାଳନରେ ନିଜକୁ ନିୟୋଜିତ କଲେ । ସେଇ ପୁଅଟିର ହସ, ଖୁସି ଦେଖି ସେ ନିଜର ଖାଇବା ପିଇବା ଭୁଲି ଯାଉଥିଲେ । ସତେ ଯେପରି ମୋ ବଦଳରେ ସେ ପାଇଛନ୍ତି ସେଇ ଛୁଆଟିକି !!

 

ଶେଷରେ ସ୍ନେହଲତା ତା’ ବି ସହି ପାରିଲାନାହିଁ । ଦିନ ଗଡ଼ିବା ସଙ୍ଗେ ସଙ୍ଗେ ଭାଉଜ’ଙ୍କ ପ୍ରତି ସେ ଅଧିକ ଅସହଣୀ ହୋଇ ଉଠୁଥିଲା । ଛୁଆପିଲାଟିର ମଙ୍ଗଳ ଦୃଷ୍ଟିରୁ ଭାଉଜଙ୍କ ମନରେ କଷ୍ଟ ଦେବ ଉଚିତ୍ ନୁହେଁ ବୋଲି ଯଦି ମୁଁ ତାକୁ କେବେ ବୁଝାଉଥଲି ତେବେ ସେଦିନ କାନ୍ଦି କାନ୍ଦି ସେ ବିତେଇ ଦେଉଥିଲା । ଫଳରେ ମୋ ଅନିଚ୍ଛା ସତ୍ତ୍ୱେ ମୁଁ ତାକୁ କିଛି ବାରଣ କରିପାରୁ ନ ଥିଲି ।

 

ବାବୁଲା ତିନିଟି ମଳୟ-ଚପଳ ବସନ୍ତ ଅତିକ୍ରମି ଆସିଲା ଭାଉଜ’ଉଙ୍କ ସ୍ନେହଶ୍ରଦ୍ଧା ଭିତରେ । ଭାଉଜ’ଉଙ୍କୁ ସେ ଡାକେ ବୋଉ...ତାଙ୍କ କୋଳରେ ନ ରହିଲେ ରଡ଼ି ଛାଡ଼େ । ବାବୁଲା ଆଉ ଭାଉଜ’ଉ ଏବଂ ଭାଉଜଉ ଓ ବାବୁଲା—ଏ ଦୁହେଁ ଦୁହଁଙ୍କର ନିକଟତମ ଉଠିଲେ । ଭାଉଜଉଙ୍କୁ ନ ଦେଖିଲେ ବାବୁଲା ଭାତ ଖାଉ ନ ଥିଲା କିନ୍ତୁ ବାବୁଲା ନାକରେ ସିଙ୍ଘାଣି ଦେଖିଲେ ଭାଉଜ’ଉ ଜଳ ଛୁଉଁ ନ ଥିଲେ ।

 

ସ୍ନେହଲତା ଏ ସବୁ ମୋଟେ ସହିପାରୁ ନ ଥିଲା । ତାର ଧାରଣା ଦେଉଥିଲା ହୁଏତ ଅଧିକ ସ୍ନେହ କରି ଭାଉଜ’ଉ ତାଠୁ ବାବୁଲା କୁ ଛଡ଼େଇ ନେଉଛନ୍ତି । ସେଥିପାଇଁ ସେ ଭାଉଜ’ଉଙ୍କୁ ମୁହାଁ ମୁହିଁ ଗାଳିଦେବାକୁ ପଛେଇଲା ନାହିଁ ।

 

ଦିନେ ଖରାବେଳେ ମୁଁ ମୋ ଶୋଇବା ଘର ପଲଙ୍କ ଉପରେ ବସିଥାଏ । ଆରେ ଘରେ ବାବୁଲାକୁ ଜ୍ଵର ହୋଇଥାଏ ବୋଲି ଭାଉଜ’ଉ ତା ଗୋଡ଼ ପାଖରେ ବସି ଆଉଁସି ଦେଉଥାନ୍ତି । ବାବୁଲାକୁ ଦେଖି ଆସି ସ୍ନେହଲତା ପାଟିକଲା, “ଦେଖିଲଟି ! ମୁଁ କହୁଛି ପରା ସେ ଡାଆଣି ମୋ ପୁଅକୁ ଖାଇଯିବ—ଯାଅ ଦେଖ ମୋ ପୁଅ ଡଙ୍କ ମୋଡ଼ି ହୋଇଗଲାଣି....ସେ ରାଣ୍ଡି ମୋ ପୁଅକୁ ଖାଇଲା....”

 

ସ୍ନେହଲତାର ଏ ଅଶ୍ରାବ୍ୟ ଗାଳିଗୁଡ଼ାକ ନ ଶୁଣିବା ପାଇଁ ମୁଁ ମୋ ଦୁଇ କାନରେ ହାତ ଦେବାକୁ ଚେଷ୍ଟା କରୁଥିଲି । ଏହି ସମୟରେ ଭାଉଜ’ଉ ବାବୁଲାକୁ ଆଣି ସ୍ନେହଲତା ଗୋଡ଼ତଳେ ଥୋଇଦେଲେ । କଣ କହିବେ କହିବେ ହୋଇ କିଛି କରିପାରିଲେ ନାହିଁ । ଆଖିର ଲୁହ, ବୁକୁର କୋହ, ମନର ଦାହ ତାଙ୍କ ତଣ୍ଟି ଚିପି ଧରିଥିଲା । କେବଳ ଓଠ ଦୁଇଟି ତାଙ୍କର ଥରି ଥରି ଉଠିଲା । ନିଃଶ୍ୱାସର ଗତି ହେଲା ପ୍ରଖର । ସେ ବୁଲିପଡ଼ି ଚାଲିଗଲେ ।

 

ତାଙ୍କୁ ଅଟକାଇବାକୁ ନୁହେଁ—ନିଜକୁ ଏ ଆସନ୍ନ ବିପଦରୁ ରକ୍ଷା କରିବା ପାଇଁ ମୁଁ ଉଠି ଚାଲିଗଲି ଏକମୁହାଁ ହୋଇ ଦାଣ୍ଡକୁ, ନହେଲେ ମୁଁ ହୁଏତ ଭେଁ ଭେଁ ହୋଇ କାନ୍ଦି ଉଠିଥାନ୍ତି ।

 

ଏ ଗଣ୍ଡଗୋଳରେ ବାବୁଲା କାନ୍ଦି ଉଠିଲା—ଏଁ—ଏଁ—ଏଁ—

 

ଉପନଗରୀର ରୂପକଥା

କାଚ ଝରକା

 

ସେତେବେଳକୁ ସନ୍ଧ୍ୟା ଉତ୍ତୀର୍ଣ୍ଣ ହୋଇ ଯାଇଥିଲା । ମୁଁ କଲେଜରୁ ଫେରି ଦ୍ୱାର ମୁହଁରେ ପାଦ ଦେଉ ଦେଉ ବାସନ୍ତୀ ଆସି ଅନୁଯୋଗ କଲା’ ନିମାଇଁ ବାବୁଙ୍କର ପୁଣି ଗୋଟିଏ ଗଳ୍ପ ଆଜି ‘ଚତୁରଙ୍ଗ’ରେ ବାହାରିଛି । ଚମତ୍କାର ହୋଇଛି ଗଳ୍ପଟା....

 

ଜୋତାର ଫିତାଟା ଖୋଲୁ ଖୋଲୁ ମୁଁ ବିରକ୍ତରେ କହିଲି, ସେଥିପାଇଁ ମୁଁ କଣ କରିବି ?

 

ମୋର ସେ ବିରକ୍ତି ପରେ ମଧ୍ୟ ବାସନ୍ତୀ ମତେ ଆମନ୍ତ୍ରଣ କରିବାକୁ ନିରସ୍ତ୍ର ହୋଇଗଲା ନାହିଁ । ଟିକିଏ ଉଚ୍ଚ କଣ୍ଠରେ କହିଲା, କାଇଁ ତମେ ତାଠୁଁ ଭଲ ଗଳ୍ପ ଲେଖୁନ । ସେ ତମର ଛାତ୍ର ହୋଇ..... ।

 

ମୁଁ ଆଉ ବାସନ୍ତୀର କଥା ସମ୍ପୂର୍ଣ୍ଣ ଶୁଣିବାକୁ ଅପେକ୍ଷା ନରଖି ପଦାକୁ ବାହାରି ଗଲି । କଲେଜରେ ଅଧ୍ୟାପନା କରି ଫେରିବା ପରେ ଯେଉଁ କ୍ଳାନ୍ତି ମନକୁ ଅବସନ୍ନ କରି ଦେଇଥିଲା, ବାସନ୍ତୀର ବିରକ୍ତିକର ଅନୁଯୋଗ ସେ ମାନସିକ ଅବସନ୍ନତାକୁ ଆହୁରି ସାଙ୍ଘାତିକ କରିଦେଲା । ମୁଁ ରୀତିମତ ଅସହିଷ୍ଣୁ ହୋଇପଡ଼ିଲି । ଖାଇ ବସିଲାବେଳେ ବି ସେଥିପାଇଁ ଭଲ କରି ଖାଇ ହେଲା ନାହିଁ ।

 

ବାସନ୍ତୀର ଏ ଅଭିଯୋଗ ମୋ ପାଖରେ ଆଦୌ ନୂଆ ନୁହେ । ଆମ କ୍ୱାଟରର ଗୋଟିଏ ଖଞ୍ଜାରେ ମୋର ଭୂତପୂର୍ବ ଛାତ୍ର ନିମାଇଁ ଆମି ଭାର୍ଯ୍ୟା ରହିବ ଦିନୁ ତା ମନରେ ଏଇ ଅଭିଯୋଗ କ୍ରମେ କ୍ରମେ ଜମାଟ ବାନ୍ଧିବାକୁ ଆରମ୍ଭ କରିଛି । ଦୁଇଥର ବି. ଏ. ପରୀକ୍ଷା ଦେଲାପରେ ଯେତେବେଳେ ନିମାଇଁ ପାସ୍‍ କରିବାର କୌଣସି ସମ୍ଭାବନା ନଦେଖିଲା, ତା’ପରେ ସେ ପାଠପଢ଼ା ଛାଡ଼ିଦେଇ କୌଣସି ଏକ ଜିଲ୍ଲା ଅଫିସରେ ଆସି କିରାନି ହୋଇ ଯାଇଛି ।

 

ଏଇ ମାସ ତିନୋଟି ତଳେ ହଠାତ ନିମିଚଉଡ଼ି ଛକରେ ନିମାଇଁ ସହିତ ମୋର ଦେଖା ହୋଇଗଲା । ଏକବାରେ ଆକସ୍ମିକ ସାକ୍ଷାତ । ମୁଁ ବାଟ କାଟି ଚାଲି ଯାଉଥିଲି, ସେ ପ୍ରଥମେ ଆସି ନମସ୍କାର କଲା । ମୁଁ ପ୍ରଥମେ ତାକୁ ହଠାତ୍ ଚିହ୍ନି ପାରିଲି ନାହିଁ । ସେ ଆପେ ଆପେ ନିଜ ପରିଚୟ ଦେଲା । ତାପରେ ବିନୀତ କଣ୍ଠରେ ଜଣାଇଲା ଯେ ଚାକିରି କରିବାପରେ ସେ ସସ୍ତ୍ରୀକ କଟକରେ ରହିବାକୁ ଚାହୁଁଛି । ହୋଟେଲ ଖାଇବା ତା’ ଦେହରେ ଯାଉନି ସେଥିପାଇଁ ତାର ସ୍ଵାସ୍ଥ୍ୟ ଭାଙ୍ଗି ପଡ଼ିଲାଣି । କିନ୍ତୁ କଟକରେ ବସା ଘରଟିଏ ମିଳୁନାହିଁ । ସେଥିପାଇ ସେ ବଡ଼ ହଇରାଣ ହେଉଛି ।

 

ପାଠପଢ଼ାରେ କୃତିଛାତ୍ର ନହେଲେ ମଧ୍ୟ ନିମାଇଁର ବ୍ୟକ୍ତିଗତ ଚରିତ୍ର, ବ୍ୟବହାର ମତେ କଲେଜରେ ମୁଗ୍ଧ କରିଥିଲା । ସ୍ତ୍ରୀକୁ ଆଣିବା ପାଇଁ ବସା ନପାଇ ସେ ହଇରାଣ ହେଉଛି ଜାଣି ମୋ ମନ ମଧ୍ୟ ସମବେଦନାରେ ଓଦା ହୋଇଗଲା । ମୁଁ ତାକୁ ଖବର ଦେଲି ମୁଁ ରହୁଥିବା କ୍ୱାଟରରେ ଗୋଟିଏ ଖଞ୍ଜା ଖାଲି ଅଛି ।

 

ତା’ପରେ ଘର ମାଲିକ ସହିତ କଥାବାର୍ତ୍ତା କରି ନିମାଇଁ ଆସି ଆମ କ୍ୱାଟର ଖାଲିଥିବା ଅର୍ଦ୍ଧାଂଶକୁ ଦଖଲ କଲା । ଗୋଟିଏ କ୍ୱାଟରରେ ଦୁଇଟି ପରିବାର । ମନ୍ଦହେଲା ନାହିଁ ଚଳିବାକୁ । ନିମାଇଁ ଭଳି ନିମାଇଁର ସ୍ତ୍ରୀ ସବିତା ମଧ୍ୟ ବେଶ୍ ମେଳାପୀ ଝିଅଟିଏ । ଦିନ କେତେଟା ଭିତରେ ସବିତା ଆଉ ବାସନ୍ତୀର ମଧ୍ୟରେ ବନ୍ଧୁତା ଜମି ଉଠିଲା । ସେଇ ସୂତ୍ରରେ ବାସନ୍ତୀ ଆବିଷ୍କାର କଲା ଯେ ନିମାଇଁ ଜଣେ ଉଚ୍ଚ କୋଟୀର ଗଳ୍ପ ଲେଖକ... ।

 

ପ୍ରଥମେ ଯେଉଁଦିନ ବାସନ୍ତୀ ମୁହଁରୁ ମୁଁ ଏକଥା ଶୁଣିଲି, ସେ କଥା ମୁଁ ବିଶ୍ୱାସ ନ କରି ଫାଙ୍କି ଉଡ଼ାଇ ଦେବାକୁ ଚେଷ୍ଟା କରିଥିଲି । କିନ୍ତୁ ତା ଆରଦିନ ଯେତେ–ବଳେ ବାସନ୍ତୀ ସବିତାଠାରୁ ନିମାଇଁର ଗଳ୍ପ ପ୍ରକାଶ ପାଇଥିବା ପତ୍ରିକାତକ ଆଣି ମୋ ପାଖରେ ଜମାକଲା, ମୁଁ ବାସ୍ତବିକ୍ ଆଶ୍ଚର୍ଯ୍ୟ ହୋଇଗଲି । ମତେ ମୁକ୍ତ କଣ୍ଠରେ ସ୍ଵୀକାର କରିବାକୁ ପଡ଼ିଲା ଯେ, ନିମାଇଁ ଜଣେ ସୁଲେଖକ...

 

ତା’ ପରଠାରୁ ନିୟମିତ ନିମାଇଁର ଲେଖାଆଣି ବାସନ୍ତୀ ମୋ ପାଖରେ ଅନୁଯୋଗ କରେ, ଏଇ ଦେଖ ! ତମ ଛାତ୍ରହୋଇ ନିମାଇଁ କେମିତି ଚମତ୍କାର ଗଳ୍ପ ଲେଖୁଛି । ତମ ଲେଖାଗୁଡ଼ିକ ଦିନକୁ ଦିନ ଏମିତି ବାଜେ ହୋଇ ଯାଉଛି ଯେ...

 

ମୁଁ ବିରକ୍ତିରେ ବାସନ୍ତୀ ମୁହଁକୁ ଚାହିଁ ରହେ ; କିନ୍ତୁ କିଛି ସାହାସ କରି ପ୍ରତିବାଦ କରିପାରେ ନାହିଁ । ବି. ଏ. ପରୀକ୍ଷାର ମହାଯୁଦ୍ଧରେ ପରାସ୍ତ ସୈନିକ ନିମାଇଁ ଛତ୍ରଭଙ୍ଗ ଦେଇ ପଳାଇ ଆସିଲା ପରେ ଏମିତି ଚମତ୍କାର ଗଳ୍ପ ଲେଖି ପାରିବ, ସେ କଥା ମୁଁ ମୋଟେ କଳ୍ପନା କରିପାରେ ନାହିଁ ।

 

ଦିନେ ଦିନେ ରାତିରେ ହଠାତ୍ ମଝିରେ ନିଦ ଭାଙ୍ଗିଗଲେ ମୁଁ ଦେଖେ ବାସନ୍ତୀ ଚେଇଁ ଚେଇଁ କ’ଣ ଭାବୁଛି । ମୁଁ ପଚାରେ, ରାତିରୁ ଉଠି କ’ଣ ଶୋଇ ଶୋଇ ଭାବୁଛ ?

 

ବାସନ୍ତୀ କହେ, ତମକୁ ଗୋଟିଏ କଥା କହିବି ରାଗିବ ନାହିତ ମୋ ଉପରେ ?

 

ମୁଁ ଆଶ୍ଚର୍ଯ୍ୟ ହୁଏ । ଏମିତି କ’ଣ କହିବ ବାସନ୍ତୀ, ଯେଉଁଥିରେ ମୁଁ ରାଗିବି ! ତାକୁ ଅଭୟ ଦେବାପାଇଁ ତାର ଗୋଟିଏ ହାତ ପାପୁଲିକୁ ଚିପି ଧରି କୁହେ ତମେ ଯାହା ଇଚ୍ଛା ତା’ କୁହ...ମୁଁ ରାଗିବି କାହିଁକି ?

 

ସେ ମୋର ଆହୁରି ପଖକୁ ଘୁଞ୍ଚି ଆସି କହେ, ତମେ ମୋଟେ ଗଳ୍ପ ଲେଖାରେ ମନ ଦେଉନ । ଯେତେ ବୟସ ବଢ଼ୁଛି ସେତେ ବଜେ ଗଳ୍ପ ଲେଖୁଛ । ଆଗଭଳି ତମ ଗଳ୍ପରେ ମୋଟେ ଜୀବନ ନାହିଁ । ନିମାଇଁର ଗଳ୍ପ ଲାଗି ସବିତା ଯେତେବେଳେ ମୋ ପାଖରେ ଗର୍ବ କରୁଛି, ମୋ ମୁଣ୍ଡ ତଳକୁ ହୋଇଯାଉଛି ଲାଜରେ । ତା’ ପାଖରେ ମୁଁ କଅଣ କହି ପାରିବ !

 

ବାସନ୍ତୀର ଏ ଏକ ଛୋଟକାଟର ବକ୍ତୃତା । ବକ୍ତୃତାଟି ଶୁଣି ସାରିଲା ପରେ ସତରେ ବାସନ୍ତୀ ଉପରେ ମୋର ରାଗ ହେଉଥିଲା । ଆଗରୁ ରାଗିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇ ନଥିଲେ, ତାକୁ ବେଶ୍ ଦି’ ପଦ ଶୁଣାଇ ଦେଇଥାନ୍ତି ।

 

ରାତିର ଘନନୀଳ ଅନ୍ଧକାର ମଧ୍ୟରେ ରାଗରେ ବିକୃତ ହୋଇଯାଇଥିବା ମୋର ମୁହଁର ରଙ୍ଗକୁ ବାସନ୍ତୀ ସିନା ଦେଖି ପାରି ନଥିବ, କିନ୍ତୁ ମୋ ନିଶ୍ଵାସରଗତିରୁ ସେ ବୋଧହୁଏ ବୁଝି ପାରିଲା ଯେ ମୁଁ ତା’ ଉପରେ ରାଗିଛି l ମୋ ଛାତି ଉପରକୁ ନିଜ ମୁଣ୍ଡଟିକୁ ଘୁଞ୍ଚାଇ ଆଣି ସେ ଛୋଟ ପିଲାଙ୍କୁ ବୁଝାଇଲା ଭଳି ଶାନ୍ତ କଣ୍ଠରେ କହିଲା, ତମ ଲେଖା ଆଗଭଳି କାହିଁକି ହେଉନି ? ମନେ ଅଛି ତମର ‘ନବଭାରତ’ ରେ ପ୍ରକାଶ ପାଇଥିବା ସେ ଗଳ୍ପଟି l କଣ ତାର ନା’ଟି ଯେ....ହଁ..... ହଁ.... ’ସେଇ ରାତୀ, ସେଇ ଅନ୍ଧକାର ! ...ମନେ ଅଛି ନା !

 

ବାସନ୍ତୀ ମୁହଁରେ ମୋର ସେ ଗଳ୍ପଟିର ନାମ ଶୁଣି ମୁଁହରେ ମୋର ହସର ଗୋଟିଏ ଜୁଅର ଉଠି ଆସିଲା । ସେଇ ଗଳ୍ପଟି ପଢ଼ି ଆଡ଼ଭୋକେଟ ରମାନାଥା ସାମନ୍ତରାୟଙ୍କ ଆଲିଅଳି କନ୍ୟା ବାସନ୍ତୀ ସାମନ୍ତରାୟ ଦିନେ ପ୍ରଗଲଭା ହୋଇ ଉଠିଥିଲା...ଇଞ୍ଜିନିୟର...ଆଇ ଏ.ଏସ୍. ଅଫିସରଙ୍କ ସହିତ ବିବାହ ପ୍ରସ୍ତାବକୁ ପ୍ରତ୍ୟଖାନ କରି ଜିଦ୍ କରିଥିଲା ମୋଭଳି ଏକ ଅଧ୍ୟାପକଙ୍କୁ ବିବାହ କରିବା ପାଇଁ....ଶେଷରେ ବାସନ୍ତୀର ଜିଦ୍ ହିଁ ବଜାୟ ରହିଥିଲା....ସେ ଆସିଲା ମୋ ଶୀଳାବନ୍ଧୁର ଜୀବନର ସହଯାତ୍ରିଣୀ ହୋଇ....

 

ବାସନ୍ତୀ ମୋ ନିରବତାରେ ବିଚଳିତ ହୋଇପଡ଼ି କହିଲା, ତମ ସ୍ତ୍ରୀ ଜଣେ ତମର ବାଜେ ଛାତ୍ରର ଲେଖାକୁ ପ୍ରଶଂସା କରୁଛି । ତମେ ତା’ ଉପରେ ଈର୍ଷା କରିପାରୁ ନାହିଁ.... !

 

ବାସନ୍ତୀର ବିବସ୍ତ୍ର, ପିଠିରେ ହାତ ବୁଲାଉ ବୁଲାଉ ମୁଁ କହିଲି, ଯଦି କୌଣସି ପୁରୁଷ ଲୋକ ଜୀବନରେ ଉନ୍ନତି କରେ । ତାକୁ ସମସ୍ତେ ଈର୍ଷା କରିପାରନ୍ତି ବାସ ! କିନ୍ତୁ ତାକୁ ଈର୍ଷା କରି ପାରନ୍ତି ନାହିଁ ଦୁଇଜଣ ଲୋକ...ସେ ହେଉଛନ୍ତି ତାର ମାଆ ଆଉ ଶିକ୍ଷକ....ନିମାଇଁ ମୋର ଛାତ୍ର.....ସେ ଯଦି ମୋଠୁଁ ଭଲ ଗଳ୍ପ ଲେଖି ପାରିଲା’ ସେ ମୋର ଗର୍ବ !

 

ମୋ ନିଜ ଛାତିରୁ ମୁଣ୍ଡଟିକୁ ଖସାଇ ନେଇ ବାସନ୍ତୀ କର ଲେଉଟାଇ ଶୋଇଲା । ରାତ୍ରି ଶେଷର ଭୀରୁ ପାଂଶୁଳ ଆଲୋକ-ରେଖା କେତୋଟି ସେତେବେଳେ ଝରକା ଦେଇ ଆମ ଶଯ୍ୟାସ୍ପର୍ଶ କରୁଥାଏ । ସେଇ ଆଲୁଅରେ ବାସନ୍ତୀ ମୁଁହକୁ ଲକ୍ଷ୍ୟ କରି ମୁଁ ଅନୁମାନ କଲି ମୋ କଥାରେ ସେ ସନ୍ତୁଷ୍ଟ ହୋଇ ପାରିନାହିଁ ।

 

ଆଉଦିନେ ମୁଁ ଖାଇ ବସିଛି, ବାସନ୍ତୀ ପୁଣି ସେଇ ଗଳ୍ପ ପ୍ରସଙ୍ଗ ଉଠାଇଲା । ତାର କେତେଜଣ ବାନ୍ଧବୀ ଆଜି ଏକ ଭୋଜି ସଭାରେ ମୋ ଗଳ୍ପର ନିନ୍ଦାକରି କୁଆଡ଼େ ନିମାଇଁ ଗଳ୍ପର ପ୍ରଶଂସା କରିଛନ୍ତି । ସେଥିପାଇଁ ଭୋଜି ନ ଖାଇ ପେଟ ଖରାପ ଅଛି ବୋଲି କହି ସେ ଅପମାନରେ ଫେରି ଆସିଛି ଘରକୁ ।

 

ଲାସ୍ୟମୟୀ, ହାସ୍ୟମୟୀ ବାସନ୍ତୀ ମୁହଁରୁ ସରାଗ ମରି ଯାଇଛି । ଲିଭି ଯାଇଛି ସେ ଟିପି ଟିପି ହସର ଛବି । ମୁହଁଟା ପୁରାପୁରି ରକ୍ତହୀନ ଦେଖା ଯାଉଛି ।

 

କୌଣସି ମତେ ଗଣ୍ଡାଏ ଖାଇ ଦେଇ ମୁଁ ଉଠିଲି । ମୁଁ ବେଶ୍ ବୁଝିପାରୁଥିଲି ଯେ ବାସନ୍ତୀ ପାଖରେ ନିମାଇଁର ପ୍ରତିଭା ମୋର ଶୈଳ୍ପିକ ପ୍ରତିଭାକୁ ସଂପୂର୍ଣ୍ଣ ଗ୍ରାସ କରି ଯାଇଛି । ଏଇ ବସାରେ ନିମାଇଁ ପରିବାର ସହିତ ଏକାଠି ରହିଲେ ସବୁଦିନେ ବାସନ୍ତୀ ମନରେ ନିମାଇଁର ପ୍ରତିଭାର ସୂର୍ଯ୍ୟପାଖରେ ମୋର ପ୍ରତିମା ଏକ ସ୍ତିମିତ ଦିପାଲୋକ ଭଳି ନିଃସହାୟ ଭାବରେ ଜଳୁଥିବ...

 

ସନ୍ଧ୍ୟାକୁ ଫେରିଆସି କହିଲି, ମୁଁ ଆଉ ଗୋଟିଏ ବସା ଆଜି ଠିକ୍ କରି ଆସିଛି ବାସ । ଏ ବସାରେ ଭଡ଼ା ବେଶୀ...ସ୍ୱାସ୍ଥ୍ୟ ବି’ ଭଲ ରହୁ ନାହିଁ...ତମେ ଜିନିଷପତ୍ର ସଜାଡ଼ିନିଅ–କାଲି ସକାଳୁ ଯିବା...

 

ଘରଭଡ଼ା ଓ ସ୍ୱାସ୍ଥ୍ୟର କଥା ଆଢ଼ୁଆଳରେ ମୋର କ’ଣ ଅସଲ ଉଦ୍ଦେଶ୍ୟ ଥିଲା, ସେ କଥା ବୋଧ ହୁଏ ବାସନ୍ତୀ ବୁଝି ପାରିଲା । କହିଲା, ଏ ବରଂ ଭଲ । ମୁଁ ଜିନିଷପତ୍ର ସଜାଡ଼ିଛି...

 

ସକାଳୁ ଜିନିଷ ପତ୍ରତକ ସଜାଡ଼ି ନୂଆ ବସାକୁ ବାହାରିଲା ବେଳକୁ ନିମାଇଁ ଆସି ପହଞ୍ଚିଲା । ହଠାତ୍ ଆମେ ବସା ଛାଡ଼ି ଯାଉଥିବା ସଂବାଦ ତାକୁ ଜଣା ନଥିଲା । ଅନେକଦିନଧରି ଗୋଟିଏ ବସାରେ ଥିଲୁ । ଆନ୍ତରିକତା ଘନିଷ୍ଠ ହୋଇ ଉଠିଥିଲା । ମୁଁ ତାକୁ ଆଣି ନିଜେ ଏ ଭଡ଼ା ଘରେ ରଖାଇଥିଲି । ତାର ଜିମା ପୁରା ଘରଟି ଛାଡ଼ି ଦେଇ ମୁଁ ଯେତେବେଳେ ଚାଲିଯାଉଛି’ ତା ମନରେ ଦରଜ ଲାଗିବା ସ୍ଵାଭାବିକ୍ ।

 

ମୁଁ ଦେଖିଲି, ରିକ୍ସାରେ ମୁହଁ ଗମ୍ଭୀର କରି ଯାଇ ବସିଛି ବାସନ୍ତୀ । ସେମିତି ଗମ୍ଭୀର ମୁହଁରେ ସବିତାକୁ ସେ ବିଦାୟ ଦେଲା । ମୁଁ ଯେତେବେଳେ ରିକ୍ସାରେ ବସି ରିକ୍ସାକୁ ଚାଲିବାକୁ ଆଦେଶ ଦେଲି, ସେ ପଛକୁ ଲେଉଟି ନିମାଇଁ ମୁହଁକୁ ଚାହିଁ ଗୋଟିଏ ଲମ୍ବ ନିଃଶ୍ଵାସ ପକାଇଲା । ନିଶ୍ୱାସର ମାନେ ମୁଁ ମଧ୍ୟ ବୁଝି ପାରିଲି ।

 

ନୂଆ ବସା ଘରଟି ମନ୍ଦ ନୁହେଁ । କାଠଯୋଡ଼ି ପାଖ । କିନ୍ତୁ ସେ ବସାଘରେ ଗୋଟିଏ ବଡ଼ ଅସୁବିଧା ଥିଲା, ଆମ ବୈଠକଖାନା କାଚ ଝରକାଟି ଭଙ୍ଗା—ସେ ଭଙ୍ଗା କାଚ ଝରକା ବାଟେ ଅନେଇଲେ ବେଳେବେଳେ ଦେଖାଯାଏ—କାଠଯୋଡ଼ି ପୋଲ ଉପରେ ଟ୍ରେନ ଯାଉଛି—ଧୂଆଁ ଛାଡ଼ି ଛାଡ଼ି—ଏକ ବିକୃତ ଶ୍ରୁତିକଟୁ ଶବ୍ଦ କରି କରି—

 

ସେଇ ଭଙ୍ଗା କାଚ ଝରକାଟି ବିରୁଦ୍ଧରେ ଅନେକ ଥର ଅଭିଯୋଗ କରିଛି ବାସନ୍ତୀ, କିନ୍ତୁ ଅଳସୁଆମି ଯୋଗୁ ମୁଁ ସେଥିପ୍ରତି ଦୃଷ୍ଟିଦେଇ ପାରି ନାହିଁ କେବେ—

 

ନୂଆ ବସାରେ ରହିବାର ଦୁଇମାସ ପର୍ଯ୍ୟନ୍ତ ମୋ ଗଳ୍ପ ବିରୁଦ୍ଧରେ ବାସନ୍ତୀ ମୁହଁରୁ ମୁଁ କିଛି ଅଭିଯୋଗ ଆଉ ଶୁଣି ନାହିଁ । ମୁଁ ଆଶ୍ୱସ୍ତହେଲି, ଏତେବଡ଼ ପାରିବାରିକ ଅଶାନ୍ତି ଭିତରୁ ମୁଁ ରକ୍ଷା ପାଇ ଯାଇଛି । କିନ୍ତୁ ଦୁଇମାସ ପରେ ପୁଣି ସେଇ ବିପଦ ଆରମ୍ଭ ହେଲା । ମୁଁ ଶୋଇବାକୁ ଯାଉଛି, ବାସନ୍ତୀ କହିଲା, ଗୋଟିଏ କଥା ଶୁଣିବ...

 

କଥାଟି ଶୁଣିବା ପାଇଁ ମୁଁ ଅପେକ୍ଷା କଲି ।

 

ସେ କହିଲା, ତମେ ଆଉ ଗଳ୍ପ ଲେଖାଲେଖି କର ନାହିଁ । ଗଳ୍ପରୁ ଆମକୁ କ’ଣ ମିଳିବ-? ସେ ସବୁ କଞ୍ଚା ବୟସରେ ଶୋଭା ପାଏ । ପାଣି ପିଇ ସାରିଲେ ଶୋଷ ମରିଗଲା ଭଳି ବୟସ ବଢ଼ିଲେ ସାହିତ୍ୟ ସୃଷ୍ଟି କରିବାର ଇଚ୍ଛା ଦବିଯାଏ । ତମେତ ମୋରି ପାଇଁ ଗଳ୍ପ ଲେଖୁଥିଲ-। କାମ ଧନ୍ଦାରେ ରହି ଗଳ୍ପ ପଢ଼ିବାକୁ ମତେ ବି ସମୟ ନାହିଁ...

 

ମୁଁ ଆଶ୍ଚର୍ଯ୍ୟ ହୋଇ ପଚାରିଲି, କ’ଣ ହେଲା ? କେହି କିଛି କହିଛି ? ବାସନ୍ତୀ ଗୋଟିଏ ପତ୍ରିକା ଆଣି ମତେ ଦେଲା । କହିଲା, ଏହାର ଚାଳିଶି ପୃଷ୍ଠା ପଢ଼ ।

 

ମୁଁ ଚାଳିଶି ପୃଷ୍ଠା ଓଲଟାଇ ଦେଖିଲି, ମୋର ଆଉ ନିମାଇଁର ଦୁଇଟି ଗଳ୍ପ ପୁସ୍ତକର ତୁଳନାତ୍ମକ ସମାଲୋଚନା ସେଥିରେ ପ୍ରକାଶ ପାଇଛି । ମୋ ଗଳ୍ପ ଗୁଡ଼ିକ ଶସ୍ତା, ରୋମାଣ୍ଟିକ ହୋଇଯାଇଛି ବୋଲି ସମାଲୋଚକ ଆକ୍ଷେପ କରି ନିମାଇଁ ଗଳ୍ପ ଗୁଡ଼ିକରେ କିପରି ଗଭୀର ଅନ୍ତର୍ଦୃଷ୍ଟି, ନିବିଡ଼ ମାନବିକତା ଏବଂ ପ୍ରାଣପ୍ରାଚୁର୍ଯ୍ୟ ରହିଛି, ତାହା ଦର୍ଶାଇଛନ୍ତି ।

 

ମୁଁ ପଚାରିଲି, ଏ ପତ୍ରିକା ଆଣିଥିଲା କିଏ ?

 

ନିର୍ଲିପ୍ତ ଭାବରେ ବାସନ୍ତୀ କହିଲା, କାଲି ଖରାବେଳେ ସବିତା ଆଣିଥିଲା ଏଇଟା ଦେଖାଇବାକୁ... ପଢ଼ିସାରି ମୁଁ ଫେରାଇ ଦେଉଥିଲି... ସେ କହିଲା, ଥାଉ । ମୁଁ ଆଉ ଗୋଟିଏ ପତ୍ରିକା କିଣି ନେବି...

 

ବାସନ୍ତୀ କହିବା କଥାର ଅସଲ ମର୍ମ ମୁଁ ବୁଝିଲି । ନିଜ ଅନିଚ୍ଛା ସତ୍ତ୍ବେ ମୁହଁଟା ମୋର ଅନ୍ଧାର ହୋଇ ଆସିଲା । ନିମି ଚଉଡ଼ି ଛକରୁ ଡାକିଆଣି ନିଜ ବସାରେ ସ୍ଥାନ ଦେଇ ଥିବା ନିମାଇଁର ପ୍ରତିଭାର ପ୍ରେତାତ୍ମା ଯେ ଏବେ ସୁଦ୍ଧା ମୋ ପିଛା ଛାଡ଼ିନାହିଁ, ସେକଥା ବୁଝିବାକୁ ମୋର ବାକି ରହିଲା ନାହିଁ ।

 

ତା ଆରଦିନ ଶନିବାର ।

 

ରବିବାର ଦିନ ଅବସର ସମୟରେ ଗଳ୍ପ ଲେଖିବା ମୋର ଏକ ଆଦିମ ଅଭ୍ୟାସ । ସେଦିନ କିନ୍ତୁ କଲମଟା ଆଉ ଚାଲିଲା ନାହିଁ । ନିଜ କଲମ ଉପରେ ଅଭିମାନ ଆସିଲା । ନିମାଇଁର କଲମରୁ ଏଡ଼େ ସୁନ୍ଦର ସୁନ୍ଦର ଗଳ୍ପ ବାହାରୁଛି....ଆଉ ମୋ କଲମରୁ…. !!

 

ଜୀବନ ସଂଗ୍ରାମରେ ବିକ୍ଷତ ହୋଇ ଫେରି ଆସିଲା ପରେ ଏଇ କଲମ ମନରେ ଭରିଦିଏ ଅସରନ୍ତି ଉତ୍ସାହ–ନିଜ ଜୀବନର ଦୁଃଖ, ବେଦନାକୁ ଏଇ କଲମ ମୁନରେ ରୂପ ଦେଇ ସବୁ ଯନ୍ତ୍ରଣା ମୁଁ ପାଶୋରି ଦିଏ…..କିନ୍ତୁ ଏଇ କେତେଦିନ ହେଲା ଏଇ କଳମ ଜୀବନକୁ ଦୁର୍ବିସହ କରି ତୋଳିଛି ...ସେଥିପାଇଁ କଲମ ଉପରେ ଭାରି ରାଗ ଆସିଲା…..ଟେବୁଲ୍ ଉପରେ ଫୋପାଡ଼ି ଦେଇ ମୁଁ ଉଠିଆହିଲି ।

 

ସେଇଦିନୁ ଆଉ ଗଳ୍ପ ଲେଖିନି ।

 

କାହିଁକି ଗଳ୍ପ ଲେଖୁନି ବୋଲି ଅନ୍ୟ ଦିନଭଳି ବାସନ୍ତୀ ଆଉ ପ୍ରଶ୍ନ କରିନାହିଁ । ମୁଁ ଜଣେ କେବେ ଲେଖକ ଥିଲି, ସେକଥା ଯେମିତି ସେ ଏଥି ଭିତରେ ଭୁଲିଯାଇଛି !

 

ସେଦିନ କଲେଜରୁ ଫେରି ଘରେ ପାଦ ଦେଲାକ୍ଷଣି ବାସନ୍ତୀ ଛୁଟିଆସି ମୋ ପାଖରେ ଠିଆ ହୋଇଗଲା । ମୁହଁରୁ ତାର କେରି ଭାକେରି ହୋଇ ହସ ଝିରି ପଡ଼ୁଥାଏ । ମୋ ଜାମାରୁ ବୋତଲ ଖୋଲିଲାବେଳେ ଓଠ ଦୁଇଟି ତାର ଥର ଥର ଉଠୁଥାଏ । ସତେ ଯେମିତି ସେ କ’ଣ କହିବ କହିବ ବୋଲି ହେଉଛି !

 

ମୁଁ ପଚାରିଲି, ଆଜି ଏତେ ଖୁସି । ଖବର କ’ଣ ?

 

ବାସନ୍ତୀ ମୋ ମୁହଁକୁ ଚାହିଁ ହସିଲା । କିଛି କହିଲା ନାହିଁ ।

 

ମୁଁ ଖାଇସାରି ଚେୟାରରେ ବସି ଗୋଟିଏ ଇଂରେଜି ବହିର ପୃଷ୍ଠା ଓଲଟାଉଛି, ବାସନ୍ତୀ ପୁଣି ଆସି ପହଞ୍ଚିଲା । ଚେୟାରର ଦୁଇ ବାଡ଼ାରେ ଭରା ଦେଇ ମୋ କାନ୍ଧବାଟେ ମୁହଁ ଗଳାଇ କହିଲା, ତମେ ଆଉ ଗଳ୍ପ ଲେଖୁ ନା ଯେ ! ମୋ ରାଣଟି ! ଗଳ୍ପ ଲେଖା ଅଭ୍ୟାସ ଛାଡ଼ନାହିଁ—

 

ଅବାକ୍ ହୋଇ ମୁଁ ତା’ ମୁହଁ ଆଡ଼କୁ ଚାହିଁ ରହିଲା ।

 

ସେ କହିଲା, ‘ଚତୁରଙ୍ଗ’ ପତ୍ରିକାରେ ଆଜି ଗୋଟିଏ ସମାଲୋଚନା ପ୍ରକାଶ ପାଇଛି । ପଢ଼ିଛ ?

ମୁଁ ମନାକଲି । ସେ ନୂଆ ପତ୍ରିକାଟି ଆଣି ମୋ ହାତକୁ ବଢ଼ାଇ ଦେଲା । ମୁଁ ଭାବିଲି, ବୋଧହୁଏ ମୋର କୌଣସି ଗଳ୍ପ ବହିର ପ୍ରଶସ୍ତି ଛପା ହୋଇଛି ଏ ସଂଖ୍ୟାରେ . . .

କିନ୍ତୁ ସମାଲୋଚନାଟି ପଢ଼ି ସାରି ମୁଁ ଅବାକ୍ ହୋଇ ଗଲି । ନିମାଇଁ ତାର ଗଳ୍ପ ଗୁଡ଼ିକ କେତେକ ପୁରୁଣା ହିନ୍ଦୀ ପତ୍ରିକାରୁ ଅବିକଳ ଚୋରି କରିଛି । ‘ଚତୁରଙ୍ଗ ‘ ରେ ସେ ହିନ୍ଦୀ ଗଳ୍ପ ଗୁଡ଼ିକର ଊଦ୍ଧ୍ୱତାଂଶ ଦେଇ ସମାଲୋଚକ ନିମାଇଁର ଓଡ଼ିଆ ଗଳ୍ପଗୁଡ଼ିକର ଉଦାହରଣ ଦେଇଛନ୍ତି । କେବଳ ଭାବ ନୁହେଁ, ଭାଷା, କଥାବସ୍ତୁର ଅବିକଳ ଅନୁବାଦ !

ବି. ଏ. ପରୀକ୍ଷାରେ ପରାସ୍ତ ସୈନିକ ନିମାଇଁ ରାତିକ ମଧ୍ୟରେ କେମିତି ଉଚ୍ଚ କୋଟୀର ଗାଳ୍ପିକ ହୋଇ ଯାଇ ଥିଲା, ସେ କଥା ମୋ ଆଖିରେ ପରିଷ୍କାର ହୋଇଗଲା ।

ବାସନ୍ତୀ କହିଲା, ନିଜ ଜିନିଷ ପଛେ ବାଜେ ହେଉ, ସେ ଭଲ । ପର ଜିନିଷକୁ ଚୋରିକରି ବଡ଼ ହେବା ପାପ ।

ତମେ ଆଜି ଗୋଟିଏ ଗଳ୍ପ ଲେଖ । ମୋ ରାଣଟି.....

ଦେଖିଲି ବାସନ୍ତୀର ଗୌର ମୁହଁ ରେ ଆନନ୍ଦର ଆଲୋକ ଝଲମଲ ହେଉଛି । ତା’ ମୁହଁରେ ଏଭଳି ତୃପ୍ତି, ହସ ଦେଖିଥିଲି ସେହିଦିନ, ଯେଉଁଦିନ ମୋ “ସେଇ ରାତ୍ରି ସେଇ ଅନ୍ଧକାର” ଗଳ୍ପଟି ପଢ଼ି ସେ ମତେ ଭଲ ପାଇବାକୁ ଆରମ୍ଭ କରିଥିଲା ବୋଲି କହୁଥିଲା...

 

ବାସନ୍ତୀ କହିଲା, ମୁଁ ଯାଉଛି ଟିକିଏ...

 

ମୁଁ ପଚାରିଲି, କୁଆଡ଼େ ?

 

ବାସନ୍ତୀ ହସି ହସି କହିଲା, ନିମାଇଁ ବସାକୁ...ସବିତା ପାଖକୁ...କାଳେ ସେ ଏ ପତ୍ରିକାଟା ପାଇ ନ ଥିବ.....

 

ମୁଁ ତା ହାତକୁ ଟାଣି ଧରି କହିଲି, ଛିଃ...ତମ ମୁହଁରେ ଏଭିଳି କଥା ଶୋଭା ପାଏ ନାହିଁ । ସାହିତ୍ୟରେ ଏ ସାମନ୍ତବାଦୀ ମନୋବୃତ୍ତି ନିମାଇଁ ଠାରୁ ନୂଆ କରି ଆରମ୍ଭ ହେଲାନାହିଁ... ପରିଶ୍ରମ ନକରି ସମାଜରେ ଗୋଟିଏଶ୍ରେଣୀର ଲୋକ ଯେମିତି ଅନ୍ୟକୁ ଶୋଷଣ କରି ନିଜର ସାମନ୍ତବାଦୀ ଆଭିଜାତ୍ୟ ବଜାୟ ରଖନ୍ତି, ନିଜେ ଶ୍ରମ ସାଧନା ନକରି ଅନ୍ୟର ଲେଖା ଚୋରିକରି ଉଚ୍ଚକୋଟୀର ଲେଖକ ହେବାକୁ ସେମିତି ସବୁ ଦେଶରେ ଗୋଟିଏ ଶ୍ରେଣୀର ଲେଖକ ଚେଷ୍ଟା କରନ୍ତି... କିନ୍ତୁ ଦିନେ ନା ଦିନେ ନିମାଇଁ ଭଳି ସେମାନଙ୍କୁ ଏମିତି ଅପଦସ୍ଥ ହେବାକୁ ହୁଏ...ଏହି ଝରକାର ଭଙ୍ଗା କାଚଭଳି ସେମାନଙ୍କ ସୁଖ୍ୟାତି ଭାଙ୍ଗ ଭୁଷୁଡ଼ି ପଡ଼େ.... ।

 

ଭଙ୍ଗା କାଚ ଝରକାଟାକୁ ଦେଖି ଚମକି ଉଠି ବାସନ୍ତୀ କହିଲା, ହେ ! ଏ ଭଙ୍ଗାକାଚ ଝରକାରେ ରହିବାକୁ ମୋତେ ଭାରି ଡର ମାଡ଼ୁଛି । ଚାଲ ଆମର ସେ ଆଗବସାକୁ ଫେରିଯିବା...

 

କଥା କହିବା ଭିତରେ ବାସନ୍ତୀ ମୁହଁରେ ସବୁବେଳେ ଚେନାଏ ହସ ଲାଖି ରହିଥାଏ । ସତେ ଯେମିତି ସେ ଆଜି ଗୋଟିଏ ରାଜ୍ୟ ଜୟ କରିଛି !

 

ତାର ହାତଟାକୁ ଜୋରରେ ଚିପିଧରି ମୁଁ କହିଲି, ଏଇ ଭଙ୍ଗା ଝରକା ବାଟେ ଚାହଁଟ୍ରେନ ଯାଉଛି ।

 

କାଠଯୋଡ଼ି ଉପରେ ଆକାଶକୁ କଳା ଧୂଆଁରେ ଆଚ୍ଛନ୍ନ କରି ଦେଇ କାଠଯୋଡ଼ି ପୋଲ ଉପରେ ସତରେ ସେତେବେଳେ ଟ୍ରେନ ଯାଉଥିଲା ।

Image

 

ଏକ ଉଦାସ ଅପରାହ୍‍ଣ

 

ତାହାଏକ ଅଭ୍ୟାସ ହୋଇ ଉଠିଥିଲା । ତାକୁ ଏକ ବଦଭ୍ୟାସ ବୋଲି ମଧ୍ୟ କୁହାଯାଇପାରେ । ଜୀବନର ଜଞ୍ଜାଳ ଭିତରୁ ଟିକିଏ ଫାଙ୍କ ମିଳିଲେ ମୁଁ ଫାଇଲ ଖେଳେଇ ବସେ । ସେଇ ଫାଇଲ ଭିତରେ ଗୁନ୍ଥି ହୋଇ ରହିଥିବା କାହାଣୀଗୁଡ଼ିକ ଭିତରେ କେତେ ଅନାଗତ ଭବିଷ୍ୟତ, କେତେ ଫୁଟି ଆସୁଥିବା କଳିର ସୁରଭି ମୋର ଘ୍ରାଣେନ୍ଦ୍ରିୟକୁ ଉତ୍ତେଜିତ କରି ତୋଳେ ।

 

ସେଗୁଡ଼ିକ ପତ୍ରିକାରେ ପ୍ରକାଶିତ ହେବାପାଇଁ ଆସିଥିବା ନୂତନ ଲେଖକମାନଙ୍କ ଲେଖାର ଫାଇଲ୍ । ଭିନେ ଭିନେ ପ୍ରକାର ଲେଖା । ପ୍ରତି ଲେଖାର ଏକ ବିଚିତ୍ର ସ୍ଵାଦ । ବୈଚିତ୍ର୍ୟମୟ ଅନୁଭୂତି ; କିନ୍ତୁ ପ୍ରତି ଲେଖାରେ କିଛି ନା କିଛି ତ୍ରୁଟି । ଅନୁଭୂତି ଅଳ୍ପ । ଲେଖାରେ ତାର ଛାପ । ଭାଷା ଦୁର୍ବଳ କାହାଣୀ ସେଥିପାଇଁ ବିକୃତ । ଭାବର କେଉଁଠି ଦୁର୍ଭିକ୍ଷ । କାହାଣୀର ପରିଣତି ସେଥିପାଇଁ ଅସ୍ୱାଭାବିକ ।

 

ନୂତନ ଲେଖକମାନଙ୍କର ଏଇ ତ୍ରୁଟି ଭିତରୁ ମୁଁ ମୋର ପଛ ଜୀବନର ସ୍ମୃତିକୁ ଖୋଜି ପାଏ । ସେତେବେଳେ ଛାପା ଅକ୍ଷରରେ ନାମ ଦେଖିବାକୁ ମନ ଭିତରେ ଅସମ୍ଭବ ରକମର ଏକ କୌତୂହଳ । ଏମିତି କେତେ ଲେଖା ଲେଖିଛି, ଗାରେଇଛି । ଚିରିଛି । ଡାକରେ ପଠେଇଛି । ଅପେକ୍ଷା କରିଛି । ପତ୍ରିକାରେ ମୁଦ୍ରିତ ଅକ୍ଷରରେ ସେ ଲେଖାକୁ ନ ଦେଖି ଲମ୍ବା ନିଶ୍ଵାସ ପକାଇଛି ।

 

ପଛ ଜୀବନର ସେଇ ସ୍ମୃତିକୁ ଆଉଥରେ ନୂଆକରି ଅନୁଭବ କରିବା ପାଇଁ ମୁଁ ବିଖ୍ୟାତ ଲେଖକଙ୍କର ଲେଖା ପଛକୁ ରଖି, ଖେଳେଇ ବସେ ଆଗ କରି ଏଇ ନୂତନ ଲେଖକମାନଙ୍କର ଲେଖା ଫାଇଲ୍ । ଗଳ୍ପଟି ଅଧେ ପଢ଼ି ତାର ପରିସମାପ୍ତି କେମିତି ହୋଇଥିବ ମନେ ମନେ ଅନୁମାନ କରି ନିଏ । ତାପରେ ଗଳ୍ପଟି ପଢ଼ିଲାବେଳେ ମୋ ଅନୁମାନ ସହିତ ଲେଖାଟି ଯଦି ମିଳି ଯାଉଥାଏ, ମନରେ ଅସନ୍ତୋଷ ଭରିଆସେ । ଆପେ ଆପେ । ଆଶଙ୍କା ହୁଏ, ହୁଏତ ଏ ଗଳ୍ପଟି ପତ୍ରିକାରେ ଯାଇ ପାରିବନି । କାରଣ ଯେଉଁ କାହାଣୀ ପାଠକକୁ ଶେଷ ପର୍ଯ୍ୟନ୍ତ ଉତ୍କଣ୍ଠାର ମହାସମୁଦ୍ର ମଧ୍ୟରେ ଉବେଇ ଟୁବେଇ କରି ରଖି ନ ପାରିଲା, ଆମ ପତ୍ରିକାର ପାଠକ ପାଠିକାମାନଙ୍କ ମତରେ ସେ ଲେଖାର କିଛି ମାନେ ହୁଏନା ।

 

ତା’ ହେଲେ ଲେଖାଟି ଅମନୋନୀତ ହେବ !

 

ପୁଣି ଜଣେ ଲେଖକର କେତୋଟି ଅଗ୍ନିବାହୀ ଦୀର୍ଘଶ୍ଵାସ ।

 

ସେଦିନ ହୁଏତ ରବିବାର ଥିଲା । ସମୟ ଅପରାହ୍ନ ହେବ । ଆକାଶରେ ଭାଦ୍ରବର କ୍ଳାନ୍ତ ସୂର୍ଯ୍ୟ । ମୋର ପଠନ କକ୍ଷରେ ଏକ ନାତିଶୀତୋଷ୍ଣ ପରିବେଶ । ମୁଁ ଫାଇଲ ଓଲଟାଉଥିଲି ।

 

ପଢ଼ି ଅଧା କରିଥିବା...ମୁଁ ଫାଇଲି ଓଲଟାଇ ଥିଲି ।

 

ବାହାରେ କବାଟ ଝଞ୍ଜିର କିଏ ଝଣ ଝଣ କଲା ।

 

ପଢ଼ି ଅଧା କରିଥିବା କାହାଣୀଟିକୁ ଛାଡ଼ି ଉଠିବା ପାଇଁ ସେତେବେଳକୁ ମୋର ଏକବାରେ ପ୍ରବଳ ଅନିଚ୍ଛା । ସେଥିପାଇଁ ସେଇ ଚେୟାରରେ ବସି ରହି ମୁଁ ପଚାରିଲି, ‘କିଏ ?’

 

‘ଟିକିଏ କବାଟ ଖୋଲିବେ ? ...ବାହାଁରୁ ଉତ୍ତର ଆସିଲା ।

 

କଣ୍ଠସ୍ୱର ପୂର୍ବ ପରିଚିତ ବୋଲି ମୋର ମନେ ହେଲା ନାହିଁ । କଣ୍ଠସ୍ଵରରୁ ଆଗନ୍ତୁକଙ୍କୁ ଚିହ୍ନିବା ଅସମ୍ଭବ । ବହୁମୁଖୀ କର୍ମମୟ ଜୀବନରେ ସେ ଅପରିଚିତ ଆଗନ୍ତୁକ କିଏ, ଜାଣିବା ପାଇଁ ମତେ ଅଗତ୍ୟା କବାଟ ଖୋଲିବାକୁହିଁ ହେଲା ।

 

ଜଣେ ଶ୍ୟାମାଙ୍ଗ ତରୁଣ ।

 

କଲେଜ ଛାତ୍ର ବୋଲି ଅନୁମାନ କରିବାରେ ତାଙ୍କଠାରେ ଅନେକ ଉପାଦାନ ଥିଲା । ସେଇ ଅନୁମାନଙ୍କୁ ପୁଞ୍ଜି କରି ତାଙ୍କୁ କହିଲି, ‘ଆଜି ମୋର କ୍ଳାସ୍ ବେଳାବେଳି ସରିଗଲା । ମୁଁଳି କଲେଜରୁ ଆଗତୁରା ଚାଲି ଆସିଲି । କିଛି କାମ ଥିଲା ମୋ’ଠି ?’

 

ସେ ସଂକୁଚିତ ଭାବରେ କହିଲେ, ‘ଥିଲା । ମୁଁ ଆପଣଙ୍କ କଲେଜରେ ପଢ଼େ ନାହିଁ । ଗୋଟିଏ ଅଫିସରେ ଚାକିରି କରୁଛି । ସେ ଏଇ ସକାଳୁଆ କଲେଜରେ ନାମ ଲେଖାଇଛି....’

 

ମୁଁ ଟିକିଏ ଆତ୍ମୀୟତା ବଢ଼ାଇବା ପାଇଁ କହିଲି, ବେଶ ଭଲ । ପାଠ ପଢ଼ା, ଟଙ୍କା କମାଇବା, ଦୁଇଟିଯାକ ତେବେ ସାମନ୍ତର ଭାବରେ ଚଲାଇଛନ୍ତି । ନାଇଁ !’

 

ସେ ଅଳ୍ପ ହସିଲେ । କିଛି କହିଲେ ନାହିଁ । ମୋଠିଁ ତାଙ୍କର କାମଟା କଣ ଜାଣିବା ପାଇଁ ମୁଁ ବ୍ୟସ୍ତ ହୋଇ ଉଠୁଥୁଲି । କିଛି ସମୟର ନୀରବତା ପରେ ସେ କଥା ମତେ ମୁହଁ ଖୋଲି ପଚାରିବାକୁ ପଡ଼ିଲା ।

 

ସେ କହିଲେ, ଏଇ ଗୋଟିଏ ଲେଖା ଆଣିଥିଲି ଆପଣଙ୍କ ପତ୍ରିକା ପାଇଁ । ଦୁଇଥର ଖୋଜି ଆପଣକୁ ନ ପାଇ ଫେରି ଯାଇଛି...’

 

ସମବେଦନା ଜଣାଇ ମତେ କହିବାକୁ ହେଲା, ‘ଛି...ଛିଃ...ଲେଖାଟା ଦେବା ପାଇଁ ଆପଣଙ୍କୁ ଏତେ କଷ୍ଟ କରିବାକୁ ହେଲା ! ସେଥିପାଇଁ ସତରେ ମୁଁ ଭାରି ଦୁଃଖିତ । କାଇଁ ! ଆପଣ ଲେଖାଟି ଡାକରେ ପଠାଇ ପାରିଥାନ୍ତେ ତ !”

 

ଲେଖାଟି କାଢ଼ି ସେ ମୋ ଆଗରେ ଥୋଇଲେ । ସେତେବେଳେକୁ ଅପରିଚିତସୁଲଭ ସଂକୋଚ ତାଙ୍କର କଟି ଯାଇଥିଲା ହୁଏତ । କାରଣ ତାପରେ ସେ ନିର୍ବିକାର ଭାବରେ କହିଲେ ନୂଆ ଲେଖକମାନେ ଲେଖା ଡାକରେ ପଠାଇବାରେ କିଛି ଲାଭ ହୁଏ ନାହିଁ । କାରଣ, ଶୁଣିଚି ନୂଆ ଲେଖକମାନଙ୍କ ଲେଖା ସମ୍ପାଦକମାନେ ପଢ଼ନ୍ତି ନାହିଁ । ଲେଖକଙ୍କ ନାମରୁ, ଲେଖାଟି ବାଜେ ହୋଇଥିବ ବୋଲି ଅନୁମାନ କରି, ଅଳିଆ ଟୋକକେଇକୁ ପକାଇ ଦିଅନ୍ତି ।’

 

ତାଙ୍କ ଯୁକ୍ତିକୁ ଖଣ୍ଡନକରି ତାଙ୍କୁ ରୀତିମତ ଆଘାତକାରିବା ପାଇଁ ମୋ ପାଖରେ ସେ ନୂଆ ଲେଖକଙ୍କ ଲେଖା ଫାଇଲ୍‍ଟି ଥୁଆ ହୋଇଥିଲା । କିନ୍ତୁ ତାଙ୍କୁ ସେଭଳି ଆହତ କରିବାପାଇଁ ମୁଁ ସାହସ ସଞ୍ଚୟ କରି ପାରିଲି ନାହିଁ । କାରଣ ନିଜ ଅନୁଭୂତିର ମୂଲ୍ୟଦେଇ ମୁଁ ବୁଝିଛି, ନୂଆ ଲେଖକମାନଙ୍କର ଏହି ଅଳିକ ଧାରଣାର ସାନ୍ତ୍ୱନ ନାହିଁ ସେମାନଙ୍କୁ ଅଧିକ ଲେଖିବା ପାଇଁ ଅନେକ ସମୟରେ ଉତ୍ସାହିତ କରେ । ସେମାନେ ଭାବନ୍ତି, ସେମାନଙ୍କ ଲେଖା ପ୍ରତିଷ୍ଠିତ ଲେଖକଙ୍କ ଲେଖାଠାରୁ ନ୍ୟୁନ ନୁହେଁ । କେବଳ ସଂପାଦକଙ୍କ ନିର୍ବୋଧତା ହିଁ ତାଙ୍କ ଲେଖା ପ୍ରକାଶନର ପ୍ରଧାନ ଅନ୍ତରାୟ । ଫଳରେ ସେମାନଙ୍କ ଶକ୍ତି ଉପରୁ ସେମାନଙ୍କ ଆସ୍ଥା ତୁଟେ ନାହିଁ । ସେମାନେ ବେଶି ଲେଖନ୍ତି । ଏହି ବେଶି ଲେଖାର ସାଧନା ଫଳରେ ସତକୁ ସତ ଦିନେ ସେମାନେ ହୁଅନ୍ତି ସୁପ୍ରତିଷ୍ଠିତ-। ମୋ ଭଳି ପୁଣି କେବେ ପତ୍ରିକା ସଂପାଦନାର ପ୍ରତ୍ୟକ୍ଷ ସଂପର୍କରେ ଆସିଲେ ସେମାନେ ବୁଝନ୍ତି, ନୂତନ ଲେଖକମାନେ ହିଁ ପ୍ରକୃତରେ ପତ୍ରିକାର ପ୍ରଧାନ ସଂପଦ...କୌଣସି ନୂତନ ଲେଖକର ଲେଖାକୁ ଅମନୋନୀତ କରିବାରେ କୌଣସି ପତ୍ରିକା ସଂପାଦଙ୍କର ପ୍ରଭୃତ୍ଵସୁଲଭ ଆଭିଜାତ୍ୟ ନଥାଏ, ଥାଏ ଏକ ଉପାୟହୀନ ମର୍ମାନ୍ତିକ ଯନ୍ତ୍ରଣା....

 

ସେ ମୋର ଏ ଦୀର୍ଘ ନୀରବତା ଲକ୍ଷ୍ୟ କରି କହିଲେ, ‘ଆପଣ ମୋ କଥା ଯୋଗୁ କିଛି ଭାବିଲେକି ? କ୍ଷମା କରିବେ... !’

 

ମୁଁ ସହାସ୍ୟ କଣ୍ଠରେ କହିଲି, ‘ନୂତନ ଲେଖକମାନଙ୍କୁ ପତ୍ରିକା ସଂପାଦକମାନେ ଅବହେଳା କରନ୍ତି ବୋଲି ଯେଉଁ ଧାରଣା, ସେ ଧାରଣା ଆପଣଙ୍କର ବ୍ୟକ୍ତିଗତ ନୁହେଁ । ତାହା ସାର୍ବଜନୀନ, ମୋର ମଧ୍ୟ ଦିନେ ଥିଲା । ମୋର ଇଚ୍ଛା, ଏ ଧାରଣା ସବୁ ନୂଆ ଲେଖକମାନଙ୍କର ରହିବା ଦରକାର । ତା’ ନହେଲେ ସେମାନେ ଲେଖି ପାରିବେ ନାହିଁ । ନିଜ ସାମର୍ଥ୍ୟ ଉପରେ ନିଜର ସନ୍ଦେହ ଆସିଲେ ବାଘ ମଧ୍ୟ ଛେଳି ଶିକାର କରି ପାରିବ ନାହିଁ... ।’

 

ସେ ମୋ କଥା ଶୁଣି ନିଃଶବ୍ଦରେ ହସିଲେ । ଅପରାହ୍ନର ଖରା କାନ୍ଥ ତଳକୁ ଖସି ଯାଉଥିଲା । ସୂର୍ଯ୍ୟାଲୋକର ମଳିନତା କକ୍ଷ ଭିତର ପରିବେଶକୁ ଶୀତଳ କରି ଆଣୁଥିଲା ଆସ୍ତେ ଆସ୍ତେ ।

 

ମୁଁ ତାଙ୍କ ଲେଖାଟି ଉପରେ ଆଖି ବୁଲାଇ ଆଣୁଥିଲି । ହଠାତ୍ ଲେଖକଙ୍କ ନାମ ପାଖରେ ମୋ ଆଖି ସ୍ଥିର ହୋଇଗଲା । ଲେଖାର ଲେଖକ ସ୍ଥାନରେ ଏକ କୁମାରୀ କନ୍ୟାର ନାମ-। ଅଥଚ ଲେଖା ଯିଏ ମତେ ଆଣିଦେଇ ମୋ ଆଗରେ ବସିଛନ୍ତି’ ତାଙ୍କ ଓଠ ଉପରେ ନିଶ...-!

 

ସେ ବୋଧହୁଏ ମୋର ଭାବାନ୍ତର ଲକ୍ଷ୍ୟ କରୁଥିଲେ । ତେଣୁ ମୋର ସଂଶୟ ଦୂରକରି କହିଲେ, “ମୋର ସାନ ଭଉଣୀର ଏ ଲେଖାଟା । ଅଫିସରେ ଫାଇଲି ଗାରେଇବା ଛଡ଼ା ମୁଁ ଅନ୍ୟକିଛି ଲେଖି ପାରେନାହିଁ । ଲେଖାଟି ଆପଣଙ୍କ ପତ୍ରିକା ପାଇଁ ଦେଇ ଯିବାକୁ ସେ ଗତ ସାତଦିନ ହେଲା ଜିଦ୍ ଲଗାଇଛି । ଏଇ ପୂଜା ସଂଖ୍ୟାରେ ଯଦି ପାରିବେ, ଦେବେ....’

 

ମୁଁ କ୍ୟାଲେଣ୍ଡରକୁ ଚାହିଁ ତାଙ୍କ ଆଡ଼କୁ ଦୃଷ୍ଟି ଫେରାଇଲି । ମୁଦ୍ରାଯନ୍ତ୍ରର ପେଷଣ ଭିତରେ ଆମ ପତ୍ରିକାର ପୃଷ୍ଠାଗୁଡ଼ିକ ହୁଏତଆର୍ତ୍ତ ନାଦ କରୁଥିବ । ତେଣୁ କଣ୍ଠରେ ବୈଷ୍ଣବ ଜନୋଚିତ ନମ୍ରତା ଫୁଟାଇ ମୁଁ କହିଲି, “ପୂଜା ସଂଖ୍ୟା କାମ ଅନେକ ଦିନୁ ସରିଛି । ଯଦି ମନୋନୀତ ହୁଏ ତା ପର ସଂଖ୍ୟାରେ ଛାପାଯିବ ।

 

ଏଥର ତାଙ୍କର ଆଉକିଛି କହିବାର ନଥିଲା ।

 

ସେ ଉଠିଲେ । ଲେଖା ପଢ଼ିବା ପାଇଁ ସୂର୍ଯ୍ୟର ଆଲୋକ ବି ଆଉ ଯଥେଷ୍ଟ ହେଉନଥିଲା । ରବିବାର ଗୋଟିଏ ଉପରଓଳି ଶେଷ ହୋଇଛି । ଏଥର ଗୋଧୂଳି, ସଂଧ୍ୟା !

 

ସିଏବି ଆଉ ଏକ ରବିବାର ଉପର ଓଳି ।

 

ମୁଁ କଣ ଗୋଟାଏ ବହି ପଢ଼ୁଛି, କବାଟ ଜଞ୍ଜିର ଝଣ ଝଣ ହେଲା । ଏ ଜଞ୍ଜିର ଝଣ ଘଣ ଶବ୍ଦ ଗତାନୁଗତିକ ବୋଲି ମନେ ହେଲା ନାହିଁ । ହୁଏତ ଏଥିରେ ଗୋଟାଏ ସ୍ଵତନ୍ତ୍ର ଛନ୍ଦ ଥିଲା-। ସେଇ ଜଞ୍ଜିର ଝଣ ଝଣର ଛନ୍ଦରୁ ମୁଁ ସ୍ମରଣ କରି ପାରିଲି ଯେ, ଏ ସେହି ଶ୍ୟାମାଙ୍ଗ ତରୁଣଙ୍କ ଡାକରା । ନିଶ୍ଚୟ,ସେ ଗଳ୍ପଟି କାହିଁକି ପ୍ରକାଶିତ ହୋଇନାହିଁ ତା’ର କୈଫିୟତ ପାଇଁ ସେ ଆସିଛନ୍ତି-

 

ଆମ ପତ୍ରିକାର ପୂଜା ସଂଖ୍ୟା ପରବର୍ତ୍ତୀ ସଂଖ୍ୟାଟି ପ୍ରକାଶିତ ହେବାର ତାହା ହେଉଛି, ତୃତୀୟ ଦିବସ ।

 

ମୁଁ କବାଟ ଖୋଲିଲି ।

 

ସେ ଭିତରକୁ ପଶିଲେ । ମୁହଁରେ ତାଙ୍କର ମେଘ ଘୋଟି ହୋଇ ରହିଥିଲା ଭଳି ଜଣା ପଡ଼ୁଥାଏ । ଭିତରକୁ ଆସି ଧରାବନ୍ଧା ଭଦ୍ରତାର ବିନିମୟ ପରେ ସେ କହିଲେ, ‘ଆପଣଙ୍କ ପତ୍ରକାର ଏ ସଂଖ୍ୟା ଦେଖିଲି । କାହିଁ ଗଳ୍ପଟି ବାହାରି ନାହିଁତ !’

 

ମୁଁ ତାଙ୍କୁ ସଂକ୍ଷେପରେ କହିଲି, ‘ଗଳ୍ପଟିର କଥାବସ୍ତୁ ଅବାସ୍ତବ ମନେ ହେଲା । ସେଥିପାଇଁ ରଖିଚି । କିଛି ପରିବର୍ତ୍ତନ ଲୋଡ଼ା । ଆପଣ ଯଦି ପରିବର୍ତ୍ତନ କରିବାକୁ ରାଜି ହୁଅନ୍ତି, ଆର ସଂଖ୍ୟାରେ ଗଳ୍ପଟି ନିଶ୍ଚୟ ବାହାରିବ ବୋଲି ମୁଁ ପ୍ରତିଶ୍ରୁତି ଦେଉଛି ।’

 

ଜଣେ ବିବାହ ଯୋଗ୍ୟା କୁମାରୀ କନ୍ୟାର କାହାଣୀ ହେଉଛି ଗଳ୍ପଟିର କଥା ବସ୍ତୁ । କବିତାର ନାୟିକା ହେବାପାଇଁ ପ୍ରଚୁର ରୂପ ସମ୍ଭାର ଝିଅଟିର ଦେହରେ; କିନ୍ତୁ ଝିଅଟିକୁ ବିବାହର ପଣ ଦେବା ପାଇଁ ଅଭିଭାବକ ତାର ଅକ୍ଷମ । ସେଥିପାଇଁ ଝିଅଟି ବିବାହ କରି ପାରୁ ନାହିଁ । ବରପକ୍ଷ ଆଗକୁ ପରୀକ୍ଷା ଦେବା ପାଇଁ ବାରମ୍ବାର ଯାଇ ସେ ଅକୃତକାଯ୍ୟ ହୋଇ ଫେରି ଆସୁଛି...ନିଜକୁ ସେ ଏହି ଉପସ୍ଥିତ ଲଜ୍ଜାରୁ ରକ୍ଷା କରିବା ପାଇଁ ଚେଷ୍ଟା କରିଛି ଆତ୍ମହତ୍ୟା କରିବାକୁ...ଏଇ ଆତ୍ମହତ୍ୟାର ଚେଷ୍ଟା ମଧ୍ୟରେହିଁ କାହାଣିଟିର ପରିସମାପ୍ତି ।

 

ମୁଁ କହିଲି, ସ୍ୱାଧୀନତା ପାଇବାର ବାରବର୍ଷ ପରେ ଏବଂ ନାରୀ ଶିକ୍ଷା ଓ ନାରୀ ସ୍ୱାଧୀନତା ଓ ବ୍ୟାପକ ଅଗ୍ରଗତି ପରେ ବିବାହ କରି ନପାରି ଝିଅ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିବା ଏକ ଅସ୍ୱାଭାବିକ ବ୍ୟାପାର । ପରିବର୍ତ୍ତନର ଚକ ଏତେ ଜୋରରେ ଘୂରୁଛି ଯେ ବାରବର୍ଷ ତଳର ଏ ବାସ୍ତବତା ଅତି ଅବାସ୍ତବ ହୋଇପଡ଼ିଛି...

 

ମୋ କଥା ଶୁଣି ସେ ଢୋକ ଗିଳି କହିଲେ, ଆପଣ ଯାହାକୁ ଅବାସ୍ତବ କହିଛନ୍ତି ମୁଁ କହୁଛି ତାହା ସତ୍ୟ । ଏକ ସତ୍ୟ ଘଟଣାଟି ଉପରେ ହିଁ ଏ କାହାଣୀଟି ଲେଖାହୋଇଛି ।’

 

ନୂତନ ଲେଖକମାନେ ନିଜ ଲେଖାର ତ୍ରୁଟି ଘୋଡ଼ାଇବା ପାଇଁ କଥାବସ୍ତୁକୁ ସତ୍ୟ ଘଟଣା ବୋଲି ଚିତ୍ର କରିଥାନ୍ତି । ଏ ଘଟଣାଟି ସେହିଭଳି ସତ୍ୟ ହୋଇଥିବା ବୋଲି ମୁଁ ମନ୍ତବ୍ୟ କଲି-

 

ସେ ଟିକିଏ ବିରକ୍ତ ହେଲା ପରି ଜଣାପଡ଼ିଲା ।

 

ତା’ପରେ ସେ କହିଲେ, ‘ଆପଣ କୁହନ୍ତୁ, ଯୌତୁକ ଦେଇନପାରି ବିବାହ ହୋଇ ପାରୁନଥିବା କୁଳୀନ ଘରର ଝିଅ ଆଉ କଣ କରିପାରେ ?

 

ମୁଁ କହିଲି, ‘ଗଳ୍ପର ପରିଣତକୁ ଅନ୍ୟ ଦିଗରେ ନେଇ ଶେଷ କରିବାକୁ ଅନେକ ଯୁକ୍ତିଯୁକ୍ତ ଘଟଣା ରହିଛି । ଆପଣତ ଗଳ୍ପର ଲେଖକ ନୁହନ୍ତି—ତଥାପି ମୁଁ ଗୋଟିଏ କଥା ପ୍ରସ୍ତାବ କରିପାରେ.... ଯେଉଁ ସମାଜରେ ବିନା ଯଉତୁକରେ ପୁଅମାନେ ଝିଅମାନଙ୍କୁ ନିଜ ଜୀବନର ସହଯାତ୍ରିଣୀ କରି ନେବାକୁ ଅନିଚ୍ଛୁକ, ସେ ସମାଜରେ ଝିଅମାନେ କୋର୍ଟରେ, କଚେରୀରେ ଅଫିସରେ, ବ୍ୟବସାୟରେ ସେମାନଙ୍କର ପ୍ରତିଦ୍ୱନ୍ଦିନୀ ମଧ୍ୟ ହୋଇପାରନ୍ତି । ଯେଉଁ ସମାଜରେ ନାରୀ ପରିବାରର ବୈକୁଣ୍ଠରେ ପୁରୁଷ ଜୀବନର ସହଯାତ୍ରିଣୀ ହୋଇ ନପାରିଲା, ସେ ସମାଜରେ ବ୍ୟବସାୟ କ୍ଷେତ୍ର କିମ୍ବା ଅଫିସର ନର୍କରେ ନାରୀ ପୁରୁଷର ପ୍ରତିଦ୍ୱନ୍ଦିନୀ ହେବାରେ ପ୍ରତିବନ୍ଧକ କେଉଁଠି ? ବରଂ ତାହାହିଁ ତ ବର୍ତ୍ତମାନ ଚାରିଆଡ଼େ ଦେଖା ଦେଉଛି....’

 

ମୁଁ ଭାବିଥିଲି ମୋ କଥା ଶୁଣି ତାଙ୍କ ଆଖିରେ ଆଲୁଅ ଝଲସି ଉଠିବ । କିନ୍ତୁ କାହିଁକି ମୋ କଥା ଶୁଣି ତାଙ୍କ ଆଖିର ଦୃଷ୍ଟି ହଠାତ୍ ମଳିନ ହୋଇଗଲା ।

 

ସେ କହିଲେ, ‘ହେଉଁ ଆପଣ ସେ ଗଳ୍ପଟିକୁ ସେଇ ଅନୁସାରେ ବଦଳାଇ ଦୟାକରି ଛାପି ଦିଅନ୍ତୁ—ସେ ଭାରି ବ୍ୟସ୍ତ ହେଉଛି ।’

 

ମୋର ହଁ ଧର୍ମୀ ଅଭୟବାଣୀକୁ ଅପେକ୍ଷା ନ କରି ସେ ଉଠି ଚାଲିଗଲେ । ମୁଁ ଭାବିଲି, ମୋ ଅଜାଣତରେ ହୁଏତ ମୁଁ ତାଙ୍କୁ ଆଘାତ କାଲି ଏଥର ।

 

ସେ ମଧ୍ୟ ଏକ ରୌଦ୍ର ଦଗ୍‍ଧ ଅପରାହ୍ନ । ବାରଟାବି ବୋଧହୁଏ ରବିବାର । ମୁଁ ଆଜି ପତ୍ରିକା ଅଫିସରୁ ଫେରିଥିଲି । ହାତରେ ଅନ୍ୟ କିଛି କାମ ନଥିଲା । ପତ୍ରିକା ବାହାରି ସାରିଥିଲା । ପତ୍ରିକାର ସେହି ସଂଖ୍ୟାରେ ଭଦ୍ରଲୋକଙ୍କ ସାନ ଭଉଣୀର ସେ କାହାଣୀଟି ଛପା ଯାଇଥିଲା । ପତ୍ରିକାଟି ଭଦ୍ରଲୋକଙ୍କୁ ଦେଇ ଆସିବା ପାଇଁ ସେ ଘର ଦେଖାଇ ବାରମ୍ବାର ଅନୁରୋଧ କରି ଯାଇଥିଲେ । ମୋ ଫେରନ୍ତା ବାଟରେ ତାଙ୍କ ବସାଘର । ଗୋଟିଏ ନୁଆଁଣିଆ ଛପର ଚାଳଘର ।

 

ମୁଁ ଗଲାବେଳକୁ ତାଙ୍କ ବସାଘର ଦ୍ଵାର ମୁହଁ ଖୋଲାଥିଲା । ପତ୍ରିକାଟି ଦେଇ ହଠାତ୍ ଚମକାଇ ଦେବାଲାଗି ମୁଁ ଆଉ ପାଟିତୁଣ୍ଡ କଲିନାହିଁ । ମୁଁ ଜଣେ, ନିଜର କିମ୍ବା ନିଜ ଆପଣାର ଲୋକର ନାମ ଛାପ ଅକ୍ଷରରେ କୌଣସି ବିଖ୍ୟାତ ପତ୍ରିକାରେ ଦେଖିଲେ ମୁହଁର ରଙ୍ଗ କିଭଳି ବଦଳିଯାଏ !

 

ଦିନବେଳେ ମଧ୍ୟ ସେ ଘରେ ସୂର୍ଯ୍ୟାଲୋକ ଖୁବ୍ କମ୍ ପଡ଼ୁଥିଲା । ଲଣ୍ଠନ ଜଳି ଭଦ୍ରଲୋକ କଣ ଲେଖୁଥିଲେ । ଭାବିଲି ବୋଧହୁଏ ଅଫିସର ଫାଇଲ । ଭିଡ଼କାମ ଯୋଗୁଁ ରବିବାର ଦିନ ଘରେ ସାରିବାକୁ ଅଫିସରୁ ଫାଇଲ ନେଇ ଆସିଛନ୍ତି ଘରକୁ ।

 

ନିଃଶବ୍ଦରେ ଯାଇ ମୁଁ ତାଙ୍କ ପଛପଟେ ଠିଆ ହେଲି ।

 

ଆଶ୍ଚର୍ଯ୍ୟ ! ସେ ଏକା ଲେଖି ଚାଲିଛନ୍ତି !

 

ଫାଇଲ୍ ନୁହେଁ । ଗୋଟିଏ ଗଳ୍ପ । ଗଳ୍ପର ଶିରୋନାମା ତଳେ ଲେଖକ ନାମ ସ୍ଥଳରେ ତାଙ୍କ ଭଉଣୀଙ୍କ ନାମ । ତେବେ ଭଦ୍ରଲୋକଙ୍କ ଭଉଣୀ କଣ ଲେଖନ୍ତି ନାହିଁ !

 

ମୋ ନିଜ ଅଜଣାତରେ ମୁଁ ହୁଏତ ଅସ୍ପଷ୍ଟ ଭାବରେ ଆର୍ତ୍ତନାଦ କରି ଉଠିଲି । ସେ ପଛକୁ ଚାହିଁ ଭୂତ ଦେଖିଲା ଭଳି ଚମକି ଉଠିଲେ । ଦିନର ସୂର୍ଯ୍ୟାଲୋକ ଓ ଲଣ୍ଠନର ମିଶ୍ରିତ ଆଲୋକରେ ମୁଁ ଦେଖିଲି ତାଙ୍କ ମୁହଁ ମଧ୍ୟ ଝାଳେଇ ଆସିଛି । ସତେ ଯେମିତି ତାଙ୍କର ଏକ କଳଙ୍କିତ ପାପକାର୍ଯ୍ୟ ହଠାତ୍ ଧରା ପଡ଼ି ଯାଇଛି !

 

ସେ ମତେ କିଛି ସମୟ ପରେ ବସିବାକୁ କହି ଦମ୍ ନେଲେ ।

 

ମୁଁ ପଚାରିଲି, ‘ଆପଣ ନିଜ ପ୍ରତିଭାକୁ ନିଜ ଭଉଣୀର ଛଦ୍ମନାମ ତଳେ ଲୁଚାଇ ରଖିଛନ୍ତି କାହିଁକି ?’

 

ନିଜକୁ ସଂଯତ କରି ନେଇ ସେ ନିଜ କାର୍ଯ୍ୟର ଗୋପନ ରହସ୍ୟକୁ ଉଦ୍‍ଘାଟିତ କଲେ ।

 

ସେ ସ୍ୱତନ୍ତ୍ର ଏକ କାହାଣୀ ।

 

ଭଉଣୀଟି ତାଙ୍କର ଅଳ୍ପ ଶିକ୍ଷିତା—ଭାଗବତ ବୋଲି ଜାଣେ । ବିବାହ ପାଇଁ ବରପାତ୍ର ଖୋଜି ଖୋଜି ସେ ନୟାନ୍ତ ହେଲେଣି…ବରପାତ୍ରମାନଙ୍କର ଯେଉଁ ଯୌତୁକ ଦାବି, ତାହା ତୁଲାଇବା ତାଙ୍କ ଭଳି କିରାଣି ଜଣଙ୍କ ପକ୍ଷରେ ଅସମ୍ଭବ ହୋଇପଡ଼ିଛି । ଲେଖିକା ଝିଅକୁ ବିବାହ କରିବା ପାଇଁ କାଳେ କୌଣସି ବରପାତ୍ର କମି ଯୌତୁକ ନେବାର ବଦାନ୍ୟତା ଦେଖାଇବେ, ଏହି ଭରସାରେ ଗତ ତିନିବର୍ଷ ହେଲା ସେ ନିଜ ଭଉଣୀ ନାମରେ ଲେଖି ଆସୁଛନ୍ତି ।

 

ମୁଁ ମଝିରେ ତାଙ୍କୁ ପ୍ରଶ୍ନ କରିଥିଲି, ‘ସୁଲେଖିକାର ସମ୍ମାନ କଣ କିଛି ସାହାର୍ଯ୍ୟ କଲା ?’

 

ବେଦନାର୍ଦ୍ର କଣ୍ଠରେ ସେ କହିଲେ, ‘ସେ ମଧ୍ୟ ବୃଥା ଚେଷ୍ଟା । ତାର ଲେଖା ପତ୍ରିକାରେ ପ୍ରକାଶିତ ହେବା ପରେ ଅନେକ ଉତ୍‍ଶୃଙ୍ଖଳ ଯୁବକ ତା’ ପାଖକୁ ନଗ୍ନ ଭାଷାରେ ପ୍ରେମପତ୍ର ଲେଖିଛନ୍ତି…କିନ୍ତୁ ବିବାହ କରିବା ପାଇଁ କୌଣସି ଯୋଗ୍ୟ ପାତ୍ର ଆଗେଇ ଆସି ନାହନ୍ତି । ’

 

ତାଙ୍କ କଥା ଶୁଣି ମୋ ମନ ଭିତରେ ମଧ୍ୟ ଏକ ଅଜ୍ଞାତ ବେଦନାର ଝଙ୍କାର ଉଠିଲା । ମୋର ମନର ପରାଶକୁ ଅନୁଭବ, କରି ସେ କହିଲେ, ‘ଦୁର୍ଭାଗ୍ୟକୁ ତାକୁ ଏକ ପୁରୁଷ ଜୀବନର ସହଯାତ୍ରିଣୀ କରି ଦେବାପାଇଁ ମୋ ପାଖରେ ଯୌତୁକ ଦେବା ଲାଗି ପାଥେୟ ନାହିଁ । ପୁରୁଷ ଜୀବନର ପ୍ରତିଦ୍ୱନ୍ଦିନୀ ହେବା ପାଇଁ ମଧ୍ୟ ତାର ଶିକ୍ଷାର ଅଭାବ । ସେଥପାଇଁ ଦିନେ ସେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିଲା । ଯୋଗକୁ ସେଦିନ ଅବେଳରେ ମୁଁ ଅଫିସରୁ ଫେରିଥିଲି ବୋଲି ବଞ୍ଚିଗଲା । ’

 

ତାଙ୍କ ଗଳ୍ପର ସେ କାହାଣୀଟି ଓ ମୋର ମନ୍ତବ୍ୟଟି ହଠାତ୍ ମୋର ମନେ ପଡ଼ିଗଲା । ମୁଁ ଅପ୍ରତିଭ ହୋଇ ପଡ଼ିଲି । ସେ ମୋ ହାତରୁ ଆମ ପତ୍ରିକାଟି ନେଇ ଅନେଇଲେ । ତା’ପରେ ନିଜ ଭଉଣୀର ନାମ ଧରି ଡାକି ମୋ ପାଇଁ ପାନ ଆଣିବାକୁ ବରାଦ ଦେଲେ ।

 

‘ପାନ ନେଉଛି’ ବୋଲି ଗୋଟିଏ ନାରୀ କଣ୍ଠର ଉତ୍ତର ଆସିଲା । ଯେଉଁଆଡ଼ୁ ଉତ୍ତର ଆସିଲା, ସେ ଦିଗକୁ ଚାହିଁ ଦେଖିଲି, କୁହୁଳୁଥିବା ଗୋଟିଏ ଚୁଲିକୁ ଝିଅଟିଏ ଫୁଙ୍କି ଫୁଙ୍କି ବ୍ୟସ୍ତ ହୋଇପଡ଼ୁଛି । ବୋଧହୁଏ ଓଦା କାଠ । ଚୁଲି ଜଳୁନି । ଝିଅଟି ବୋଧହୁଏ ସେଇ, ଯାହାଙ୍କ ନାମରେ ଗଳ୍ପଟିଏ ଆମ ପତ୍ରିକାର ସେଇ ସଂଖ୍ୟାରେ ଛପା ହୋଇଛି ।

 

ଗଳ୍ପ ଓ ପତ୍ରିକା ସହିତ ଝିଅଟିର କେତେ କାମ୍ ସମ୍ପର୍କ !

 

ଏ ଘରର ଚୁଲି ଫୁଙ୍କା ଛାଡ଼ି ଆଉ ଗୋଟିଏ ଘରେ ଯାଇ ଚୁଲି ଫୁଙ୍କିବାର ସୌଭାଗ୍ୟ ନପାଇ ଯେଉଁ ଝିଅଟି ଆତ୍ମହତ୍ୟା କରିବାକୁ ଦିନେ ବସିଥିଲା, ତା’ ଉଦ୍ଦେଶ୍ୟରେ ମୋର ମସ୍ତକ ଅବନତ ହୋଇ ଆସୁଥିଲା । ସେଇ ନିଃସହାୟା ନିପିଡ଼ୀତା, ଅବାଞ୍ଛିତା ଅବଳାର ନିଷ୍ପେଷିତ ନାରୀତ୍ୱ ପ୍ରତି ମନେ ମନେ ଶ୍ରଦ୍ଧା ଜଣାଇ ମୁଁ ଚାହିଁଲି, ସେ ଭଦ୍ରଲୋକ ନିଜ ଗଳ୍ପକୁ ମନ ଲଗାଇ ପଢ଼ି ଚାଲିଛନ୍ତି । ନିଜ ଲେଖାଠାରୁ ଲେଖକ ଆଉ କାହାର ଲେଖାକୁ ବେଶି ଭଲ ପାଇ ପାରେ !

 

ମୁଁ କହିଲି, ‘ଆପଣ ନିଜ ଭଉଣୀର ବିବାହ ପରେ ବି ଲେଖା ଅଭ୍ୟାସ ଛାଡ଼ନ୍ତୁ ନାହିଁ । ବେଶ୍ ଲେଖୁଛନ୍ତି ତ ।’

 

ପତ୍ରିକାର ସେହି ସଂଖ୍ୟାର ପ୍ରଥମରେ ଜଣେ ପ୍ରଖ୍ୟାତଯଶା ଗାଳ୍ପିକଙ୍କର ଏକ ଗଳ୍ପ ବାହାରିଥିଲା । ସେଇ ଲେଖକଙ୍କୁ ଲକ୍ଷ୍ୟ କରି ସେ ଲଜ୍ଜା ବିନମ୍ର କଣ୍ଠରେ କହିଲେ, ‘ମୋ ଲେଖା କଣ ତାଙ୍କ ଭଳି ହେଉଛି ?’

 

ମୁଁ କହିଲି, ‘ନ ହେଉଛି ବୋଲି ବ୍ୟସ୍ତ ହେବାର କିଛି ନାହିଁ । ସେ ବର୍ତ୍ତମାନ, ଆପଣ ଭବିଷ୍ୟତ ।’

 

ସେତିକି କହି ମୁଁ ବାହାରକୁ ଚାଲି ଆସିଲି ।

 

ସେ କହିଲେ, ‘ପାନ ନେଲେ ନାହିଁ ଯେ....’

 

ଖାଏ ନାହିଁ ବୋଲି ମୁଣ୍ତ ହଲାଇଲି ।

 

ସେ ଉପରଓଳିର ଖରା ନାଲି ରଙ୍ଗ ଧରି ଆସୁଥିଲା । ପଶ୍ଚିମ ଆକାଶରେ ସୂର୍ଯ୍ୟର ବିଦାୟ ରୋଷଣି ଜଳି ଯାଉଥିଲା ହୁତୁ ହୁତୁ ହୋଇ । ସୀମାନ୍ତ ସୂର୍ଯ୍ୟର ସେହି ରଙ୍ଗ ଭଳି ସେଦିନ ଉପରଓଳିର ସେହି ସ୍ମୃତି ମନରେ ମୋର ରଙ୍ଗିନ୍ ହୋଇ ରହିଯାଇଥିଲା ଆପଣା ଛାଏଁ ।

Image

 

ଏକ ନଦୀ, ବହୁ ଢେଉ

 

ଗୋଧୂଳି ସମାପ୍ତ ହୋଇ ଆସିଥିଲା ।

 

ମୋର କବିତାଟି କିନ୍ତୁ ସେ ପର୍ଯ୍ୟନ୍ତ ସମାପ୍ତ ହୋଇନି । ମହୁମାଛି ଗୁଣୁ ଗୁଣୁ ହେଲାପରି ମୁଁ କବିତାଟିକୁ ଶେଷ କରିବା ପାଇଁ ମନେ ମାନେ ଗୁଣୁ ଗୁଣୁ ହେଉଛି । ପଦଟି ମନକୁ ଆସୁନି । ତିନିଥର ଲେଖି ତିନିଥର କାଟିଲିଣି । ତଥାପି ମନେ ପଡ଼ୁନି ସେ ଧାଡ଼ିଟା.... ।

 

ମନରେ ବିରକ୍ତି ପୁରୀ ଆସିଥିଲା ।

 

ଗୋଧୂଳି ଶେଷ ହେଲା । ଏଇ ସନ୍ଧ୍ୟାର ଅନ୍ଧକାର ଆସୁଛି । ଘରେ ଲଣ୍ଠନ ନାହିଁ । କାଗଜରେ ନିଜେ ଲେଖିଥିବ । ଅକ୍ଷରଗୁଡ଼ିକ ମୁଁ ନିଜେ ମଧ୍ୟ ପଢ଼ିପାରୁନି । ଜାନୁୟାରୀ ପହିଲାର ସାଂଧ୍ୟ ଅନ୍ଧକାର ମୋ ଧଳା କାଗଜଟାକୁ କଳା କରି ଦେଲାଣି ।

 

ଡାକିଲି, —“ଆଶା ଲଣ୍ଠନଟା ଆଣ... ।”

 

ଆଶା ବୋଧ ହୁଏ ସାନ ପୁଅକୁ ଗେଲକରି ଶୁଆଇ ପକାଇବାକୁ ଯାଇଥିଲା । ମୋ କଥା ଶୁଣି ଚାପା କଣ୍ଠରେ ପାଟିକରି ଉଠିଲା, “ଓଃ.....ପିଲାଟାକୁ ଶୁଆଉଛି....କାଇଁକି ଏତେ ଜୋରରେ ପାଟି କରୁଛ । ଉଠିବ ଯଦି ତାକୁ ଶୁଆଇବା ମୁସ୍କିଲ.... ।

 

ଆଶାର ଏ ଉତ୍ତରରେ ମୋର କବିତ୍ଵ ମୟ ପରିବେଶଟା ହଠାତ୍ ଗଦ୍ୟମୟ ହୋଇଉଠିଲା । ଜୀବନ ଜଞ୍ଜାଳର ଏଇ ଗଦ୍ୟମୟ ବାତାବରଣ ଭିତରେ କବିତା ଲେଖିବା ଯେ କି ଦୁର୍ଯୋଗ ସେ କଥା ମୁଁ ଅନେକଥର ନିଜ ତିକ୍ତ ଅନୁଭୂତିର ମୂଲ୍ୟ ଦେଇ ବୁଝିଛି ।

 

ଅଗତ୍ୟା ମତେ ଚୁପ୍ ହୋଇଯିବାକୁ କହିଲା ।

 

କିନ୍ତୁ ଚେୟାର ଛାଡ଼ି ଉଠିବାର ଉପାୟ ନାହିଁ । ଥରେ କବିତା ଲେଖା ଅଧା କରିଦେଲେ ଆଉ କବିତାକୁ ସଂପୂର୍ଣ୍ଣ କରି ହୁଏନାହିଁ..... ।

 

ଆଶାର ତତଲା ନିଶ୍ଵାସ ସେ ନିବିଡ଼ ଅନ୍ଧକାରରେ ମୁଁ ଅନେକ ସମୟ ପରେ ଅନୁଭବ କଲି । ପଚାରିଲି “ଲଣ୍ଠନଟା ନଲଗାଇ ପଛରେ ଆସି ଧ୍ୟାନମଗ୍ନା ଋଷକନ୍ୟା ଭଳି ଠିଆ ହେଲ ଯେ... ।

 

ସେ କହିଲା, “କଣ ଲେଖୁଛ ଶୁଣେ ।”

 

ମୁଁ କହିଲି, “ମୁଁ ଯାହା ଲେଖୁଛି ତାହା ଯଦି ବୁଝିବାର ଶକ୍ତି ତମର ଥାଆନ୍ତା, ତମେ କଣ ଏ ଘରଟାକୁ ଏ ପର୍ଯ୍ୟନ୍ତ ଅନ୍ଧକାରର ହ୍ରଦ ଭିତରେ ବୁଡ଼ାଇ ରଖିଥାନ୍ତ ।”

 

ଏଥର ସେ ହସିଲା । କହିଲା, “ବାବୁ ତେବେ କବିତା ଲେଖିଛନ୍ତି ନାଇଁ ! ହଉ ହେଲା.... ଲଣ୍ଠନ ଆଉ ଆସିପାରିବ ନାଇଁ.... ।”

 

ମୁଁ ବିରକ୍ତି ଭରା କଣ୍ଠରେ ଲଣ୍ଠନ କାହିଁକି ନ ଆସିବ ତାର କୈଫିୟତ୍ ଦାବି କଲି । ସେ ନିର୍ବିକାର ଭାବରେ ଉତ୍ତର ଦେଲା, “ଯେଉଁ କବିତା ଛପାହେଲେ ରୟାଲଟି ବାବଦ ଦୁଇ ପଇସାବି କିରୋସିନି କିଣିବାକୁ ଆସିବ ନାଇଁ, ସେ କବିତା ଲେଖିବାକୁ କିରୋସିନି ଖର୍ଚ୍ଚକରି ଲଣ୍ଠନ ଜଳାଇ ପାରିବି ନାହିଁ....ଯଦି କବିତା ଲେଖିବ ତେବେ ନିରୋଳା ସୂର୍ଯ୍ୟଲୋକରେ ଲେଖ... ।”

 

ସେ ଅନ୍ଧକାର ଭିତରେ ମୁଁ ସଶବ୍ଦରେ ହସିଲି ।

 

ସେ ମତେ ଧମକ ଦେଇ ପାଟିକରି ଉଠିଲା, “ଏ ବୟସରେ ହସଟା ତମକୁ ଆଉ ମାନେ ନାହିଁ ବୋଲି କ’ଣ ମୁଁ ତୁଣ୍ଡ ଖୋଲି କହିବା ଦରକାର ହେବ ଉପନ୍ୟାସ କି ପାଠ୍ୟ ପୁସ୍ତକ ନଲେଖି ଏ କବିତା–ଭୂତ ତମ ମୁଣ୍ଡରେ ଚାପୁଛି କାହିଁକି ଯେ !”

 

ଆଶାର ଏ ଯୁକ୍ତ ପରେ ତା’ ଉପରେ ଆଉ ବିରକ୍ତ ନ ହୋଇ ମୋର ତା’ ପ୍ରତି ଅନୁକମ୍ପା ଆସିଲା । ଜୀବନ ଯୁଦ୍ଧରେ ମୋର ଏଇ କ୍ଲାନ୍ତ ସହଯାତ୍ରିଣୀ ସନ୍ତାନର ଜନନୀଟି ପ୍ରତି ମୋର ଏଭଳି ଅନୁକମ୍ପା ଆଦୌ ନୂଆ ନୁହେଁ । ଅନ୍ଧାରରେ ଅଣ୍ଡାଳି ତାର ଗୋଟିଏ ହାତ ଉପରେ ମୋର ହାତ ରଖି ମୁଁ କହିଲି, “ତମେ ଜାଣ ଆଶା, ମୋ ସାହିତ୍ୟକ ଜୀବନରେ ଏ କବିତା ମୋର କେଡ଼େ ପ୍ରିୟ ! ପ୍ରଥମେ କବିତା ଲେଖାରୁ ହଁ ମୁଁ ମୋ ସାହିତ୍ୟର ଅ’ ଆ’ ଆରମ୍ଭ କରିଥିଲି..... । ଉପନ୍ୟାସ, ଗଳ୍ପ ଏବଂ ପାଠ୍ୟପୁସ୍ତକର ବ୍ୟଞ୍ଜନବର୍ଣ୍ଣ ଭିତରେ କବିତା ଲେଖାର ସ୍ୱରବର୍ଣ୍ଣ ମୋର ବାଟ ହଜାଇଛି ସତ, ହେଲେ ତମର ‘ଲଲୁ’ ଭଳି ଆଜିବି ମୋର ଏ କବିତା ଏକାନ୍ତ ଭାବରେ ପ୍ରିୟ....ଲାଲୁ ଭୁଙ୍ଗା ହେଲା ବୋଲି.....”

 

ଆଶାର ପ୍ରଥମ ସନ୍ତାନ ଲାଲୁ ସହିତ ମୋ କବିତାକୁ ତୁଳନା କରି ମୁଁ ଯେଉଁ ଉପମା ଦେଲି, ଆଶା ପକ୍ଷରେ ତାହା ଏକାବେଳକେ ଅସହ୍ୟ ହୋଇଉଠିଲା । ସେ ଉଚ୍ଚ କଣ୍ଠରେ ପ୍ରତିବାଦ କରି ଉଠିଲା, ଲାଲୁ ମତେ ବୋଉ ବୋଲି ଡାକୁନି ବୋଲି ତମେ ମତେ ଏମିତି ଅପମାନିତ କରିବ.... ?”

 

ଆଶାର କଣ୍ଠରେ କ୍ରନ୍ଦନର ଏକ ଝଙ୍କାର ! ମୁଁ ବୁଝିଲି ଲାଲୁ ପ୍ରସଙ୍ଗକୁ ଏହା ଭିତରକୁ ଆଣି ମୁଁ ଠିକ୍ କରି ନାହିଁ । ଆମ ମଧୁମୟ ଦାମ୍ପତ୍ୟ ଜୀବନରେ ଲାଲୁ ଏକ ଆକସିଡ଼େଣ୍ଟ...ଆଶର ମଧୁସ୍ରାବୀ ମାତୃତ୍ୱ ପାଇଁ ସେ ଏକ ଟ୍ରାଜେଡ଼ି.... । ସାତବର୍ଷ ତଳେ ଆମ ଦାମ୍ପତ୍ୟ ଜୀବନର ମିଳନ ସ୍ଵାକ୍ଷରକୁ ନିଜ ରକ୍ତରେ ବହନ କରି ଲାଲୁ ଆସିଥିଲା ଆମ ପରିବାରକୁ ଆନନ୍ଦ ମୁଖରିତ କରି । କିନ୍ତୁ ଏଥିଭିତରେ ସାତଟି ବର୍ଷ ବିତି ଯାଇଥିଲେ ସୁଦ୍ଧା ତାର ପାଟି ଫିଟିନି । ସବୁ ଡାକ୍ତରୀ ଚିକିତ୍ସା ବ୍ୟର୍ଥ ହୋଇଛି....ଲାଲୁ ପାଟି ପିଟାଇ ଆଶାକୁ ବୋଉ ବୋଲି ଡାକିନି । ଏଥିଭିତରେ ସାନ ପୁଅଟି କଥା କହିଲାଣି । କିନ୍ତୁ ଲାଲୁ.... ।

 

ଆମ ଦୁଇଜଣଙ୍କ କଣ୍ଠରେ କଥା ନଥିଲା ବହୁ ସମୟ ପର୍ଯ୍ୟନ୍ତ ।

 

ମୁଁ ମୋର କରି ପକାଇଥିବା ଭୁଲ୍‍ ପାଇଁ ଅନୁତାପ କରୁଥିଲି । ସେ ମୋ କଥାର ଆଘାତରେ ଆହତ ହୋଇ ଆଖିରୁ ଲୁଗାକାନିରେ ଲୁହ ପୋଛୁଥିଲା ।

 

ଦୁଆର ମୁହଁରୁ ଡାକ ଶୁଭିଲା, “ଆଶା ଅପା ନାହୁଁ କିଲୋ ! ଘରଟା ଅନ୍ଧାର ହୋଇଛି ଯେ ?”

 

ଆମ ଆର ଘର ପଡ଼ୋଶୀ କଣ୍ଟ୍ରାକ୍‍ଟର ରଘୁନାଥ ବାବୁଙ୍କ ସ୍ତ୍ରୀ ଲତାର ଏ କଣ୍ଠସ୍ଵର । ଆଶା ଅପସରିଗଲା । କବିତା ଲେଖା ବନ୍ଦ କରି ମୁଁ ବି ଉଠିବସିଲି ।

 

ଘରେ ଆଲୁଅ ଜଳିଲା ।

 

ସେଇ ଆଲୁଅରେ ମୁଁ ଦେଖିଲି କଣ୍ଟ୍ରାକ୍ଟର ରଘୁନାଥ ବାବୁଙ୍କ ସ୍ତ୍ରୀ ଲତା, ଆଶା ସହିତ କଣ କଥାବାର୍ତ୍ତା ହେଉଛି । କୋଡ଼ିଏ, ବାଇଶି ବର୍ଷର ତରୁଣୀ ବଧୂଟି ଲତା । ରଘୁନାଥ ବାବୁ ପ୍ରଥମଶ୍ରେଣୀର କଣ୍ଟ୍ରାକ୍ଟର । ଗୋଟିଏ ସୁଖୀ ଦମ୍ପତି । ବେଶ୍ ଭଦ୍ର, ସ୍ନେହୀ ପରିବାର । ଆଭିଜାତ୍ୟର କଳଙ୍କ ନାହିଁ ସେଠାରେ ଗର୍ବ ଅହଂକାର ଏ ଝିଅଟିକୁ ଆଦୌ ସ୍ପର୍ଶ କରିପାରି ନାହିଁ ।

 

ଲତା ବହୁ ସମୟରେ ଆସେ ଆମ ଘରକୁ । ମୋ ଲେଖାର ଆଲୋଚନା କରେ । ପ୍ରଶଂସା କରେ । ମନ୍ତବ୍ୟ ଦିଏ । କହେ, “ଆପଣ ଏତେ ବେଶୀ ଲେଖୁଛନ୍ତି, ଅଥଚ ଏତେ ଭଲ ଲେଖୁଛନ୍ତି ।”

 

ଲତାର ଏ ସାହିତ୍ୟ ପ୍ରେମ ଉପରେ ଆଶା ମନ୍ତବ୍ୟ କରେ” ବଡ଼ଲୋକ ଘରର ଝିଅ ବୋହୂମାନେ ସାହିତ୍ୟ ଆଲୋଚନା କରିବା ଭିତରେ କିଛି ଆନ୍ତରିକତା ନଥାଏ । ଟେବୁଲ ଉପରେ ଫୁଲଦାନୀ ରଖିବା ଭଳି ପ୍ରଚୁର ଅର୍ଥ ଉପାର୍ଜନର ଚିନ୍ତା ଭିତରେ ସାହିତ୍ୟ ପ୍ରେମ ସେମାନଙ୍କର ଏକ ଫେସନ୍ । ସାହିତ୍ୟପାଠ ସେମାନଙ୍କର ଏକ ଭ୍ୟାନିଟି । ଦେଖୁନଥିଲ ଆମ ଘରେ ମୁଁ ତମ ଲେଖାର କେମିତି.... ।”

 

ଏତିକି କହିଲାବେଳେ ଆଶାର କାନମୁଣ୍ଡା ଆରକ୍ତ ହୋଇଉଠେ । ଏଇ କଥାଟି ହେଉଛି ତା ବୈବାହିକ ଜୀବନର ସିକ୍ରେଟ୍; ରହସ୍ୟ । କଥା କହୁ କହୁ ସେ ରହସ୍ୟଟି ସେ ନିଜେ ଉଦ୍‍ଘାଟିତ କରି ପକାଇଛି ବୋଲି ଲାଜେଇଯାଏ ।

 

ଲତା ଥିଲା ଗରିବ ଘରର ଝିଅ । ବଡ଼ଲୋକ ସ୍ୱାମୀକୁ ବିବାହ କରି ସେ ବଡ଼ଲୋକ ହେଇଛି । ଆଶା ବଡ଼ଲୋକର ଝିଅ ଥିଲା । ମୋ ଭଳି ଗରିବ ସାହିତ୍ୟିକକୁ ବିବାହ କରି ସେ ଗରିବ ଘରକୁ ହୋଇଛି । ବଡ଼ଲୋକର ଝିଅ ହୋଇଥିଲା ବେଳେ ଆଶା ଥରେ ମୋ ସାହିତ୍ୟର ପ୍ରେମରେ ପଡ଼ିଥିଲା । ସେହି ପ୍ରେମରୁ ହିଁ ଆମର ବିବାହ... ।

 

ମୁଁ ଭାବୁଥିଲି ।

 

ଆଶା କହିଲା “ଏଇ ଶୁଣ ! ଲତା ତମର ସେ ଉପନ୍ୟାସର ପ୍ରଶଂସା କରୁଛି । କୁଆଡ଼େ ସେ ବହିଟା କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇବା ଉଚିତ... ।”

 

କଥାଟି କହି ସାରି ଆଶା ହସିଲା । ମୁଁ ବି ହସିଲି । ଲତା କିନ୍ତୁ ତା ମନ୍ତବ୍ୟ ଉପରେ ଦୃଢ଼, ସ୍ଥିର ।

 

ଲତା ଗଲା ପରେ ଆଶା ମୋ ପାଖରେ ଆସି ଗେହ୍ଲେଇ ହୋଇ କହିଲା, “ସେ ବହିଟା ସତରେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇବ... !”

 

ଆଶାର ହାସ୍ୟ-ଉଜ୍ଜ୍ୱଳ ମୁହଁରୁ ନାକଟିକୁ ହଲାଇ ଦେଇ ମୁଁ କହିଲି, “ଭଲ ଲେଖା କେବଳ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇବାର ମାପକାଠି ନୁହେଁ । ସେଥିପାଇଁ ଅନ୍ୟ ଯୋଗ୍ୟତା ଲୋଡ଼ା ।”

 

ଆଶାର ମୁହଁ ପୁଣି ମେଘ ମେଦୁରିତ ହୋଇଉଠିଲା ।

 

ସେଦିନ ସେ ଏକ ସ୍ୱର୍ଣ୍ଣ ଅପରାହ୍ନ । ନାତିଶୀତୋଷ୍ଣ ସୁନେଲି ଖରା ମୋ’ ଟେବୁଲ୍ ଉପରେ ଝଲମଲ ହେଉଥାଏ । ନିବିଷ୍ଟ ମନରେ ମୁଁ ଲେଖି ଚାଲିଥାଏ ମୁଁହ ତଳକୁ କରି ।

 

ବହି ସବ୍‍ମିସନ୍‍ର ଶେଷ ତାରିଖ ଆସନ୍ନ ହୋଇ ଆସୁଛି । ମୋ’ ପ୍ରକାଶକଙ୍କ ବହି ଦୋକାନ, ପ୍ରେସ୍ ସବୁଆଡ଼େ ତୁମୂଳ ବ୍ୟସ୍ତତା । ମୋ ବହିର ଚତୁର୍ଥ ଫର୍ମାପ୍ରୁଫ୍ ଆସିଯାଇଛି । ବହିଟି ପାଞ୍ଚ ଫର୍ମା ହେବାର କଥା । ଚାରିଫର୍ମାର ପ୍ରୁଫରେ ମୋ ପାଣ୍ଡୁ ଲିପି ଶେଷ ହୋଇଆସିଛି । ପ୍ରକାଶକ ଆଶଙ୍କା ପ୍ରକାଶ କରିଛନ୍ତି, ହୁଏତ ମୋ ପାଣ୍ଡୁଲିପି ପାଞ୍ଚ ଫର୍ମା ହେବନାହିଁ । ସେଥିପାଇଁ ଆଉ କିଛି ପାଠ ଆଗତୁରା ଲେଖା ହୋଇଥିବା ଦରକାର ।

 

ବହିଟି ଚତୁର୍ଥ, ପଞ୍ଚମ ଶ୍ରେଣୀର ପିଲାଙ୍କ ପାଇଁ ଲେଖ ।

 

ସେମାନଙ୍କ ପାଇଁ ଯେଉଁ ବହି ଲେଖାହେବା ତାର ଭାଷା, ବାକ୍ୟ-ଗଠନ ଶିଶୁସୁଲଭ ହେବା ଦରକାର । ବିଷୟବସ୍ତୁ ନିଜ ଇଚ୍ଛାନୁସାରେ ଲେଖିଲେ ହେବ ନାହିଁ । ସେଥିପାଇଁ ଶିକ୍ଷା ବିଭାଗର ସ୍ଵତନ୍ତ୍ର ପାଠ୍ୟ-ଖସଡ଼ା ରହିଛି ।

 

ମୁଁ କଣ ଲେଖିବି, ନିଜେ ଜାଣେନା । ମୁଁ ଯାହା ଲେଖିଯାଣେ ତାହା ପ୍ରକାଶକଙ୍କର ଦରକାର ନାହିଁ । କି ଅସୁବିଧା !

 

ମୋ ପାଣ୍ଡୁଲିପିରେ କାହାର ଛାଇ ପଡ଼ିଲା ।

 

ପଛକୁ ଚାହିଁ ଦେଖିଲି, ଆଶା ପାଖରେ ଲତା ଠିଆ ହୋଇଛି । ମୋତେ ଦେଖି ଲତା ପ୍ରଶ୍ନକଲା—“ଆଶା ଅପାଠୁଁ ଶୁଣି, ଆପଣ ପାଠ୍ୟପୁସ୍ତକ ଲେଖୁଛନ୍ତି ?”

 

ଲତା ମୁହଁରେ ଏକ ଶଙ୍କିତଭାବ, ଯେଉଁଥିରୁ ଜଣା ପଡ଼ୁଥିଲା ସତେ ଯେମିତି ପାଠ୍ୟପୁସ୍ତକ ଲେଖି ମୁଁ ଗୋହତ୍ୟ । ପାପ କରିଛି !

 

ଲତାକୁ ମୁଁ ସାଙ୍ଗେ ସାଙ୍ଗେ ଉତ୍ତର ଦେଲି—“ବଜାରରେ ଅପାଠ୍ୟ ପୁସ୍ତକ ଏତେ ବେଶୀ ଜମା ହୋଇଗଲାଣି ଯେ, ବେଳେ ବେଳେ ପାଠ୍ୟପୁସ୍ତକ ଲେଖିବା ନିହାତି ଦରକାର ମନେ ହେଉଛି.....,

 

ମୋ ଲଘୁ ପରିହାସରେ ଲତା ସାମାନ୍ୟ ବିଚଳିତ ହୋଇପଡ଼ିଲା । ତା’ପରେ ନିଜକୁ ସମ୍ଭାଳି ନେଇ ସେ କହିଲା, “ଆପଣ ଯାହା ଯୁକ୍ତି ଦିଅନ୍ତୁ ପଛେ, ପାଠ୍ୟପୁସ୍ତକ ଲେଖିବା ଆପଣଙ୍କ ପକ୍ଷେ ନିଃସନ୍ଦେହରେ ଶକ୍ତିର ଅପଚୟ । କାଲି ଆପଣଙ୍କର ସେ କାହାଣୀଟା ପଢ଼ୁଥିଲି, କି ଚମତ୍କାର ହୋଇଛି ! କାହାଣୀଟା ପଢ଼ି ସାରିବାର ଦଶ ମିନିଟ୍ ପରେବି ମୁଁ ପ୍ରକୃତିସ୍ଥ ହୋଇ ପାରି ନ ଥିଲି ।”

 

ମୁଁ କିଛି କହିବା ପୂର୍ବରୁ ଆଶା ଲତାକୁ ଉତ୍ତର ଦେଲା । କହିଲା, “ଓଃ, ଯେଉଁ ଗଳ୍ପତ ! ପାରିତୋଷିକ ଆସିଥିଲା ମୋଟେ ପନ୍ଦର ଟଙ୍କା....ସାନ ପୁଅର ମଧ୍ୟ ମାସିକିଆ ଦୁଧବାଲା ପାଉଣଟାବି ତୁଟାଇ ହେଲାନାହିଁ । ଏମିତି ଗପ ଲେଖି କ’ଣ ଲାଭ ଯେ... ।”

 

ଦୁଇଜଣଙ୍କ କଥା ଶୁଣି ମୁଁ ମଝିରେ କେବଳ ହସିଲି ।

 

ଲତା ଅନୁନ୍ଵୟ କଲାଭଳି କହିଲା, “ଆପଣ ଏ ମାସରେ ନିଶ୍ଚୟ ଗୋଟିଏ ଗଳ୍ପ କୌଣସି ପତ୍ରିକାରେ ଲେଖନ୍ତୁ...ଯେମିତି ହେଲେ... ।”

 

ପାଠ୍ୟ ପୁସ୍ତକ ଲେଖିବାରେ ବ୍ୟାଘାତ ସୃଷ୍ଟି ନ କରିବାକୁ ଆଶାଲତାକୁ ଟାଣି ଟାଣି ଅନ୍ୟଆଡ଼େ ନେଇଗଲା । କିନ୍ତୁ ସେ କଥାବାର୍ତ୍ତା ଭିତରେ ଏପରି ମୁଁ ଅପ୍ରକୃତିସ୍ଥ ହୋଇପଡ଼ିଲି ଯେ ପାଠ୍ୟପୁସ୍ତକ ଲେଖିବା ଆଉ ସମ୍ଭବ କ’ଣ ହେଲା ନାହିଁ ।

 

କିଛି ସମୟ ପରେ ଆଶା ଏକୁଟିଆ ଫେରି ଆସିଲା । ତା ମୁହଁର ଢଙ୍ଗଢାଙ୍ଗରୁ ମୁଁ ଅନୁମାନ କରୁଥିଲି ଯେ ସେ କିଛି କହିବ ବୋଲି ଆସୁଛି ।

 

ମୋ ଅନୁମାନ ସତ୍ୟ ହେଲା ।

 

ସେ କହିଲା, ‘ହଁ, ମୋର ମନେ ନାହିଁ । ଘର ଭଡ଼ାବାଲା ଅନେକଥର ଆସି ଫେରିଲାଣି-। ତାକୁ ଏ ମାସରେ ପନ୍ଦରଟି ଟଙ୍କା ନଦେଲେ ହେବ ନାହିଁ । ତୁମେ ଏମାସରେ ଗୋଟାଏ ଗଳ୍ପ ଲେଖି କେଉଁ ପତ୍ରିକାକୁ ହେଲେ ଦିଅ । ଟଙ୍କା କିଛି ପାରିତୋଷିକ ମିଳିଯିବ-। ଏ ପାଠ୍ୟପୁସ୍ତକ ଲେଖୁଛ...ସେ ମଞ୍ଜୁର ହେବ... ବିକ୍ରି ହେବ....ପ୍ରକାଶକ ଟଙ୍କା ଦେବେ.....ଆସିବ.....ଏ ଆକାଶ କଇଁଆ, ଚିଲିକା ମାଛ !”

 

ଆଶା ଗଳ୍ପ ଲେଖିବାକୁ କହୁଛି ।

 

ଲତା ମଧ୍ୟ କହୁଥିଲା ।

 

ଦୁଇଜଣଯାକ ମୋର ଗଳ୍ପ ଚାହାନ୍ତି । ମନ ନିକିତିରେ ମୁଁ ଦୁହିଁଙ୍କୁ ତଉଲୁଥିଲି । ଜଣେ ମୋର ଲେଖା ପାଇଁ ପାଗଳିନୀ—ମୋ ଗଳ୍ପ ପଢ଼ି ସେ ଅପ୍ରକୃତିସ୍ଥ ହୋଇପଡ଼ୁଛି । ଆଉଜଣେ ମୋ ଗଳ୍ପର ପାରିତୋଷିକ ପାଇଁ ବ୍ୟଗ୍ର....ସେ ଟଙ୍କାରେ ଘରଭଡ଼ା ଦେବାପାଇଁ ବ୍ୟସ୍ତ ! ଜଣେ ମୋ ଗୃହର ଗୃହିଣୀ....ଆଉ ଜଣେ ମୋର ଅପାଠ୍ୟ ଗଳ୍ପର ପାଠିକା !

 

ଆଶା କହିଲା, “କଣ ମନେ ରହିଲା ! ଗଳ୍ପ ଲେଖିବ ?”

 

କହିଲି, “ଲତା ବି ତା କହିଛି ।”

 

ଲତା ନାମ ଶୁଣି ଆଶା ବିଶେଷ ଖୁସି ହେଲା ଭଳି ଜଣା ପଡ଼ିଲା ନାହିଁ । କହିଲା, “ଏବେ ତ ଲତା ତମ କଥା ବାରମ୍ବାର କହୁଚି....ନାଇଁ !”

 

ମୁଁ ହସି ବି ହସି ପାରିଲି ନାହିଁ ।

 

ଆଶା ଅଭିମାନ କରିଚି ।

 

ଏଭଳି ଅଭିମାନ ତାର ନୂଆ ନୁହେଁ । ଅନେକ ସମୟରେ ଆମ ଦାମ୍ପତ୍ୟ ଜୀବନର ସ୍ଥିର ସମୁଦ୍ର ପାଣି ଚହଲେ....ଢେଉ ଉଠେ....ସେ ଢେଉ ଆମ ପାରିବାରିକ ଜୀବନର ବେଳାଭୂମିକୁ ଛୁଇଁଯାଏ..... ।

 

ଆଶାର ଅନେକ ଦିନର ଦାବି, ଲାଲୁର ମାନସିକ ଚିକିତ୍ସା ପାଇଁ ତାକୁ କୌଣସି ଏକ ମେଣ୍ଟାଲ୍ହସ୍ପିଟାଲ୍ ନେବାକୁ ହେବ । ସାତ ପୂରି ତାକୁ ଆଠ ଚାଲିଲାଣି । କେଉଁ ଦିନ ସେ ଆଉ କଥା କହିବ !

 

କିନ୍ତୁ ସେଥିପାଇଁ ଟଙ୍କା !

 

ଟଙ୍କା କଥା ଶୁଣି ଆଶା ସେଦିନ ଚିତ୍କାର କରି ଉଠିଲା, “ଟଙ୍କା ! ଟଙ୍କା ରୋଜଗାର ପାଇଁ ତମର ଇଚ୍ଛା ଅଛି ? ପ୍ରକାଶକ ସେ ଦିନୁ ତିନିଖଣ୍ଡ ଉପନ୍ୟାସ ଲେଖିବାକୁ ଲଗାଇଛନ୍ତି । ଏଇ ସଦାଶିବ ବାବୁ ଡିଟେକ୍‍ଟିଭ୍ ସିରିଜ୍ ଲେଖି କଟକରେ ଖଣ୍ଡେ କୋଠା ତୋଳିଲେଣି...ତମ ସାଙ୍ଗରେ ମୁଁ ସେଦିନୁ ଲାଗିଛି... ତମେ ସେଥିରେ ମନ ଦେଲେ... !”

 

ଆଶାର ସେ ଯୁକ୍ତି ମୋ ପକ୍ଷରେ ସେଦିନ ଭାରି ଅସହ୍ୟ ହେଲା । ଟଙ୍କା ପାଇଁ ଆଜିର ଏ ସାହିତ୍ୟିକ ସୁଖ୍ୟାତି ପରେ ମୁଁ ଚୋର, ପୋଲିସ, ପିସ୍ତଲ ବିଷୟରେ ଡିଟେକ୍‍ଟିଭ୍ ଲେଖିବି, ଏକଥା ଚିନ୍ତା କଲାବେଳକୁ ମୋର ଋଚିକୁ ବାଧୁଥିଲା ।

 

ମୁଁ କହିଲି, “ତମେ ମୋର ସାହିତ୍ୟକୁ ସବୁବେଳେ ଟଙ୍କା ପଇସାରେ ମାପିବ, ଏକଥା ମୁଁ ସହି ପାରିବି ନାହିଁ... !”

 

ଉତ୍ତର ଦେବାରେ ବିଳମ୍ବ ନକରି ଆଶା କହିଲା, “ଦିନେ ତମର ଏ ସାହିତ୍ୟକୁ ମୁଁ ଆମ ବିବାହର ମାପକାଠି ରୂପେ ଧରିଥିଲି । ସେଦିନ ସେକଥା ତମର ବେଶ ସହ୍ୟ ହୋଇଥିଲା ତ ! ଏହି ସାହିତ୍ୟ ଲେଖାକୁ ଛାଡ଼ିଦେଲେ ତମର ଆଉ କି ସମ୍ପତ୍ତି ଅଛି ଯେ... ?

 

ଆଶାର ଏ ଯୁକ୍ତି ଅତି ନିର୍ମମ ଭାବରେ ସତ୍ୟ, ହେଲେ ମୁଁ ସେଥିରେ ନିଜକୁ ଖୁବ୍ ଅପମାନିତ ମନେ କଲି । ସେଦିନ ଆଉ ତାକୁ ପାଟି ଫିଟାଇବାକୁ ମୋର ପ୍ରବୃତି ହେଲା ନାହିଁ ।

 

ରାତିରେ ମୋର ଦୁଇଟି ସନ୍ତାନର ଜନନୀ ଶୋଇବା ଘରକୁ ଗଲେ । ଅଭିମାନରେ । ସେଦିନ ଗୋଟିଏ ଅଧାଲେଖା ଗଳ୍ପକୁ ମୋର ଶେଷ କରିବାର ଥିଲା । ତେଣୁ ଆଶାର ମାନଭଞ୍ଜନ କରିବାକୁ ଆଉ ମୁଁ ଶୋଇବା ଘରକୁ ଗଲି ନାହିଁ । ବାହାରପଟ ଅପେକ୍ଷା ଗୃହରେ ଥୁଆ ହୋଇଥିବା ଦୁଇଟି ଟେବୁଲକୁ ଯୋଡ଼ି ମୋର ଶଯ୍ୟା ରଚନା କରିନେଲି ।

 

ଗଳ୍ପଟି ଶେଷ କରି ଶୋଇବାକୁ ଗଲାବେଳକୁ କଣ୍ଟ୍ରାକ୍ଟର ରଘୁନାଥବାବୁଙ୍କ ଦ୍ୱାରମୁହଁ ଫାଟକ ମଧ୍ୟ ଖୋଲାଥିଲା... ।

 

ବାହାର କବାଟରେ ଠକ୍ ଠକ୍ ଶବ୍ଦ । ଅନବରତ ।

 

ସମୟ ମଧ୍ୟ ରାତ୍ରି ।

 

ମୋର ନିଦ ଭାଙ୍ଗିଗଲା । ଏତେ ରାତିରେ କିଏ ଡାକୁଛି ବୋଲି ଜାଣିବା ପାଇଁ ମୁଁ କବାଟ ଖୋଲି ଦେଲି ।

 

ବାହାରେ ମାଧବୀ ଜ୍ୟୋତ୍ସ୍ନାର ଜୁଆର ଜାଗିଚି ।

 

ହାତରେ ଗୋଟାଏ ପତ୍ରିକା ଧରି ମୋ’ ଦ୍ୱାରମୁହଁ କବାଟ ପାଖରେ ଠିଆ ହୋଇଛି ଲତା...ନିର୍ବାକ୍ ଭାବରେ ।

 

ମୁଁ ପଚାରିଲି, “ଏତେ ରାତିରେ...ତମେ ! ଆଶାଠିଁ...କିଛି ଜରୁରୀ ଦରକାର ଅଛି ?”

 

ସେ ସଂକ୍ଷେପରେ କହିଲା “ଦରକାର ଆପଣଙ୍କଠି... ।”

 

ମୁଁ କେବଳ ଅବାକ୍ ହେଲି । ସେ ପତ୍ରିକାର କେତୋଟି ପୃଷ୍ଠା ଖୋଲି ଗୋଟିଏ ଲେଖା ତଳେ ଆଙ୍ଗୁଠି ରଖିଲା । ଦେଖିଲି, ଲେଖାତଳେ ମୋର ନାମ । ସମ୍ଭବତଃ ମୋରି ଲେଖା ଗୋଟିଏ ଗଳ୍ପ । ମୁଁ ପଚାରିଲି, “କଣ ହୋଇଛି ?”

 

ସେ କହିଲା— “ଧନର ପ୍ରାଚୁର୍ଯ୍ୟ ହିଁ ପାରିବାରିକ ଜୀବନରେ ଶାନ୍ତି ଆଣି ଦିଏ—ଏକଥା ଆପଣଙ୍କ ଭଳି ପ୍ରତିଷ୍ଠିତ ଲେଖକ ଲେଖି ପାରିଲା କିପରି ?”

 

ମୁଁ ସେ ଗଳ୍ପଟିର କଥାବସ୍ତୁକୁ ମନେ ପକାଇବାକୁ ଚେଷ୍ଟା କଲି ।

 

ଲତା ମୁହଁରେ ଅସଂଖ୍ୟ ପ୍ରଶ୍ନବାଚକ । ସତେ ଯେପରି ସେଇ ଲେଖା ମୋର ସମଗ୍ର ସାହିତ୍ୟିକ ପ୍ରତିଭା ପ୍ରତି ତା’ ମନରେ ସନ୍ଦେହ ଆଣି ଦେଇଛି !

 

“ମୁଁ କହିଲି ସେ କଥା କାଲି ସକାଳୁ ତମେ ଆଶା ପାଖରୁ ପଚାରି ନେବ । ଏତେ ରାତିରେ ଏଇଥି ପାଇଁ ଆସିଲ ? ରଘୁନାଥ ବାବୁଙ୍କୁ ପଚାରିଥିଲେ ସେ କହି ଦେଇ ଥାଆନ୍ତେ ତ !”

 

ରଘୁନାଥ ବାବୁଙ୍କ ନାମ ଶୁଣି ଲତା ମୁହଁ ବେଦନାତୁର ହୋଇଉଠିଲା । ସେ କହିଲା, “ଦୁର୍ଭାଗ୍ୟକୁ ସେ ଆଜି ନ ଥିଲେ ।”

 

ମୁଁ ବିସ୍ମୟରେ ପଚାରିଲି, “ସେ ନାହାନ୍ତି ମାନେ ?”

 

ଲତା କହିଲା, “ଅଛନ୍ତି ଅବଶ୍ୟ । କେଉଁ କ୍ଲବରେ ରହି ଯାଇଥିବେ ହୁଏତ ...ରାତିରେ ସେ ଫେରନ୍ତି ନାହିଁ ଏବେ ।”

 

ଲତାର କଥା ଭିତରେ ବ୍ୟଥାର ଯେଉଁ ନିର୍ଯ୍ୟାସ ମିଶି ରହିଥିଲା ତାହା ମୋ ମନକୁ ବେଦନାର୍ଦ୍ର କରିଦେଲା । ମୋ ଲେଖାର ସେ ଧାଡ଼ିଟି ତା’ ମନର କ୍ଷତକୁ ଯେ ବେଶୀ ରକ୍ତାକ୍ତ କରି ଦେଇଛି, ତାହା ବୁଝିବାକୁ ମୋର ବାକି ରହିଲା ନାହିଁ ।

 

ମୁଁ ଲତା କୁ କହି, “ତଥାପି ଏତେ ରାତିରେ ଏମିତି ଏଠିକି ଆସିବା ଅନ୍ୟାୟ ହୋଇଚି–ଯଦିଓ ଆମ ଦୁଇ ପରିବାରର ବ୍ୟବଧାନ ବଡ଼ ସଂକୁଚିତ ହୋଇଯାଇଛି ଏଥି ଭିତରେ ।”

 

ଲତା ହଠାତ୍ ତାର ଭୁଲ ବୁଝି ପାରିଲା ବୋଧହୁଏ । ମୋ ପାଖରୁ ଏକ ଅଶରୀରୀ ରାତ୍ରିଚରୀ ଭଳି ଏକମୁହାଁ ହୋଇ ତାଙ୍କ ଫାଟକ ଆଡ଼େ ଚାଲିଗଲା । ତାର ପଦ ଶବ୍ଦରେ ସେ ଜ୍ୟୋସ୍ନୟିତ ରାତ୍ରୀ ନୀରବତା ଭାଙ୍ଗି ହଠାତ୍ ଶବ୍ଦାୟିତ ହୋଇଉଠିଲା ।

 

ଲତା ଚାଲିଯିବା ପରେ କବାଟ ଦେଇ ମୁଁ ଭିତରକୁ ଆସି ଦେଖିଲି ଆର ଦ୍ଵାରମୁହଁ ପାଖରେ ଆଶା ନିଶବ୍ଦରେ ଠିଆ ହୋଇଛି । ମତେ ଦେଖି ସେ ହଠାତ୍ ପ୍ରଶ୍ନକଲା, “କିଏ ଆସିଥିଲା ତମ ପାଖକୁ ଏତେ ରାତିରେ ?”

 

ମୁଁ ନିର୍ଲିପ୍ତ ଭାବରେ କହିଲି, “ଲତା ।”

 

ସେ ବଡ଼ ହୁଁ ଟାଏ ମାରି କହିଲା, “ତା ମୁଁ ଜାଣେ—କାହିଁକି ଆସିଥିଲା କୁହ !”

 

ମୁଁ କହିଲି, “ତମେ ଯଦି ସବୁକଥା ଜାଣୁଥାନ୍ତ ତେବେ ମତେ ଏକଥା ପ୍ରଶ୍ନ କରନ୍ତ ନାହିଁ-। ଲତା ଏଠାକୁ କାହିଁକି ଆସିଥିଲା ସେ କଥା ସେ କାଲି ତମକୁ ଆସି କହିବ । ଯାଅ ଶୋଇବ, ରାତି ଅନେକ ହେଲାଣି ।”

 

ଆଶା ତା’ ଠିଆହେବା ସ୍ଥାନରୁ ଟିକିଏ ହେଲେ ଘୁଞ୍ଚିଲା ନାହିଁ । ମୋର ଏଠି ଏକୁଟିଆ ଶୋଇବା ଏବଂ ଲତା ଏତେ ରାତିରେ ଏକୁଟିଆ ଆସିବ ଭିତରେ କିଛି ସନ୍ଦେହଜନକ ଯୋଗସୂତ୍ର ଅଛି କି ନାହିଁ, ସେ ବୋଧହୁଏ ତା’ ଭାବି ଦେଖୁଥିଲା । କେତେବେଳକେ ସେ ତା’ ନିଜ ଆଡ଼ୁ କହିଲା, “ତମେ ଆଉ ଏଠି ଶୋଇବା ଦରକାର ନାହିଁ । ସେ ଘରକୁ ଚାଲ । ଲାଲୁ, ବୁଲୁ, ଶୋଇଲା ପରେ ବି ତମେ ଶୋଇବାକୁ ସେ ଘରେ ଯଥେଷ୍ଟ ସ୍ଥାନ ଅଛି ।”

 

ମୁଁ ଆଖିରେ ଏକ ନୂତନ ବିସ୍ମୟ ଭରି ତା’ ଆଡ଼େ ଚାହିଁଲି । ବିବାହ ବେଳର ଆଶା ଓ ଆଜିର ଆଶା ଭିତରେ ଅନେକ ତଫାତ୍ ହୋଇଗଲାଣି । ଲତା ଭଳି ଦେହରେ ମଧ୍ୟ ତାର ଦିନେ ରୂପର ରୋଷଣୀ ମଧ୍ୟ ଜଳୁଥିଲା । ସ୍ୱାମୀକୁ ପାଖରେ ନ ପାଇଲେ ଲତାଭଳି ସେ ମଧ୍ୟ ଦିନେ ବିଚଳିତ ହୋଇ ପଡ଼ୁଥିଲା ।

 

କିନ୍ତୁ ଆଜି ସେ ଆଶା ଆଉ ନାହିଁ । ତାର ସେ ଦେହ ନାହିଁ କିମ୍ବା ଦେହ ଭୋଗର ଲାଳସା ନାହିଁ । ସାଂସାରିକ କାମନା ଭିତରେ ଦୈହିକ ଲାଳସା ତାର ନିର୍ବାଣ ଲଭିଛି । ଦୁଇଟି ସନ୍ତାନର ଜନନୀ ଆଶାକୁ ଫୁଙ୍କି ଦେଲେ ଆଜି ପଡ଼ିଯିବ । ତାର ଦେହ ନାହିଁ ସେ ଏକ ଦେହହୀନ ବୈଦେହୀ ! ସେ ଆଜି କେତେ କାମନାର ପ୍ରତୀକା ସନ୍ତାନ ଏବଂ ସେମାନଙ୍କର ସୁଖ; ଗୃହ ଓ ତାର ଉନ୍ନତି—ଏଇସବୁ କାମନାର ଅଡ଼ୁଆ ସୂତାରେ ସେ ଛନ୍ଦିହୋଇ ପଡ଼ିଛି ।

 

ଆଶା ପୁଣି କହିଲା; “କଣ ସେ ଘରକୁ ଯିବ ନାହିଁ ? ଯିବି ବୋଲି କହି ମୁଁ ଉଠିଲି । ମୁଁ ଯିବାର—ଆଜି ଏ ବୟସରେ ଆଉ କିଛି ମାନି ହୁଏନା ।

 

ଜହ୍ନ ରାତିର ସେହି ଝରା ଜ୍ୟୋତ୍ସ୍ନାରେ ଭିଜି ଭିଜି ସେହି ଅତୀତ ଯୌବନା କଲ୍ୟାଣୀ ବଧୂଟି ପଛେ ପଛେ ମୁଁ ଆମ ଶୟନକକ୍ଷକୁ ଚାଲିଲି—ଏକ ନୂତନ ମଧୁ ଶଯ୍ୟା ରଚନା କରିବା ପାଇଁ !

Image

 

ଏ ଘଟଣା ଘଟିଥିଲା

 

ସେ ଏକ ଆଶ୍ଚର୍ଯ୍ୟ ସକାଳ !

 

କୁନି କୁନି ମେଘର ପାହାଡ଼ ତଳୁ ଚୁନି ଚୁନି ଆଲୁଅର ପାଖୁଡ଼ା ଯେତେବେଳେ ଛୁଟନ୍ତ ହାବେଳି ଭଳି ଏଣେ ତେଣେ ଛିନ, ଛତ୍ର ହୋଇ ଯାଉଥିଲା....

 

ନୀଳମାଧବର ସନ୍ତାନର ଜନନୀ ସାବିତ୍ରୀ ନୀଳମାଧବକୁ ହଲାଇ ଦେଇ କହିଲା, “ ହେ, ଶୁଣିଲଣି ! କାଲି ରାତିରେ ମୁଁ ଏତେ ବିଚିତ୍ର ସ୍ଵପ୍ନ ଦେଖିଛି—’’

 

ଗତ ରାତିର ଚନ୍ଦ୍ର ସେତେବେଳେ ପର୍ଯ୍ୟନ୍ତ ମୋର ନୀଳମାଧବର ଆଖିରୁ ଲିଭି ଯାଇ ନ ଥିଲା । ପ୍ରଥମ ଥର ସେ ସାବିତ୍ରୀ କଥାକୁ ଶୁଣିବି ନ ଶୁଣିଲା ଭଳି ରହିଗଲା । କି ଦ୍ଵିତୀୟ ଥର ଯେତେବେଳେ ସେଇ କଥାକୁ ସାବିତ୍ରୀ ଦୋହରାଇ ଉଚ୍ଚ କଣ୍ଠରେ ଉଚ୍ଚାରଣ କଲା, ନୀଳମାଧବ ସେତେବେଳେ କକ୍ଷରୁ ଉଠିଲା, “ଏ”....ଏଁ ..... କଣ କହିଲ ?”

 

ସାବିତ୍ରୀ କହିଲା, “କାଲି ଗୋଟାଏ ବିଚିତ୍ର ସ୍ଵପ୍ନ ଦେଖିଲି । ଶୁଣିବ.... ଶୁଣିବ... ସେ ସ୍ୱପ୍ନର କାହାଣୀଟା ?”

 

ନୀଳମାଧବ ଯେତେବେଳେ ଅନୁଭବ କଲା ଯେ ସାବିତ୍ରୀ ତାର ସେଇ ବିଚିତ୍ର ସ୍ଵପ୍ନର କାହାଣୀଟିରୁ ନଶୁଣାଇ ଛାଡ଼ିବ ନାହିଁ, ସେତେବେଳେ ସେ ବାଧ୍ୟ ହୋଇ କହିଲା, “ସ୍ଵପ୍ନଟା ଯେତେବେଳେ ବିଚିତ୍ର, ତମେ ତାକୁ ଚିତ୍ରିତ ନକରି ସାଧାରଣ ଭାବରେ ସଂକ୍ଷେପରେ କୁହ ।”

 

ସାବିତ୍ରୀ କହିଲା, “ମୁଁ କାଲି ସ୍ଵପ୍ନ ଦେଖିଲି ଯେ...”

 

କଥାଟାକୁ କହୁ କହୁ ପୁଣି ମଝିରେ ଅଟକି ଗଲା ସାବିତ୍ରୀ । ସତେ ଯେମିତି ଗତ ରାତ୍ରିର ସ୍ଵପ୍ନଟାକୁ ସେ ପୁଣି ବର୍ତ୍ତମାନ ଦିନର ସ୍ପଷ୍ଟ ଆଲୁଅରେ ଦେଖିବାକୁ ଚେଷ୍ଟା କରୁଛି !

 

“ସ୍ଵପ୍ନ ଦେଖିଲି, ଭଗବାନ ଆମକୁ ବର ଦେଇଛନ୍ତି—ଆମେ ଖୁବ୍ ବଡ଼ଲୋକ ହେବ ।”

 

ନୀଳମାଧବ ଆଶ୍ଚର୍ଯ୍ୟ ହୋଇ ଉଠି ପ୍ରଶ୍ନ କଲା,‘‘ସତେ ! ତମେ ଏ ସ୍ଵପ୍ନଟା କେବଳ କାଲି ଦେଖିଲ ? ଇସ୍ ! ତମେ କେଡ଼େ ପଛରେ ପଡ଼ିଯାଇଛ ସାବିତ୍ରୀ ! ଆମେ ବଡ଼ଲୋକ ହେବା ବୋଲକି ମୁଁ ଏକ ସ୍ଵପ୍ନ ଆଗକାଳୁ ଦେଖି ଆସୁଛି !

 

ନୀଳମାଧବର ଏ ମନ୍ତବ୍ୟଟା ସାବିତ୍ରୀକୁ କିନ୍ତୁ ଆଜି ତୀକ୍ଷ୍ଣ ବୋଧ ହେଲା ନାହିଁ । ନୀଳମାଧବର ଏ ଆକ୍ଷେପର ତୀରରେ ଧାର ନଥିଲା ଭଳି ବୋଧ ହେଲା ସାବିତ୍ରୀକୁ । ସେ ସେଥିପାଇଁ ପୁଣି କହି ଚାଲିଲା, “କିନ୍ତୁ ଆମେ କେମିତି ବଡ଼ଲୋକ ହେବା, ସେ ସ୍ଵପ୍ନ ତମେ କେବେ ଦେଖି ନଥିବ । ମୁଁ ସ୍ୱପ୍ନରେ ବଡ଼ଲୋକ ହେବାର ଉପାୟଟା ମଧ୍ୟ ଦେଖି ପାରିଛି ।”

 

ଏଥର ସତରେ ଅବାକ୍ ହେଇଗଲା ନୀଳମାଧବ ସେ ନିର୍ବୋଧ ଆଖିରେ ଅନେଇ ରହିଲା ସାବିତ୍ରୀର ମୁହଁକୁ । ତାର ସ୍ତ୍ରୀ ସାବିତ୍ରୀ ଏକ ଗାଉଁଲି ଝିଅ । ଶିକ୍ଷା, ଦୀକ୍ଷା ତାର ଏକାନ୍ତ ଭାବରେ ସୀମାବଦ୍ଧ, ସେଥିପାଇଁ ସାବିତ୍ରୀ ଉପରେ ତାର ବିବାହ ପରଠାରୁ ଖୁବ୍ କମ୍ ବିଶ୍ୱାସ । ସାବିତ୍ରୀର କଥାକୁ ସେ କେବେ ଗୁରୁତ୍ୱ ଦେଇ ବିଚାର କରେ ନାହିଁ । କିନ୍ତୁ ଆଜି ସାବିତ୍ରୀ ମୁହଁର କଥା ପଦକ ତାକୁ ସଚକିତ କରି ଦେଲା ।

 

ସାବିତ୍ରୀ କହିଲା, “ଭଗବାନ ମତେ କାଲି ରାତିରେ ସ୍ୱପ୍ନରେ କହିଛନ୍ତି ଯେ ମୁଁ ତମ ଘର ଛାଡ଼ି ଏକ ଅଗନା ବନସ୍ତକୁ ଚାଲିଯିବ । ସେଠାରେ ବୈଷ୍ଣବୀ ହୋଇ ବସି ହୁକୁମ ଦେବି । ମୁଁ ଯାହାକୁ ଯେଉଁ ହୁକୁମ ଦେବି ତାର ତାହା ହୋଇଯିବ, ଦିନେ ତମେ ମଧ୍ୟ ମୋ ପାଖକୁ ହୁକୁମ ପାଇଁ ଯିବ । କହିବି, ମା’ ବୈଷ୍ଣବୀ ! ମୋତେ ବଡ଼ଲୋକ କରିଦିଅ । ମୁଁ ସାଙ୍ଗେ ସାଙ୍ଗେ ହୁକମ ଦେବି ତଥାସ୍ତୁ ! ବାସ୍, ସେତିକିରେ ଦେଖିବି ତା ଆରଦିନ ସକାଳୁ ଆମର କୋଠା ଘର, ସୁନାହାର, ମଟର ଗାଡ଼ି... ଚାକର ବାକର ଧାଡ଼ି ଧାଡ଼ି...’’

 

ସାବିତ୍ରୀ ତାର ବଡ଼ଲୋକ ହେବାର ତାଲିକାଟାକୁ ଆହୁରି ଦୀର୍ଘ କରିଥାନ୍ତା । ନୀଳମାଧବ ତା କଥା ଶୁଣି ସଶବ୍ଦରେ ହସି ଉଠିଵା ଫଳରେ ସେ ହଠାତ୍ ନୀରବ ହୋଇଗଲା ।

 

–ଦୁଇ–

 

ନୀଳମାଧବ ଅଫିସକୁ ଗଲା ।

 

କିନ୍ତୁ କଥାଟାକୁ ଆଦୌ ଭୁଲି ପାରିଲା ନାହିଁ ସାବିତ୍ରୀ । ନୀଳମାଧବ ଅଫିସକୁ ଗଲାପରେ ସେ ଗତ ରାତିର ସେଇ ସ୍ଵପ୍ନଟାକୁ ମନେ ମନେ ହେଜି ହେଲା । ସ୍ୱାମୀ ତା’ କଥାକୁ ବିଶ୍ୱାସ କରୁ ନାହାନ୍ତି । ହସିହସି ଉଡ଼ାଇ ଦେଇଛନ୍ତି । କିନ୍ତୁ ସେ ନିଜେ କେମିତି କଥାଟାକୁ ଅବିଶ୍ୱାସ କରିବ ?

 

ସେଇ ଛୋଟ ପିଲାଦିନର କଥାକୁ ଗୀତ ବୋଲିଲା ଭଳି ମନେ ପକାଇ ଗଲା ସାବିତ୍ରୀ-। ଆଈମା କହୁଥିଲା, ଏଇ ସୁନାନାକି ନାତୁଣୀ ମୋର ରାଣୀ ହେବ । ରାଜଭୋଗ କରିବ-। ଦାସୀ ପରିଚାରୀ ଖଟିବେ ତାର ପାଦତଳେ ।

 

ଆଈମାଆର କଥାକୁ ମନେ ମନେ ଦୃଢ଼ଭାବରେ ବିଶ୍ୱାସ କରି ଯାଇଥିଲା ସାବିତ୍ରୀ । ରାଣୀ ହୋଇ ମୁଣ୍ଡରେ ମୁକୁଟ ପିନ୍ଧିବ ବୋଲି ଏକ ଦୂରନ୍ତ ମଧୁର ସ୍ଵପ୍ନକୁ ପିଲାଦିନୁ ସେ ନିଜ ମନ ଭିତରେ ବହୁ ଆଶା କରି ପୋଷଣ କରି ରଖିଥିଲା । କିନ୍ତୁ ବିବାହ ପରେ... !

 

ଚାରିଆଡ଼େ ବରଘର ଖୋଜି ଖୋଜି ଶେଷରେ ବାପା ତାର ଯେଉଁଦିନ ଏଇ ନୀଳମାଧବ ସାଙ୍ଗରେ ତାର ବିବାହ ସ୍ଥିର କରିଗଲେ, ସେଦିନ ସାବିତ୍ରୀ ମନରୁ ଏଇ ରାଣୀ ହେବାର ଦୂରନ୍ତ ସ୍ଵପ୍ନଟା ମଧ୍ୟ ଉଣା ହୋଇ ଯାଇ ନଥିଲା ।

 

ବାପା କହୁଥିଲେ,”ଜଣେ କିରାନୀ ସାଙ୍ଗରେ ସାବିର ବିବାହ ସ୍ଥିର ହୋଇଗଲା ଲତା !”

 

(ଲତା ହେଉଛି ସାବିତ୍ରୀ ବୋଉଙ୍କ ନାମ)

 

କି ରାଣୀ !

 

ଜଣେ କିରାନୀ ସାଙ୍ଗରେ ତାର ବାହାଘର ହେବ ? ନିମ୍ନ ପ୍ରାଥମିକ ସ୍କୁଲରୁ ପାଠ ଶେଷ କରିଥିବା ଗ୍ରାମ୍ୟ ଝିଅ ସାବିତ୍ରୀର ପକ୍ଷେ କିରାଣୀ କଥାଟା ସେଦିନ ବିଶେଷ ଭାବରେ ବୋଧଗମ୍ୟ ହୋଇ ନଥିଲା । କି ଅକ୍ଷର ସହିତ ରାଣୀ ଶବ୍ଦଟା ଲାଗିଥିବାରୁ ତାର କେମିତି ଏକ ଧାରଣା ହୋଇଥିଲା, ସମ୍ଭବତଃ ସେ ଗୋଟିଏ ଛୋଟ ଆକାରର ରାଣୀ ହେବାକୁ ଯାଉଛି ।

 

କିନ୍ତୁ ବିବାହ ପରେ !

 

(ସେ କଥା ଭାବିବାକୁ ଆଉ ସମୟ ନଷ୍ଟ କରିବାକୁ ହୁଏନାହିଁ । ନିଜର ଚିରା ଲୁଗା ନୁଖୁରା, ନିରାଭରଣା ଦେହକୁ ଚାହିଁଲେ ସାବିତ୍ରୀର ରାଣୀ ହେବାର ମନଟା ବେଦନାରେ ଭରି ଉଠେ-!)

 

ଏତେଦିନ ପରେ ପୁଣି ବଡ଼ଲୋକ ହେବାର ଉପାୟ ବତାଇଛନ୍ତି ଭଗବାନ ସ୍ଵପ୍ନରେ । ସେ ସୁଯୋଗଟାକୁ ସେ ହାତଛଡ଼ା କରିବ କାହିଁକି ?

 

ସାବିତ୍ରୀ ମନେ ମନେ ହସିଲା ଏବଂ ସାଙ୍ଗେ ସାଙ୍ଗେ ପୁଣି ଚୁପ୍ ହୋଇଗଲା ।

 

–ତିନି–

 

କିଛି ଦିନପରେ.....

 

ଚୈତ୍ରର ଏକ ସୁରଭିତ ନିଶାର୍ଦ୍ଧରେ.....

 

କଣ ଏକ ବିଚିତ୍ର ସ୍ୱପ୍ନ ଦେଖି ନୀଳମାଧବର ନିଦ୍ରାଭଙ୍ଗ ହେଲା । ଚମକି ଉଠି ସେ ଦେଖିଲା ; ପାଖରେ ସାବିତ୍ରୀ ନାହିଁ.....ସାବିତ୍ରୀ ନାହିଁ !

 

ଯେଉଁ ସାବିତ୍ରୀ ଅନ୍ଧାର ରାତିରେ ନିଜ ଛାଇକୁ ଦେଖିଲେ ଭୟ କରେ, ସେ ସାବିତ୍ରୀ ଏତେ ରାତିରେ ଗଲା କୁଆଡ଼େ ?

 

ନୀଳମାଧବ ଚାରିଆଡ଼େ ଖୋଜିଲା । ଅନୁସନ୍ଧାନ କଲା । କିନ୍ତୁ କାହିଁ ! ସାବିତ୍ରୀର କିଛି ସନ୍ଧାନ ମିଳିଲା ନାହିଁତ !

 

ସକାଳ ହେଲା । ଆଲୁଅ ଦିଶିଲା । କିନ୍ତୁ ସେ ଆଲୁଅରେ ସାବିତ୍ରୀର କିଛି ଚିହ୍ନବର୍ଣ୍ଣ ଦିଶିଲା ନାହିଁ । ସେ ପାଖ ପଡ଼ିଶାଘର ବି ଖୋଜିଲା । କିନ୍ତୁ ସାବିତ୍ରୀ କାହିଁ !

 

ସାବିତ୍ରୀ କଣ ତେବେ ନିଜ ବାପା ଘର ଗ୍ରାମକୁ ଚାଲିଗଲା !

 

ଟିକିଏ କଥାରେ ରାଗିଲେ ସେ ଧମକ ଦିଏ ବାପାଘର ଗାଁ କୁ ଚାଲିଯିବ ବୋଲି ।

 

ନୀଳମାଧବ ସେ ଦିନ ଗାଁ କୁ ଯିବାପାଇଁ ବସରେ ଉଠି ପଡ଼ିଲା...

 

କିନ୍ତୁ ଗ୍ରାମକୁ ଯାଇମଧ୍ୟ ସାବିତ୍ରୀ ଯାଇ ନଥିଲା । ଏଇ କେଇ ଦିନ ହେଲା ସାବିତ୍ରୀ ଅନ୍ୟମନସ୍କ ରହୁଥିଲା । ଛନ ଛନ ହେଉଥିଲା । ସେ ଗଲା କୁଆଡ଼େ ?

 

ତାଆ ଆରଦିନ ଖବର କାଗଜରେ ସମ୍ବାଦ ବାହାରିଲା ଭୁବନେଶ୍ୱର ପାଖ ଏକ ଝଡ଼ ଜଙ୍ଗଲ ପାଖରେ ଜଣେ ପରମବୈଷ୍ଣବୀ ହୁକୁମ ଦେଉଛନ୍ତି...ପ୍ରସିଦ୍ଧ ହୁକୁମ । ଯାହାକୁ ସେ ଯାହା କହୁଛନ୍ତି ତାହାର ତାହା ହେଇଯାଉଛି । ବନ୍ଧ୍ୟା ନାରୀର ପୁତ୍ର, ଅନ୍ଧର ଚକ୍ଷୁ, ଦରିଦ୍ରକୁ ଧନ । ସବୁ ମିଳି ଯାଉଛି । ପଙ୍ଗୁ ଗିରି ଲଙ୍ଘନ୍ତି ତାଙ୍କର ହୁକୁମରେ ।

 

ଅଧା ଦେଖା ସ୍ଵପ୍ନ କ୍ଷୀଣ ଭାବରେ ମନେ ପଡ଼ିଲା ଭଳି ବୋଧହେଲା ନୀଳମାଧବଙ୍କୁ....ଅନେକଦିନ ତଳେ ଏକ ବିଚିତ୍ର ସ୍ଵପ୍ନର କାହାଣୀ କହୁଥିଲା ସାବିତ୍ରୀ....ବଡ଼ଲୋକ ହେବାର ଏକ ସହଜ ଉପାୟ ତାକୁ କହି ଦେଇଥିଲେ ଭଗବାନ ସ୍ୱପ୍ନରେ....ଏହି ହୁକୁମ ଦେବା କଥା ମିଶି ରହିଥିଲା ସେ ସ୍ଵପ୍ନର କାହାଣୀ ସହିତ ।

 

କଟକ ଫେରି ପୁଣି ଭୁବନେଶ୍ୱର ବସ୍ ଧରିଲା ନୀଳମାଧବ...

 

–ଚାରି–

 

ଭୁବନେଶ୍ୱର ରାଜପଥ ପାର୍ଶ୍ଵଭାଗରେ ଝାମ୍ପୁରା ଝାମ୍ପୁରା ଗଛର ଜଙ୍ଗଲ ଭିତରେ ହୁକୁମ ଦେଉଛନ୍ତି ପରମବୈଷ୍ଣବୀ । ଅସୁମାରୀ ଲୋକଙ୍କ ଭିଡ଼ରେ ସେ ନିଛାଟିଆ ଭୟଙ୍କର ଜଙ୍ଗଲ କୋଳାହଳ ମୁଖରିତ ହୋଇ ଉଠିଛି...ବୈଷ୍ଣବଙ୍କ ପ୍ରଶଂସାରେ ସମସ୍ତେ ମୁଖର ହୋଇ ଉଠିଛନ୍ତି...ତାଙ୍କ ହୁକୁମ କିପରି ସାଙ୍ଗେ ସାଙ୍ଗେ ଫଳପ୍ରସୂ ହେଉଛି, ସେଇ ବର୍ଣ୍ଣନା ସବୁରି ମୁହଁରେ ।

 

ସେହି ଲୋକ ଗହଳି ଠେଲି ଠେଲି ନୀଳମାଧବ ଭିତରକୁ ଗଲା । ଇସ୍....ସେ ଏ କଣ ଦେଖୁଚି !

 

ସହରର ବଡ଼ ବଡ଼ ହାକିମ, ଅଫିସର, ଧନପତି ମଧ୍ୟ ହୁକୁମ ପାଇଁ ଆସି ଧାଡ଼ି ଧାଡ଼ି ବସ୍ ଠିଆ କରି ଠିଆ ହୋଇଛନ୍ତି । ନୀଳମାଧବ ଅଫିସ୍ର ବଡ଼ ହାକିମ ମଧ୍ୟ ହୁକୁମ ନେବାକୁ ଆସିଛନ୍ତି ।

 

ତା ନିଜ ଅଫିସର ବଡ଼ବାବୁ !

 

ମାସକୁ ବାରଶହ ଟଙ୍କା ଦରମା । କୋଠାଘର । ବଡ଼ପୁଅ ଇଞ୍ଜିନିୟର । ସାନପୁଅ ବିଲାତ ଯାଇଛି ଉଚ୍ଚଶିକ୍ଷା ପାଇଁ । ସେ ପୁଣି କେଉଁ ଦୁଃଖ ମୋଚନ ପାଇଁ ହୁକୁମ ନେବାକୁ ଆସିଛନ୍ତି-?

 

ସାବିତ୍ରୀ ଯାହା କହୁଥିଲା ଠିକ୍ । ଭଗବାନ ରାତିରେ ତାକୁ ପ୍ରସନ୍ନ ହୋଇଥିଲେ । ତା’ ନ ହୋଇଥିଲେ ସହରରେ ଏତେ ଗଣ୍ୟମାନ୍ୟ ବ୍ୟକ୍ତି ତା’ ପାଖକୁ ଆସି ଥାଆନ୍ତେ କାହିଁକି ?

 

ହୁକୁମ୍...ଭାଗ୍ୟ...ଭଗବାନଙ୍କ ଦୟା...ଏ ସବୁ କଥା ଉପରେ ଆବାଲ୍ୟରୁ ନୀଳମାଧବର ଚରମ ଅନାସ୍ଥା । ଏତେ ଦାରିଦ୍ର୍ୟ ଭିତରେ ବି ସେ କେବେ ଏହି କୁସଂସାରକୁ ବିଜ୍ଞାନ-ସମ୍ମତ ବୋଲି ମାନିନେଇ ନାହିଁ । କିନ୍ତୁ ଆଜି ପରମ ବୈଷ୍ଣବୀ ରୂପୀ ସାବିତ୍ରୀର ହୁକୁମ ପାଇଁ ଏ ଅସମ୍ଭବ ଜନଗହଳ ଦେଖି ତା ନିଜ ଅନିଚ୍ଛା ସତ୍ୱେ ସେ ଧାରଣ ତାର ଓଲଟ ପାଲଟ ହୋଇଗଲା ।

 

ସାବିତ୍ରୀ ତା’ ହେଲେ ସତରେ ସ୍ୱପ୍ନ ଦେଖିଥିଲା.... !

 

ଭଗବାନ ତା ଉପରେ ସତରେ ପ୍ରସନ୍ନ ହୋଇଥିଲେ । ନୀଳମାଧବ ଅନୁଭବ କଲା ତା କଣ୍ଠନଳୀ ଭିତରେ ସତେ ଯେମିତି ଏକ ଭକ୍ତିଭାବ ଗଦ୍ ଗଦ୍ ହୋଇ ଉଛୁଳି ଉଠୁଛି ।

 

ଜଣେ କିଏ ଭକ୍ତ ସେତିକିବେଳେ ଘୋଷଣା କଲା, ପରମ ବୈଷ୍ଣବୀ ଆଉ ଅଧଘଣ୍ଟାଏ ମାତ୍ର ହୁକୁମ ଦେବେ । ତାପରେ ସୂର୍ଯ୍ୟ ମାଆକୋଳକୁ ଗଲେ, ବୈଷ୍ଣବୀ ଗାଦି ଛାଡ଼ିବେ । ଯାହାର ହୁକୁମ ନେବାର କଥା ଶୀଘ୍ର ନେଇ ଯାଆନ୍ତୁ ।

 

ବହୁ ଦିନର ଏକ ଆକାଙ୍କ୍ଷା ପୂର୍ଣ୍ଣ ହୋଇଗଲା ଭଳି ସମବେତ ଜନତା ହଠାତ୍ ଆଗକୁ ଆଗକୁ ଠେଲି ହୋଇଗଲେ । ସେଇ ଠେଲା ମାଡ଼ ଖାଇ ନୀଳମାଧବ ମଧ୍ୟ ପରମବୈଷ୍ଣବୀଙ୍କ ଗାଦି ପାଖରେ ଆସି ହାମୁଡ଼େଇ ପଡ଼ିଲା...

 

ପରମ ବୈଷ୍ଣବୀ ଗୋଟିଏ ବେତକୁ ନୀଳମାଧବ ମୁଣ୍ଡ ଉପରେ ହରାଇ ଦେଇ କହିଲା, ‘କହ ବାପ ! କଣ ତୋର ଲୋଡ଼ା...ନୂଆ ଦଶପଇସିଟିଏ ମୁଦ୍ରା ଖୁଅ...ଶିଘିର କହ...କଣ...କଣ ଲୋଡ଼ା ?”

 

ନୂଆ ଦଶପଇସିଟିଏ ଥୋଇଲା ମାତ୍ରେ ନୀଳମାଧବ ପାଟିରୁ ହଠାତ୍ ବାହାରି ପଡ଼ିଲା, “ମତେ ବଡ଼ଲୋକ କରିଦିଅ ମାଆ ପରମବୈଷ୍ଣବୀ !”

 

ବୈଷ୍ଣବୀ ଏ ଅଦ୍ଭୁତ ମାଗୁଣୀ ଶୁଣି କିଛି ସମୟ ଚୁପ୍ ହୋଇଗଲେ । ସମ୍ଭବତଃ ସେ ଅନେକ ମାଗୁଣି ପୂରଣ ପାଇଁ ହୁକୁମ ଦେଇଛନ୍ତି, କିନ୍ତୁ ହଠାତ୍ ବଡ଼ଲୋକ ହେବା ପାଇଁ ହୁକୁମ ଦେବା ଏଇ ପ୍ରଥମ !

 

ସେ ଦରହସିତ କଣ୍ଠରେ କହିଲେ, “ତମେ ରାତି ବାରଟା ପର୍ଯ୍ୟନ୍ତ ଏକୁଟିଆ ଏଠାରେ ସାଷ୍ଟାଙ୍ଗ ପ୍ରଣାମ କରି ଏକୁଟିଆ ଅଧିଆ ପଡ଼ିଥାଅ । ରାତି ବାରଟାରେ ଭଗବାନ ନିଜେ ଆସି ତମକୁ ତଥାସ୍ତୁ କହିଯିବେ ।”

 

ଭକ୍ତିରେ ବିହ୍ୱଳିତ ହୋଇ ନୀଳମାଧବ ସେଠାରେ ଆଭୂମ ପ୍ରଣତି ଜଣାଇ ଅଧିଆ ପଡ଼ି ରହିଲା ।

 

–ପାଞ୍ଚ–

 

ଶେଷ ବସନ୍ତର ସେ ଏକ ଜ୍ୟୋସ୍ନା-ଚପଳ ରାତ୍ରି । ଘଞ୍ଚ ଅରଣ୍ୟର ସେଇ ହୁକୁମ ଗାଦି ନିର୍ଜନ ହୋଇ ଯାଇଛି । ସେହି ଝିଲମିଲ ଜ୍ୟୋସ୍ନାଲୋକରେ ଦେଖାଗଲା, ନୀଳମାଧବ ଅଧିଆ ପଡ଼ିଥିବା ସ୍ଥାନ ଆଡ଼କୁ ଅବଗୁଣ୍ଠନବତୀ ଜଣେ ନାରୀ ଲଘୁ ପଦକ୍ଷପରେ ଅଗ୍ରସର ହେଉଛି......ସେ ହୁଏତ ଏଥି ଭିତରେ ବୁଝି ସାରିଛି ଯେ ପୃଥିବୀରେ ସେ ଗୋଟିଏ କିରାନୀ ଘରର ଗୃହବିଧି ବୋଲି ଏକା ଦୁଃଖିନୀ ନୁହେଁ, ବଡ଼ଲୋକ ବୋଲି ବାହାରେ ଯେଉଁମାନେ ପରିଚିତ ସେମାନଙ୍କର ଦୁଃଖର ମଧ୍ୟ ସୀମା ନାହିଁ । ପରମ ବୈଷ୍ଣବୀ ବେଶରେ ସେ ଶୁଣିଛି , ପୋଲିସ ସାହେବଙ୍କର ସାତ ଝିଅ ହେଲେଣି । ଗୋଟିଏ ବୋଲି ପୁଅ ନାହିଁ । ସେଥିପାଇଁ ସେ ଦୁଃଖରେ ମ୍ରିୟମାଣ । ସ୍ଵର୍ଣ୍ଣ ବ୍ୟବସାୟୀ ଲକ୍ଷପତି ଅଗ୍ରୱାଲା ସାହେବଙ୍କର ରକ୍ତଚାପ ରୋଗ ବଢ଼ୁଛି ଯେ ବିଲାତରର ବଡ଼ ବଡ଼ ଡାକ୍ତରଙ୍କ ଔଷଧ କିଛି କାମ ଦେଉ ନାହିଁ । ଉପମନ୍ତ୍ରୀ ରାଘବାନନ୍ଦକୁ ମୁଖ୍ୟମନ୍ତ୍ରୀ ଚାରିବର୍ଷ ହେଲା ମନ୍ତ୍ରିଗାଦିକୁ ନେବେ ବୋଲି ପ୍ରତିଶ୍ରୁତି ଦେଉଥିଲେ ସୁଦ୍ଧା......

ଦୁଃଖ ସର୍ବବ୍ୟାପୀ । ଅଭାବ ସାର୍ବଜନୀନ । ସେ କାହାରିକୁ ବାଦ୍‍ ଦେଇନାହିଁ ।

ବିଜ୍ଞାନ ଯେଉଁଠି ଅକ୍ଷମ; ଏଇ ଅଜ୍ଞାନ ହୁକୁମ ସେଠାରେ ସର୍ବରୋଗରେ ବିଶଲ୍ୟକରଣୀ !

ନାରୀ କ୍ରମେ କ୍ରମେ ଅଗ୍ରସର ହେଉଥିଲା । ନୀଳମାଧବର ଅଧିଆ ପଡ଼ିଥିବା ସ୍ଥାନରେ ଠିଆ ହୋଇ ସେ କହିଲା; “ବାହାରେ ଚୈତ୍ରରେ ଏ ଭରା ଜ୍ୟୋସ୍ନାର ଜୁଆର ! ତମେ ମୁହଁ ମାଡ଼ି ପଡ଼ି ମାଟିରୁ କଅଣ ଦେଖୁଛ ?”

ସାବିତ୍ରୀର କଣ୍ଠଶ୍ୱର ଶୁଣି ନୀଳମାଧବ ଉଠି ଠିଆ ହେଲା ।

 

ସାବିତ୍ରୀ ହସୁଛି । ଏଇ ନିର୍ଜନ ପରିବେଶ ଭିତରେ ଜ୍ୟୋସ୍ନା ଲୋକରେ ସାବିତ୍ରୀ ଓଠରେ ସେଇ ଝୁଲନ୍ତ ହସ ବେଶ୍ ଚମତ୍କାର ମାନୁଛି । ସାବିତ୍ରୀ ବୋଧହୁଏ ତାର ନିର୍ବୋଧତାକୁ ଲକ୍ଷ କରି ହସୁଛି । ସେଇ ହସ ହସ କଣ୍ଠରେ ସେ କହିଲା; ତମେତ ମୋ କଥା ବିଶ୍ୱାସ କଲ ନାହିଁ । ମୁଁ ବଡ଼ଲୋକ ହବାକୁ ଏଠାକୁ ଆସିଲି । ଦେଖିଲ ତ ବଡ଼ ଲୋକ ହେବା କେଡ଼େ ସହଜ ! ତମେ ଯେଉଁ ମାନଙ୍କୁ ଭକ୍ତିରେ ମୁଣ୍ଡ ନୁଆଁଅ ; ସେମାନେ ମୋ ପାଦତଳେ ଆସି ମୁଣ୍ଡିଆ ମାରୁଥିଲେ । ବଡ଼ଲୋକ କେମିତି ହୁଅନ୍ତି, ମୁଁ ଏବେ ବୁଝିଗଲି । ଅଜ୍ଞ, ନିର୍ବୋଧ ଲୋକଙ୍କୁ ଠକି ଅର୍ଥ ଅର୍ଜନ କରିବାହିଁ ବଡ଼ଲୋକ । ଏ ଦେଶରେ କେଡ଼େ ଅଜ୍ଞ, ନିର୍ବୋଧ ଲୋକ ଅଛନ୍ତି ତମେ ଆଜି ହୁକୁମ ପାଇଁ ଆସିଥିବା ଲୋକଭିଡ଼ରୁ ଦେଖିଥିବ ତ ! ତେଣୁ ଏ ଦେଶରେ ରାତିକ ଭିତରେ ବିନା ଶ୍ରମରେ ବଡ଼ଲୋକ ହେବା ଏଡ଼େ ସହଜ ।”

 

ମନ୍ତ୍ରମୁଗ୍ଧ ଭଳି ନୀଳକଣ୍ଠ ପଚାରିଲା, “ତମ ହୁକୁମ କଣ ମିଛ ? ସମସ୍ତେ କହୁଥିଲେ ତମ ହୁକୁମରେ ଅସାଧ୍ୟ ସାଧ୍ୟ ହେଉଛି.....”

 

ସାବିତ୍ରୀ କହିଲା, “ସବୁ ଧର୍ମ ଡରରେ । ଧର୍ମଭୀରୁ ଲୋକେ ମା ବୈଷ୍ଣବି ଶକ୍ତିକୁ ଭୟକରି ଏସବୁ କହୁଥିଲେ । ତା ନହୋଇ ଥିଲେ ତମେ ଖୁବ୍ ବଡ଼ଲୋକ ହୋଇ ଯାଅନ୍ତଣି—”

 

ସାବିତ୍ରୀ ଏଥର ଖୁବ୍‍ ଜୋରରେ ହସିଲା ।

 

ଯେଉଁ ସ୍ତ୍ରୀକୁ ବୋକା, ଗାଉଁଲି ବୋଲି ଭାବି ନୀଳମାଧବ ଅନେକ ସହସ୍ରଥର ପରିହାସ କରିଛି, ସେଇ ସ୍ତ୍ରୀ ପାଖରେ ଭାରି ଛୋଟ ହୋଇଗଲା ନୀଳମାଧବ ।

 

ସାବିତ୍ରୀ କହିଲା, “ଭୟକର ନାହିଁ । ସେଦିନ ତୁମକୁ ମୁଁ ଯେଉଁ ସ୍ଵପ୍ନ କଥା କହୁଥିଲି, ତା’ ମିଛ ହୋଇ ନାହିଁ । ଭଗବାନ ବଡ଼ଲୋକ ହେବାକୁ ଆମକୁ ଠିକ୍ ବାଟ ବତାଇ ଦେଇଥିଲେ । ହୁକୁମ ଦେବାକୁ ଆସି ଲୋକେ ଯେଉଁ ନୂଆ ଦଶ ପଇସା ମୁଦ୍ରା ଥୋଇଥିଲେ, ସେଇ ନୂଆ ଦଶ ପଇସାରେ ଗୋଟାଏ ବସ୍ତା ବୋଝାଇ ହୋଇଯାଇଛି ଏହିଦିନ କେତେଟାରେ । ସେଥିରେ ଶେଠ’ ମହାଜନମାନେ ଭକ୍ତିରେ ଅର୍ପଣ କରିଥିବା କେତେଖଣ୍ଡ ଶହେଟଙ୍କିଆ ନୋଟମଧ୍ୟ ଥାଇପାରେ । ଚାଲ, ତାକୁ ନେଇ ଗ୍ରାମକୁ ଚାଲିଯିବା । ଏ କେତେ ଦିନର ଆୟ ଉପରେ ସରକାରଙ୍କ ଆୟକରମଧ୍ୟ ପଡ଼ିବ ନାହିଁ ।”

 

ସାବିତ୍ରୀ ହସୁ ଥିଲା । ନୀଳ ମାଧବ ପଚାରିଲା, “ଲୋକେ କାଲି ସକାଳୁ ଆସି...”

 

ସାବିତ୍ରୀ କହିଲା, “କାଲି ସକାଳୁ ଆସି ଲୋକେ ଦେଖିବେ ଯେ ପରମ ବୈଷ୍ଣବୀ ରାତିକ ଭିତରେ ଅନ୍ତର୍ଦ୍ଧ୍ୟାନ ହୋଇ ଯାଇଛନ୍ତି ।”

 

ଏଥର ସାବିତ୍ରୀ କଥା ଶୁଣି ନୀଳ ମାଧବ ମଧ୍ୟ ହସିଲା । ବଡ଼ ସଂକ୍ଷିପ୍ତ ଆଉ ଚଟୁଳ ସେ ହସ । ସେ ହସରେ ଚୈତ୍ରର ସେଇ ଜ୍ୟୋତ୍ସ୍ନା ଚକିତ ରାତ୍ରି ସମାନ୍ୟ ଶବ୍ଦାୟିତ ହୋଇଉଠିଲା ।

Image

 

ସେଇ ଝିଅଟି

 

ଗୋଟିଏ ବିଚିତ୍ର ଶ୍ରୁତିକଟୁ ଶବ୍ଦ ସୃଷ୍ଟିକରି ଅଣନିଶ୍ୱାସୀ ହୋଇ ଛୁଟିଆସେ ଟାଉନ୍ ବସ...କଲେଜ ଛକ ପାଖରେ ଦମ୍ ନେବାକୁ ଆସି ଠିଆ ହୋଇଯାଏ...କଣ୍ଡକ୍‍ଟର ଇସ୍‍ମାଇଲ ଚିତ୍କାର କରେ, କଲେଜ ଛକ... ।

 

ଜଣକ ପରେ ଜଣେ । ଚିତ୍ର ବିଚିତ୍ର ଶାଢ଼ୀ ହାତରେ ମୋଟା ମୋଟା ବହି କେତେଖଣ୍ଡି ଧରି ବସ୍ ଭିତରକୁ ପଶନ୍ତି.....ଲେଡ଼ିଜ୍ ସିଟ୍ ଲେଖାଥିବା ବେଞ୍ଚ ଦୁଇଧାଡ଼ି ପୂରା ହୋଇଗଲା ପରେ ମଧ୍ୟ ଆହୁରି ଅନେକ ଝିଅ ବସ୍ ଭିତରକୁ ଉଙ୍କି ମାରୁଥାନ୍ତି... ।

 

ବସ୍ତା ଲଦିଲାଭଳି ଇସ୍‍ମାଇଲ ସମସ୍ତଙ୍କୁ ସେଇ ବସ୍ ଭିତରେ ଭର୍ତ୍ତିକରେ...ପୁଣି ସେଇ ଶ୍ରୁତିକଟୁ ଶବ୍ଦ ସୃଷ୍ଟି କରି ବସ୍ ଚାଲେ...ଟାଉନ ବସ୍— ।

 

ଷ୍ଟେସନ ପାଖରୁ କେହି ଯଦି କସ୍‍ର ସେଇ ବେଞ୍ଚ ଦୁଇଧାଡ଼ିରେ ବସିବାକୁ ଚେଷ୍ଟା କରନ୍ତି, ଇସ୍ମାଇଲ ସେମାନଙ୍କୁ ସତର୍କ କରିଦିଏ—ଲେଡ଼ିଜ ସିଟି ଆଜ୍ଞା—କେହି ବସନ୍ତୁ ନାହିଁ—

 

ସମ୍ବିଧାନରେ ନାରୀ, ପୁରୁଷର ସମାନ ଅଧିକାର ସମ୍ପର୍କରେ ଯୁକ୍ତି ଦେଖାଇ କେହି ଯଦି ଅନଧିକାର ଚର୍ଚ୍ଚା କରନ୍ତି, ଇସ୍‍ମାଇଲ ପଦେକଥା କୁହେ, ସେ କଲେଜ ଝିଅ ସବୁ କଣ ତମର ଆଜ୍ଞା ଭଉଣୀ ନୁହନ୍ତି ? ଯଦି ତମ ଭଉଣୀ କଲେଜରେ ପଢ଼ୁଥାନ୍ତା... !

 

ବାସ୍, ସେତିକି । ଯୁକ୍ତି ଝାଉଁଳି ପଡ଼େ । ବେଞ୍ଚ୍ ଦୁଇଟା ଖାଲି ହୋଇ ଯାଏ ଆପେ ଆପେ । ଇସ୍‍ମାଇଲ ହସେ—ଗଡ଼ଜିଣି ଗୌରବ ଅର୍ଜିଥିବାର ହସ । କଲେଜ ଛକ ପାଖରେ ବସ୍ ରହିଲେ ସେ ପୁଣି ପାଟିକରି ଉଠେ, କଲେଜ ଛକ—

 

କଲେଜ୍ ଛକରୁ କେତେ ଝିଅ ବସ୍‍ରେ ଉଠନ୍ତି—ବାଟରେ ଓହ୍ଲାଇ ଯାଆନ୍ତି । ଆଜି ନୂଆ ନୁହେଁ , ଇସ୍‍ମାଇଲର ୭ବର୍ଷ କଣ୍ଡକ୍ଟର ଜୀବନରେ କେତେ ଝିଅଙ୍କୁ ସେ ଦେଖିଛି—ଏଇ ବସ୍‍ରେ ଯାଆନ୍ତି, ଏଇ ବସ୍ ଭିତରେ କେତେ ଆନନ୍ଦ—କେତେ ହସ—କେତେ ଗଳ୍ପର କଥାବସ୍ତୁ—ଉପନ୍ୟାସର ଉପାଦାନ ଏଇ ଟାଉନ୍ ବସ୍ ଭିତରେ ଗଢ଼ି ଉଠେ—ପୁଣି ସମୁଦ୍ରର ଭଟ୍ଟାଭଳି ଭାଙ୍ଗିଯାଏ—ପ୍ରତିବର୍ଷ କେତେ ନୂଆ ଝିଅଙ୍କ ମୁହଁ ଦେଖେ ଇସ୍‍ମାଇଲ ଏଇ ଟାଉନ୍ ବସ୍ ଭିତରେ କେତେ ମୁହଁ ପୁଣି ଛପିଯାଏ...ଉଇଁ ଆସୁଥିବା ବର୍ଷା କାହିଁ କେତେ ଦୂରରେ ବର୍ଷା ହେଲାଭଳି ଏଇ ବସରେ ଯାଉଥିବା କେତେ କଲେଜ ପଢ଼ୁଆ ଝିଅ କେତେ କୁଆଡେ଼ ଯାଇବି ଛାଡ଼ି ହୋଇ ପଡ଼ିଛନ୍ତି...କିଏ ସରକାରୀ ଅଫିସରେ...କିଏ କେଉଁ ଛାୟା ଶୀତଳ ପଲ୍ଲୀ ଗାଁର ଚୁଲିମୁଣ୍ଡ ପାଖରେ... ଆଉ କେତେକ ବା...

 

ସାଢ଼େ ଚାରିଟା ହୋଇଗଲେ ଇସ୍‍ମାଇଲର ମନ ଚଙ୍ଗ ଚଙ୍ଗ ହୋଇ ଉଠେ...ଡ୍ରାଇଭରକୁ ସେ ସତର୍କ କରିଦିଏ.... କଲେଜ ଛୁଟି ହେବଣି...ଗାଡ଼ି କାଢ଼ ଯିବା... ପିଲାଗୁଡ଼ାକ ରାସ୍ତା ଉପରେ ଖରାରେ ବସ୍‍କୁ ଅନାଇ ଠିଆ ହୋଇଥିବେ... ।

 

ନିତିଦିନ ବସ୍ ଯାଏ...ଆସେ ।

 

କେତେ ଝିଅ ଯାଆନ୍ତି, ଆଉ ଆସନ୍ତି ।

 

କିନ୍ତୁ ଗୋଟିଏ ଝିଅର କଥା ଇସ୍‍ମାଇଲ ମନରେ ଗାର କାଟିଦିଏ । ଏଇ ବର୍ଷ ନୂଆହୋଇ ଝିଅଟି ଆସୁଛି ପଢ଼ିବାକୁ...ବକ୍ସିବଜାର ଛକ ଅଳ୍ପ ଦୂରରୁ...କାଳି ଦାନ୍ତୁରୀ ହୋଇ ଝିଅଟିଏ...ଅପରିଷ୍କାର ଶାଢ଼ୀ...ହାତରେ ରୋଲ୍ଡ଼ ଗୋଲ୍ଡ଼ କାଚ... ଗରିବ ଘର ଝିଅଟିଏ ହେବ ନିଶ୍ଚୟ ।

 

ସେ ବସରେ ବସିଥିବାବେଳେ ପାଖରେ ବସିଥିବା ଝିଅତକ ବିରକ୍ତ ହୁଅନ୍ତି । ଅଯଥା ତା ଉପରେ ଚିଡ଼ି ଚିଡ଼ି ହିଅନ୍ତି । ସେ ସବୁ ଝିଅଙ୍କ ସାଥିରେ କେବେ ଯଦି ହସିଦିଏ ସବୁ ଝିଅତକ ହସ ବନ୍ଦ କରିଦେଇ ତା ମୁହଁକୁ କଟମଟ କରି ଅନାନ୍ତି—ସତେ ଯେମିତି ସେମାନଙ୍କ ସହିତ ହସିବାକୁ ସେ ଝିଅଟି ଯୋଗ୍ୟା ନୁହେଁ !

 

ଇସ୍ମାଇଲର ସେ ଝିଅଟି ପ୍ରତି କେମିତି କେଜାଣି ଏକ ଅଜ୍ଞାତ ଶ୍ରଦ୍ଧା । ସେ ଶ୍ରଦ୍ଧା ପଛରେ କିଛି ଯୁକ୍ତି ଥାଇ ନପାରେ—ସେ ଶ୍ରଦ୍ଧାକୁ କେବଳ କୁହାଯାଇପାରେ ମାନବିକତାର ଏକ ସ୍ପର୍ଶ ।

 

କଲେଜ ଛକରେ ସବୁ ଝିଅତକ ଟାଉନ୍‍ବସରେ ବସି ସାରିଲା ପରେ ଯଦି ସ୍ଥାନ ବଳେ, ସେ ଝିଅଟି ତାହାହେଲେ ବସରେ ଉଠେ । ନଚେତ କଲେଜ ଛକରୁ ବକ୍ସିବଜାର ଅଧା ପର୍ଯ୍ୟନ୍ତ ତାକୁ କଟକ ମ୍ୟୁନିସିପାଲିଟିର ତତଲା ପିଚୁଢ଼ଳା ରାଜପଥକୁ ଗୋଡ଼ରେ ଚାଲି ଅତିକ୍ରମ କରିବାକୁ ହୁଏ । ଇସ୍‍ମାଇଲ ଭାବେ ଟାଉନ୍ ବସରେ ବସିଥିବା ପୁଅ ପିଲାଙ୍କ ଭିତରୁ ତା’ ଆଡ଼କୁ ଯେତେବେଳେ କେହି ଚାହାନ୍ତି ନାହିଁ, ରାସ୍ତାରେ ଚାଲିଗଲାବେଳେ ମଧ୍ୟ ତାକୁ କେହି ଅନାଇ ନ ଥିବେ । ତଥାପି ଝିଅଟି ପାଇଁ ଇସ୍‍ମାଇଲ ମନରେ ସହାନୁଭୂତି ଜାଗେ । ଆହା ! ବିଚାରି ଗରିବ ଝିଅଟି !

 

ଭାବି ଭାବି ଇସ୍‍ମାଇଲ ଗୋଟିଏ କଥା ସ୍ଥିର କଲା । ସେ ଝିଅଟିକୁ ସେ ପ୍ରତିଦିନ ବସ୍ ରେ ନେବ । ସେଥିପାଇଁ କଲେଜ୍ ଛକରେ ବସ୍ ରଖିଲାକ୍ଷଣି ଆଗ ସେ ଝିଅଟିକୁ ବସ୍ ଭିତରକୁ ଉଠାଇ ଦିଏ—ଏ କଥା ପ୍ରଥମେ କେତେ ଜଣଙ୍କର ଅସହ୍ୟ ହୋଇଥିଲା—କିନ୍ତୁ ପରେ ସେ କଥାଟା ଅଭ୍ୟାସରେ ପଡ଼ିଗଲା ।

 

କାଳି, ଦାନ୍ତୁରି ହୋଇ ସେଇ ଯେଉଁ ଅସୁନ୍ଦରୀ ଝିଅଟି—କଲେଜ୍ ଛକରୁ ବସି ବଜାର ଛକ ଅଳ୍ପ ଆଗକୁ ଯାଇ ସେ ଓହ୍ଲାଏ । ଝିଅକୁ ଘର ପାଖ ହୋଇଗଲେ ଇସ୍‍ମାଇଲ ହାତ ଆପେ ଆପେ ଚାଲିଯାଏ ବସର ସେଇ ଚେନ୍ ପାଖକୁ—ଚେନ ଟାଣି ସେ ଗାଡ଼ି ଅଟକାଇଲେ ସେ ଝିଅଟି ଓହ୍ଲାଇ ଯାଏ ଚୁପ୍‍କିନି—ପାଖରେ ବସିଥିବା ଅନ୍ୟ ଝିଅ ପଞ୍ଝାକ ଗୋଟିଏ ବଡ଼ ବିପଦରୁ ରକ୍ଷା ପାଇଗଲା ଭଳି ଗୋଟିଏ ବଡ଼ ନିଶ୍ଵାସଟାଣି ଲୁଗାପଟା ଝାଡ଼ିଝୁଡ଼ି ଦିଅନ୍ତି—ସତେ ଯେମିତି ସେ ଝିଅଟିର କଳାରଙ୍ଗ ଅନ୍ୟ ଝିଅ ଗୁଡ଼ିକଙ୍କର ଲୁଗାପଟାରେ ଲାଗି ଯାଇଛି !

 

ବସରେ ଯାଉଥିବା ସବୁ ଝିଅ ଗୁଡ଼ିକଙ୍କର ଦେହର ରଙ୍ଗ ଯେ ଜହ୍ନ ଆଲୁଅ ଭଳି ନିର୍ମଳ ତା’ ନୁହେଁ, କିନ୍ତୁ ସ୍ନୋ,ପାଉଡ଼ରର ପ୍ରଲେପରେ ସମସ୍ତେ ନିଜକୁ ଗୌରାଙ୍ଗୀ ରାଜକନ୍ୟା ଭଳି ସଜାଇବାକୁ ଚେଷ୍ଟା କରିଥାନ୍ତି....ଇସମାଇଲର ମନ ହୁଏ ସେ ଝିଅଟି ସେମିତି ମୁହଁରେ ପୁଳାଏ ପାଉଡ଼ର, ସ୍ନୋ ବୋଲି ଭଲ ଶାଢ଼ୀ ପିନ୍ଧି ଆସନ୍ତା କି... ।

 

ଝିଅଟି କିନ୍ତୁ ସେମିତି ଆସେ... ।

 

ସେଇ କାଳିରଙ୍ଗ.....ବାହାରକୁ ବାହାରି ପଡ଼ୁଥିବା ଦାନ୍ତ....ଶୁଖିଲା ମୁହଁ—ସାଦାସିଧା ଚାହାଣୀ—ଅନ୍ୟ ଝିଅମାନଙ୍କ ଭଳି ବସରେ ବସିଥିବା ୫/୧୦ ମିନିଟ୍ ଭିତରେ ନିଜ ଜ୍ଞାନ, ଗରିମା ସମ୍ପର୍କରେ ବକ୍ତୃତା କରେ ନାହିଁ—ଆଗରେ ପାଖରେ ବସିଥିବା ସବୁ ପୁଅ ପିଲାଙ୍କୁ ମୋଟେ ନ ଅନେଇଲା ଭଳି ବାହାନା କରେ ନାହିଁ—ବାରମ୍ବାର ନିଜ ଶାଢ଼ୀକୁ ସଜାଡ଼ି ବସେ ନାହିଁ—

 

ଇସ୍‍ମାଇଲକୁ ଝିଅଟି ଭାରି ଭଲ ଲାଗେ—ଅନ୍ତତଃ ଝିଅଟି ଏକାନ୍ତଭାବେ ସ୍ଵାଭାବିକ–କିଛି ହେଲେ କୃତ୍ରିମତା ନାହିଁ ।

 

ପାଖରେ ବସିଥିବା ଝିଅମାନେ ଭାବନ୍ତି ସେ ଝିଅଟି ହେଉଛି ତାଙ୍କ ଜାତିର ଶତ୍ରୁ–କାରଣ ସ୍ଵାଭାବିକ ନାରୀତ୍ୱର ସେ ଏକ ବାସ୍ତବ ନମୁନା । ପୁଅ ପିଲାମାନେ ଭାବନ୍ତି, ସେ ଝିଅଟି ହେଉଛି ଗୋଟିଏ ମିଉଜିୟମରେ ରହିବା ଜୀବ–ଅନ୍ତତଃ ତାକୁ କଳ୍ପନା କରି ଦୁଇମିନିଟ ହେଲେ ଖୁସି ହୋଇ ହୁଏନାହିଁ ।

 

ଆଉ ଇସ୍‍ମାଇଲ ଭାବେ— ।

 

କିଛିଦିନ ପରେ ଦେଖାଗଲା, ସେ ଝିଅଟି ଆଉ ଟାଉନ୍ ବସରେ ଆସୁନି । ଇସ୍‍ମାଇଲ ମନେ ମନେ ଝିଅଟିକୁ ଖୋଜିବାକୁ କାଟିଲା ନା ରାସ୍ତାରେ ମଧ୍ୟ ସେ ଚାଲି କରିଯାଉନାହିଁ । ଜଣାଗଲା ସେ ଆଉ ମୋଟେ କଲେଜକୁ ଆସୁନାହିଁ ।

 

ତା’ ଆର ଦିନ ଟାଉନ ବସରେ ଯାଉଥିବା ଝିଅମାନଙ୍କ କଥାରୁ ଜଣାପଡ଼ିଲା, ସେ ଝିଅଟି ବିବାହ କରୁଛି । ଝିଅଟିର ଜଣେ ସାଙ୍ଗ ମନ୍ତବ୍ୟ କଲେ, ଅନ୍ତତଃ ଆମ ଭିତରୁ ଗୋଟିଏ ବୋଝ କମିଗଲା ତା’ପରେ ସବୁ ଝିଅତକ ମିଶି ହସିଲେ । ଗପକଲେ କିନ୍ତୁ ଇସ୍‍ମାଇଲକୁ ଏସବୁକଥା କାହିଁକି ଆଦୌ ଭଲ ଲାଗିଲା ନାହିଁ ।

 

କଲେଜ ଛକ ପାଖରେ ବସ୍ ରହିଲେ ସବୁ ଝିଅଙ୍କ ମେଳାରୁ ଇସ୍‍ମାଇଲର ଆଖି ସେଇ ଝିଅଟିକୁ ଖୋଜିବୁଲେ । ନା ସତରେ ସେ ଆଉ ଆସୁନି । ବାହା ହେବି କଥା ବୋଧହୁଏ ସତ ।

 

କିନ୍ତୁ ସେ ଝିଅଟିକୁ ବିବାହ କରୁଛି କିଏ ?

 

ଦିନେ ଟାଉନବସ ସେଇ ଝିଅଟିର ଘର ପାଖରେ ଲୋକଗହଳି ଯୋଗୁଁ ଅଟକି ଗଲା । ଇସ୍‍ମାଇଲ ବସ୍ ବାହରକୁ ମୁଣ୍ଡ କାଢ଼ି ଦେଖିଲା, ବିବାହ ଉତ୍ସବର ରୋଳ ଲାଗିଛି । ତାର ଧାରଣା ହେଲା, ସେ ଝିଅଟି ବୋଧହୁଏ ବିବାହ କରୁଛି । ବସରେ ବସିଥିବା ଲୋକଙ୍କୁ କଥାବାର୍ତ୍ତାରୁ ବୁଝିଲା, ବରଟି ଅଳ୍ପ ଶିକ୍ଷିତ । ଝିଅଠୁ କମ୍ ପଢ଼ିଛି । କେଉଁ ଏକ ସରକାରୀ ଅଫିସରେ ଡେସ୍‍ପାଚ୍‍ର କାମ କରେ ।

 

କେଜାଣି କାହିଁକି ଇସ୍‍ମାଇଲର ମନ ପୂରାପୂରି ଭାଙ୍ଗି ପଡ଼ିଲା । କଥାଟା ତା’ ମନକୁ ମୋଟେ ପାଇଲା ନାହିଁ । ସେଦିନ କାମ କରିବାକୁ ତା’ ମନ ମୋଟେ ଲାଗୁ ନଥାଏ । ସତେ ସତେ ଯେମିତି କିଛି ଗୋଟାଏ ଦୁର୍ଘଟଣା ଆଜି ଘଟିଯାଇଛି ।

 

ଷ୍ଟେସନରେ ବସ୍ ରହିଲା ପରେ ଇସ୍‍ମାଇଲ କେବଳ ସେଇ ଝିଅଟି କଥା ଭାବିବାକୁ ଲାଗିଲା । ହୁଏତ ସେଇ କାଳି, ଦାନ୍ତୁରୀ ଝିଅଟି ମୁଣ୍ଡରେ ଟିପି ଟିପି ଚନ୍ଦନ ଲଗାଇ ବଧୂ ବେଶରେ ସାଜିଥିବ......ମୁଣ୍ଡରେ ମୁକୁଟ ସିଦ୍ଧ ବିବାହ କରିବ । ଯାହାକୁ ବିବାହ କରିବ ପ୍ରଥମେ ସେ ଯେତେବେଳେ ଝିଅଟି ମୁଣ୍ଡରୁ ଓଡ଼ିଶା କାଢ଼ିଦେବ, ସେ କଣ ଦେଖିବ ?

 

ସେଇ ଅସୁନ୍ଦରୀ କାଳି ମୁହଁ, ଛପର ଘର ଚାଳରେ ବାହାରି ପଡ଼ିଥିବା ବତା ଭଳି ବାହାଡ଼ା ଦାନ୍ତ.... !

 

ଇସ୍‍ମାଇଲକୁ ସବୁ ଖରାପ ଲାଗୁଥଲା । ସତେ ଯେମିତି ସେ ଆଜି କେଉଁଠି ଗୋଟାଏ ଆକ୍‍ସିଡେଣ୍ଟ କରି ଆସିଛି ?

 

ଡ୍ରାଇଭର ଚାରିଟା ପଇଁଚାଳିଶିରେ କହିଲା, ହେ ଇସ୍‍ମାଇଲ ବେଳ କେତେ ହେଲାଣି ! କାହିଁ ଯିବାକୁତ କହୁନୁ......ଆଜି କଣ ଏପର୍ଯ୍ୟନ୍ତ କଲେଜ ଛୁଟି ହୋଇନଥିବ !

 

ଇସ୍‍ମାଇଲ ନିଦରୁ ଉଠିଲା ଭଳି ଅଳସ ଭାଙ୍ଗି କହିଲା, ହଉ ଚାଲ ।

 

କଲେଜ ଛକ ପାଖରେ ବସ୍ ରହିଲା । ଇସ୍ମାଇଲ କିନ୍ତୁ ଚିତ୍କାର କଲା ନାହିଁ । ଛାତ୍ର ଛାତ୍ରୀ ଭର୍ତ୍ତି ହେଲା ପରେ ଗାଡ଼ି ଚାଲିଲା । ଇସ୍ମାଇଲ ସେଥିରେ କିଛି ଆଗ୍ରହ ପ୍ରକାଶ କରିନାହିଁ । କଲେଜ ପିଲାମାନେ ଇସ୍ମାଇଲକୁ ଚାହିଁଲେ, କେମିତି ଶୁଖିଲା ଦିଶୁଛି ଇସ୍ ମାଇଲ । ବୋଧହୁଏ ତାର ଦେହ ଖରାପ ଅଛି ।

 

ଟାଉନବସ୍‍ ଚାଲିଥିଲା । ଠିକ୍ ସେହି ଝିଅଟିର ଘର ପାଖରେ ଚେନଟାଣି ଗାଡ଼ି ଅଟକାଇ ଦେଲା ଇସ୍ ମାଇଲ । କେହି କିନ୍ତୁ ଗାଡ଼ିରୁ ଓହ୍ଲାଇଲେ ନାହିଁ ।

 

ଡ୍ରାଇଭର କିଛି ସମୟ ପରେ ପଚାରିଲା, କଣ କିଏ ଓହ୍ଲାଇଲେ ଯିବା ନା....

 

ଚମକି ପଡ଼ିଲା ଭଳି ଇସ୍ ମାଇଲ କହିଲା, ଏଁ....ହଁ ଚାଲ । ବସ୍ ରେ ବସିଥିବା ଝିଅ ପଞ୍ଝାକ ସମସ୍ୱରରେ ହସି ଉଠିଲେ । ବାହାଘର ନହବତ ବାଜୁଥାଏ ସେ ଝିଅଟିର ଦାଣ୍ଡରେ...ସେ ହୁଏତ ବେଦୀକୁ ଆସୁଥିବ...ହାତରେ ମୋଟା ମୋଟା ବହି ଧରି ନୁହେଁ, ଅନୁକୂଳ ଅରୁଆଚାଉଳ, ଗୁଆଧରି—ମୁଣ୍ଡରେ ମୁକୁଟ ପିନ୍ଧି.... !

Image

 

ରୁଣଂ କୃତ୍ତ୍ୱା

 

ସର୍ଦ୍ଦି ହୋଇଥିଲା । ଏବେ କାଶ ହେଉଛି । ବେଳେ ବେଳେ ଦେହ ଜର ଜର ଲାଗୁଛି । ସେ ଡାକ୍ତରଙ୍କ ପାଖକୁ ଯାଉଥିଲେ । ଡାକ୍ତର ନାଡ଼ୀ ଚିପିଲେ । ଷ୍ଟେଥିସ୍ କୋପ ଲଗାଇ କଣ ସବୁ ମାପିଲେ । କହିଲେ, ଆପଣ ଗୋଟାଏ କଥା କରନ୍ତୁ ଦାସ ମହାଶୟ ! ସକାଳୁ ଉଠି ମିଶ୍ରି ପାଣି ପିଅନ୍ତୁ । ଦିନ କେଇଟାରେ ଦେହ ବାଟକୁ ଚାଲି ଆସିବ । ନହେଲେ ପୁଣି ପଛେ ଆସିବେ ।

 

ଡାକ୍ତର ଭାରି ହୁସିଆର ଲୋକ ବୋଲି ସେ ଅଞ୍ଚଳ ରେ ତାଙ୍କର ଭାରି ବଦନାମ ଅଛି । ଦାସ ମହାଶୟେ ଯେ ଅତି ଅର୍ଥ କାତର, ଡାକ୍ତର ବିଶ୍ୱାସ ରାୟଙ୍କ କାନରେ ସେ କଥା ପଡ଼ି ଯାଇଥିଲା । ସେଥିପାଇଁ କୌଣସି ଔଷଧ ଦେଇ ପାରେ ପଇସା ଆଣିବାର ଦାୟିତ୍ୱ ସେ ନିଜ ମୁଣ୍ଡକୁ ନେଲେ ନାହିଁ । ମିଶ୍ରି ପାଣି ପିଇବାର ପରାମର୍ଶ ଦେଇ ଦେଲେ ।

 

ଦ୍ଵିତୀୟ ମହାଯୁଦ୍ଧ ମାସ କେଇଟା ଆଗରୁ ଶେଷ ହୋଇଥାଏ ମାତ୍ର । ଜ୍ଵର ଛାଡ଼ିଗଲା ପରେ ଦେହରେ ଦୁର୍ବଳତା ଅନେକ ଦିନ ଲାଗି ରହିଲା ଭଳି ଯୁଦ୍ଧର ଘନଘଟା କମି ଯାଇଥିଲେ ବି ତାର ଅବଶ୍ୟମ୍ଭାବୀ କୁପରିଣାମ ଲାଗି ରହିଥାଏ ଦେଶର ଅର୍ଥ ନୀତିରେ.....ମୁଦ୍ରାସ୍ପୀତି । ଜିନିଷର ଦରଦାମ ଅରଣ୍ୟର ଅଗ୍ନି ଭଳି ବଢ଼ି ଚାଲିଥାଏ । ଜିନିଷ ପତ୍ର ସବୁ କଣ୍ଟ୍ରୋଲ—କଳା ବଜାର ।

 

ବିନୁ ଶୁଣ୍ଢି ଗୋଦାମରେ ମିଶ୍ରି ସେରକ ଚାରି ଟଙ୍କା । ଅଧ ପାଏ ମିଶ୍ରି ଘେନି ଦାସ ମହାଶୟ ପି. ଡବଲୟୁ. ଡ଼ି.ର କଚ୍ଚା ସଡ଼କରେ ଆସୁ ଆସୁ ଭାବୁଥିଲେ, ଟଙ୍କାଗୁଡ଼ାକ କଣ ଗୋଡ଼ି ଠାରୁ ଶସ୍ତା ହୋଇଗଲା ?

 

ବିନୋଦ ବାବୁ ଭେଟିଥିଲେ ଆର ଦିନ ଦାସ ମହାଶୟଙ୍କୁ । ଦାସ ମହାଶୟ ସକାଳର ପରିଷ୍କାର ଆଲୁଅରେ ଅଧ ସେରିଆ କାଚ ଗ୍ଲାସରେ ମିଶ୍ରି ମୁଣ୍ତାକୁ ଧୋଇ ଦେଇ ପୁଣି ନିଜ କୋଚଟ ଗାମୁଛାରେ ପୋଛି ବୋତଲରେ ରଖି ଦେଉଥିଲେ । ବିନୋଦବାବୁଙ୍କୁ ଦେଖି ଆନନ୍ଦ ଗଦ ଗଦ କଣ୍ଠ ରେ କହିଲେ “କିରେ ବାପା ବିନୋଦ ! ଅନେକ ଦିନେତ ଦେଖା ! ବସ....ବସ....”

 

ବିନୋଦ ବାବୁ ପାଖରେ ପଡ଼ିଥିବା ଚେୟାର ଖଣ୍ଡିକରେ ବସୁ ବସୁ ମିଶ୍ରି ଧୁଆ ପାଣି ଗ୍ଲାସକ ଉପରେ ଏକ ବିହଙ୍ଗମ ଦୃଷ୍ଟି ଘୂରାଇ ଆଣିଲେ । ଦାସ ମହାଶୟ କହିଲେ, ଡାକ୍ତର ମିଶ୍ରି ପାଣି ସକାଳୁ ପିଇବାକୁ କହିଛି—ବଜାରରେ ମିଶ୍ରି ଭାଉ ବୁଝିଛତ ! ଟଙ୍କା ଗୁଡା଼କ ଯେମିତି ଗୋଡ଼ି ମାଟି ।”

 

ବିନୋଦବାବୁ କେବଳ ଅବାକ ହୋଇଯାଇଥିଲେ । ଦାସ ମହାଶୟ ତାଲବରିଆ ଘରେ ଲୋକ । ମିଶ୍ରି ଧୋଇ ପାଣି ପିଇ ପାରନ୍ତି, ସେ କଥା ସେ ଚିନ୍ତା କଲା ବେଳକୁ ତାଙ୍କ ମୁଣ୍ତ ବିନ୍ଧା ଆରମ୍ଭ ହୋଇଯାଉଥିଲା ।

 

ଦାସ ମହାଶୟ ବୁଝାଉଥିଲେ, ଟଙ୍କା ଖାଲି କାଗଜ ନୋଟ କି ରୂପାର ଚକି ନୁହେଁ ବିନୋଦ ! ଏ ହେଉଛି ମାନ ସମ୍ମାନ...ଶକ୍ତି, ସାମର୍ଥ୍ୟ । ଏ ଟଙ୍କା ଥିଲେ ରାମା ରାମ ବାବୁ ହୁଏ...ବାଉଁଶ କଣି ମୋଟର ପୋରିହ । ଲୋକ ବି ଏହାର ଜୋରରେ ଉହୁଁକି ଆସେ ଗିରି ଗୋବର୍ଦ୍ଧନ ଉପରେ ଆଘାତ କରିବା ପାଇଁ । ଏହାରି ନେଇ କେତେ ଯୁଦ୍ଧ....କେତେ ହାଣ, କାଟ....-।”

 

ଟଙ୍କାର ଏ ମାହାତ୍ମ୍ୟ ବର୍ଣ୍ଣନା କଲାବେଳେ ଦାସ ମହାଶୟ ଏମିତି ବିହୁଳ ହୋଇ ପଡ଼ିଥିଲେ ଯେ ତାଙ୍କ ହାତରୁ ସେ ଧୁଆ ମିଶ୍ରିର ପାଣି ଚହଲି ଚହଲି ଢାଳି ହୋଇ ଯାଉଥିଲା ତଳେ-

 

ବିନୋଦବାବୁ କେବଳ ଅବାକ୍ ହୋଇ ଯାଉଥିଲେ ନିର୍ବୋଧ ହୋଇ ଯାଉଥିଲେ ।

 

ଆଉଦିନେ ବିନୋଦ ବାବୁଙ୍କର ଏ ବିସ୍ମୟ ଏକ ଚରମ ସୀମାରେ ପହଞ୍ଚିଥିଲା । ସେଦିନ ଦାସ ମହାଶୟଙ୍କ ଜୀବନ ପ୍ରଦୀପ ଲିଭିଯିବାର ଦିନ । ଦାସ ମହାଶୟ ପରିବାରରେ କ୍ରନ୍ଦନର କଳରୋଳ ସହିତ ସେଦିନ ଗଣ୍ଡଗୋଳର ହଟ୍ଟଗୋଳ ଶୁଣାଗଲା । ଦାସ ମହାଶୟଙ୍କ ମୃତ୍ୟୁପରେ ତାଙ୍କ ସଂପତ୍ତି ନେଇ ତାଙ୍କ ଦୁଇ ପୁତ୍ରଙ୍କ ମଧ୍ୟରେ କୁରୁ ପାଣ୍ଡବ ଯୁଦ୍ଧ—ସେ ଯୁଦ୍ଧର ଅବସାନ ନହେବା ଫଳରେ ଦାସ ମହାଶୟଙ୍କ ମୃତ ଦେହରୁ ଦୁର୍ଗନ୍ଧ ବାହାରିବା ପର୍ଯ୍ୟନ୍ତ ତାହ ଶ୍ମଶାନକୁ ଯାଇ ପାରିଲା ନାହିଁ ।

 

ଅଥଚ ଦାସ ମହାଶୟ ନିଜ ଜୀବନରେ କେତେ ଟଙ୍କା ସଂଞ୍ଚୟ ନକରିଛନ୍ତି !!

 

ସେଇ ଦୁଇଟି ଦୃଶ୍ୟ ବିନୋଦ ବାବୁଙ୍କ ଜୀବନରେ ଗୋଟିଏ ବଡ଼ ଧରଣର ପରିବର୍ତ୍ତନ ଆସିଲା । ଟଙ୍କା ପଇସାର ମୋହକୁ ସେ ଛି’କରି ଛାଡ଼ିଦେଲେ । ଗୋଟିଏ ଭଲ ମଣିଷର ଜୀବନରେ ଟଙ୍କା ସଞ୍ଚୟର ଯେ କିଛି ଅର୍ଥ ହୁଏ ନାହିଁ, ବିନୋଦ ବାବୁଙ୍କ ମନରେ ଦାସ ମହାଶୟଙ୍କ ମୃତ୍ୟୁପରେ କେମିତି ଏକ ବଦ୍ଧମୂଳ ଧାରଣା ହୋଇଗଲା ।

 

ବିନୋଦ ବାବୁଙ୍କର ଚାରିପୁଅ ରମେଶ, ଗଣେଶ, ଚତୁର୍ଭୁଜ ଓ ମଧୁସୂଦନ ଏବଂ ତିନି ଝିଅ ପ୍ରମିଳା, ସରସ୍ଵତୀ ଇଲାରାଣୀ ଅଳ୍ପ ଦିନ କେଇଟାର ବାପାଙ୍କ ଠାରେ ଏକ ପରିବର୍ତ୍ତନର ସୂଚନା ପାଇଗଲେ । ସେମାନଙ୍କର ସ୍କୁଲ କଲେଜର ଖର୍ଚ୍ଚକୁ ଦୁଇଗୁଣ କରି ଦେବାରେ ବିନୋଦ ବାବୁଙ୍କୁ ମୋତେ ଦୁଇ ମିନିଟ ସମୟ ଲାଗିଲା ...ଝୁଅ ତିନିହେଁ ବସରେ ନଯାଇ ଅଲଗା ଅଲଗା ତିନୋଟି ରିକ୍ସାରେ କଲେଜକୁ ଗଲେ...ପୁଅ ଚାରିଙ୍କ ପାଇଁ କଲେଜ ଯିବାକୁ ନୂଆଁ ଗ୍ରୀନ୍ ମଡ଼େଲ ରାଲେ ଚାରିଟା କିଣା ହୋଇଗଲା ...ସାର୍ଟ, ପ୍ୟାଣ୍ଟ, ଶାଢ଼ୀର ସଂଖ୍ୟା ସେମାନଙ୍କର ଚାରିଗୁଣ କରି ଦିଆଗଲା....ସନ୍ଧ୍ୟା ହେଲାବେଳକୁ ବିନୋଦବାବୁ ନିଜେ ଗୋଟିଏ ନୂଆ ଅଭ୍ୟାସ ଆରମ୍ଭ କରିଦେଲେ...ହୁକା ଟଣା...

 

ସେଦିନ ନଇଁ ପଡ଼ୁଥିବା ସନ୍ଧ୍ୟାର ଅନ୍ଧକାର ଭିତରେ ବିନୋଦ ବାବୁ ଘଡ଼ ଘଡ଼ କରି ହୁକା ପିଇବାରେ ଲାଗିଛନ୍ତି । ସବା ସାନ ଝିଅ ଇଲାରାଣୀ ଗେହ୍ଲେଇ ହୋଇ କହିଲା, ‘ବାପା ! ଆଜି କଲେଜକୁ ସେ ଏସ. ଡ଼ି. ଓ, ଝିଅ ସୁଜାତା ନାଇଁ ! ଚିଲା ଆଖି ଗୋରୀ ଡେଙ୍ଗି ହୋଇ ସେ ଯେଉଁ ଝିଅଟାମ—ଗୋଟାଏ ନୂଆ ସୁନାହାର ପିନ୍ଧି ଆସିଥିଲା—ହାରଟା ଏକଦମ୍ ମଣିପୁରୀ ଡିଜାଇନ୍‍ର ଚମତ୍କାର ମାନୁଥିଲା ତାକୁ—ପ୍ରମିଳା ଦେଇ କହୁଥିଲା ଆମ ହାରଗୁଡ଼ିକ ପୁରୁଣା ଡିଜାଇନ୍‍ର—ସରସ୍ଵତୀ ଦେଈ କହୁଥିଲା ସେମିତିଆ ହାର ହେଲେ...’

 

ଆରାମ ଚେୟାର ଦେହରେ ଏକ ପ୍ରକାର ଶୋଇ ଯାଇ ବିନୋଦବାବୁ ବରଦାନ କରିବା ଭଙ୍ଗୀରେ କହିଲେ “ଆଚ୍ଛା—କାଲି ସକାଳୁ ମୁଁ ମଗେଇ ଦେଉଛି...’

 

ତାର ଆରଦିନ ସଞ୍ଜବେଳକୁ ସାନ ପୁଅ ମଧୁସୂଦନ ଆସି ଅଳି କଲା, “ଖାଲି ସାଇକେଲ ଚଢ଼ି ଚଢ଼ି ବାପା ବିରକ୍ତ ଲାଗିଲାଣି...କଲେଜକୁ ତ ଯିଏମନ ସିଏ ସାଇକେଲ ଚଢ଼ି ଆସୁଛନ୍ତି...ଗୋଟାଏ ମଟର ସାଇକେଲ ନହେଲେ...”

 

‘ତଥାସ୍ତୁ’ ବୋଲି କହିବାକୁ ବିନୋଦବାବୁଙ୍କୁ ମୋଟେ ମିନିଟ୍ ଦେଢ଼ଟି ବି ଡେରି ଲାଗିଲା ନାହିଁ ।

 

ତା ଆରଦିନ ବଡ଼ ପୁଅ ରମେଶ ଆସି ଆପତ୍ତି କଲା, “ପୁରୁଣା ହାର ଥାଉ ଥାଉ ବାର ଶହ ଟଙ୍କାରେ ଅନର୍ଥକ ୪ଟା ନୂଆ ହାର କିଣାଗଲା.... ମଟର ସାଇକେଲଟା ପାଇଁ ଅନର୍ଥକ ତିନି ହଜାର ଟଙ୍କା ଖର୍ଚ୍ଚ...ଗାଁରୁ ସବୁ ଜମି ବିକ୍ରି କରିବା ଫଳରେ ଚାଉଳ କୁଞ୍ଚାଏ ବି ଆସୁନି ବସାକୁ... କେତେ ହଜାର ଟଙ୍କା ବ୍ୟାଙ୍କରେ ଥିଲା ସେ’ବି...”

 

ଜଣେ ବଡ଼ ଦାର୍ଶନିକ ଭଳି ପୁଅକୁ ପାଖରେ ବସାଇ ବିନୋଦବାବୁ ଝୁଲାଇବାକୁ ଲାଗିଲେ, “ଦାସ ମହାଶୟଙ୍କ କଥା ଜାଣିଛୁ ତ ରମେଶ ! କଣ ହେଲା ତାଙ୍କ ଅର୍ଥ ସଞ୍ଚୟର ଫଳ ? ମଲାବେଳକୁ ଶବ ଶ୍ମଶାନକୁ ଗଲା ତିନି ଦିନେ—ଜୀବନକୁ ଜାଳିପୋଡ଼ି ଯେଉଁ ଟଙ୍କା ରଖିଥିଲେ ଆଖି ବୁଜିବା ପରେ ଦୁଇ ପୁଅ ଯାକ ଜୁଆ ଖେଳରେ ଉଡ଼ାଉଛନ୍ତି...କ’ଣ ସେ ସଞ୍ଚିବାର ଅର୍ଥ ! ମହୁମାଛି ଭଳି ନିର୍ବୋଧ ମୁଁ ନୁହେଁ ରମେଶ ! ନିଜେ ସଞ୍ଚି ସବୁ ପର ଖୁଆଇବି । ତୋର ଯଦି କଣ ଦରକାର କହ—”

 

“କିନ୍ତୁ ଏମିତି ସବୁ ଖର୍ଚ୍ଚ କରିଗଲେ ପରବର୍ତ୍ତୀ ବଂଶଧରମାନେ...“ରମେଶ ଅତି କୁଣ୍ଠିତ କଣ୍ଠରେ ଏତିକି କହି ତଳକୁ ମୁହଁ ପୋତିଲା । ହୋ ‘ହୋ’ ହୋଇ ହସି ଉଠି ବିନୋଦବାବୁ ପୁଣି ବକ୍ତୃତା ଆରମ୍ଭ କରି ଦେଲେ, “କହିଲେ ଇତିହାସ ପଢ଼ୁଛୁ ଏମ. ଏ. ରେ....ପ୍ରଫେସର ଆଉ କଣ ପଢ଼ାଉଛି ? ଜେଲି ମାଛର ବଂଶଧର ଆସିଲା ଏଇ ସ୍ପୁଟନିକ ଯୁଗକୁ...ବଣ ଜଙ୍ଗଲର ଅସଭ୍ୟ ମଣିଷ ଟେଲିଭିଜନ...ପରମାଣୁ ବୋମା ତିଆରି କରି ଶିଖିଲା....କ’ଣ ରଖି ଯାଇଥିଲେ ସେମାନଙ୍କ ବଂଶଧରମାନେ ସେମାନଙ୍କ ପାଇଁ ? ଟଙ୍କା ! ସୁନା ! ...କିଛି ନୁହେଁ....କେବଳ ବୁଦ୍ଧି...ଟଙ୍କା ଥିଲେ ଏଇ ବୁଦ୍ଧିର ବିକାଶ ହୁଏ ନାଇଁ…..ଅଭାବ ନଥିଲେ ଉଦ୍ଭାବନ ପାଇଁ ପ୍ରବୃତ୍ତି ଆସେ ନାଇଁ....ଜମି ବାଡ଼ି ବିକି....ବ୍ୟାଙ୍କ ବାଲାନ୍ସ ଶେଷ କରିଦେଇ ମୁଁ ଘିଅ ପିଇଯିବି ରମେଶ ! ମହୀରେ ଥିବା ଯେତେ ଦିନ.... !”

 

ଫଟ ଫଟ ଶବ୍ଦ କରି ନୂଆ ମଟର ସାଇକେଲଟା । ମଧୁସୂଦନ ଆଣି ଦାଣ୍ଡରେ ରଖି ଗୋଟାଏ ଗଡ଼ ଜିଣିଥିବାର ଗୌରବକୁ ନିଜସ୍ଵ କରିଥିବା ଭଙ୍ଗୀରେ ବାପାଙ୍କ ପାଖରେ ପହଞ୍ଚି କହିଲା, “ଚମତ୍‍କାର ଚାଲିଛି ଗାଡ଼ିଟା.....ଖାଲି ପବନ ଭଳି ଉଡ଼ୁଛି.…”

 

ବିନୋଦବାବୁ ହସିଲେ । କଳା ପଡ଼ିଗଲା ରମେଶର ମୁହଁ । ସେଠୁ ସେ ପଳାଇ ଯିବାକୁ ବାଟ ପାଇଲା ନାହିଁ ।

 

ବିନୋଦ ବାବୁଙ୍କ ଖର୍ଚ୍ଚ ବଢ଼ିଲା ।

 

ଟଙ୍କାରେ ଲାଗିଲା ପକ୍ଷୀ—

 

ଘର କାନ୍ଥରୁ ସବୁ ମହାପୁରୁଷମାନଙ୍କ ଫଟୋ କାଢ଼ି ନିଆଯାଇ ଝୁଲା ହେଲା ସ୍ଵର୍ଣ୍ଣାକ୍ଷରରେ ଲିଖିତ ଫ୍ରେମ୍ ବନ୍ଧା ହୋଇଥିବା ଦୁଇଟି ନୀତି ବାକ୍ୟ—

 

“ଯାବତ୍ ଜୀବେତ୍ ସୁଖ ଜୀବେତ୍

 

ୠଣଂକୃତ୍ୱା ଘୃତଂ ପିବେତ୍’’

 

ଆଉ—

 

“ମହୀରେ ଥିବ ଯେତେଦିନ, ଆନନ୍ଦ କରୁଥିବ ମନ । “

 

ବ୍ୟାଙ୍କର ଟଙ୍କା ସାରି ଆସିଲା । ମାଡ଼ି ଆସିଲା କିନ୍ତୁ ଖର୍ଚ୍ଚର ଦାବି...ପ୍ରମିଳା ବାହାହେବ...ବିନୋଦ ବାବୁଙ୍କ ଝିଅ ପ୍ରମିଳା...ଇଂଜିନିୟର ଜୋଇଁ—ଦରକାର କୋଡ଼ିଏ ହଜାର ଖର୍ଚ୍ଚ.….ଘରର ସୁନା ଗହଣା ବିକ । ପୁଅ କେହି ବାଧା ଦେଲେ ବିନୋଦବାବୁ ଆଖି ଦେଖାନ୍ତି....ଆଜି ମଣିଷ କାଲିକି ନାହିଁ...“କେହି ଆପତ୍ତି କର ନାହିଁ କହୁଛି”

 

କେହି ଆପତ୍ତି କରିବାକୁ ସାହସ କରନ୍ତି ନାହିଁ । ପ୍ରମିଳା ପରେ ସରସ୍ଵତୀ ।

 

ଝିଅ ଘିଅ । ରହିଲେ ରହଣିଆ ଗନ୍ଧ । ବର ଠିକ୍ ହେଲା ପ୍ରଫେସର । ଅତି କମରେ ପନ୍ଦର ହଜାର ଖର୍ଚ୍ଚ । ଆଗରୁ ଖର୍ଚ୍ଚ ହୋଇଆସିଛି । ବର୍ତ୍ତମାନ ବନ୍ଦ କରିହେବ ନାହିଁ ।

 

ବାହାଘର ହେବ । ଯେମିତି ହେଉ ।

 

କିଣା ହୋଇଥିବା ମଟର ସାଇକେଲ ବିକ୍ରୀ ହେଲା । ଘରର ଅବିଶିଷ୍ଟ ଜିନିଷ ବନ୍ଧା ପଡ଼ିଲା । ତଥାପି ଟଙ୍କା ନଅଣ୍ଟ । ପାଖରେ ଆଉ କିଛି ନାହିଁ । ଖାଲି ହାତରେ ଟଙ୍କା ମାଗିବେ କାହାକୁ ? ବାହାଘର କରିବାକୁ ହେବ ଯେମିତି ହେଲେ !

 

ରମେଶ ଏଥର ବି.ଏ. ପରୀକ୍ଷା ଦେବ ।

 

ବିନୋଦ ବାବୁଙ୍କ ପୁଅ ରମେଶ । ପାଶ୍ କଲେ ସବ୍ ଡେପୁଟି ଚାକିରିଟାଏ ଅପୂର୍ବ ହେବ ନାହିଁ । ବିନୋଦ ବାବୁ ପ୍ରସ୍ତାବ କଲେ କୋଠା ଖଣ୍ଡିକ ବନ୍ଧା ଦିଆଯାଇ ଟଙ୍କା ଆସୁ—ରମେଶ ଚାକିରି କଲେ ମାସ କେଇଟାରେ ମୁକୁଳାଇ ଆଣିବା—

 

ସମ୍ବଳ ବୋଲି କଟକ ନଗରୀରେ ଏଇ କୋଠା ଖଣ୍ଡିକ !

 

ବାହାଘର ଆୟୋଜନ ବହୁଦୂର ଆଗେଇ ଗଲାଣି । ପଛକୁ ଫେରିବାର ବାଟ ନାହିଁ ।

 

କେହି ନାହିଁ କରି ପାରିଲେ ନାହିଁ । ନିର୍ଦ୍ଦିଷ୍ଟ ସମୟରେ ମୁକୁଳେଇ ଆଣିବାର ଚୁକ୍ତି କରି କୋଠା ବନ୍ଧକ ଦେଇ ଦିଆଗଲା । ସରିଗଲା ସୁରୁଖୁରୁରେ ବାହାଘର—

 

ତା’ପରେ..... !

 

ତା’ପରେ ବିରାଟ ପ୍ରଶ୍ନବାଚକ ଚିହ୍ନ । ତା’ପରେ ହାତ ଉଧାରି, ଧାର ଉଧାର ଚାଲିଲା ରମେଶ ଚାକିରି କଲେ ଶୁଝିଦେବ ବୋଲି । କିନ୍ତୁ ବି.ଏ. ପରୀକ୍ଷାରେ ରମେଶ ଫେଲ ହୋଇଯିବା ଖବର ବାହାରିଗଲା ପରେ ସବୁ ଦିଶିଲା ଆନ୍ଧାର । ଧାର ଉଧାର ସବୁଠୁଁ ଅଣା ଯାଉଥିଲା, ସେମାନେ ସମସ୍ତେ ଆସି ବ୍ୟସ୍ତ ହେଲେ ।

 

ରୋଗ ବଢ଼ିବାକୁ ଲାଗିଲା—

 

ଏମିତି ବେଳ ଆସି ପହଞ୍ଚିଲା ଯେତେବେଳେ ଔଷଧ କିଣିବାକୁ ମଧ୍ୟ ପାଇସା ମିଳିଲା ନାହିଁ । ତଥାପି ମଧ୍ୟ ବିନୋଦବାବୁ କେବେ ହତାଶ ହୋଇନାହାନ୍ତି—ରୋଗ ଶଯ୍ୟାରେ ମଧ୍ୟ ପୁଅମାନଙ୍କୁ ଆଶ୍ୱାସନା ଦିଅନ୍ତି—ମୁଁ ଚାଲିଯିବି—କିନ୍ତୁ ତମେ କେହି ସାହାସ ହରେଇବ ନାହିଁ—ଆବଶ୍ୟକତା ମଣିଷକୁ ନୂତନର ସୃଷ୍ଟି ହୋଇ ପ୍ରେରଣା ଦିଏ—ମୁଁ କେବଳ ତମ ପାଇଁ ଅଭାବ ରଖି ଦେଇଯାଉଛି—ଅସୁବିଧା—

 

ବିନୋଦ ବାବୁ ଆଖି ବୁଜିଲେ ଦୁନିଆର ହଜାର ହଜାର ମାଲିକଙ୍କ ଭଳି—ଆଖି ବୁଜିଲା ବେଳେ ଚାରି ପୁଅ ମୁଣ୍ଡ ପାଖରେ ଆସିଥିଲେ—ସବା ସାନ ଝିଅ ଇଲାରାଣୀ ବସି ଭାଗବତ ପଢ଼ୁଥିଲା । ଶେଷବେଳକୁ ବିନୋଦ ବାବୁ କହିଥିଲେ ସେଇ ପଦକ ବୋଲିବାକୁ–

 

“ମହିରେ ଥିବ ଯେତେ ଦିନ, ଆନନ୍ଦ କରୁଥିବ ମନ ।”

 

ବିନୋଦ ବାବୁ ଭାଗବତର ସେଇ ପ୍ରିୟତମ ପଦଟି ଶୁଣି ଆଖି ବୁଜିଥିଲେ ହସି ହସି—ଆନାନ୍ଦରେ !

 

ବିନୋଦ ବାବୁଙ୍କ ମୃତ୍ୟୁପରେ ଅନେକ ଲୋକ ଆସି ଠିଆ ହେଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ତାଙ୍କର, ମହାଜନ–ଋଣ ଆଦାୟ କରିବାର ସମ୍ଭାବନା ବିନୋଦ ବାବୁଙ୍କ ମୃତ୍ୟୁପରେ ଏତି ସାଙ୍ଘାତିକ ଅବସ୍ଥାରେ ପହଞ୍ଚିବା ହେତୁ ଅଧିକାଂଶ ମହାଜନଙ୍କ ମୁହଁରେ କାତରତା ଆଉ ଆଖିରେ ଲୁହ ଛଳଛଳ ହେଉଥିଲା—ସେ ଲୁହ ଦେଖି ଅନେକଙ୍କ ମନରେ ଭୁଲ୍‍ ଧାରଣା ସୃଷ୍ଟି ହୋଇ ଯାଉଥିଲା ଯେ ବିନୋଦ ବାବୁଙ୍କ ଦୁଃଖରେ ବ୍ୟାକୁଳ ହୋଇ ସେମାନେ କାନ୍ଦୁଛନ୍ତି—

 

ରମେଶକୁ ଡାକି ଘର ବନ୍ଧକ ନେଇଥିବା ଭଦ୍ରବ୍ୟକ୍ତି ଜଣକ ତୁନି ତୁନି କହିଲେ, “ଚୁକ୍ତିଦିନ ପୂରିଗଲାଣି—ଟଙ୍କା ଦେବତ ଆଜି ଦିଅ—ନଚେତ୍ କାଲି ସକାଳୁ ଘର ଖାଲି କରି ଦିଅ–ବୁଢ଼ାତ ଗଲେ—ପୁରୁଣା କାଳିଆ ଜମିଦାର ଲୋକ—କେତେ କଣ ରଖି ଯାଇଛନ୍ତି ?”

 

ବଡ଼ ଅସ୍ପଷ୍ଟ କଣ୍ଠରେ ରମେଶ କହିଲା, “କେବଳ ଅଭାବ—ଅସୁବିଧା—’’

 

ଶ୍ମଶାନକୁ ଶବ ଉଠିବାର ବନ୍ଦୋବସ୍ତ ସେ ପର୍ଯ୍ୟନ୍ତ କିଛି ହୋଇ ପାରି ନଥିଲା... !!

 

ଇଡ଼ିଗଲା ପାଣି

 

ଇଡ଼ିଗଲା ପାଣି, ହୁଡ଼ିଗଲା ପଥ । ହାତରୁ ଖସିଲେ ଅଣହାତ । ସେଥିପାଇଁ ମୁହଁ ଭୁରୁଙ୍ଗା କରି ବସିଛୁ କାହିଁକି କିଲୋ ଶକୁନ୍ତଳା ! ବହିଗଲା ନଈ ସୁଅକୁ ଆଖିରୁ ପାଣି ନିଗାଡ଼ା କଣ ଅଟକାଇ ଦେଇପାରିବୁ ! ତୋ ଆଖିର ପାଣି ମିଶିଲେତ ସେ ନଈର ସୁଅ ଆହୁରି ବେଗବତୀ ହେବ ! ଛି–ଛି–ତୁ କାନ୍ଦନାଇଁ ଶକୁନ୍ତଳା !

 

ମରି ଯାଉଥାଏଟି ମୋର ମୃଗନୟନୀ ! ଏଇତ କାଲି ଭଳି ଆଖି ଆଗରେ ନାଚି ଯାଉଛି । ଏଇ ମୁହଁରେ ଦଲକାଏ ହସ ଦୋହଲାଇ କହି ଯାଉଥିଲୁ, ଯାଉଛିଲୋ ଅପା ! ଉପରେ ଆକାଶ ଜଳରେ କଇଁ-ମନେ ରଖିଥିବୁ ଭୁଲିବୁ ନାହିଁ ।

 

ସେ କଥା ତ ଭୁଲି ଯାଇନାଇଁ ମୁଁ । ସବୁତ ଅବିକଳ ସେମିତି ମନେ ଅଛି । ତୁ ଯାଇଥିଲୁ, ହସୁଥିଲୁ । ଦୁଇ କଳରେ ଦୁଇ ଦଲକା ହସ । ଫିଟି ଫିଟି ସେ ହସ ଦି’ ଦଲକା ନଇଁ ପଡ଼ୁଥିଲା ଚିବୁକ ଉପରକୁ । ମୁହଁ ଉଜ୍ଜ୍ୱଳ ଦିଶୁଥିଲା । ସରାଗ ଉକୁଟି ଉଠୁଥିଲା ଗାଲ ଉପରେ ।

 

ଆଉ ଆଜି.... !

 

ଉପରେ ସେ ନେଳିଆ ଆକାଶଟା ଦିଗ୍‍ବଳୟ ଯାଏ ବ୍ୟାପୀ ରହିଛି । ଖୁବ୍‍ ଛୋଟ ଛୋଟ ଦିଶୁଥିବା ଚଢ଼େଇ କେତୋଟି ଉଡ଼ି ଯାଉଛନ୍ତି ତା ତଳେ ତଳେ । ପୋଖରୀର ଜଳରେ କଇଁଫୁଲ କେତେଟାତ ସେମିତି ଥକ୍‍କା ମାରି ଚାହିଁ ରହିଛନ୍ତି ଲୋ ! ଶରତ ସେ ଦିନୁ କାଶତଣ୍ଡୀ ଫୁଲର ମହକରେ ଉଡ଼ି ଉଡ଼ି କୁଆଡ଼େ ଉଭେଇ ଗଲାଣି, ତଥାପି ସେ କଇଁଫୁଲର ଓଠ ପାଖୁଡ଼ା ଗୁଡ଼ାକ କେତେ ନାଲି ଦିଶୁଛିମ !

 

ସବୁତ ସେମିତି ସବୁ ଠିକ୍ ଅଛି ।

 

ଆଉ ତୋ ମୁହଁରେ ହସ ଚୋରାଇ ନେଲା କିଏ ? ତୋ ଆଖିର ଆକାଶରେ ଏ ଶୀରାବଣର ବରଷା ଧାରା ଘୋଟି ଆସିଲା କୁଆଡ଼ୁ ?

 

ଓହୋ ! ମନର ଏ ଅଗନା ଅଗନି ବନସ୍ତରେ ଏ ଯେଉଁ ଝଡ଼ରାତି ଘନେଇ ଆସିଛିନା, ତାକୁ ଆଉ ଏଡ଼େ ସହଜରେ ଏଡ଼େଇ ଦେଇ ହେବ ନାହିଁ । ଯୁଆଡ଼କୁ ଅନାଇବ ତେଣେ ଖାଲି ପାଣି, ତେଣେ ଖାଲି ଅନ୍ଧାର ।

 

ଏ ଅନ୍ଧାରରେ ବାଟ ଚାଲିଲେ ଝୁଣ୍ଟି ପଡ଼ିବୁ ଲୋ କୁନ୍ତଳା । ତୋ ଦେହର କଅଁଳ ଚମଡ଼ା ସେ କଣ୍ଟା ଝଣ୍ଟାରେ ଚିରି ହୋଇଯିବ । ରକତ ବାହାରିବ ।

 

ସେ ଦିନ ମୁଁ ସେ କଥା କହିଲାବେଳେ ତୁ କଣେଇ କଣେଇ ଚାହିଁ ଚୋରେଇ ଚୋରେଇ ହସୁଥିଲୁ । କହୁଥିଲୁ, ଜୀବନ ପଥରେ କଣ୍ଟା ଝଣ୍ଟା ନ ମାଡ଼ିଲେ ଜୀବନର ସୁଆଦକୁ ବାରି ହୁଏନାହିଁ କାହିଁକି ଜମା । ଜୀବନର ସୁଆଦକୁ ଚାଖିବାକୁ ତ ଜାଣି ଜାଣି ସେ ଅବାଟରେ ମାଡ଼ି ଯାଇଥିଲୁ, ଆଜି ତେବେ କଣ୍ଟା ମାଡ଼ି ମୁଁହ ମୁଁହ ଶୁଖେଇ କାନ୍ଦି ବସିଛୁ କାହିଁକି ?

 

ବାହାଘର ପୂର୍ବ ଦିନ ଆସି ଉପୁଚେଇ ହୋଇ କହୁଥିଲୁ, ଡାକ୍ତର ଦାସ୍ ଭଲ ଲୋକଟିଏ ମ ଅପା ! ଦିନକୁ କେତେ ନାହିଁ କେତେ ରୋଜଗାର ! ନାଲି ପାଣି ବିକି ରୁପା ଟଙ୍କା ରୋଜଗାର କରନ୍ତି । ଏହି ନିମିଷେ ନାହାଁକୁ ବଟିକା ଦେଇ ଦଶଟଙ୍କିଆ ନୋଟ ପକେଟରେ ଭର୍ତ୍ତି କରନ୍ତି । ଆଉ ଘନ ଭାଇ...ଥୁଃ...ଦେଖା ସୁନ୍ଦର କଖାରୁ ବଡ଼ି....ତାଙ୍କୁ ବାହା ହେଲେ ବାଟରୁ ଯାଇଁ ହାଟରେ ବସିବି-

ତୋ ଘନ ଭାଇକି ସେଦିନ ତୁ ଥୁଃ...ବୋଲି କହିଥିଲୁନା ¡ ତୋ ମୁଁହରୁ କଥାଟା ଶୁଣି ସେଦିନ ଓଠଚାପି ମନେ ମନେ ମୁଁ ହସିଥିଲି । ସେଇ ଘନଭାଇ ପାଇଁ କେତେ ବିନତି ପୁଣି ତୁ ପାଗଳାନୀ ହୋଇ ଯାଇଥିଲୁ ! ପାଖରେ ନ ଦେଖିଲେ ଅଥୟ ହୋଇଥିଲୁ ! ଘନଭାଇ ତୋର ଦେହରେ ଟିପ ଛୁଇଁଲେ ଲାଜକୁଳୀ ଲତା ଭଳି ଝାଉଁଳି ପଡ଼ୁଥିଲୁ । ଆଉ ପୁଣି ଦିନ କେଇଟାରେ ସେପୁଣି ଥୁଃ…. ହେଲା !

ଡାକ୍ତରଙ୍କୁ ଦେଖି ଢଳି ଗଲା ମନ । ଟଳିଗଲା ଭଲପାଇବାର ସେ ଆଶା । ଡାକ୍ତର ମଣିଷର ହାତ ଧରୁଛୁ ବୋଲି ସାହି ସାହି ବୁଲି କହିହେଲୁ । ତୋର ସେ ଛଇ ଛଟକ ଦେଖି ଘନ ହେଲା ଦେଶାନ୍ତରୀ । ଗଲା ପୁଅ ବାହୁଡ଼ି ନଇଲା । ଦିଲ୍ଲୀ ନଗରରେ କଣ ଗବେଷଣା କରୁଛି । ନୂଆ ଗୋଟିଏ କଣ ଔଷଧି ବାହାର କରିବ । ଆହା ! କି ସୁଧାର ପିଲାଟିଏ ମ ଘନ ! ଆଡ଼ ପାଗଳ ବୋଲି ତୁ ସିନା ତାକୁ ଥୁଃ କରିଦେଲୁ !

ଘନକୁ ଥୁଃ କରି ତୁ ଧରିଲୁ ବନ ଡାକ୍ତରର ହାତ । ହେଲେ ତୋ ଆଗରୁ ନାଲି ବୋତଲ ତା’ ମୁଣ୍ଡକୁ ଧରିଥିଲା । ହାତଠାରୁ ମୁଣ୍ଡ ହେଲା ଉଚ୍ଚ । ସକୀ ଠାରୁ ସୁରା ହେଲା ବଡ଼ । ତୋ ମନର ଗହନ ବନରେ ଝଡ଼ ଉଠିଲା । ନାଇଁ !

 

ତପୋବନର ଶକୁନ୍ତଳା ତୁ । ଦୁଷ୍ମନ୍ତ ମହାରାଜାଙ୍କୁ ଯେତେବେଳେ ମୁଦ୍ରିକା ଦେଖାଇଲୁ , ସେ ଚିହ୍ନି ପାରିଲା ନାହିଁ । ନାଲି ପାଣିର ନିଶା ତାଙ୍କୁ ସବୁ ଭୁଲେଇ ଦେଇଛି ।

 

ତୋ ହାତରେ ମୁଦ୍ରିକା ଅଛି, ହେଲେ ସନ୍ତକ ନାହିଁ । ଚିହ୍ନି ଜାଣିଲେ ମୁଦ୍ରିକା ସନ୍ତକ ହୁଏ, ଆଉ ଚିହ୍ନି ନପାରିଲେ..... ?

 

ଘନ କଥା ଭାବୁଛୁ କି ଶକୁନ୍ତଳା !

 

ଭାବୁଛୁ ଏ ମୁଦ୍ରିକା ଚିହ୍ନି ସେ ତୋତେ ଆଶରା ଦେବ ? ମୋର ତ କାହିଁ ଆଦୌ ମନରେ ପରତେ ହେଉନି !

 

ଏଇ ଯେଉଁ ନଈକୂଳ ପାଖ ସଡ଼କଟା ସାପେଇ ସାପେଇ ଗହୀର ବିଲକୁ ଲମ୍ବି ଯାଇନି, ସେଇଠି ମୋର ତା ସାଙ୍ଗରେ ଗଲାଦିନ ଦେଖା ହୋଇଥିଲା । ତାର ଦୁଇ ଆଖିର କୋଳରେ କେଇବିନ୍ଦୁ ଜଳ ଢଳ ଢଳ ହେଉଥିଲା । ହେଲେ, ସେ କାନ୍ଦୁଥିଲା କି ନାହିଁ ମୁଁ କହିପାରି ବି ନାଇଁ । ମତେ ଦେଖି ଠିଆ ହୋଇ ସଳଖ ହୋଇ କହିଲା , ରଙ୍ଗି ଅପା ! ମୁଁ ଯାଉଛି । କୁଆଡ଼େ ଯାଉଛି ଠିକ୍ କହି ପାରିବି ନାହିଁ । ବଡ଼ ଆଶା କରି ଶକୁନ୍ତଳା ପାଖକୁ ଆସିଥିଲି । ଶୁଣିଲି ସେ ବନ ଡାକ୍ତରକୁ ବାହା ହେଉଚି । ମୁଁ ତାର ମଙ୍ଗଳ ମନାସୁଚି ରଙ୍ଗି ଅପା !

 

ଏତିକି କହି ସେ ଚାଲି ଯାଉଥିଲା । ପୁଣି କଣ ଭାବି ଫେରି ଆସି କହିଲା, ମୋର କୋଠା ଘର ଚାଷ ଜମି ନଥିଲା ଶକୁନ୍ତଳା ପାଇଁ । ହେଲେ ମୋ ହୃଦୟ ଭିତରେତ ଅନେକଗୁଡ଼ିଏ ପଡ଼ିଆ ଜମି ତା ପାଇଁ ପଡ଼ି ରହିଥିଲା ! ସେ ସେଇ ପଡ଼ିଆରେ ତ ଫୁଲ ଫୁଟାଇ ପାରିଥାଆନ୍ତା ! ସେ ତାହା କଲା ନାହିଁ କାହିଁକି ରଙ୍ଗି ଅପା !

 

ନଡ଼ିଆର କେଉଁ ଶୀରରେ ପାଣି ଯାଉଛି ତାହା ମଧ୍ୟ ମୁଁ ସେ ଦିନ ବୁଝିପାରି ନଥିଲି । ଘନ ସେଦିନ ଚାଲିଗଲା । ଆଉ ଲେଉଟି ଆସିନାହିଁ । ତୁ କିନ୍ତୁ ହସି ହସି ଗଲୁ କାନ୍ଦି କାନ୍ଦି ଲେଉଟିଲୁ ।

 

ଆଜି ଭାବୁଛିକି ଆଜିଯାଏ ଘନର ସେ ହୃଦୟ ଭିତରର ପଡ଼ିଆଟା ସେମିତି ପଡ଼ିଆ ପଡ଼ିଥିବ ! ନାଇଁ ଲୋ ମା ! ପୁରୁଷ ହୃଦୟର ପଡ଼ିଆ ଭୂଇଁରେ କ୍ଷଣକେ ଦୁବ କଅଁଳେ । ହୋଇପାରେ ସେ ଦୁବ କଅଁଳ ପଡ଼ିଆରେ କେତେଟା କଣ୍ଟେଇ କୋଳି ଆଉ ଅନାବନା ଭଇଁଚ କୋଳି ଗଛ ଉଠିଯିବଣି । ହେଲେ ଗୋଲାପ ଫୁଟିବା ପାଇଁ ଆଉ ଜାଗା ଥିବା ବୋଲି ମୋର ମନେ ହେଉନିତ !

 

ପାହା ପାହା ରତିର ଫରଚା ଆଲୁଅ ଭଳି ସେ ଦିନ କେଇଟିର ସ୍ମୃତି ଭାରି ମିଠା ଲୋ ଶକୁନ୍ତଳା ! ସେ ହଜିଗଲା ଦିନ କଣ ଆଉ ଲେଉଟି ଆସିବ ! ଜାଣି ଜାଣି ତୋ ମନ ଭିତରେ ତୁ ଯେତେବେଳେ ନିଆଁ ଜଳେଇ ଦେଇଛୁ, ତତେ ସେତେବେଳେ ସେ ନିଆଁ ଧାସରେ ଆପେ ଦହି ହୋଇ ମାରିବାକୁ ପଡ଼ିବ ।

 

ଏଇଥି ପାଇଁ ବସି କାନ୍ଦୁଛୁ କି ?

 

ଛି ... ଛି .... ଏଇ ଛୋଟିଆ ଆଘାତରେ ଭାଙ୍ଗି ପଡ଼ିଲେ ଆଗରେ ଦିଶୁଥିବା ମେଘନାଦ ପାଚେରୀକୁ ତୁ ଡେଇଁବୁ କେମିତି ? ଜୀବନ ତୋର ନିଛାଟିଆ ହୋଇଗଲା, ତା ମୁଁ ମାନୁଚି । କେତେ ସରାଗରେ ଆସି ଯିଏ ତୋ ମନ ଭିତରେ କୋଳାହଳ କରୁଥିଲା, ତୁ ତାକୁ ଜାଣି ଜାଣି ଦେଶାନ୍ତରୀ କରି ଦେଇଛୁ । ଯାହାକୁ ନିମନ୍ତ୍ରଣ କରି ଆଣି କଳରୋଳ କରିବୁ ବୋଲି ବସିଥିଲୁ, ସେ ମୂକ ହୋଇଗଲା । ହେଲେ, ନାରୀକେବେ ଏକୁଟିଆ ହୋଇ ରହେ ନାହିଁ । ତୁ’ ବି ରହିବୁ ନାହିଁ । ପୁଣି ଶୁଖିଲା ଗଛରେ ଶାଖା କଅଁଳିବ । ନୂଆ ପତର ନଦି ହେବ ଆସୁ ଡାଳରେ । ନାରୀ ମନ ସବୁ ଦିନେ ଓଦା ଓଦା ଶକୁନ୍ତଳା , ସେ ଶୁଖେନାହିଁ ।

 

ଦିନର ଆଲୁଅ ମହଳଣ ପଡ଼ି ଆଇଲାଣି । ଦିନାନ୍ତର ଏ ଖରା ନପୁଂସକ ଭଳି ମନେ ହେଉଛି । ଏଥିରେ ତାତି ନାହିଁ, ଶକ୍ତି ନାହିଁ । ନଈ ପଠା ବାଲିର ରାହାଧରି ଏଥର ଅନ୍ଧାର ଆସିବ, ଅନ୍ଧାର !

 

ନଈ ବାଲି ଉପରେ ନିରେଖି ନିରେଖି ତୁ ଯାହାର ଚରଣ ଚିହ୍ନ ଖୋଜୁଛୁ ସେ ଆଉ ଫେରିବ ନାହିଁ । ଧୂଳି ଝଡ଼ରେ ସେ ପାଦ ଚିହ୍ନ କୋଉଦିନୁ ନିଭି ଗଲାଣି । ସେ ନିଭି ଯାଇଥିବା ପାଦ ଚିହ୍ନ ଉପରେ ଯେତେ ମୁଣ୍ଡ ପିଟି ବିକଳ ହୋଇ କାନ୍ଦିଲେବି ସେ ଆଉ ଲେଉଟି ଆସିବ ନାହିଁ-

 

ହଁ, ମନେ ପଡ଼ିଗଲା ।

 

ଘନ ପରା କଣ ନୂଆ ଓଉଷଧି ତିଆରି କରୁଛି ଲୋ ଶକୁ ! ନାରୀ ମନ ଭିତରେ ଯେଉଁ ଘା’ ହୋଇଥାଏ , ସେ ଔଷଧିରେ କଣ ସେ ଘାଆ ଭଲ ହୋଇଯିବ କିଲୋ !

 

ଆହା, ମୋ ମୃଗନୟନୀ ଶକୁନ୍ତଳା ! ମୋରାଣଟି । ଆଉ କାନ୍ଦନି । ମନରେ ଦମ୍ଭଧର । ଜୀବନର ଏଇ ଅଣଓସାରିଆ ହିଡ଼ ଧାରରେ ତତେ ଏଥରକ ଏକୁଟିଆ ଚାଲିବାକୁ ପଡ଼ିବ । ଡାଆଣୀ ଆଲୁଅ ଦେଖି ଚମକି ପଡ଼ିଲେ ଚଳିବ ନାହିଁ । ଗଛ ଛାଇକୁ ମନର ମଣିଷ ଭାବି ଶିହରୀ ଉଠିଲେ ଲୋକେ ଟାପରା କରିବେ ।

 

“ମାଇପି ଜୀବନ ଭାରି ଝଅକ ମାରି ।

 

ହସିଲେ କହିବେ, ଦୋଚାରୁଣୀ ।”

 

ଗୁମ୍ ମାରି ରହିଲେ କହିବେ, ପକା ଚୁପ୍ ସଇତାନୀ !

 

ତୁ ଝିଅନୋହୁଁ, ପ୍ରଣୟିନୀ ନୋହୁ, ସ୍ତ୍ରୀ ନୋହୁ । ତୁ ନାରୀ—ଇସ୍ ! ତୁ ଏକାବେଳକେ କେବଳ ନାରୀ !

Image

 

ଶେତ୍ଵ-କାଳିମା

 

ତମେ କ’ଣ ବିଶ୍ୱାସ କରୁଛ ମିନି; ମୁଁ ଅପରାଧୀ ? ମୁଁ ଜାଣେ ତମେ ତାହାହିଁ ଭାବିଚ । କାଲି ଚାରିଟାବେଳେ ମୋ ସହିତ ଦେଖା କରିବାକୁ ଆସିଥିଲ ; କିନ୍ତୁ ସେତେବେଳେ ମୋ ଅପରାଧର କଥା ତୁମେ ଶୁଣିଲ, ସେତେବେଳେ ସ୍ପଷ୍ଟ କଣ୍ଠରେ କହିଗଲ “ମୁଁ ଦେଖା କରିବାକୁ ଚାହେଁ ନା....ନା....ନା.... ।”

 

ହଁ—ହଁ—ଜେଲର ମତେ ସେହି କଥା କହୁଥିଲେ । ଜେଲ୍ ଘରର ଏ କାନ୍ଥ ଏପଟୁ ମୁଁ ତୁମକୁ ଦେଖିନି ; କିନ୍ତୁ ଅନୁମାନ କରୁଛି, ମୋ ଅପରାଧର ସ୍ୱରୂପ ଜାଣିଲା ପରେ ଘୃଣାରେ ତମ ନାକପୁଡ଼ା ଫୁଲ ଫୁଲି ଉଠିଥିବ । ଏଭଳି ଏକ ଜଘନ୍ୟ ଅପରାଧୀର ସ୍ତ୍ରୀ ବୋଲି ଲଜ୍ଜ୍ୟାରେ ମୁଣ୍ଡ ତମର ତଳକୁ ହୋଇ ଯାଇଥିବ । ଆଉ କେଉଁ ମୁହଁ ରେ ଅବା ତମେ ମୋ ସହିତ ଦେଖା କରି ପାରିଥାନ୍ତ !

 

କିନ୍ତୁ ମିନି, ମୁଁ ସତରେ କଣ ଅପରାଧ କରିବା ପାଇଁ ଯେଉଁ ଶକ୍ତି (ସେ ଶକ୍ତି ଯେଡ଼େ ଅମାନୁଷିକ ହେଉ ପଛକେ !) ଲୋଡ଼ା ତା’ କଣ ମୋର ଅଛି ?

 

ଅପରାଧ କରିବା ସହଜ କଥା ନୁହେଁ । ଯିଏ ନିଜ ହାତରେ ମଣିଷ ମାରେ, ସେ ତୁମ ମୋ ଭଳି ସାମାନ୍ୟ ମଣିଷ ନୁହେଁ । ମୁଁ ତ ଥରେ ଲୁଚେଇ କରି ମାଛ ଖାଇ ଯାଇଥିବା ବିଲେଇଟିକୁ ରାଗରେ ପିଟି ମାରି ଦେଇଥିଲି ବୋଲି ସେଇ ବିଲେଇ ଓଜନର ଲୁଣ ଦାନ କରି ପ୍ରାୟଶ୍ଚିତ୍ତ କରିଥିଲି ! ସେ ବିଲେଇକୁ ପୁଣି ମୁଁ ସେଦିନ ଜାଣି ଜାଣି ମାରି ନଥିଲି । ଗରିବ ଘର ଆମର । ମାଛ ମାଂସ ମିଳେ ନାହିଁ ବୋଲି ତମେ ସପ୍ତାହରେ ଛଅ ଦିନ ସୋମବାର, ଗୁରୁବାର ଆଉ ଅନ୍ୟାନ୍ୟ ଓଷା କରି ଆଇଁଷ ଖାଅ ନାହିଁ । ସପ୍ତାହରେ ଥରେ ରବିବାର ଦିନ ଆଇଁଷ ଆସେ ଘରକୁ । ସେ ପୁଣି କେବେ ପଚା ଚିଙ୍ଗୁଡ଼ି ତ ଆଉ କେବେ ଶସ୍ତା ମେଣ୍ଢାଇ ମାଉଁସ ।

 

କିନ୍ତୁ ସେ ରବିବାର ଟା ବୋଧହୁଏ ପହିଲା ପରର ରବିବାର; ସେର ଚାରି ଟଙ୍କା ଦେଇ ରୋହିମାଛ ସେରେ ଆଣିଥିଲି । ହଁ—ହଁ ମନେ ପଡ଼ିଲା । ସେଇ ରବିବାର ପୁଣି ଆମ ବିବାହ ବାର୍ଷିକର ଶୁଭ–ସ୍ମୃତିର ଦିନ । ତମେ ଅଡ଼ି ବସିଲ,କିଛି ନ ହେଲେ ପାଞ୍ଚ ସାତଜଣ ସାଙ୍ଗ ସାଥିକୁ ଡାକ । ବିବାହ ବାର୍ଷିକର ଉତ୍ସବଟା ମାଛ, ଭାତରେ କଟୁ ।

 

ବିବାହ ବାର୍ଷିକୀର ସ୍ମୃତି !

 

ସ୍ୱଳ୍ପବେତନଭୋଗୀ ସରକାରୀ କର୍ମଚାରୀର ଜୀବନରେ ଏଇ ବିବାହର ସ୍ମୃତି କେଡ଼େ ନିଷ୍ଠୁର ; ପୁଣି କେଡ଼େ ମିଠା ମିଠା !

 

ତମ କଥା ଏଡ଼େଇ ହେଲା ନାହିଁ ।

 

ଦଶଜଣ ବନ୍ଧୁଙ୍କୁ ନିମନ୍ତ୍ରଣ କରି ଆସିଲି ।

 

ସେ ନିମନ୍ତ୍ରଣ ବନ୍ଧୁ ଦୁଇଜଣ ଆଉ ଆମ ଦୁହିଁଙ୍କୁ ହିସାବ କରି ସେ ରୋହିମାଛକୁ ତମେ ବାରଖଣ୍ଡ କରି କାଟିଥିଲ । ଅଙ୍କକଷି, ହିସାବ କରି ଭାଗ ପକାଇଥିଲେ ଜଣକୁ ଖଣ୍ଡିଏ ମାଛ !

 

କିନ୍ତୁ ସେ ଗଣିତବିଦ୍ୟା ଜାଣି ନ ଥିବା ବିଲେଇଟା... ?

 

ତମେ ଯେତେବେଳେ ବନ୍ଧୁମାନଙ୍କୁ ଚର୍ଚ୍ଚା କରୁଥିଲ, ସେ ବିଲେଇଟା ସେଥିରୁ ତିନିଖଣ୍ଡ ମାଛ ନିଜ ତଣ୍ଟି ଆର ପଟକୁ ଡିଆଇଁ ପକାଇଛି । ସେ ଯଦି ଖଣ୍ଡିଏ ମାଛ ଖାଇ ଦେଇଥାନ୍ତା, ମୋର କିଛି ଚିନ୍ତା ନ ଥିଲା । ସେଦିନ ରବିବାରକୁ ସୋମବାର ତ ବୋଲି ମନେ କରି ତମେ ଆଇଁଷ ଖାଇବାକୁ ମନା କରି ଥା’ନ୍ତ । ତମେ ତାହା ମୁଁ ଯଦି କହିଥାନ୍ତି, ନା—ନା–ଆଜି ରବିବାର । ତମେ ମାଛ ଖାଅ ଦେଖା କରିବିନି ! ମୁଁ ପଛେ ନ ଖାଉଛି । ତମର ତ ସୋମବାର ଦିନ ଓଷା କଥା ତୁମେ-ବାର । ମୁଁ ତ ସବୁଦିନେ ଆଇଁଷ ଖାଉଛି ।

 

ତାହାହେଲେ ତମେ ମତେ ବୁଝାଇ ଦେଇଥାନ୍ତ, ଛି...ଛି ...ରବିବାର ରାତି ଆଉ ସୋମବାର ସକାଳ ଭିତରେ କେତେ ତଫାତ୍ ଯେ ! ବର୍ତ୍ତମାନ ମାଛ ଖାଇଲେ ସକାଳକୁ ସେ ଜୀର୍ଣ୍ଣ ହେଇନଥିବ । ସୋମବାର—ଓଷାଦିନ । ନା—ନା—ତମେ ମାଛ ଖାଅ... ।

 

ଆଉ ଯଦି ବିଲେଇଟା ଦୁଇଖଣ୍ଡ ମାଛ ଖାଇଥାନ୍ତା...

 

ମୁଁ ଅନ୍ତତଃ ଏତେଟା ରାଗି ନଥାନ୍ତି । ଆମେ ଦୁହେଁ ପଛେ ବନ୍ଧୁ ଚର୍ଚ୍ଚା କରି ଆଇଁଷ ଖାଇ ନଥାନ୍ତେ । କିନ୍ତୁ ବିଲେଇଟା ସେ ତିନି ଖଣ୍ଡ ମାଛ ଖାଇ ଦେଇଥିଲା ! ଦଶଜଣ ନିମନ୍ତ୍ରଣ ଅତିଥିଙ୍କୁ ଖଣ୍ଡିଏ ଲେଖାଁ ମାଛ ତମେ ବାଣ୍ଟି ଦେଇଥାନ୍ତ କେମିତି ? ଗଣିତ ଶାସ୍ତ୍ରରେ ଅବିଭକ୍ତ ସଂଖ୍ୟାକୁ ବିଭକ୍ତ କରାଯାଇପାରେ, କିନ୍ତୁ ଭୋଜନ ଶାସ୍ତ୍ରରେ... !

 

ସେଥିପାଇଁ ମିନି ! ସେ ପୋଷା ବିଲେଇଟା ଉପରେ ମୋର ଏତେ ରାଗ ହୋଇଥିଲା ସେ ଦିନ । ପାଖରେ ପଡ଼ିଥିବା କାଠ ଫାଳିଆରେ ତାକୁ ପିଟି ଦେଇଥିଲି ।

 

ବାସ !

 

ତିନିଖଣ୍ଡ କେତେ ଖାଦ୍ୟସାର ଥିଲା ଯେ, ସେ ମୋର ଏତେ ବଡ଼ ପାହାର ସହ୍ୟ କରିବାର ଶକ୍ତି ସଞ୍ଚୟ କରି ପାରିଥାନ୍ତା ?

 

ସେ ପୋଷା ବିଲେଇଟି ମରିଗଲା...

 

ସେଥିପାଇଁ ତମେ ଦିନେ ଉପାସ...

 

ପାପର ପରିମାଣ ଆଶଙ୍କାରେ ମୁଁ ମଧ୍ୟ ଦୁଇଦିନ ଅସ୍ଥିର ହୋଇଉଠିଥିଲି । ମୃତ ବିଲେଇ ଓଜନର ଲୁଣ ତଉଲି ଦାନ ଦେଇ ସରିଲା ପରେ ମୁଁ ଆଶ୍ଵସ୍ତ ହୋଇଥିଲି ସେଦିନ....

 

ସେଇ ମୁଁ ତମର ପାପଭୀରୁ ସ୍ଵାମୀ ।

 

ମୁଁ କଣ କେବେ ନରହତ୍ୟା କରିପାରେ !!

 

ତମେ ବି ଜାଣ, ନରହତ୍ୟା ଅପରାଧରେ ମତେ ଏ କାରାଗାରରେ ଭର୍ତ୍ତି କରାଯାଇନି । ମୋର ଅପରାଧ ନାରୀ-ଧର୍ଷଣ... ।

 

ଈସ୍ ! ଏ ଧାରଣା ସୁଦ୍ଧା କାନ ଭିତରକୁ ଆଣିଲାକ୍ଷଣି, କେମିତି କେମିତି ଏକ କଦର୍ଯ୍ୟ ଆଶ୍ୱସ୍ତିରେ ମନଟା ଅତିଷ୍ଠ ହୋଇ ଉଠୁଛି । ମୁଁ ତମର ସେଇ ସ୍ଵାମୀ, ଯିଏ ଫୁଲ ଶେଜରେ ରାତିରେ କୁଳଦୀପ ଛୁଇଁ ଏକପତ୍ନୀ ବ୍ରତ ପାଳନ କରିବ ବୋଲି ଭୀଷ୍ମ ପ୍ରତିଜ୍ଞା କରିଥିଲା... ।

ତମେ ବିଶ୍ୱାସ କରୁଛ ମିନି ! ମୁଁ ସତରେ ନାରୀ ଧର୍ଷଣ କରିଛି ?

ମତେ ପ୍ରଶ୍ନ କରୁଛ, ତା ଯଦି ମୁଁ କରିନାହିଁ, ତେବେ ପୋଲିସ ଆଗରେ ତାହା ସ୍ୱୀକାର କଲି କାହିଁକି ?

ତମକୁ କଣ କହି ମୁଁ ଆଜି ବୁଝାଇବି ? ଏ କଥାକୁ ଯୁକ୍ତି ଦେଇ ବୁଝାଇ ହୁଏନି ମିନି—ଏ କଥାକୁ ଅନୁଭବ କରି ବୁଝି ହୁଏ ।

ତମେ ବିଶ୍ୱାସ କର, ତମ ଛଡ଼ା ମୁଁ ଆଉ କୌଣସି ତରୁଣୀ ଦେହରେ ଟିପ ଛୁଇଁ ନାହିଁ । ତମ ଛଡ଼ା ଆଉ କେଉଁ ଝିଅର ଦେହ ନରମକି ଗରମ, ସେ କଥା ମୁଁ ଆଦୌ ଜାଣିନାହିଁ । ତମ ଦେହର ଉତ୍ତାପରେ ମୁଁ ସମଗ୍ର ତରୁଣୀ—ସମାଜର ଦେହର ସ୍ୱାଦକୁ ଯାହା ଅନୁଭବ କରିବାକୁ ଚେଷ୍ଟା କରିଛି......

ତେବେ ନିରୁପମା.... !

ନିରୁପମାର ଦେହର ସୌନ୍ଦର୍ଯ୍ୟ ସତରେ ନିରୁପମା ମିନି ! ଉପମା ଦେଇ ତାକୁ ବୁଝାଇ ହୁଏ ନାହିଁ । ପ୍ରତି ପନ୍ଦର ମିନିଟରେ ସେ ଖଣ୍ଡେ ଶାଢ଼ୀ ବଦଳାଏ, ରଙ୍ଗ ପାଲଟାଏ, ହେଲେ ସେ ମୋ ଅଫିସର ବଡ଼ ହାକିମଙ୍କ ସ୍ତ୍ରୀ..... !

 

ମୁଁ କଣ ତାଙ୍କୁ ଖାରପ ଦୃଷ୍ଟିରେ ଚାହିଁପାରନ୍ତି !

 

ତମେ ବିଶ୍ୱାସ କରୁଛ, ମୁଁ ତା’ ଉପରେ ପାଶବିକ....

 

ପୋଲିସର ଚାର୍ଜସିଟ ଦେଖି ମତେ ସନ୍ଦେହ କର ନାହିଁ ମିନି ! ମତେ ଅବିଶ୍ୱାସ କର ନାହିଁ....

Image